ଏକ ଦେଶ, ଏକ ନିର୍ବାଚନ

ଏହାଦ୍ବାରା କେବଳ ଭାରତୀୟ ଜନତା ପାର୍ଟି ହିଁ ଲାଭବାନ ହେବ ବୋଲି ଆମ୍‌ ଆଦମୀ, ସମାଜବାଦୀ ପାର୍ଟି ଓ ଜେଡି (ୟୁ) ପରି ରାଜନୈତିକ ଦଳର ଦୃଢ଼ ଧାରଣା। ଏହା ଭିନ୍ନ କେବଳ ଅର୍ଥବ୍ୟୟକୁ ବଡ଼ ସମସ୍ୟା ଭାବରେ ଗ୍ରହଣ କରାଯାଇପାରିବ ନାହିଁ, କାରଣ ସୁସ୍ଥ ଗଣତନ୍ତ୍ରର ପ୍ରତିଷ୍ଠା ଲାଗି ଯେ କୌଣସି ମୂଲ୍ୟ ମଧ୍ୟ ଅପବ୍ୟୟ ନୁହେଁ। ଏହି ଦୃଷ୍ଟିରୁ ସଂସଦର ପାଞ୍ଚଦିନିଆ ଅଧିବେଶନ ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ। ଅନ୍ୟପକ୍ଷରେ ମୋଦୀଙ୍କ କାର୍ଯ୍ୟଶୈଳୀ ସଂପର୍କରେ ଅବଗତ ପକ୍ଷମାନଙ୍କର ଯୁକ୍ତି ହେଉଛି ଯେ ଅସମ୍ଭବକୁ ସମ୍ଭବ କରାଇବା କ୍ଷେତ୍ରରେ ମୋଦୀଙ୍କର ପ୍ରସିଦ୍ଧି ରହିଛି। ୩୭୦ ଧାରା ଉଚ୍ଛେଦ ଓ ରାମ ମନ୍ଦିର ନିର୍ମାଣ ଏ ଦିଗରେ ଗୋଟିଏ ଗୋଟିଏ ଦୃଢ଼ ପ୍ରମାଣ। ସୁତରାଂ ଏକକାଳୀନ ନିର୍ବାଚନ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ତାଙ୍କର ସମ୍ଭାବ୍ୟ ସଫଳତାକୁ ସନ୍ଦେହ କରାନଯାଇପାରେ।

ପ୍ରତିପକ୍ଷକୁ ଅପ୍ରସ୍ତୁତ କରିବା ଯଦି ଗରିଲା ଯୁଦ୍ଧର ଏକ ରଣକୌଶଳ ହୁଏ ତାହାହେଲେ ଆକସ୍ମିକ ଭାବେ ସାଂସଦର ପାଞ୍ଚଦିନିଆ ଅଧିବେଶନ ଡାକିବା ଓ ତା’ ପରଦିନ ‘ଗୋଟିଏ ଦେଶ, ଗୋଟିଏ ଭୋଟ’ ବ୍ୟବସ୍ଥାର କାର୍ଯ୍ୟକାରିତା ସମ୍ପର୍କରେ ବିଚାର ପାଇଁ ପ୍ରାକ୍ତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନର ଘୋଷଣା ହେଉଛି ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏକ ଗରିଲା ରଣକୌଶଳ। ପାର୍ଥକ୍ୟ ହେଉଛି ଗରିଲା ଯୁଦ୍ଧ ପ୍ରାୟତଃ ଦୁର୍ବଳ ଓ ସଂଖ୍ୟାନ୍ୟୂନ ସେନାବାହିନୀର ଅଧ୍ୟକ୍ଷ ଆପଣେଇଥାଆନ୍ତି ଯାହା ଆଲୋଚ୍ୟ କ୍ଷେତ୍ର ପାଇଁ ପ୍ରଯୋଜ୍ୟ ନୁହେଁ। ମାତ୍ର ଭାରତର ୨୮ଟି ବିରୋଧୀ ଦଳର ମଞ୍ଚ ‘ଇଣ୍ଡିଆ’ର ସଦସ୍ୟମାନେ ଯେତେ‌େବ‌େଳ ମୁମ୍ବାଇରେ ମିଳିତ ହୋଇ ‌େମାଦୀଙ୍କୁ ଗାଦିଚ୍ୟୁତ କରିବା ଲାଗି ରଣନୀତି ପ୍ରସ୍ତୁତ କରୁଛନ୍ତି ଠିକ୍‌ ସେତିକିବେଳେ ମୋଦୀ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ କଥା ଘୋଷଣା କରି ସେମାନଙ୍କୁ ଚମକେଇ ଦେଇଛନ୍ତି। ଏହି ଚମକି ପଡ଼ିଥିବା ନେତାମାନଙ୍କ ମଧ୍ୟରୁ କେତେଜଣ ଅଭିଯୋଗ କରିଛନ୍ତି ଯେ ଦେଶବାସୀଙ୍କର ଦୃଷ୍ଟି ମୂଳ ସମସ୍ୟା ଠାରୁ ଅନ୍ୟତ୍ର ଘୁଞ୍ଚେଇ ନେବା ପାଇଁ ‌ସରକାରଙ୍କର ଏହା ଏକ ସୁଚିନ୍ତିତି ଯୋଜନା। ସେମାନଙ୍କର ଆଉ ଏକ ଅଭିଯୋଗ ହେଲା ଯେ ବିରୋଧୀ ଦଳଗୁଡ଼ିକ ଏକାଠି ହୋଇ ଅଧିକ ଶକ୍ତି ସଂଗ୍ରହ କରିବା ଆଗରୁ ପ୍ରଧାନମନ୍ତ୍ରୀ ନିର୍ବାଚନ କରାଇ ନେବାକୁ ଚାହାଁନ୍ତି। ତୃତୀୟ ଅଭିଯୋଗଟି ହେଲା, ଆଦାନୀ, ମଣିପୁର ପରି ପ୍ରସଙ୍ଗକୁ ନେଇ ସରକାରଙ୍କର ଛବି ଅଧିକ ମଳିନ ହେବା ଆଗରୁ ନିର୍ବାଚନ କରାଇନେବା ମୋଦୀଙ୍କର ସୁଚିନ୍ତିତ କୌଶଳ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅବଶ୍ୟ ପ୍ରଥମ ଥର ଲାଗି ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ କଥା ଘୋଷଣା କରିନାହାନ୍ତି। ଏକଥା ସେ ଆଗରୁ ଘୋଷଣା କରିଛନ୍ତି ଏବଂ ଏଇଟି ତାଙ୍କ ଦଳର ନିର୍ବାଚନୀ ଇସ୍ତାହାରର ଏକ ଅଂଶ ହୋଇ ରହିଆସିଛି। ଉଲ୍ଲେଖଯୋଗ୍ୟ ଯେ ୧୯୫୧ରୁ ୧୯୬୭ ପର୍ଯ୍ୟନ୍ତ ଭାରତରେ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ନୀତି କାର୍ଯ୍ୟକାରୀ ହେଉଥିଲା। ୧୯୫୨, ୧୯୫୭, ୧୯୬୨ ଏବଂ ୧୯୬୭ରେ ସାରା ଦେଶ ପାଇଁ ଏକକ ନିର୍ବାଚନ ନୀତି ଲାଗୁ ହେବା ପରେ ୧୯୬୮-୬୯ରୁ ଏଥିରେ ପରିବର୍ତ୍ତନ ଦେଖାଦେଇଥିଲା। ସେହି ବର୍ଷ ନିର୍ଦ୍ଦିଷ୍ଟ ଅବଧି ପୂର୍ବରୁ କେତୋଟି ବିଧାନସଭାକୁ ଭାଙ୍ଗି ଦିଆଯାଇଥିଲା। ୧୯୭୦ରେ ବର୍ଷକ ଆଗରୁ ‌େଲାକସଭା‌ ଭଙ୍ଗ ହେବାରୁ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ଅନିବାର୍ଯ୍ୟ ହୋଇପଡ଼ିଥିଲା। ସେହି ସମୟଠାରୁ ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ସମୟରେ ଆବଶ୍ୟକତା ଅନୁସାରେ ବିଧାନସଭା ନିର୍ବାଚନ ହୋଇ ଆସୁଛି। ଦେଶର ସାଧାରଣ ନିର୍ବାଚନ ସହ ମୁଷ୍ଟିମେୟ କେତୋଟି ରାଜ୍ୟର ନିର୍ବାଚନ ହେଉଥିଲେ ମଧ୍ୟ ସେମାନେ ‘ଏକ ଦେଶ, ଏକ ନିର୍ବାଚନ’ ନୀତି ଦ୍ବାରା ପରିଚାଳିତ ନୁହନ୍ତି, ବରଂ ତାହା ଏକ କାକତାଳୀୟ ସଂଯୋଗ।
ଏହା ମଧ୍ୟରେ ‘ଏକ ଦେଶ, ଏକ ନିର୍ବାଚନ’ ନୀତିର ଭଲ ମନ୍ଦ ଉଭୟ ଦିଗ ସମ୍ବନ୍ଧରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି। ବିରୋଧୀ ଦଳଗୁଡ଼ିକର ଯୁକ୍ତି ହେଲା ଏହା ଦେଶର ସଂଘୀୟ ବ୍ୟବସ୍ଥାକୁ ଦୁର୍ବଳ କରି ଦେବ। ଗୋଟିଏ ସମୟରେ ଲୋକସଭା ଓ ରାଜ୍ୟଗୁଡ଼ିକର ବିଧାନସଭା ନିର୍ବାଚନ ହେଲେ କେନ୍ଦ୍ରରେ ଶାସନ କ୍ଷମତାରେ ଥିବା ଦଳ ଦୁର୍ବଳ ରାଜନୈତିକ ଦଳଠାରୁ ସୁବିଧାଜନକ ସ୍ଥିତିରେ ରହିବ। ଏହାଛଡ଼ା ଏକ ସମୟରେ ନିର୍ବାଚନ ହେଲେ ଜାତୀୟ ପ୍ରସଙ୍ଗଗୁଡ଼ିକ ହିଁ ମୁଖ୍ୟ ନିର୍ବାଚନୀ ପ୍ରସଙ୍ଗ ହୋଇରହିବ ଏବଂ ବିଭିନ୍ନ ରାଜ୍ୟର ଆଞ୍ଚଳିକ ପ୍ରସଙ୍ଗଗୁଡ଼ିକ ଗୌଣ ହୋଇଯିବ। ଏହାଠାରୁ ବଡ଼ ଯୁକ୍ତି ହେଲା, ଧରି ନିଆଯାଉ ଗୋଟିଏ ସମୟରେ ସବୁ ରାଜ୍ୟର ବିଧାନସଭା ନିର୍ବାଚନ କରାଇ ନିଆଗଲା। ତା’ପରେ ଯଦି କୌଣସି ନା କୌଣସି କାରଣରୁ ଗୋଟିଏ ରାଜ୍ୟର ସରକାର ଭାଙ୍ଗିଯାଏ ତାହାହେଲେ ସେଠାରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ହେବ ନା ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ଅପେକ୍ଷା କରାଯିବ? ସେହିଭଳି କୌଣସି କାରଣରୁ ଯଦି ଲୋକସଭା ନିର୍ଦ୍ଧାରିତ ସମୟ ପୂର୍ବରୁ ଭାଙ୍ଗିଯାଏ ତାହାହେଲେ କ’ଣ ଏକା ସାଙ୍ଗରେ ନିର୍ବାଚନ କରାଇବା ଲାଗି ରାଜ୍ୟଗୁଡ଼ିକର ବିଧାନସଭାଗୁଡ଼ିକୁ ମଧ୍ୟ ଭାଙ୍ଗି ଦିଆଯିବ? ସେମାନଙ୍କର ଆଉ ଏକ ଯୁକ୍ତି ହେଲା ଯେ ୧୯୫୧ରୁ ୬୭ ପର୍ଯ୍ୟନ୍ତ କେନ୍ଦ୍ର ଓ ବିଭିନ୍ନ ରାଜ୍ୟରେ କଂଗ୍ରେସ ଦଳ ଶାସନ କରୁଥିବାରୁ ସେତେବେଳର ପରିସ୍ଥିତି ଭିନ୍ନ ଥିଲା। ବର୍ତ୍ତମାନ ତାହା ସମ୍ଭବ ନୁହେଁ। ଦଳବିରୋଧୀ ଆଇନର କାର୍ଯ୍ୟକାରିତା ସତ୍ତ୍ବେ ବିଧାୟକମାନଙ୍କୁ ଏକାଠି ରଖାଯିବା କାମ ସମ୍ଭବ ହୋଇନାହିଁ। ରାଜନୈତିକ ଦଳଗୁଡ଼ିକର ଭଙ୍ଗାଯୋଡ଼ା କାମ ନିୟମିତ ଭାବରେ ଚାଲିଛି।
ତେବେ ଭାରତୀୟ ଜନତା ପାର୍ଟି, ବିଜୁ ଜନତା ଦଳ ଏବଂ ଶିରୋମଣି ଅକାଳୀ ଦଳ ପ୍ରଭୃତି ଯେଉଁ ରାଜନୈତିକ ଦଳଗୁଡ଼ିକ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ବ୍ୟବସ୍ଥାକୁ ସମର୍ଥନ କରୁଛନ୍ତି ସେମାନଙ୍କ ପାଖରେ ମଧ୍ୟ କେତେକ ଯୁକ୍ତି ରହିଛି। ସବୁଠାରୁ ବଡ଼ ଯୁକ୍ତି ହେଲା ବର୍ତ୍ତମାନର ବ୍ୟବସ୍ଥାରେ ବର୍ଷ ସାରା କୋଉଠି ନା କୋଉଠି ନିର୍ବାଚନ ଚାଲୁଛି ଏବଂ ତାହାଦ୍ବାରା ବିକାଶମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ନାମରେ ସାଧାରଣ ଉନ୍ନୟନମୂଳକ କାମକୁ ମଧ୍ୟ ରୋକି ଦିଆଯାଉଛି। ସେହିପରି ଦି ଥର ନିର୍ବାଚନ ହେବା ଦ୍ବାରା ପ୍ରଚୁର ସମୟ ଓ ସମ୍ବଳ ବ୍ୟୟ ହେଉଛି ଯାହା ସଂଚୟ କରାଯାଇପାରନ୍ତା। ଏହି କାରଣରୁ ୧୯୮୩ରେ ନିର୍ବାଚନ ଆୟୋଗ ଏକକାଳୀନ ନିର୍ବାଚନ ସପକ୍ଷରେ ମତ ଦେଇଥିଲେ। ୧୯୯୯ରେ ବିଧି ଆୟୋଗଙ୍କ ରିପୋର୍ଟରେ ମଧ୍ୟ ଏହା ସ୍ଥାନ ପାଇଥିଲା। ପୂର୍ବରୁ ଉଲ୍ଲେଖ କରାଯାଇଛି ଯେ ୨୦୧୪ରେ ଭାରତୀୟ ଜନତା ପାର୍ଟି ତା’ର ନିର୍ବାଚନ ଇସ୍ତାହାରରେ ଏକକାଳୀନ ନିର୍ବାଚନର ପ୍ରତିଶ୍ରୁତି ଦେଇଥିଲା। ୨୦୧୬ରେ ପ୍ରଧାନମନ୍ତ୍ରୀ ମୋଦୀ ଆଉଥରେ ଏହି ପ୍ରସଙ୍ଗ ଉଠେଇଥିଲେ ଏବଂ ୨୦୧୭ରେ ତତ୍କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହା ସପକ୍ଷରେ ମତ ଦେଇଥିଲେ। ୨୦୧୩ରେ ମଧ୍ୟ ‘ନିତି’ ଆୟୋଗ ଏପରି ବ୍ୟବସ୍ଥା ସପକ୍ଷରେ ଏକ ରିପୋର୍ଟ ଦେଇଥିଲେ। ଏଥିପାଇଁ ଆବଶ୍ୟକ ସଂବିଧାନ ସଂଶୋଧନ ପରେ ଏକକାଳୀନ ନିର୍ବାଚନ ବ୍ୟବସ୍ଥା ଗ୍ରହଣ କରାଯାଇପାରିବ ବୋଲି ସେତେବେଳେ ବିଧି ଆୟୋଗ ଦର୍ଶାଇଥିଲେ। ୨୦୨୦ରେ ସର୍ବଭାରତୀୟ ନିର୍ବାଚନ ଅଧିକାରୀମାନଙ୍କ ସମ୍ମିଳନୀର ଚୂଡ଼ାନ୍ତ ଅଧିବେଶନରେ ପ୍ରଧାନମନ୍ତ୍ରୀ ପୁନର୍ବାର ଏହି ପ୍ରସଙ୍ଗ ଉଠାଇଥିଲେ ଏବଂ ୨୦୨୨ରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଏକକାଳୀନ ନିର୍ବାଚନ ଲାଗି ଆୟୋଗ ପ୍ରସ୍ତୁତ ବୋଲି ସୁଦ୍ଧା କହିଥିଲେ। ସୁତରାଂ ସରକାର ଏବଂ ନିର୍ବାଚନ ଅ‌ାୟୋଗ ପକ୍ଷରୁ ଏ ନେଇ ସମସ୍ୟା ଉପୁଜିବ ନାହିଁ, ଏକଥା ସରକାର ଭଲ ଭାବେ ଜାଣନ୍ତି।
ଏସବୁ ସ‌େତ୍ତ୍ବ ଏକକାଳୀନ ନିର୍ବାଚନ ବ୍ୟବସ୍ଥା ଖୁବ୍‌ ଶୀଘ୍ର କାର୍ଯ୍ୟକାରୀ ହୋଇପାରିବ ବୋଲି କହିବା ଯଥାର୍ଥ ହେବ ନାହିଁ। କାରଣ ଏଥିପାଇଁ ଆବଶ୍ୟକ ସଂବିଧାନର ସଂଶୋଧନ ପ୍ରସ୍ତାବକୁ ଅର୍ଦ୍ଧେକ ରାଜ୍ୟ ଗ୍ରହଣ କରିବା ଉଚିତ। ବିରୋଧୀ ଦଳଗୁଡ଼ିକ ମଧ୍ୟ ତାତ୍ତ୍ବିକ ଦୃଷ୍ଟିକୋଣରୁ ଏ ପ୍ରକାର ଭାବଧାରା ଗଣତନ୍ତ୍ର ବିରୋଧୀ ବୋଲି ‌େଖାଲାଖୋଲି ଅଭିଯୋଗ କଲେଣି। ଏହାଦ୍ବାରା କେବଳ ଭାରତୀୟ ଜନତା ପାର୍ଟି ହିଁ ଲାଭବାନ ହେବ ବୋଲି ଆମ୍‌ ଆଦମୀ, ସମାଜବାଦୀ ପାର୍ଟି ଓ ଜେଡି (ୟୁ) ପରି ରାଜନୈତିକ ଦଳର ଦୃଢ଼ ଧାରଣା। ଏହା ଭିନ୍ନ କେବଳ ଅର୍ଥବ୍ୟୟକୁ ବଡ଼ ସମସ୍ୟା ଭାବରେ ଗ୍ରହଣ କରାଯାଇପାରିବ ନାହିଁ, କାରଣ ସୁସ୍ଥ ଗଣତନ୍ତ୍ରର ପ୍ରତିଷ୍ଠା ଲାଗି ଯେ କୌଣସି ମୂଲ୍ୟ ମଧ୍ୟ ଅପବ୍ୟୟ ନୁହେଁ। ଏହି ଦୃଷ୍ଟିରୁ ସଂସଦର ପାଞ୍ଚଦିନିଆ ଅଧିବେଶନ ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ। ଅନ୍ୟପକ୍ଷରେ ମୋଦୀଙ୍କ କାର୍ଯ୍ୟଶୈଳୀ ସଂପର୍କରେ ଅବଗତ ପକ୍ଷମାନଙ୍କର ଯୁକ୍ତି ହେଉଛି ଯେ ଅସମ୍ଭବକୁ ସମ୍ଭବ କରାଇବା କ୍ଷେତ୍ରରେ ମୋଦୀଙ୍କର ପ୍ରସିଦ୍ଧି ରହିଛି। ୩୭୦ ଧାରା ଉଚ୍ଛେଦ ଓ ରାମ ମନ୍ଦିର ନିର୍ମାଣ ଏ ଦିଗରେ ଗୋଟିଏ ଗୋଟିଏ ଦୃଢ଼ ପ୍ରମାଣ। ସୁତରାଂ ଏକକାଳୀନ ନିର୍ବାଚନ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ତାଙ୍କର ସମ୍ଭାବ୍ୟ ସଫଳତାକୁ ସନ୍ଦେହ କରାନଯାଇପାରେ।

ସମ୍ବନ୍ଧିତ ଖବର