ଏକାନ୍ତ ବାସରେ ଗୁରୁମୂର୍ତ୍ତି
ସତ୍ୟନାରାୟଣ ଗନ୍ତାୟତ
‘କେମିତି ଅପରଛନିଆ ଦିଶୁଚ’ ବୋଲି ପତ୍ନୀ ଝିଙ୍ଗାସିବା ମାତ୍ରକେ ସତିଆ ତୁରିତେ ଯାଇ ‘ହାଇଫାଇ ହେୟାର ଷ୍ଟାଇଲ’ରେ ପଦାର୍ପଣ କରେ। ମାଲିକ ଗୁରୁମୂର୍ତ୍ତି ତାକୁ ଦେଖୁଦେଖୁ ଗୋଟେ ମହାରାଜାଙ୍କ ସିଂହାସନ ବାଗିଆ ଘୂରନ୍ତା ଚୌକିରେ ବସିବାକୁ କହେ।
Sambad is now on WhatsApp
Join and get latest news updates delivered to you via WhatsApp
ଗୁରୁମୂର୍ତ୍ତି ଠିକ୍ ଠିକ୍ ଜାଣେ ସତିଆର ଚୁଟି କେମିତି ଛୋଟ ଛୋଟ କରାଯିବ, କଲି କେମିତି ଅଧ ଇଞ୍ଚରୁ ଅଧିକ ଅଥଚ ଇଞ୍ଚକରୁ ବେଶି ନ ହେବ ଓ ନିଶ ଦାଢ଼ି କେମିତି ଚିକ୍କଣାଦପି ଚିକ୍କଣ ହେବ! ୟା ଭିତରେ ଫେର୍ ସତିଆର ପତ୍ନୀଙ୍କୁ ଗୋଟେ ଭୋଜିରେ ଭେଟିଥିବା ବେଳେ ସେ କି ପ୍ରଭାବୀ ଢଙ୍ଗରେ କ’ଣ ବତାଇଲା କେଜାଣି ସେବଠୁ ସତିଆର କେଶ କଳା କରିବା ବି ସୁରୁ ହୋଇଛି।
ତେବେ ଗୁରୁମୂର୍ତ୍ତି ତା କାମରେ କୁଶଳୀ ତା ନୁହେ, ସେ ତା କାମ ସହ ଏମିତି ମାତବରିଆ ଢଙ୍ଗରେ ନାନା ଜାତି ଗପର ପସରା ମେଲେଇ ଥାଏ େଯ ତାହା ସତିଆକୁ ଭାରି ଭଲ ଲାଗିଥାଏ। କେତେବେଳେ ସେ କୋଉ ତେଲୁଗୁ ଫିଲ୍ମର ଦମଦାର ଷ୍ଟୋରି କଥା କହେ ତ ପୁଣି କୋଉ ସିନେମା ଷ୍ଟାରଙ୍କ ଝିଅ କୋଉ ପ୍ରଡ୍ୟୁସରଙ୍କ ପୁଅ ପିଛା ଲାଗିଛି, ଯା ଫଳରେ ଗୋଟେ ନୂଆ ବ୍ୟାନର ସୃଷ୍ଟି ହେବାର ଅଛି; ସେ ଭଳି ନାନା କଥା ଗପେ; ସତେ ଯେମିତି ସବୁ କିଛି ଆଖିରେ ଦେଖିଛି ଗୁରୁମୂର୍ତ୍ତି।
ଏ ସବୁ ବାଦ୍ ଗୁରୁମୂର୍ତ୍ତି ସହରର ଜଣେ ନାମଜାଦା ବ୍ୟାଣ୍ଡ୍ ମାଷ୍ଟର ବି। କଥା କଥାକେ କହେ ସେ କେମିତି ସବୁ ଭାଷାର ପପୁଲାର ସିନେମା ଗୀତମାନ ତା ବ୍ୟାଣ୍ଡପାର୍ଟିରେ ବଜାଇ ପାରୁଚି, ଯାହା ଆଉ କେହି ପାରିବେନି। ସେ କେମିତି ଫିମେଲ ଭଏସ୍ରେ ବି ଗାଇପାରେ ଇତ୍ୟାଦି ଇତ୍ୟାଦି।
ଗୁରୁମୂର୍ତ୍ତି କଥା ମନକୁ ଆସନ୍ତେ ସତିଆ ମନେ ପକାଇଲା ପ୍ରାୟ ଦେଢ଼ ମାସ ତଳେ ‘ହାଇଫାଇ ହେୟାର ଷ୍ଟାଇଲ’କୁ ଯାଇଥିଲା ସେ। ସେତେବେଳେ ଗୁରୁମୂର୍ତ୍ତି ତାକୁ କିନ୍ତୁ ବେଶ୍ ଗମ୍ଭୀର କଥାଟିଏ ଶୁଣାଇଥିଲା।
କଥାଟା ଏଇଆ ଯେ ଏ ସହରର ଜଣେ ଖ୍ୟାତନାମା ବିଲ୍ଡରଙ୍କ ପୁଅ ବାହା ହୋଇଥିଲା ଆନ୍ଧ୍ରର ଜଣେ ନାମୀ ଫିଲ୍ମ ଡିଷ୍ଟ୍ରିବ୍ୟୁଟରଙ୍କ ଏକମାତ୍ର ଝିଅକୁ। ତ’ କନ୍ୟା ଘର ଇଚ୍ଛା କରିଥିଲେ ଯେ କେବଳ ଶାସ୍ତ୍ରୀୟ ସଙ୍ଗୀତ ପରିବେଷଣ କରି ପାରୁଥିବା ବ୍ୟାଣ୍ଡପାର୍ଟିକୁ ହିଁ ବଜାଇବାର ସୁଯୋଗ ଦେବେ। ବର ଘରର ନିଜ ଲୋକ ହୋଇଥିବାରୁ ଓ ଗୁରୁମୂର୍ତ୍ତି ହିଁ ସହରର ଏକମାତ୍ର ଶାସ୍ତ୍ରୀୟ ସଙ୍ଗୀତ ସହ ପରିଚିତ ବ୍ୟାଣ୍ଡ୍ମାଷ୍ଟର ହୋଇଥିବାରୁ ଶାସ୍ତ୍ରୀୟ ପୋଷାକରେ ସଜ୍ଜିତ ହୋଇ ସେ ଯାଇ ଯୋଗ ଦେଇଥିଲା।
ଆୟୋଜନ ସବୁ ଅତି ଉତ୍ତମ ହୋଇଥିଲା। ଶହେ ଆଠ ପ୍ରକାର ଭେଜ୍ ଆଇଟମ୍ ହୋଇଥିଲା। ତେବେ ଏତେ ଏତେ ଭକ୍ତିଗୀତ ପରିବେଷଣ କରିବା ପରେ ପୁଣି ସମ ତାଳରେ ଶହେ ଆଠ ନନ୍ଭେଜ ଆଇଟମ୍ର ବ୍ୟବସ୍ଥା ସ୍ବତନ୍ତ୍ର ଭାବେ ହୋଇଥିବା ଦେଖି ମନ ଖରାପ ହୋଇ ଯାଇଥିଲା ଗୁରୁମୂର୍ତ୍ତିର! କେବଳ ସେତିକି ନୁହେଁ, କଲ୍ୟାଣ ମଣ୍ଡପର ଗୋଟିଏ କୋଣରେ ହୋ ହୋ ଘୋ ଘୋ ଦେଖି ସେ ଏହା ମଧ୍ୟ ଜାଣିଲା ଯେ ସେଠି ରୀତିମତ ବାର୍ ଖୋଲା ହୋଇ ଯାଇଛି।
ସୁତରାଂ, ଗଭୀର ପାପବୋଧରେ ସନ୍ତୁଳି ଯାଇ ଗୁରୁମୂର୍ତ୍ତି କେବଳ ଭାତ, ଦହି ଓ ପାମ୍ପଡ ଖାଇ ଚାଲି ଆସିଥିଲା। ଶାସ୍ତ୍ରୀୟ ସଙ୍ଗୀତର ଏ ଅବମାନନା ଥିଲା ତା ପାଇଁ ଅସହ୍ୟ। ଅଗତ୍ୟା ସେ ଦିନ ସତିଆ ଗୁରୁମୂର୍ତ୍ତିର ଆଉ ଏକ ପାଖ ଦେଖିବାକୁ ପାଇଥିଲା।
ଦର୍ପଣରେ ଆପଣାର ଚେହେରାକୁ ଦେଖୁଦେଖୁ ସତିଆ ଭାବିଲା, ଆରେ ହେ,ଏହା ଭିତରେ ଦେଢ଼ ମାସ ଯାଇ ଦି ମାସ ହେବାକୁ ବସିଲାଣି, କାଇଁ ତା ପତ୍ନୀ ତ ସେ ଅପରଛନିଆ ଦିଶୁଥିବା ନେଇ ଝିଙ୍ଗାସିବା ଶୁଣା ଯାଇନି?
ହଁ ଝିଙ୍ଗାସିଲେ ବି କ’ଣ ହେବ, ଏବେ ଗୁରୁମୂର୍ତ୍ତିର ‘ହାଇଫାଇ ହେୟାର ଷ୍ଟାଇଲ’ ପରା ଅଚାନକ ଅଜଣା ଅଜଣା ଲାଗୁଥିବା ଏ ସହରରେ ଅପହଞ୍ଚ ବନିଯାଇଛି !
ହେଲେ, କଥାକୁହା ଗୁରୁମୂର୍ତ୍ତି? ସେ ତ ନିଶ୍ଚେ ଥିବ କିସମ କିସମର ତା ଅସରା କଥାଙ୍କ ଗମ୍ଭୀରା ଭିତରେ, ଏଇ ଏକାନ୍ତ ବାସ ସମୟରେ!
‘ବ୍ୟାଣ୍ଡ୍ମାଷ୍ଟର ଗୁରୁମୂର୍ତ୍ତି’ ନାମରେ ତା ସେଲ୍ଫୋନ୍ରେ ସେଭ୍ କରିଥିବା ନମ୍ବରକୁ ଡାଏଲ କଲା ସତିଆ।
‘‘ସୁହାସିତମ୍”, କସ୍ତୁରୀ ନଗର, ରାୟଗଡା-୭୬୫୦୦୧