ବଦଳୁଛି ଆର୍‌ଏସ୍‌ଏସ୍‌ର ବିଚାର

ମହାମେଘବାହନ ଐର ଖାରବେଳ ସ୍ୱାଇଁ

ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ନୂପୁର ଶର୍ମା ଓ ଦିଲ୍ଲୀ ପ୍ରଦେଶର ମୁଖପାତ୍ର ନବୀନ କୁମାର ଜିନ୍ଦଲ ଇସଲାମର ପ୍ରତିଷ୍ଠାତା ପୈଗମ୍ବର ମହମ୍ମଦଙ୍କ ବିରୋଧରେ ଏକ ଟିଭି ବିତର୍କରେ କଟୁ ମନ୍ତବ୍ୟ ଦେବା ପରେ ଓ ଆଉ ଜଣେ ଟୁଇଟରରେ ତାହାକୁ ସମର୍ଥନ କଲାପରେ ସାରା ବିଶ୍ୱର ଇସଲାମ ଜଗତରେ ତାହା ବ୍ୟାପକ ଆଲୋଡ଼ନ ସୃଷ୍ଟି କରିଛି। ମଧ୍ୟ ପ୍ରାଚ୍ୟର ଆରବ ଦେଶମାନେ ଏଥିପାଇଁ ବ୍ୟାପକ ଅସନ୍ତୋଷ ପ୍ରକାଶ କରି ଭାରତକୁ ନିନ୍ଦା କରିଛନ୍ତି ଓ ଭାରତ ସରକାର ଏଥିପାଇଁ କ୍ଷମା ମାଗନ୍ତୁ ବୋଲି କେତେକ ମଧ୍ୟ ପ୍ରାଚ୍ୟର ଦେଶମାନେ ଦାବି କରିଛନ୍ତି। ଏହା ଫଳରେ ଭାରତର ମୁସଲମାନମାନଙ୍କ ମଧ୍ୟରୁ କେତେକ ଗୋଷ୍ଠୀ ମଧ୍ୟ ବିରୋଧ ପ୍ରକଟ କରିବା ଆରମ୍ଭ କରିଛନ୍ତି। ବିଜେପି ପକ୍ଷରୁ ଘଟଣାକୁ ଶାନ୍ତ କରିବା ପାଇଁ ନୂପୁର ଶର୍ମାଙ୍କୁ ଦଳରୁ ନିଲମ୍ବନ ଓ ନବୀନ ଜିନ୍ଦଲଙ୍କୁ ବହିଷ୍କାର କରାଯାଇଛି। ଭାରତର କେତେକ ମୁସଲମାନ ଗୋଷ୍ଠୀ ଏହି ଦୁଇ ଜଣଙ୍କୁ ଗିରଫ କରାଯାଉ ବୋଲି ଜୋର୍‌ଦାର୍ ଦାବି କରି ବସିଛନ୍ତି। କେବଳ ସେମାନଙ୍କୁ ଦଳରୁ ନିଲମ୍ବନ ବା ବହିଷ୍କାର ଯଥେଷ୍ଟ ନୁହେଁ ବୋଲି ସେମାନଙ୍କର ଯୁକ୍ତି। ଭାରତ ସରକାରଙ୍କ ପକ୍ଷରୁ ଇସଲାମୀୟ ରାଷ୍ଟ୍ରମାନଙ୍କୁ ଉତ୍ତର ଦିଆଯାଇଛି ଯେ, କୌଣସି ସରକାରୀ ଅଫିସର ପୈଗାମ୍ବର ମହମ୍ମଦଙ୍କ ବିରୋଧରେ ଏମିତି ମନ୍ତବ୍ୟ ଦେଇନାହାନ୍ତି। ଗୋଟିଏ ରାଜନୈତିକ ଦଳର ମୁଖପାତ୍ର ଏପରି କହିଛନ୍ତି ଏବଂ ତାହା ଫଳରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇଛି। ତେଣୁ ଏହି ମନ୍ତବ୍ୟ ସହ ଭାରତ ସରକାରଙ୍କର କୌଣସି ସମ୍ପର୍କ ନାହିଁ। ଯେଉଁ ଇସଲାମ ରାଷ୍ଟ୍ର ସଂଗଠନ (ଓ.ଆଇ.ସି.) ଓ ପାକିସ୍ତାନ ଏପରି ଭାରତ ବିରୋଧୀ ମନ୍ତବ୍ୟ ଦେଇଛନ୍ତି ସେମାନେ ପାକିସ୍ତାନରେ କିପରି ସଂଖ୍ୟାଲଘୁ ଅତ୍ୟାଚାର ହେଉଛି ସେ ସମ୍ପର୍କରେ ଆଗେ ଧ୍ୟାନ ଦେବା ଦରକାର।

ଅପର ପକ୍ଷରେ ଭାରତରେ ଅନ୍ୟ କେତେକ ହିନ୍ଦୁବାଦୀ ସଂଗଠନ ଯୁକ୍ତି ବାଢ଼ିବା ଆରମ୍ଭ କରିଛନ୍ତି ଯେ ମହମ୍ମଦଙ୍କ ବିରୁଦ୍ଧରେ କାହିଁକି ବିଜେପି ମୁଖପାତ୍ର ନୂପୁର ଶର୍ମା ଏପରି ମନ୍ତବ୍ୟ ଦେଲେ ସେ ସମ୍ପର୍କରେ ପ୍ରଥମେ ଅନୁଧ୍ୟାନ କରାଯାଉ। ଟିଭି ବିତର୍କରେ ଯେତେବେଳେ ବାରାଣସୀ ଜ୍ଞାନବାପି ମସଜିଦର ପୋଖରୀରେ ପଡ଼ିଥିବା ଶିବଲିଙ୍ଗକୁ ବିତର୍କରେ ଅଂଶଗ୍ରହଣ କରୁଥିବା ଇସଲାମର ଧର୍ମଗୁରୁ ଆକ୍ଷେପ କରି କହିଲେ ସେତେବେଳେ ନୂପୁର ଶର୍ମା ତା’ର ପ୍ରତ୍ୟୁତ୍ତରରେ ପୈଗମ୍ବର ମହମ୍ମଦଙ୍କ ସମ୍ପର୍କରେ କଟୁ ମନ୍ତବ୍ୟ ଦେଇଥିଲେ ବୋଲି ସେମାନଙ୍କର ଯୁକ୍ତି। ତେଣୁ ବିଜେପି କାହିଁକି ସେମାନଙ୍କ ବିରୋଧରେ ଏପରି କଡ଼ା ପଦକ୍ଷେପ ନେଇଛି ବୋଲି ସେମାନେ ଅସନ୍ତୋଷ ପ୍ରକଟ କରୁଛନ୍ତି।

କିନ୍ତୁ ଏଠାରେ ସବୁଠାରୁ ମହତ୍ତ୍ବପୂର୍ଣ୍ଣ କଥା ହେଲା, ସବୁଠୁ ବଡ଼ ହିନ୍ଦୁ ସଂଗଠନ ଆର୍‌ଏସ୍‌ଏସ୍‌ ଯିଏକି ଏ ବିଷୟରେ ନୂପୁର ଶର୍ମା, ନବୀନ ଜିନ୍ଦଲଙ୍କ ପକ୍ଷ ନେବା କଥା, ସେହି ସଂଗଠନ ଏକ ପ୍ରକାର ନିରବ ଅଛି। ଏହାର କାରଣ ହେଉଛି ଆର୍‌ଏସ୍‌ଏସ୍‌ର ମୁଖ୍ୟ ଅର୍ଥାତ ସରସଂଘଚାଳକ ମୋହନ ଭାଗବତ ଗତ କେତେ ଦିନ ତଳେ ହିନ୍ଦୁ ଓ ମୁସଲମାନମାନଙ୍କ ମଧ୍ୟରେ ଯେଉଁ ସଭ୍ୟତାର ଯୁଦ୍ଧ ଚାଲିଛି, ତାହା ଉପରେ ଚିନ୍ତନ ଆରମ୍ଭ କରି ପ୍ରତ୍ୟେକ ମସଜିଦରେ ହିନ୍ଦୁମାନେ ଶିବଲିଙ୍ଗ ନ ଖୋଜନ୍ତୁ ବୋଲି ପରାମର୍ଶ ଦେଇଛନ୍ତି। ଏ ଧରଣର ବିଚାରରେ ଏକ ଅର୍ଥ ନିହିତ ରହିଛି ଯେ, ଏହାଦ୍ୱାରା ଆର୍‌ଏସ୍‌ଏସ୍‌ର ବାର୍ତ୍ତା ପ୍ରେରଣ ଓ ଅଧିକରୁ ଅଧିକ ଲୋକଙ୍କ ନିକଟରେ ନିଜର ଉପସ୍ଥିତି ଜାହିର କରିବାର ଏକ ନୂଆ କୌଶଳ ବାହାର ହେଉଛି। ମୋହନ ଭାଗବତ କହିଛନ୍ତି ଯେ, ପ୍ରତିଦିନ ମସଜିଦମାନଙ୍କରେ ଶିବଲିଙ୍ଗ ଖୋଜିବାର ଅର୍ଥ ହେଉଛି ନୂଆ ନୂଆ ବିବାଦମାନ ସୃଷ୍ଟି କରିବା। ଅର୍ଥାତ, ଆର୍‌ଏସ୍‌ଏସ୍‌ ଆଉ ନୂଆ ବିବାଦ ଚାହେନାହିଁ।

ମୋହନ ଭାଗବତ କେବଳ ହିନ୍ଦୁମାନଙ୍କୁ ଏପରି ପରାମର୍ଶ ଦେଇଛନ୍ତି ତାହା ନୁହେଁ, ସେ ମୁସଲମାନମାନଙ୍କୁ ମଧ୍ୟ ପରାମର୍ଶ ଦେଇଛନ୍ତି। ଏହି ପରାମର୍ଶରେ ସେ କହିଛନ୍ତି ଯେ ମୁସଲମାନମାନେ ଭାରତର ଆକ୍ରମଣକାରୀଙ୍କଠାରୁ ନିଜର ମାନସିକ ସମ୍ପର୍କକୁ କାଟନ୍ତୁ। ଏହାଛଡ଼ା ଦେଶ ବିଭାଜନ ବେଳେ ଯେଉଁମାନେ ଦେଶ ବିଭାଜନ ପାଇଁ ପ୍ରବଳ ପ୍ରଚେଷ୍ଟା ଚଳାଇଥିଲେ ସେମାନଙ୍କ ସହ ଥିବା ମାନସିକ ସମ୍ପର୍କକୁ ମଧ୍ୟ କାଟନ୍ତୁ।

ଏ ଧରଣର ମନ୍ତବ୍ୟ ହଠାତ୍ ଆକାଶରୁ ଖସିପଡ଼ି ନାହିଁ। ବର୍ତ୍ତମାନ ଯେଉଁ ତାଜମହଲ ଓ କୁତବ ମିନାରକୁ ନେଇ ପୁଣି ବିବାଦମାନ ସୃଷ୍ଟି ହେବାକୁ ଯାଉଛି, ଆର୍‌ଏସ୍‌ଏସ୍‌କୁ ସେହି ବିବାଦରୁ ହଟାଇନେବା ପାଇଁ ଏହି ମନ୍ତବ୍ୟରେ ଚେଷ୍ଟା କରାଯାଇଛି। ଏବେ ଜୟପୁରର ରାଜାଙ୍କ ଜମି ଉପରେ ତାଜମହଲ ଆଗ୍ରାରେ ନିର୍ମିତ ହୋଇଛି ଓ ତାହାକୁ ଫେରାଇ ଦିଆଯାଉ ତଥା କୁତବ ମିନାରକୁ ଅନେକ ହିନ୍ଦୁ ଓ ଜୈନ ମନ୍ଦିରମାନଙ୍କୁ ଭାଙ୍ଗି ତିଆରି କରାଯାଇଥିବାରୁ କୁତବ ମିନାରକୁ ସେଠାରୁ ହଟାଇ ନେବାକୁ ଦାବି କରାଯାଇଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଭାଗବତଙ୍କ ଏହି ମନ୍ତବ୍ୟ ଅନେକ ମୁସଲମାନ ଧର୍ମଗୁରୁଙ୍କ ନିକଟରେ ଗ୍ରହଣୀୟ ହୋଇଛି। ଏପରିକି ଶଶି ଥରୁର୍‌ଙ୍କ ପରି ବିରୋଧି କଂଗ୍ରେସ ଦଳର ସାଂସଦ ମଧ୍ୟ ଏହି ମନ୍ତବ୍ୟକୁ ପସନ୍ଦ କରିଛନ୍ତି। ଅବଶ୍ୟ ଆର୍‌ଏସ୍‌ଏସ୍‌ ପକ୍ଷରୁ କୁହାଯାଇଛି ଯେ, ମୋହନ ଭାଗବତ ଏପରି କହିବା ଦ୍ୱାରା ନିଜକୁ ଜଣେ ଶାନ୍ତିବାଦୀ ଓ ଉଦାରବାଦୀ ବୋଲି ପ୍ରମାଣିତ କରିବାକୁ ଚେଷ୍ଟା କରିନାହାନ୍ତି। ଅଲ୍ କାଏଦାର ନେତା ଓସାମା ବିନ ଲାଦେନଙ୍କ ସମର୍ଥକମାନଙ୍କ ଦ୍ୱାରା ଆମେରିକାରୁ ଚାରିଟି ବିମାନ ଅପହୃତ ହୋଇ ସେମାନଙ୍କୁ ନେଇ ନ୍ୟୁୟର୍କର ବିଶ୍ୱବାଣିଜ୍ୟ କେନ୍ଦ୍ରର ଯୁଗ୍ମପ୍ରାସାଦ ଉପରେ ପିଟି ଦିଆଯିବା ଦ୍ୱାରା ୩,୫୦୦ରୁ ଅଧିକ ବ୍ୟକ୍ତିଙ୍କ ପ୍ରାଣ ଯିବା ପରେ ଆମେରିକା ନେତୃତ୍ୱରେ ପାଶ୍ଚାତ୍ୟ ଦେଶମାନେ ଯେମିତି ଆଫଗାନିସ୍ତାନ ଉପରେ ପ୍ରତି ଆକ୍ରମଣ କଲେ ଓ ଦୀର୍ଘ କୋଡ଼ିଏ ବର୍ଷ କାଳ ସେ ଦେଶରେ ରହି ତାଲିବାନ ବିରୋଧରେ ଯୁଦ୍ଧ କଲେ ତାହାକୁ ଇସଲାମ ଓ ଖ୍ରୀଷ୍ଟିଆନ ମାନଙ୍କ ମଧ୍ୟରେ ସଭ୍ୟତାର ଯୁଦ୍ଧ ବୋଲି କୁହାଗଲା। ଏବେ ମଧ୍ୟ ଭାରତରେ ହିନ୍ଦୁ-ମୁସଲମାନମାନଙ୍କ ମଧ୍ୟରେ ବିବାଦକୁ ଏକ ପ୍ରକାର ସଭ୍ୟତାର ଯୁଦ୍ଧ ବୋଲି କୁହାଯାଉଛି। ଭାଗବତ ଏହି ମନ୍ତବ୍ୟ ଦେବା ଦ୍ୱାରା ହିନ୍ଦୁ ଓ ମୁସଲମାନ ପରି ଦୁଇଟି ସମ୍ପ୍ରଦାୟ ମଧ୍ୟରେ ଚାଲିଥିବା ବିବାଦର ଏକ ସମାଧାନ ସୂତ୍ର ଦିଆଯାଇଛି। ଏହି ମନ୍ତବ୍ୟ ଦ୍ୱାରା ଭାରତରେ ସଂଖ୍ୟାଲଘୁମାନେ କିପରି ଏଠାକାର ସମାଜ ସହ ପୂରା ମିଶିଯାଇପାରିବେ, ସେଥିପାଇଁ ଏକ ମାର୍ଗ ଦର୍ଶାଇ ଦିଆଯାଇଛି। ଏଥିରେ ମୋହନ ଭାଗବତ ମୁସଲମାନମାନଙ୍କୁ ସେମାନେ ନିଜକୁ ଏହି ରାଷ୍ଟ୍ରର ଏକ ଅଭିନ୍ନ ଅଙ୍ଗ ବୋଲି ଗଣନା କରନ୍ତୁ, ସେମାନେ ଏ ଦେଶର ପ୍ରଚଳିତ ଧାରା ସହ ନିଜକୁ ମିଶାଇ ଦିଅନ୍ତୁ ବୋଲି କହିଛନ୍ତି।

ଯେତେବେଳେ ଇସଲାମ ଧାରା ପ୍ରତିଷ୍ଠା ହେଲା, ସେତେବେଳେ ଏହି ଧର୍ମ ବିଚାର ଗ୍ରହଣ କରିଥିବା ଦେଶମାନଙ୍କରେ ଅନ୍ୟ ଧର୍ମାବଲମ୍ବୀମାନେ ନଥିଲେ। କେବଳ ମୁସଲମାନମାନେ ଥିଲେ। କେତେକ ଦେଶମାନଙ୍କରେ ଯେଉଁମାନେ ଅଣମୁସଲମାନମାନେ ଥିଲେ, ସେମାନଙ୍କୁ ମୁସଲମାନ ଧର୍ମରେ ଦୀକ୍ଷିତ କରାଗଲା। ଏଣୁ ସେତେବେଳେ ଇସଲାମର ଯେଉଁ ଧର୍ମଗ୍ରନ୍ଥ କୋରାନର ସଂକଳନ କରାଗଲା ଓ ସାରିଆ ନିୟମର ମୁସଲମାନ ଚଳଣି ଧାରା ଓ ଆଇନ ପ୍ରଣୟନ କରାଗଲା ସେତେବେଳେ କେବଳ ମୁସଲମାନ ଧର୍ମାବଲମ୍ବୀମାନଙ୍କ ପାଇଁ ଏହା ପ୍ରଣୀତ ହୋଇଥିଲା। ସେତେବେଳେ ଗୋଟିଏ ଦେଶରେ ମୁସଲମାନ ଓ ଅଣମୁସଲମାନ ଏକତ୍ର ରହିବେ ଏମିତି ଧାରଣା ମଧ୍ୟ ନଥିଲା। ପୁଣି ଏମିତି ଏକ ସମୟ ଆସିବ ଯେତେବେଳେ ଗୋଟିଏ ରାଷ୍ଟ୍ରରେ ମୁସଲମାନମାନେ ସଂଖ୍ୟାଲଘୁ ହୋଇ ରହିବେ ଓ ଅଣମୁସଲମାନମାନେ ସେଠାରେ ସଂଖ୍ୟାଗରିଷ୍ଠ ହୋଇ ରହିବେ ତାହା ମଧ୍ୟ ବିଚାରକୁ ଆସିନଥିଲା। ଗଣତାନ୍ତ୍ରିକ ବ୍ୟବସ୍ଥାରେ କ୍ଷମତା ସଂଖ୍ୟାଗରିଷ୍ଠମାନଙ୍କ ହାତରେ ରହିବ, ଏଭଳି କଥା କୋରାନ ପ୍ରଣୟନ ବେଳେ ଚିନ୍ତାରେ ମଧ୍ୟ ନଥିଲା। ଅଣମୁସଲମାନ ସଂଖ୍ୟାଗରିଷ୍ଠତା ଥିବା ରାଷ୍ଟ୍ର ଓ ସମାଜରେ ଦେଶର ସମସ୍ତେ ଇସଲାମର ଧାରା ଅନୁସାରେ ଚଳିବେ ନାହିଁ, ଏମିତି ଚିନ୍ତା ମଧ୍ୟ ସେତେବେଳେ ନଥିଲା। ଏଣୁ ମିଶ୍ରିତ ସମାଜମାନଙ୍କରେ ମୁସଲମାନମାନେ କେଉଁ ପ୍ରକାରର ଜୀବନ ଧାରାକୁ ନେଇ ଚଳିବେ, ସେ ଦେଶମାନଙ୍କର ଅଣମୁସଲମାନମାନେ କେଉଁ ମାର୍ଗରେ ଚଳିବେ ଏ ସମ୍ପର୍କରେ ମଧ୍ୟ କୌଣସି ବିଚାର ନଥିଲା। ଆହୁରି ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଯେଉଁ ଦେଶର ଅଧିକାଂଶ ମୁସଲମାନ ଅନ୍ୟ ଧର୍ମରୁ ଧର୍ମାନ୍ତରୀତ ହୋଇ ଆସିଥିବେ ଓ ଯେଉଁ ଧର୍ମରୁ ସେମାନେ ଇସଲାମକୁ ଧର୍ମାନ୍ତରୀତ ହୋଇଛନ୍ତି ସେହି ଧର୍ମର ସଂଖ୍ୟାଗରିଷ୍ଠ ଲୋକଙ୍କ ସାଙ୍ଗରେ ରହୁଥିବେ ସେ ଦେଶରେ ସେମାନଙ୍କ ଜୀବନର ଧାରା ଓ ବିଚାର କେମିତି ହେବ, ସେ କଥା ମଧ୍ୟ ସେତେବେଳେ କେହି ଚିନ୍ତା କରିନଥିଲେ।

ମୋହନ ଭାଗବତ କହିଛନ୍ତି ଯେ, ମୁସଲମାନମାନେ ସେମାନଙ୍କୁ ଏହି ଦେଶର ନିଜର ମଣିଷ ବୋଲି ବିଚାର କରନ୍ତୁ। ଭାଗବତ କହୁଛନ୍ତି ଏ ଦେଶରେ ମୁସଲମାନମାନଙ୍କର ପୂଜା କରିବାର ପଦ୍ଧତି କେବଳ ବଦଳିଛି। ତେଣୁ ସେମାନେ ସେମାନଙ୍କର ଭାବନାକୁ ଓ ଅନ୍ୟମାନଙ୍କ ସହ ସଭ୍ୟତାର ସମ୍ପର୍କକୁ ବଦଳାନ୍ତୁ ନାହିଁ। ଏ ଦେଶ ସହିତ ସେମାନଙ୍କର ଯେଉଁ ପୁରୁଣା ସଭ୍ୟତାର ସମ୍ପର୍କ ରହିଛି ତାହାକୁ ମଧ୍ୟ ସେମାନେ ବଦଳାନ୍ତୁ ନାହିଁ। ଉଦାହରଣ ସ୍ୱରୂପ ସେ ଇଣ୍ଡୋନେସିଆର ଉଦାହରଣ ଦେଇ ପୃଥିବୀରେ ସର୍ବାଧିକ ମୁସଲମାନ ସେ ଦେଶରେ ଥିଲେ ମଧ୍ୟ ସେମାନେ ସେମାନଙ୍କର ରାମଲୀଳା, ଗରୁଡ଼, ଗଣେଶ ଆଦି ପୁରୁଣା ପରମ୍ପରାକୁ ଭୁଲିନାହାନ୍ତି।

ଅବଶ୍ୟ ଆର୍‌ଏସ୍‌ଏସ୍‌ ତରଫରୁ କୌଣସି ମିଳାମିଶାର ପ୍ରସ୍ତାବ ଦିଆଯାଉନାହିଁ। ବିନା ନ୍ୟାୟରେ ଏହି ମିଳାମିଶା ହୋଇପାରିବ ନାହିଁ ବୋଲି ସେମାନେ କହୁଛନ୍ତି। ଯେଉଁସବୁ ହିନ୍ଦୁ ମନ୍ଦିରମାନଙ୍କୁ ଭାଙ୍ଗି ଦିଆଯାଇଛି, ସେ ସବୁକୁ ସେମାନେ ଭୁଲି ଯିବାକୁ ଚାହୁନାହାନ୍ତି। ଏହି ନ୍ୟାୟ ପାଇଁ ବିଭିନ୍ନ ପ୍ରକାର ଆଇନ ଅଦାଲତମାନେ ଅଛନ୍ତି ବୋଲି ସେମାନେ ସ୍ୱୀକାର କରୁଛନ୍ତି। ପ୍ରତ୍ନତତ୍ତ୍ୱ ହେଉଛି ଏକ ଭାବପ୍ରବଣ ବିଷୟ। ଅଦାଲତ ଅବା ରାସ୍ତାରେ ଏଥିପାଇଁ ଲଢ଼ିବାକୁ ସମ୍ବଳର ଆବଶ୍ୟକତା ଅଛି। ଏଣୁ ବର୍ତ୍ତମାନ ଆର୍‌ଏସ୍‌ଏସ୍‌ ପକ୍ଷରୁ ଏ ଧରଣର ସମ୍ବଳ ସଂଗ୍ରହ କରି ପୁଣି ପ୍ରତ୍ନତତ୍ତ୍ୱ ସମ୍ପର୍କରେ ଲଢ଼ିବା ପାଇଁ ସେତେ ବେଶି ଆଗ୍ରହ ପ୍ରକଟ କରାଯାଉନାହିଁ।

ଏବେ ଆର୍‌ଏସ୍‌ଏସ୍‌ ପକ୍ଷରୁ କୁହାଯାଉଛି ଯେ, ତାଙ୍କ ସଂଗଠନକୁ ଦାୟିତ୍ୱସମ୍ପନ୍ନ ଭାବରେ କାମ କରିବାକୁ ପଡ଼ିବ। ସମାଜରେ କୌଣସି ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବାକୁ ସେମାନେ ଆଉ ଚାହାନ୍ତି ନାହିଁ। ଆର୍‌ଏସ୍‌ଏସ୍‌ ପକ୍ଷରୁ କୁହାଯାଇଛି ଯେ, ଅଦାଲତମାନଙ୍କରେ ଅଗଣିତ ଏ ଧରଣର ମାମଲାମାନଙ୍କୁ ଆଗତ କରାଯିବା ଦ୍ୱାରା ଏମାନଙ୍କର ଗୁରୁତ୍ୱ ରହିବ ନାହିଁ। ଏହାଛଡ଼ା ଏହା ସରକାର ଓ ସଂଗଠନ ପାଇଁ ଅନେକ ଜଟିଳ ପରିସ୍ଥିତି ସୃଷ୍ଟି କରିବ।

ରାମ ମନ୍ଦିର ନିର୍ମାଣ ପାଇଁ ଯେଉଁ ରାଷ୍ଟ୍ରବ୍ୟାପୀ ଅଭିଯାନ ଓ ଆନ୍ଦୋଳନ ଚାଲିଥିଲା ଆର୍‌ଏସ୍‌ଏସ୍‌ ଏବେ ପୂର୍ବ ବର୍ଣ୍ଣିତ ମାମଲାମାନଙ୍କୁ ସମାନ ସ୍ତରର ବୋଲି ପରିଗଣନା କରୁନାହିଁ। ଏବେ ଦେଶରେ ଯେଉଁ ସରକାର ଅଛି, ତାହା ଆର୍‌ଏସ୍‌ଏସ୍‌ ସମର୍ଥିତ। ଏ ସରକାର ଏ ଧରଣର କୌଣସିି ଧର୍ମଗତ ଅସୁବିଧାରେ ପଡୁ, ଆର୍‌ଏସ୍‌ଏସ୍‌ ସେ କଥା ଚାହୁନାହିଁ। କାରଣ ଅଣ ବିଜେପି ସରକାରମାନେ ଚାଲିଥିବା ବେଳେ ହିନ୍ଦୁମାନଙ୍କୁ ନେଇ କୌଣସି ସମସ୍ୟାର ସମାଧାନ ସେମାନଙ୍କ ଦ୍ୱାରା ହୋଇପାରୁନଥିଲା, ଯାହା ଆର୍‌ଏସ୍‌ଏସ୍‌ ଚାହେ। ଏଣୁ ଏ ସରକାର ଚାଲିଯାଉ, ଆର୍‌ଏସ୍‌ଏସ୍‌ ସେ କଥା ଆଦୌ ଚାହେ ନାହିଁ। ଆର୍‌ଏସ୍‌ଏସ୍‌ ତିନି ତଲାକ, ସମାନ ବିଚାର ସଂହିତା, କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ଆଦି ଯେଉଁ ନୀତିମାନ ଗ୍ରହଣ କରିଥିଲା କେବଳ ଏହି ସରକାର ବେଳେ ସେହି ଲକ୍ଷ୍ୟମାନ ହାସଲ ହୋଇପାରିଛି। ଏ ସରକାର ପାଇଁ ଆଉ ଅଧିକ ସମସ୍ୟା ସୃଷ୍ଟି ହେଉ ଏ କଥା ଆର୍‌ଏସ୍‌ଏସ୍‌ ଚାହୁନାହିଁ। ଏହାଛଡ଼ା କ୍ରମଶଃ ହିନ୍ଦୁ ଜାତିର ଅଭ୍ୟୁଦୟ ତା’ର ବିକାଶ ଓ ସମୃଦ୍ଧି ତଥା ଅପର ପକ୍ଷରେ ପାକିସ୍ତାନର ଆର୍ଥିକ, ରାଜନୈତିକ ଓ ସାମରିକ ପତନ ଆର୍‌ଏସ୍‌ଏସ୍‌ ମଧ୍ୟରେ ଥିବା ପୂର୍ବର ଆଶଙ୍କାକୁ ଦୂର କରିଛି। ଏଣୁ ସ୍ୱାଭାବିକ ଯେ ଆର୍‌ଏସ୍‌ଏସ୍‌ର ବିଚାରଧାରାରେ କ୍ରମଶଃ ପରିବର୍ତ୍ତନ ଆସୁଛି।

ମୋ-୯୪୩୭୦୨୦୨୯୦

ସମ୍ବନ୍ଧିତ ଖବର