ସାବଧାନତା ଦିବସ

କହିବାର ଅଛି - ଦାଶ ବେନହୁର

ଏଇ ପାଞ୍ଚଦିନ ତଳେ ଆମେ ଦେଶର ପଞ୍ଚସ୍ତରିତମ ସ୍ବାଧୀନତା ଦିବସ ପାଳନ କରିଛେ। ଏ ହିସାବ ଅଗଷ୍ଟ ପନ୍ଦର, ୧୯୪୭କୁ ନେଇ। ‘‘ଭାରତ ସ୍ବାଧୀନତା ଆଇନ, ୧୯୪୭’’ ମାଧୢମରେ ଆମକୁ ସ୍ବାଧୀନତା ମିଳିଲା ବୋଲି ଘୋଷିତ ହୋଇଥିଲା ଓ ସାଧାରଣ ଲୋକ ବୁଝିଥିଲେ ଯେ ଭାରତ ସ୍ବାଧୀନତା ପାଇଲା। ସେଥିପାଇଁ ଦେଶ ତମାମ ସେତେବେଳେ ଉତ୍ସବ ପାଳିତ ହୋଇଥିଲା। ଆଜି ସେଇ କଥାକୁ ମନେ ପକାଇ କେନ୍ଦ୍ର ସରକାର ଗୋଟାଏ ବର୍ଷ ଧରି ‘ଅମୃତ ମହୋତ୍ସବ’ ପାଳନ କରିବେ ବୋଲି ଘୋଷଣା କରିଛନ୍ତି।

ହେଲେ ପ୍ରଶ୍ନ ଉଠୁଛି ଏ ସ୍ବାଧୀନତା କଥାଟି କ’ଣ। ଏହା କ’ଣ ଅବାଧତା? ଆମେ ଯାହା ଚାହିଁବା ତାହା କରିପାରିବା? କାହାକୁ ସେ ଦିନ ମିଳିଥିଲା ସ୍ବାଧୀନତା? ଲୋକଙ୍କୁ ନା ସରକାରଙ୍କୁ? ରାଜନୈତିକ ଦଳ କ˚ଗ୍ରେସକୁ ନା ଅନ୍ୟ ସବୁ ରାଜନୈତିକ ଦଳଙ୍କୁ? ଭାରତର ସବୁ ଅଞ୍ଚଳକୁ କ’ଣ ମିଳିଥିଲା ସ୍ବାଧୀନତା?

ସ୍ବାଧୀନତା ବିଷୟଟିକୁ ଯିବା ପୂର୍ବରୁ ଆମେ ସେ ଦିନର ଭାରତ-ସ୍ଥିତି ଭିତରକୁ ପ୍ରବେଶ କରିବା ଦରକାର। ତା’ର କାରଣ ପରାଧୀନତାର ଅନୁପସ୍ଥିତି ହିଁ ଜଣକୁ ସ୍ବାଧୀନତା ଦିଏ ବା ଗୋଟାଏ ଦେଶକୁ ସ୍ବାଧୀନ କରେ। ସେତେବେଳେ ତାହା ଥିଲା କି? କ’ଣ ପାଇଁ ସୁଭାଷ ବୋଷଙ୍କ ଭାଷାରେ ଜାତିର ଜନକ ପାଲଟିସାରିଥିବା ମୋହନ ଦାସ ଗାନ୍ଧୀ ସେ ଦିନ ଅନ୍ୟମାନଙ୍କ ଭଳି ଦିଲ୍ଲୀର ସ୍ବାଧୀନତା ଉତ୍ସବରେ ଭାଗ ନ ନେଇ କଲିକତାର ଗୋଟାଏ ଅନ୍ଧାର ଘରେ ଉପାସ ଆଉ ଅରଟରେ ସାରିଦେଇଥିଲେ ପୂରା ଦିବସଟା! କିଏ କ’ଣ ବୁଝିଲା ସେ କଥା?

ଏବେ ଫେରିବା ସେ ବେଳର ଅଗଷ୍ଟ ପନ୍ଦରକୁ। ଚଉଦ ପରେ ପନ୍ଦର ଆସେ। ସେ ଦିନ ବି ଆସିଥିଲା ରାତି ବାରଟା ପରେ। ସେତେବେଳକୁ ଦେଶର କଞ୍ଚା ମା˚ସ ଉପରେ କୁରାଢ଼ି ଚୋଟ ପକେଇ ଛିଣ୍ତେଇ ଦିଆ ହୋଇଥିଲା ଗୋଟାଏ ଅ˚ଶ। ଗଢ଼ା ହୋଇଥିଲା ପାକିସ୍ତାନ। ଆମେ ଭାରତ ହେବାର ଚବିଶ ଘଣ୍ଟା ଆଗରୁ ପାକିସ୍ତାନ ଠିଆ ହୋଇସାରିଥିଲା।

ଉଃ! କି ଯନ୍ତ୍ରଣା ସେ! ସରକାରୀ ହିସାବରେ କୋଡ଼ିଏ ଲକ୍ଷ ଲୋକ ହଣାକଟାରେ ମରିଥିଲେ ଓ ଦୁଇ କୋଟି ଲୋକ ବିସ୍ଥାପିତ ହୋଇଥିଲେ। ସରକାରୀ ହିସାବ ସବୁବେଳେ ଲୁଚାଛପା ମାତ୍ର ଖୋଲାଖୋଲି କହିଲେ ସେ ସ୍ବାଧୀନତାର ପ୍ରସ୍ତୁତି ପାଇଁ କେତେ ଯେ ଭାରତୀୟ ମରିଥିଲେ ତା’ର ହିସାବ ନାହିଁ। ମୃତ୍ୟୁର ବିଭୀଷିକା ଭିତରେ ସ୍ବାଧୀନତା ଦିବସ ପାଳିତ ହୋଇଥିଲା। ସେଇଥିପାଇଁ ଅଗଷ୍ଟ ଚଉଦକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘‘ବିଭାଜନ ବିଭୀଷିକା ଦିବସ’’ ରୂପେ ପାଳିବା ଲାଗି ଏବେ ଆହ୍ବାନ ଦେଇଛନ୍ତି। ଯେଉଁମାନଙ୍କ ଘରୁ କେହି ହାଣ ଖାଇନଥିଲେ ସେମାନେ ହୁଏ’ତ ଉତ୍ସବ ପାଳିଲେ, ମାତ୍ର ଯେଉଁମାନେ ପ୍ରାଣପ୍ରିୟମାନଙ୍କୁ ହରାଇଥିଲେ? ଯେଉଁମାନଙ୍କର ସବୁ ଉଜୁଡ଼ି ଗଲା? ଯେଉଁମାନେ ହଣାକଟାରେ ବିକଳାଙ୍ଗ ହୋଇଗଲେ? କେଉଁ ସ୍ବାଧୀନତା ମିଳିଥିଲା ତା’ଙ୍କୁ? ପଞ୍ଚସ୍ତରି ବର୍ଷ ପରେ ମଧୢ ଆଜି ବି ସ୍ବାଧୀନତା ମିଳିନି ସେମାନଙ୍କୁ। ଅନେକ ପରିବାର ଏବେ ସାରା ଭାରତରେ ଅଛନ୍ତି ଯେଉଁମାନଙ୍କୁ ଅଗଷ୍ଟ ପନ୍ଦର କହିଲେ ଗୋଟାଏ ଶୋକାଚ୍ଛନ୍ନ ଅନ୍ଧକାର ଦିଶେ। ଛାତିରେ ଯନ୍ତ୍ରଣା ଜମାଟ ବାନ୍ଧିଯାଏ।
କେଉଁ ମହୋତ୍ସବ ପାଳିବେ ସେମାନେ? ଉତ୍ସବ ନା ଅସହାୟତାର ଗ୍ଳାନି?

ଭୂମି ତ ତିନିଗଡ଼ ହୋଇଥିଲା- ଭାରତ, ପଶ୍ଚିମ ପାକିସ୍ତାନ, ପୂର୍ବ ପାକିସ୍ତାନ (ପରେ ବାଙ୍ଗ୍‌ଲାଦେଶ) ହେଲେ ଯେଉଁ ଭାରତ ସେ ଦିନ ଅଗଷ୍ଟ ପନ୍ଦର ସ୍ବାଧୀନତା ଦିବସ ପାଳିଥିଲା ସେଥିରେ ବି ସେଇ ବିଖଣ୍ତିତ ଭାରତ ସୁଦ୍ଧା ନିଖିଳ ରୂପରେ ନ ଥିଲା। ଦୁଇଟା ଥିଲା ୧୯୪୭, ଅଗଷ୍ଟ ପନ୍ଦରର ଭାରତ। ବ୍ରିଟିସ୍‌ ଇଣ୍ତିଆ, ଇଣ୍ତିଆନ୍‌ ଇଣ୍ତିଆ। ବିଲାତି ଭାରତ ଆଉ ଦେଶୀ ଭାରତ। ବିଲାତି ଭାରତରେ ଥିଲା ପନ୍ଦରଟା ପ୍ରୋଭିନ୍‌ସ ଯାହା ସିଧାସଳଖ ଭାଇସ୍‌ରାୟ, ଗଭର୍ଣ୍ଣର, କଲେକ୍‌ଟର/କମିସନରଙ୍କ ମାଧୢମରେ ଶାସିତ ହେଉଥିଲା। ବାକି ପାଖାପାଖି ଏକ ତୃତୀୟା˚ଶ ଅଞ୍ଚଳରେ ଦେଶୀୟ ରାଜାମାନେ ଶାସନ କରୁଥିଲେ। ଛଅଶହ ସରିକି ସେମାନଙ୍କ ସ˚ଖ୍ୟା। ଅଦ୍‌ଭୁତ ଶାସନ ଚାଲିଥିଲା, ସେ ଗଡ଼ଜାତ ଗୁଡ଼ିକରେ। ଲୋମହର୍ଷଣକାରୀ ଶୋଷଣ। ପ୍ରୋଭିନ୍‌ସମାନଙ୍କରେ ଥିବା ଲୋକେ ସେଗୁଡ଼ିକୁ କହୁଥିଲେ ଅନ୍ଧାରି ମୁଲକ। ଭାରତ ସ୍ବାଧୀନତା ଆଇନ-୧୯୪୭ ବ୍ରିଟିସ୍ ବନ୍ଧନରୁ ଫିଟେଇ ଦେଇଥିଲା ସେମାନଙ୍କୁ, ଯେଉଁଆଡ଼େ ଯାଉଛ ଯାଅ। ପାକିସ୍ତାନକୁ ଯାଅ କି ଭାରତରେ ରହ। ଭାଙ୍ଗିଯାଉ ଭାରତ, ଖଣ୍ତ ଖଣ୍ତ ହେଇଯାଉ। ଆମର ସେଥିରେ କ’ଣ ଅଛି? ଅଗଷ୍ଟ ପନ୍ଦର ବେଳକୁ ସବୁ ଗଡ଼ଜାତଗୁଡ଼ିକ ଅବ୍ୟବସ୍ଥିତ। ସ୍ବାଧୀନତା ପ୍ରକୃତରେ ଆସିଥିଲା ଏଇ ପ୍ରୋଭିନ୍‌ସସମୂହକୁ। ହେଲେ ଗଡ଼ଜାତସମୂହ? କେଉଁ ସ୍ବାଧୀନତା ପାଇଥିଲେ ସେଥିରେ ବାସ କରୁଥିବା ମଣିଷମାନେ? ଗଡ଼ଜାତ ଲୋକେ ସେଦିନ ଯେଉଁ ତିମିରେକୁ ସେଇ ତିମିରରେ ଥିଲେ।

ସ୍ବାଧୀନ ଭାରତକୁ ଚଳେଇବା ପାଇଁ ଯେଉଁ ଆଇନ ଖସଡ଼ା ତିଆରି ହେବା କଥା ତାହା ଜନ୍ମ ନେବାକୁ ଥିଲା ଅନେକ ଡେରି। ଡିସେମ୍ବର ୯, ୧୯୪୬ରୁ ବସିଥିଲା ସମ୍ବିଧାନ ପ୍ରଣୟନ ସଭା। ମୋଟେ ଆଠ ମାସ କାମ କରିଥିଲା ସେ ସଭା। ସବୁ ଅଧାପନ୍ତରିଆ। ଏ କାମଟି ସରିବାକୁ ପ୍ରକୃତରେ ଲାଗିଥିଲା ଦୁଇବର୍ଷ ଏଗାରମାସ ଅଠର ଦିନ। ସତ କହିବାକୁ ଗଲେ ସ୍ବାଧୀନ ଭାରତରେ ସ୍ବାଧୀନ ଆଇନ ନ ଥିଲା। ପରାଧୀନ ଭାରତର ଆଇନ ହିଁ ଚଳାଉଥିଲା ତଥାକଥିତ ସ୍ବାଧୀନ ଭାରତକୁ। ଶାସନ ଓ ଆଇନ ସେଇ ପରାଧୀନତା ବେଳର। ପାକିସ୍ତାନ ତା’ର ପ୍ରଥମ ଗଭର୍ଣ୍ଣର ଜେନେରାଲ୍‌ କରି ବାଛିଥିଲା ମହମ୍ମଦ ଅଲି ଜିନ୍ନାଙ୍କୁ ହେଲେ ଭାରତ ବାଛିଥିଲା ସେଇ ପରାଧୀନତା କାଳର ଗଭର୍ଣ୍ଣର ଜେନେରାଲ୍‌ ଲୁଇ ମାଉଣ୍ଟ୍‌ବାଟେନ୍‌ଙ୍କୁ। ସେ ବି କ’ଣ ସ୍ବାଧୀନ ଶାସକ ଥିଲେ? କେଉଁ ସ୍ବାଧୀନତା ଦିବସ କଥା ଆମେ କହୁଛେ? ଏଠି ମଧୢ ସୂଚାଇଦେବା ଦରକାର ଯେ ଆମ ଦେଶର ପ୍ରଥମ ଆଇନ ଏ ଯେଉଁ ସମ୍ବିଧାନ ଯାହାକୁ ଆମେ ୧୯୪୯ ନଭେମ୍ବର ୨୬ରେ ଭାରତର ସକଳ ମଣିଷ ଗମ୍ଭୀରତାର ସହ ବିବେଚନା କରି ନିଜକୁ ଦେଇଛେ ଓ ପ୍ରଣୟନ କରିଛେ ବୋଲି ଘୋଷଣା କଲେ ତାହା ପ୍ରକୃତରେ ସ୍ବାଧୀନ ଭାରତର ଲୋକଙ୍କ ଆଇନ ନୁହେଁ। ସେଥିରୁ ପାଖାପାଖି ପଞ୍ଚସ୍ତରି ଭାଗ ଆସିିଛି ସେଇ ପରାଧୀନ ଭାରତର, ଭାରତ ଶାସନ ଆଇନ-୧୯୩୫ରୁ। କେଉଁ ସ୍ବାଧୀନ ଶାସନ କଥା କହୁଛେ ଆମେ?

ନ୍ୟାୟ ବ୍ୟବସ୍ଥା ଦିଗରୁ ସୁଦ୍ଧା କ’ଣ ଆମେ ପନ୍ଦର ଅଗଷ୍ଟ ୧୯୪୭ ବେଳକୁ ସ୍ବାଧୀନ ହୋଇଥିଲେ? ୧୯୩୦ ବେଳରୁ କେତେ ଦାବି ଓ ପ୍ରତିବାଦ ପରେ ୧୯୩୫ ଆଇନ ଦ୍ବାରା ଫେଡେରାଲ୍‌ କୋର୍ଟ ଅଫ୍‌ ଇଣ୍ତିଆ ଗଠିତ ହୋଇଥିଲା। କ୍ଷମତା କିନ୍ତୁ ଥିଲା ବହୁ ଭାବରେ ସ˚କୁଚିତ। ୧୯୪୮ରେ ସ୍ବାଧୀନତା ମିଳିବାର ବର୍ଷକ ପରେ ଯାଇ ଏହାର କ୍ଷମତା ପରିସର ବୃଦ୍ଧି ପାଇଲା। ସବୁ ଶେଷ ବିଚାର କିନ୍ତୁ ଯାଉଥିଲା ବିଲାତର ପ୍ରିଭି କାଉନ୍‌ସିଲ୍‌କୁ। ୧୯୫୦ରେ ଭାରତର ସୁପ୍ରିମକୋର୍ଟ ଗଢ଼ା ହେବା ପରେ ଏ ବିଚାରଗତ ପରାଧୀନତାର ଅନ୍ତ ଘଟିଲା। ତେଣୁ ମନରେ ପ୍ରଶ୍ନ ଉଠେ ୧୯୪୭, ଅଗଷ୍ଟ ପନ୍ଦରର ଯେଉଁ ସ୍ବାଧୀନତା ସେଥିରେ ଭାରତର ବିଚାରଗତ ସ୍ବାଧୀନତା କେତେ ଥିଲା?

ବିଧାନପାଳିକା ବା ସ˚ସଦୀୟ ସଭ୍ୟମାନଙ୍କର ଯେ ପ୍ରିଭିଲେଜ୍‌ ବା ସୁବିଧାସୁଯୋଗ ତାହା ମଧୢ ସ୍ବଦେଶ ଅନୁସାରୀ ନ ଥିଲା। ଏ ଯେଉଁ ପାର୍ଲ୍ୟାମେଣ୍ଟାରି ପ୍ରିଭିଲେଜ୍‌ ତାହା ବିନା ସ˚ସଦ ବା ସା˚ସଦ କେହି କାର୍ଯ୍ୟ ତୁଲାଇପାରିବେ ନାହିଁ। ଅଥଚ ସ˚ବିଧାନ ଗଢ଼ା ହେଲା ବେଳକୁ, ବିଲାତର ହାଉସ୍‌ ଅଫ୍‌ କମନ୍‌ସର ସଭ୍ୟମାନଙ୍କର ଯାହା ସୁବିଧା ସୁଯୋଗ ତାହା ହିଁ ଭାରତରେ ଲାଗୁ ହେଲା ବୋଲି ଘୋଷିତ ହେଲା। ସେଥିରେ ବି ଆପଣା ବିଚାର ରଖିପାରିଲୁନି ଆମେ।

ବେଳେ ବେଳେ ତ ଆଶ୍ଚର୍ଯ୍ୟ ଲାଗେ ଦେଶର ନ୍ୟାୟପତି ଓ ନ୍ୟାୟାଧିବକ୍ତାମାନଙ୍କର ପୋଷାକ ଦେଖି । ବ୍ରିଟିସ୍‌ ସରକାର ବିଚାରାଳୟଗୁଡ଼ିକ ଲାଗି ସେମାନଙ୍କ ଜଳବାୟୁ ଅନୁସାରେ ପୋଷାକ ପିନ୍ଧାର ବିବରଣୀ ରଖିଥିଲେ। ଧଳା ପ୍ୟାଣ୍ଟ୍‌ ସାର୍ଟ, ବେକରେ କଣ୍ଠିଫିତା, ଭିତରେ ଛୋଟ କଳା ଜାକେଟ୍‌, ଉପରେ କଳାକୋର୍ଟ ପୁଣି ତା’ଉପରେ ଲମ୍ବା ଗାଉନ୍‌। ଗ୍ରୀଷ୍ମମଣ୍ତଳୀୟ ଉତ୍ତପ୍ତ ଭାରତର ନ୍ୟାୟଦାତାମାନଙ୍କ ଏହା କ’ଣ ସ୍ବାଧୀନ ପୋଷାକ? ପୋଷାକରେ ବି ସେମାନେ ସ୍ବାଧୀନ ନୁହନ୍ତି। ଖରା ଗରମରେ ତାକୁଇ ପିନ୍ଧି ସାରା ଭାରତର ଅସ˚ଖ୍ୟ ନ୍ୟାୟ ସୈନିକ ସେଇଥିରେ ଏବେ ବି ଧନ୍ଦି ହେଉଛନ୍ତି। ଦେଶ ସାରାର ସିଭିଲ୍‌ ଆଇନ, ଫୌଜଦାରୀ ଆଇନ, ପ୍ରବନ୍ଧନ ଆଇନ, ସାକ୍ଷୀପ୍ରଦାନ ଆଇନ ସବୁ ତ ସେଇ ୧୮୬୧ ଭାରତ କାଉନ୍‌ସିଲ୍‌ ଆକ୍ଟ୍‌ ବେଳର। ପାଠ୍ୟ ଖସଡ଼ା ବି ୧୮୩୫ରେ ମାକଲେ ଦେଇଥିବା ପରାଧୀନ ଭାରତର ମୌଳିକ ଆଧାରକୁ ନେଇ। ବିଚାରାଳୟରେ ସେମାନଙ୍କ ଆଇନ, ସେମାନଙ୍କ ଭାଷା, ଆମ ଜଳବାୟୁ-ବିରୋଧୀ ପୋଷାକ, ଶିକ୍ଷାରେ ସେମାନଙ୍କ ମୂଳଦୁଆ। ସେମାନେ କହିଲେ ସେଇ ପରାଧୀନ ଭାରତର ବ୍ରିଟିସ୍‌ ସରକାର। କେଉଁ ସ୍ବାଧୀନତାର କଥା ଆଜି କହୁଛେ ଆମେ? ଭାରତ କାଇଁ? ଭାରତୀୟତା କାଇଁ କେଉଁଥିରେ?

ଦେଶର ଅର୍ଥନୀତିର ଆଧାର ଏବେ ବି ଡି.ଏଫ୍‌.ଆଇ.ଡି, ବିଶ୍ବ ବ୍ୟାଙ୍କ୍‌, ଇଣ୍ଟର‌୍‌ନ୍ୟାସ୍‌ନାଲ୍‌ ମନିଟାରି ଫଣ୍ତ୍‌ର ପ୍ରଭାବ ଦ୍ବାରା କବଳିତ। ଅର୍ଥନୀତି ପାଠରେ ସେଇ ବିଦେଶୀ କଥାର ବିଶ୍ଳେଷଣ। ଆମ ସ୍ବାଧୀନ ଭାରତର ମୌଳିକ ଅର୍ଥନୀତିଟି କ’ଣ? ସମ୍ବିଧାନରେ ଆମେ ଲେଖିଦେଲୁ ଯେ ସାଧାରଣ ଲୋକର କ୍ଷତି ହେଲା ଭଳି କୌଣସି ସ୍ଥାନରେ ସମ୍ପତ୍ତି କାହା ପାଖରେ ଠୁଳ ହୋଇ ରହିବ ନାହିଁ। ହେ ଭଗବାନ କେତେ ମିଛ? ସରକାର ପରେ ସରକାର ଆସୁଛନ୍ତି, ଯାଉଛନ୍ତି। ଇଏ କହୁଛନ୍ତି ମୁଁ ସତୀ, ସେ କହୁଛନ୍ତି ମୁଁ ସତିଆ। ଜନତାଙ୍କ ପାଇଁ ପ୍ରାଣ ଆମର କାନ୍ଦୁଛି। ଅଥଚ ଆଜି ଦିନରେ ସାରା ଦେଶର ସମଗ୍ର ସମ୍ପତ୍ତିର ନବେ ଭାଗ ପନ୍ଦରଜଣଙ୍କ ହାତରେ, ବାକି ଦଶଭାଗ ରାମ, ଦାମ, ଶାମଙ୍କ ପାଖରେ। ଜଣେ ପ୍ରଧାନମନ୍ତ୍ରୀ ତ ସତ୍‌ସାହସର ସହ ଘୋଷଣା କରିଦେଇଗଲେ ଯେ କୌଣସି କାମ ପାଇଁ ଶହେଟଙ୍କା ପଠାଇଲେ ଠିକ୍‌ ଜାଗାରେ ପହଞ୍ଚୁଛି ପନ୍ଦରଟଙ୍କା। ଏ କଥା ଜଣେ ପ୍ରଧାନମନ୍ତ୍ରୀ କହୁଛନ୍ତି। କେଉଁ ସ୍ବାଧୀନତାର କଥା କହୁଛେ ଆମେ? କିଏ ସ୍ବାଧୀନ? ମାରି ନେଉଥିବା ଲୋକେ ନା ହାତ ପତେଇ ରହିଥିବା ଲୋକେ?

ସ୍ବାଧୀନତା କାଳରୁ ଆମ ପିଠିରେ କାଶ୍ମୀରନାମକ ଏକ ପଠା ଘା’ ହୋଇଛି। ପ୍ରାଣାନ୍ତକ ଘା’। କେବଳ ଦୋଷ ଦିଆ ଦେଇ ଚାଲିଛି। ସିଏ ଏମିତି କଲେ, ଆମେ ଥିଲେ ସେମିତି କରିଥାନ୍ତୁ। ଅଥଚ ଭାରତ ଭିତରେ ଥାଇ ପରାଧୀନ ଭଳି ରହିଛି ଆମ ନିଜର ମାଟି। କିଏ ସ୍ବାଧୀନ? ଆଦିବାସୀ ସ୍ବାଧୀନ ନା ଗାଁ ଲୋକ ସ୍ବାଧୀନ? ନାରୀ ସ୍ବାଧୀନ ନା ନର ସ୍ବାଧୀନ? କାହାକୁ ମିଳିଛି ସ୍ବାଧୀନତା?

ସରକାରମାନେ କ୍ଷମତାକୁ ଆସିବା ପରେ ବିକାଶର କଥା କହୁଛନ୍ତି। ମୂର୍ତ୍ତିଗଢ଼ି କର୍ମୀ ନାଆଁରେ ଶ୍ରଦ୍ଧାଳୁ ଯୋଗାଡ଼ରେ ଲାଗିଛନ୍ତି। ପଞ୍ଚସ୍ତରି ପୂର୍ତ୍ତି ଲାଗି ଅମୃତ ମହୋତ୍ସବ ହେବ। ହେଲେ ଅମୃତ କାଇଁ? ସବୁଆଡ଼େ ବିଷ। ଥାଇ ମଧୢ ନ ଥିବାର ଆଚରଣ ଦେଖାଇବାରେ ସମର୍ଥମାନେ ମାତିଛନ୍ତି ସବୁଆଡ଼େ। ସମସ୍ତେ ସୁବିଧା ସୁଯୋଗର ଭିକ ମାଗୁଛନ୍ତି । ଦେଶଭାବନା ନାହିଁ, ସବୁଠାରେ ନିଜଭାବନା। ଭାରତୀୟ ନାହାନ୍ତି କେଉଁଠି। ଇଏ ଓବିସି, ସିଏ ଜେନେରାଲ୍‌। ଇଏ ଏସ୍‌.ସି., ସେ ଏସ୍‌.ଟି। ଏଇଟା ଏ ସମ୍ପ୍ରଦାୟର, ସେଟା ସେ ସମ୍ପ୍ରଦାୟର। ଏ ଦଳର ଇଏ, ସେ ଦଳର ସିଏ। ସ୍ବାଧୀନ ପରିଚୟ କାଇଁ କାହାର?

ଦେଶକୁ ଦେବାର ଅଭିପ୍ରାୟ କାହାର ନାହିଁ। ଖାଲି ଆମକୁ ଦିଅ। ମାଗୁଥିବା ଲୋକ ସ୍ବାଧୀନ ହେବ କେମିତି? କେଉଁଠି ଗୋଟିଏ ବି ଅନାଚାର, ଅନାହାର, ଅତ୍ୟାଚାର ହେଲେ ସ୍ବାଧୀନତା ଉପରେ ପାହାର ବସେ। ବ୍ୟକ୍ତି ସ୍ବାଧୀନତା ସମୂହ ସ୍ବାଧୀନତା ଆଣେ। ଜୀବନ୍ତ ଦେହର ସ୍ବାଧୀନତା ହିଁ ଜିଅନ୍ତା ମାଟିର ସ୍ବାଧୀନତା। ଚାନ୍ଦ୍ରାୟନ, ମଙ୍ଗଳ ଅଭିଯାନ କଥା ଭାବିବା ପୂର୍ବରୁ ହେ’ ସରକାର! ମାଟିର ମଣିଷକୁ ସ୍ବାଧୀନତା ଦିଅ।
ସ୍ବାଧୀନ ଜୀବନ, ସୁଯୋଗର ଜୀବନ। ସ୍ବାତନ୍ତ୍ର୍ୟର ଜୀବନ। ତାହା ସାର୍ବଜନୀନ ଭାବେ ଆମ ଦେଶରେ ଅଛି କି?

ସତ କହିବାକୁ ଗଲେ ଆମେ ସ୍ବାଧୀନତା ପାଇନାହୁଁ। ଏ ଯେଉଁ ଅଗଷ୍ଟ ପନ୍ଦର ପ୍ରତି ବର୍ଷ ଆମ ପାଇଁ ଆସେ ଅସଲରେ ତାହା ସାବଧାନତାର ଦିବସ। ଏ ଯାଏ ସେ ଦିବସ ଆମେ ପାଳନ କରିନାହୁଁ। ନିଜକୁ ନେଇ, ଦେଶକୁ ନେଇ ସାବଧାନ ହୋଇନାହୁଁ ଆମେ। ସରକାରଙ୍କୁ ସମ୍ରାଟ ଭାବି କେବଳ ଅପେକ୍ଷା କରିଛୁ, ଛାମୁ କ’ଣ କରିବେ। ପଞ୍ଚସ୍ତରି ବର୍ଷ ବିତିଗଲାଣି।

ଆମର ସାବଧାନତା ଲୋଡ଼ା। ଯଥେଷ୍ଟ ହେଲା ନିସ୍ପୃହ ସରଳ ବିଶ୍ବାସ। କହିବାର ଅଛି, ଆଗାମୀ ବର୍ଷଟି ଆମ ସମସ୍ତଙ୍କ ପାଇଁ ସାବଧାନତାର ବର୍ଷ ହେଉ। ଭାରତରେ ଭାରତୀୟ ଜନ୍ମ ହୁଅନ୍ତୁ। ବହୁତ ହୋଇଗଲା ଜାତି, ସମ୍ପ୍ରଦାୟ, ସ˚ରକ୍ଷଣ ଆଉ ଭୋଟ୍‌ ବ୍ୟାଙ୍କ୍‌ର ଖେଳ।

[email protected]

ସମ୍ବନ୍ଧିତ ଖବର