ନେପାଳର ମନ-ଭୂମି

ଊନବି˚ଶ ଶତାବ୍ଦୀରେ ବ୍ରିଟିସ ଶାସନାଧୀନ ଭାରତ ଏବ˚ ନେପାଳ ମଧ୍ୟରେ ଯେଉଁ ସୀମା ନିର୍ଦ୍ଧାରିତ ହୋଇଥିଲା, ତହିଁରେ କାଳୀ ନଦୀ (ସ˚ପ୍ରତି ମହାକାଳୀ ନଦୀ ଭାବେ ପରିଚିତ) ଏକ ପ୍ରାକୃତିକ ସୀମାରେଖା ଭାବେ ଚିହ୍ନିତ ହୋଇଥିଲା। ସେହି ସମୟରେ ଅଙ୍କିତ ମାନଚିତ୍ରରେ ଭାରତ (ବ୍ରିିଟିସ୍‌ ଅଧିକୃତ) ପକ୍ଷରୁ ନଦୀଟିକୁ ସ୍ବାଭାବିକ ଭାବେ ଏକ ‘ଡିମାର୍କେସନ୍‌ ଲାଇନ୍‌’ ବା ‘ଚିହ୍ନ ରେଖା’ ରୂପେ ଧରି ନିଆ ଯାଇଥିବା ବେଳେ ନେପାଳ ଅସନ୍ତୋଷ ପ୍ରକାଶ କରି କହିଥିଲା ଯେ ପାର୍ବତ୍ୟାଞ୍ଚଳରେ ନଦୀ ବୋଇଲେ ବିଭିନ୍ନ ପାହାଡ଼ୀ ଝର ମିଳିତ ହେବା ପରେ ସୃଷ୍ଟ ସ୍ଫୀତ ଜଳଧାରା ନୁହେଁ, ପ୍ରକୃତରେ ଏହା ହେଉଛି ସମସ୍ତ କ୍ଷୀଣ ପାହାଡ଼ୀ ଝର ମଧୢରୁ ଯେଉଁଟି ପର୍ବତର ଉଚ୍ଚତମ ସ୍ଥାନରୁ ବାହାରିଛି, ସେଇଟି। ଉଦାହରଣ ସ୍ବରୂପ ଗଙ୍ଗା ବୋଇଲେ ହରିଦ୍ବାରର ଗଙ୍ଗା ନୁହେଁ, ଏହା ହେଉଛି ତାର ଉତ୍ପତ୍ତି ସ୍ଥଳ ଗଙ୍ଗୋତ୍ରୀ ଠାରେ ଥିବା ଝର। ସେହି ଆଧାରରେ ନେପାଳ ପକ୍ଷରୁ ଯାହାକୁ ମହାକାଳୀ ନଦୀ ବୋଲି କୁହା ଯାଉଥିଲା, ତାକୁ ସୀମାରେଖା ଭାବେ ଗ୍ରହଣ କରା ଯାଇଥିଲେ ପ୍ରାୟ ୩୫ ବର୍ଗ କିଲୋମିଟର କ୍ଷେତ୍ରଫଳ ପରିମିତ ଅଞ୍ଚଳର ଅଧିକାର ନେପାଳକୁ ମିଳି ଥାଆନ୍ତା। କିନ୍ତୁ ବ୍ରିଟିସ ମାନଚିତ୍ର-କାର ଏଥିରେ ସମ୍ମତ ହେଲେନାହିଁ। ସୁତରା˚, ମାନଚିତ୍ର ପ୍ରକାଶିତ ହେବା ପରେ ସେହି ଚିହ୍ନ ଅନୁସାରେ ‘ପୋଷ୍ଟ’ଗୁଡ଼ିକ ନିର୍ମାଣ କରାଗଲା। ତେଣୁ, ବାସ୍ତବ କ୍ଷେତ୍ରରେ ଭାରତ ଓ ନେପାଳ ମଧୢରେ ସୀମା ବିବାଦ ପ୍ରାୟ ରହିଲା ନାହିଁ ବୋଲି ପ୍ରତୀତ ହେଉଥିଲେ ସୁଦ୍ଧା ନେପାଳର ମନ ଭୂମିରେ ଯେ ଅସନ୍ତୋ‌ଷର ଅବସାନ ଘଟି ନାହିଁ, ତାହା ବିଭିନ୍ନ ସମୟରେ ପରିଦୃଷ୍ଟ ହୋଇ ଏବେ ‘ଲିପୁଲେଖ ପାସ୍‌’ ବିବାଦରେ ସଦ୍ୟତମ ଦୃଷ୍ଟାନ୍ତ ରୂପେ ଉଭା ହୋଇଛି।

ଅତ୍ୟନ୍ତ ସ˚କ୍ଷେପରେ ସଦ୍ୟତମ ବିବାଦର ପୃଷ୍ଠଭୂମିକୁ ଉନ୍ମୋଚିତ କଲେ ଯାହା ଦେଖିବାକୁ ମିଳିଥାଏ, ତାହା ହେଲା ‘କୈଳାସ ମାନସରୋବର’ ଠାରୁ ଭାରତର ଦୀର୍ଘ ଦୂରତ୍ବକୁ ହ୍ରାସ କରିବା ଲାଗି ‘ଲିପୁଲେଖ ପାସ୍‌’ ଦେଇ ଭାରତ ଦ୍ବାରା ନିର୍ମାଣ କରାଯାଉଥିବା ଏକ ସଡ଼କ (ଯାହା ଏବେ ଶେଷ ପର୍ଯ୍ୟାୟରେ)କୁ ବିରୋଧ କରି ନେପାଳ ‘ଲିପୁଲେଖ’ ଉପରେ ନିଜର ଅଧିକାର ଦାବି କରିବା ସହିତ ‘ଲିପୁଲେଖ’କୁ ନିଜ ରାଷ୍ଟ୍ରର ମାନଚିତ୍ରରେ ଅନ୍ତର୍ଭୁକ୍ତ କରିବାର ପ୍ରୟାସ ଆରମ୍ଭ କରିଛି। ଗଲା ୧୩ ତାରିଖ ଦିନ ନେପାଳ ସ˚ସଦର ନିମ୍ନ ସଦନରେ ସର୍ବସମ୍ମତିକ୍ରମେ ଏ ସ˚କ୍ରାନ୍ତ ଏକ ପ୍ରସ୍ତାବ ଗୃହୀତ ହୋଇ ଯାଇଛି। ଏ ସ˚ଦର୍ଭରେ ଯାହା ଅନୁମାନସାପେକ୍ଷ ତାହା ହେଲା ଭାରତର ଚେତାବନୀ ସତ୍ତ୍ବେ ନେପାଳର ଏଭଳି କୃତ୍ରିମ ଆୟତନବର୍ଦ୍ଧକ ପଦକ୍ଷେପ ଆଗକୁ ବଢ଼ି ଏକ ପ୍ରଲମ୍ବିତ ବିବାଦକୁ ଜନ୍ମ ଦେବ।

ଭାରତ ବ୍ୟତୀତ ପୃଥିବୀର ଅନ୍ୟ ଏକମାତ୍ର ହିନ୍ଦୁ ଧର୍ମାବଲମ୍ବୀ ରାଷ୍ଟ୍ର ହୋଇଥିବା କାରଣରୁ ହେଉ ବା ନେପାଳ ରାଜବ˚ଶ ଠାରୁ ଆରମ୍ଭ କରି ସାଧାରଣ ପରିବାର ପର୍ଯ୍ୟନ୍ତରେ ଏହି ଦୁଇ ଦେଶର ଅଧିବାସୀଙ୍କ ମଧୢରେ ବିବାହ ସ˚ପର୍କର ଏକ ସୁଦୀର୍ଘ ପର˚ପରା ରହିଥିବା ହେତୁ ହେଉ ବା ଭାରତ ଓ ନେପାଳ ମଧୢରେ ଅବାଧ ଚଳପ୍ରଚଳ ସମ୍ଭବ ହେଉଥିବା କାରଣରୁ ହେଉ କିମ୍ବା ଭାରତ ସେନାବାହିନୀରେ ଏକ ଅତ୍ୟନ୍ତ ସମର୍ଥ ଓ ସମର୍ପିତ ‘ଗୋର୍ଖା ରେଜିମେଣ୍ଟ’ର ଉପସ୍ଥିତି ଯୋଗୁ ହେଉ; ଭାରତ ଓ ନେପାଳ ମଧୢରେ ଏକ ଅକାଟ୍ୟ ମିତ୍ରତା ରହିଛି ବୋଲି ଏକ ଧାରଣା ଅନେକ ପୋଷଣ କରୁଥାଇ ପାରନ୍ତି। କିନ୍ତୁ ଯାହା ସତ, ତାହା ହେଲା ଏହି ସ˚ପର୍କ ସମୟର ଗତିରେ ଫାଟ ଦ୍ବାରା ପରିପୂର୍ଣ୍ଣ ହୋଇଛି ଏବ˚ ଏହି ସ˚ପର୍କକୁ ଆକ୍ରାନ୍ତ କରିବା ଲାଗି ଅତିକାୟ ରାହୁଛାୟା ଭଳି ଚୀନ ସର୍ବଦା ପୃଷ୍ଠଭୂମିରେ ବିଦ୍ୟମାନ ହୋଇ ରହିଛି। ଉଲ୍ଲେଖଯୋଗ୍ୟ ଯେ ଗଲା ଶତାବ୍ଦୀର ପଞ୍ଚମ ଦଶକରେ ନେପାଳର ରାଣା ରାଜବ˚ଶ ନିଜ ଗାଦି ତଥା ରାଜ୍ୟ (ନେପାଳ)କୁ ଚୀନ ଅତିକ୍ରମଣରୁ ସୁରକ୍ଷା ଦେବା ଲାଗି ଭାରତ ସହିତ ଏକ ମିତ୍ରତା ଚୁକ୍ତିରେ ଆବଦ୍ଧ ହୋଇଥିଲେ, ଯାହା ଆଜି ପର୍ଯ୍ୟନ୍ତ ବଳବତ୍ତର ରହିଛି। ଏହା ଦ୍ବାରା ଭାରତ ଓ ନେପାଳ ମଧୢରେ କଟକଣାମୁକ୍ତ ଯାତାୟତ ସମ୍ଭବ ହୋଇଥିବା ବେଳେ ନେପାଳର ନାଗରିକମାନେ ଭାରତରେ କର୍ମନିଯୁକ୍ତି ପାଇବାର (ଏପରିକି କିଛି ସରକାରୀ ଚାକିରିରେ ମଧୢ) ସୁଯୋଗ ମଧୢ ଲାଭ କରିଛନ୍ତି। ଏହା ସହିତ ଏକ ବଡ଼ ଭାଇ ତୁଲ୍ୟ ଭାରତ ନେପାଳର ବିକାଶ ସାଧନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବା ସହ ଆର୍ଥିକ ତଥା ଖାଦ୍ୟଦ୍ରବ୍ୟାଦିର ସାହାଯ୍ୟ କରି ଆସିଛି। କିନ୍ତୁ ଏହା ସତ୍ତ୍ବେ ଯାହା ଦେଖିବାକୁ ମିଳିଛି ତାହା ହେଲା ପଞ୍ଚମ ଦଶକର ଏହି ଶାନ୍ତି ଚୁକ୍ତି ଉପରାନ୍ତ କାଳ ଖଣ୍ତରେ ଏଭଳି କୌଣସି ଗୋଟିଏ ଦଶକ ଅତିକ୍ରାନ୍ତ ହୋଇନାହିଁ, ଯହିଁରେ ନେପାଳ ପକ୍ଷରୁ କୌଣସି ସମସ୍ୟା ଉତ୍ପନ୍ନ କରାଯାଇନାହିଁ। ଷଷ୍ଠ ଦଶକରେ ନେପାଳ ରାଜପରିବାର ଚୀନ ଆଡ଼କୁ ଢଳିବାର ଲକ୍ଷଣ ଖୋଲାଖୋଲି ପ୍ରକାଶ କରିବା ଠାରୁ ଆରମ୍ଭ କରି ଭାରତର ‘ସୁରକ୍ଷା ଚେକ୍‌-ପୋଷ୍ଟ୍’ର ଅବସ୍ଥିତି ନେଇ ବିରୋଧ ପ୍ରଦର୍ଶନ, ସିକିମ ଭାରତ ସହିତ ମିଶ୍ରଣ ବେଳେ ଖୋଲା ଓ ଶକ୍ତ ପ୍ରତିବାଦ (ସପ୍ତମ ଦଶକ), ଭାରତ ସହିତ ହୋଇଥିବା ଦୁଇଟି ବାଣିଜ୍ୟ ଚୁକ୍ତିର ନବୀକରଣକୁ ପ୍ରତ୍ୟାଖ୍ୟାନ (ଅଷ୍ଟମ ଦଶକ), ନେପାଳ ପ୍ରଧାନମନ୍ତ୍ରୀ ମନମୋହନ ଅଧିକାରୀଙ୍କ ଦ୍ବାରା ମୂଳ ଶାନ୍ତି ଚୁକ୍ତିର ପୁନଃବିଚାର ଦାବି (ନବମ ଦଶକ) ଇତ୍ୟାଦି ପର୍ଯ୍ୟନ୍ତରେ ଏଭଳି ଅନେକ ଦୃଷ୍ଟାନ୍ତ ଦୃଷ୍ଟିଗୋଚର ହୋଇଛି। ସେହି ପରିପ୍ରେକ୍ଷୀ‌େର ସଦ୍ୟତମ ବିବାଦଟି ନୂଆ ନୁହେଁ ବା ଏହା ଯେ କେବଳ ଏକ ସୀମା ବିବାଦ ତାହା ମନେ କରିବା ମଧୢ ଏକ ନିରୀହ ବିଚାର ହୋଇପାରେ। ଏ ସମସ୍ତ ପ୍ରକରଣରେ ଚୀନର ଏକ ପ୍ରଚ୍ଛନ୍ନ ଭୂମିକାକୁ ଦେଖିହୁଏ ଏବ˚ ସେହି ପରିପ୍ରେକ୍ଷୀରେ ଏକ ସ୍ବ‌ାଭାବିକ ପ୍ରଶ୍ନ ଜାତ ହୋଇଥାଏ ଯେ ଏହା ଚୀନର ଏକ ବୃହତ୍‌ ଷଡ୍‌ଯନ୍ତ୍ରର ଉପକ୍ରମଣିକା ମାତ୍ର ନୁହେଁ ତ?

ଅବଶ୍ୟ ଏହା ସ୍ବୀକାରଯୋଗ୍ୟ ଯେ ‘ଲିପୁଲେଖ ପାସ୍‌’ର ଅଧିକାର ନେଇ ଏକ ଅସ୍ପଷ୍ଟତା ରହି ଆସିଛି, ତଥାପି ସମସ୍ତ ବ୍ୟାବହାରିକ ଦୃଷ୍ଟିକୋଣରୁ ଏହା ଉପରେ ଭାରତର ଅଧିକାର ନେଇ ପୂର୍ବରୁ କୌଣସି ପ୍ରଶ୍ନ କେବେ ହେଲେ ଉଠି ନ ଥିଲା। ବିଗତ ଅନେକ ଦଶନ୍ଧି ହେଲା ଭାରତର ଅଧୀନରେ ରହି ଆସିଥିବା ‘ଲିପୁଲେଖ ପାସ୍‌’ ଭାରତ, ଚୀନ ଓ ନେପାଳ ଦ୍ବାରା ଏକ ବାଣିଜ୍ୟ ପଥ ରୂପେ ବ୍ୟବହୃତ ହୋଇଆସିଛି। ପୁଣି ବିବାଦରେ ଥିବା ସଡ଼କ ପ୍ରକଳ୍ପର କାର୍ଯ୍ୟ ୨୦୦୫ରୁ ମ˚ଜୁରି ଲାଭ କରିଥିବା ସତ୍ତ୍ବେ ଏହାର ପନ୍ଦର ବର୍ଷ ପରେ ଅର୍ଥାତ୍‌ ଏବେ ଏହା ଯେତେବେଳେ ସମାପ୍ତ ହେବା ସ୍ଥିତିରେ, ସେତିକି ବେଳେ ନେପାଳର ଏଭଳି ବିରୋଧର କାରଣ କ’ଣ ହୋଇପାରେ? ଏ ପରିପ୍ରେକ୍ଷୀରେ ଭାରତୀୟ ମୁଖ୍ୟ ସେନାଧୢକ୍ଷ ମୁକୁନ୍ଦ ନାରାବଣେ କହିଥିବା ଭଳି ଏ ସ୍ବର ନେପାଳର ନୁହେଁ, ଏହାର ପଶ୍ଚାତ୍‌ଭାଗରେ ଅନ୍ୟ କେହି ଜଣେ କହୁଛି ବେଶ୍‌ ପ୍ରଣିଧାନଯୋଗ୍ୟ। ସେହି ଅନ୍ୟ ଜଣକ କିଏ? ବୋଧହୁଏ, ଏହାର ଉତ୍ତର ନେଇ କାହା ମନରେ କୌଣସି ସନ୍ଦେହର ଅବକାଶ ନ ଥିବ। କରୋନା ସ˚କ୍ରମଣ କାଳୀନ ଏକ ଦୁର୍ବଳ ପୃଥିବୀରେ ହଠାତ୍‌ ଅମିତ ଶକ୍ତିଶାଳୀ ହୋଇ ଉଠିଥିବା ଚୀନ ଦକ୍ଷିଣ ଏସିଆ ଉପରୁ ଭାରତର ପ୍ରଭାବ ହ୍ରାସ କରିବା ଲାଗି ଭାରତର ଚତୁଃପାର୍ଶ୍ବରେ ଏକ ଶତ୍ରୁ ରାଷ୍ଟ୍ରଙ୍କ ବ୍ୟୂହ ରଚନା କରିବାର ପ୍ରୟାସରେ। ନେପାଳ ଭଳି ଏକ ଦରିଦ୍ର, କ୍ଷୁଦ୍ର, ଅସୁରକ୍ଷା ଭାବନା ଦ୍ବାରା ଜର୍ଜରିତ ତଥା ଅଦୂରଦର୍ଶୀସୁଲଭ କ୍ଷଣିକ ଲାଭ ଲାଗି ବ୍ୟଗ୍ର ରାଷ୍ଟ୍ର, ଯାହାର ମନ ଭୂମି ସ୍ବାଭାବିକ ଭାବେ ଦୃଢ଼ ନ ହୋଇ କର୍ଦ୍ଦମ-କୋମଳ, ସନ୍ଦେହର ବିଷ ମ˚ଜିର ଅଙ୍କୁରଣ ଲାଗି ସମସ୍ତ ସୁଯୋଗ ସୃଷ୍ଟି କରିଛି। ଚୀନ ଠାରୁ ଆଉ କିଏ ଏହାର ଅଧିକ ଭଲ ସଦ୍‌ବ୍ୟବହାର କରିବ?

ସମ୍ବନ୍ଧିତ ଖବର