ଦିଲ୍ଲୀ ରକ୍ଷା ପାଇଁ ଯୁଦ୍ଧ, କରୋନା ମୁକାବିଲା ପାଇଁ ନୂଆ ରଣନୀତି

ନୂଆଦିଲ୍ଲୀ: ଦିଲ୍ଲୀରେ ‌କୋଭିଡ୍‌-୧୯ ସଂକ୍ରମଣ ସ୍ଥିତି ଏବେ ବଡ଼ ଚ୍ୟାଲେଂଜ ସୃଷ୍ଟି କରିଛି। ଆଗକୁ ଦିଲ୍ଲୀରେ ଅତି ଭୟାନକ ସ୍ଥିତି ଉପୁଯିବା ନେଇ ବୈଜ୍ଞାନିକଙ୍କ ଆକଳନ ପରେ ସୁପ୍ରିମକୋର୍ଟ ମଧ୍ୟ ପରିସ୍ଥିତି ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏଭଳି ସ୍ଥିତିରେ ଜାତୀୟ ରାଜଧାନୀ ଦିଲ୍ଲୀରେ କରୋନା ମୁକାବିଲା ପାଇଁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌, ଉପରାଜ୍ୟପାଳ ଅନିଲ୍‌ ବୈଜଲ୍‌ଙ୍କ ସହ ବୈଠକ କରିଛନ୍ତି। ବୈଠକ‌ରେ ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ଏବଂ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏସ୍‌ଡିଏମ୍‌ଏ) ଅଧିକାରୀ ମଧ୍ୟ ଉପସ୍ଥିତ ଥି‌ଲେ। ବୈଠକରେ ଯେଉଁସବୁ ନିଷ୍ପତ୍ତି ହୋଇଛି ସେନେଇ ଶାହ ଟ୍ବିଟରରେ ବିସ୍ତୃତ ଭାବେ ଘୋଷଣା କରିଛନ୍ତି। ଶାହ କହିଛନ୍ତି, ମୋଦୀ ସରକାର ଦିଲ୍ଲୀରେ କରୋନା ନିୟନ୍ତ୍ରଣ ପାଇଁ ବଡ଼ ଲଢ଼େଇ ପାଇଁ ପ୍ରସ୍ତୁତ ଅଛନ୍ତି। ସଂକ୍ରମଣ ରୋକିବାପାଇଁ ଏବଂ ଲୋକମାନଙ୍କର ସୁରକ୍ଷା ପାଇଁ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି‌ ବୋଲି ଶାହ‌ କହିଛନ୍ତି। ବୈଠକ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏକ ଟ୍ବିଟ୍‌ କରି କହିଛନ୍ତି, ଦିଲ୍ଲୀ ସରକାର ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଅତ୍ୟନ୍ତ ସଫଳ ବୈଠକ ହୋଇଛି। ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଆମେ ଏକାଠି କରୋନା ଯୁଦ୍ଧ ଲଢ଼ିବୁ ବୋଲି କେଜ୍ରିୱାଲ୍‌ କହିଛନ୍ତି। ବୈଠକରେ ମହାମାରୀ ନିୟନ୍ତ୍ରଣ, ହସ୍ପିଟାଲ୍‌ ବେଡ୍‌, ଟେଷ୍ଟିଂ ସୁବିଧା ଏବଂ ଅନ୍ୟାନ୍ୟ ସ୍ବାସ୍ଥ୍ୟ ସୁବିଧାର ବିକାଶ ଉପରେ ଫୋକସ୍‌ କରାଯାଇଥିଲା। ଦିଲ୍ଲୀରେ ଯୁଦ୍ଧସ୍ତରରେ କୋଭିଡ ମୁକାବିଲା ପାଇଁ ଆଜି ଯୋଜନା ଚୂଡ଼ାନ୍ତ ହୋଇଛି।

କରୋନା ମୁକାବିଲା ପାଇଁ ନୂଆ ରଣନୀତି
ଆଗାମୀ ଦୁଇ ଦିନ ମଧ୍ୟରେ ଦିଲ୍ଲୀରେ କରୋନା ଟେଷ୍ଟିଂ ଦ୍ବିଗୁଣା ବୃଦ୍ଧି ପାଇବ ଏବଂ ୬ ଦିନ ପରେ ଏହା ୩ ଗୁଣ ବୃଦ୍ଧି ପାଇବ
କିଛିଦିନ ପରେ ଅବରୋଧ ଅଞ୍ଚଳରେ ଥିବା ପ୍ରତି ଭୋଟ୍‌ ଗ୍ରହଣ କେନ୍ଦ୍ରରେ ଟେଷ୍ଟିଂ କରାଯିବ
ବେଡ୍‌ ଅଭାବକୁ ନଜରକୁ ନେଇ କେନ୍ଦ୍ର ସରକାର ଦିଲ୍ଲୀକୁ ତୁରନ୍ତ ୫୦୦ ରେଳ ବଗି ଦେବେ । ଏଥିରେ ଦିଲ୍ଲୀ ପାଇଁ ଅତିରିକ୍ତ ୮,୦୦୦ ବେଡ୍‌ ରହିବ ।
ଅବରୋଧ ଅଞ୍ଚଳରେ ପ୍ରତି ଘରକୁ ଘର ବୁଲି ପ୍ରତ୍ୟେକ ଲୋକଙ୍କ ବିସ୍ତୃତ ସ୍ବାସ୍ଥ୍ୟ ସର୍ବେକ୍ଷଣ କରାଯିବ ।
ଦିଲ୍ଲୀରେ କ୍ଷୁଦ୍ର ହସ୍ପିଟାଲ୍‌ମାନଙ୍କୁ କରୋନା ସଂକ୍ରାନ୍ତ ସଠିକ୍‌ ସୂଚନା ଏବଂ ନି‌ର୍ଦ୍ଦେଶାବଳୀ ଦେବାପାଇଁ ମୋଦୀ ସରକାର ଦିଲ୍ଲୀ ଏମ୍ସର ବରିଷ୍ଠ ଡାକ୍ତରମାନଙ୍କୁ ଏକ କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ଆସନ୍ତାକାଲି ହେଲ୍‌ପଲାଇନ୍‌ ନମ୍ବର ଜାରି ହେବ।
ଘରୋଇ ହସ୍ପିଟାଲ୍‌ ଗୁଡ଼ିକ କମ୍‌ ମୁଲ୍ୟରେ ୬୦ ପ୍ରତିଶତ କରୋନା ବେଡ୍‌ ଦେବେ। ସେହିପରେ ଘରୋଇ ହସ୍ପିଟାଲ୍‌ରେ ଟେଷ୍ଟିଂ ଏବଂ ଚିକିତ୍ସା ପଦ୍ଧତି ଯାଞ୍ଚ ପାଇଁ ଏକ କମିଟି ଗଠନ ହେବ। ଏହି କମିଟି ସପ୍ତାହକ ମଧ୍ୟରେ ସରକାରଙ୍କୁ ରିପୋର୍ଟ ଦେବେ।
ଅନ୍ତିମ ସଂସ୍କାର ପାଇଁ ସରକାର ଏକ ନୂଆ ନିର୍ଦ୍ଦେଶାବଳୀ ଜାରି କରିବେ। ଏହାଦ୍ବାରା ଆଉ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିବନି ।
ସରକାର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ସ୍କାଉଟ୍‌ ଗାଇଡ୍‌, ଏନ୍‌ସିସି, ଏନ୍‌ଏସଏସ୍‌ ଏବଂ ଅନ୍ୟ ସ୍ବେଚ୍ଛାସେବୀଙ୍କୁ ସାମିଲ କରିବାପାଇଁ ନିଷ୍ପତ୍ତି ନେଇଛନ୍ତି।
ସେହିପରି କରୋନା ମହାମାରୀ ସହ ଲଢ଼ିବାପାାଇଁ ଦିଲ୍ଲୀ ସରକାରଙ୍କୁ ସବୁ ପ୍ରକାର ସହ‌‌ଯୋଗ କରାଯିବ। ଅକ୍ସିଜେନ୍‌ ସିଲିଣ୍ଡରଠାରୁ ଆରମ୍ଭ କରି ଭେଣ୍ଟିଲେଟର , ପଲ୍ସ ଅକ୍ସିମିଟର ଏବଂ ଅନ୍ୟାନ୍ୟ ସମସ୍ତ ପ୍ରକାର ଆବଶ୍ୟକତା ପୂରଣ ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତି ଦେଇଛନ୍ତି। ଦିଲ୍ଲୀକୁ ବିଭିନ୍ନ ଜୋନ୍‌ରେ ବିଭକ୍ତ କରି ପ୍ରତି ଦୈନିକ ସ୍ଥିତି ଆଧାରରେ ବିହୀତ ପଦକ୍ଷେପ ନିଆଯିବ।

ସମ୍ବନ୍ଧିତ ଖବର