‘ଲାଲ ରାଣୀ’ ତତ୍ତ୍ବ

ଲିଵିସ୍‌ କ୍ୟାରଲ୍‌ଙ୍କର ପ୍ରସିଦ୍ଧ ପିଲାଙ୍କ କାହାଣୀ ‘ଥ୍ରୁ ଦି ଲୁକିଙ୍ଗ୍‌ ଗ୍ଲାସ୍‌’ରେ ଠାଏ ‘ଲାଲ ରାଣୀ’ ସେ ଗଳ୍ପର କେନ୍ଦ୍ରୀୟ ଚରିତ୍ର ବାଳିକା ଆଲିସ୍‌କୁ ନିଜ ରାଜ୍ୟର ଏକ ବିଶେଷ ଚରିତ୍ର ସମ୍ବନ୍ଧରେ ସୂଚାଇବାକୁ ଯାଇ କହିଛନ୍ତି: ‘‘…ଏଠି ଗୋଟିଏ ଜାଗାରେ ରହିବାକୁ ହେଲେ ତୁମକୁ ତୁମର ପାରୁପର୍ଯ୍ୟନ୍ତ ଧାଇଁବାକୁ ହୋଇଥାଏ। ଯଦି ତୁମେ ଆଉ ଏକ ଜାଗାକୁ ଯିବାକୁ ଚାହଁ, ତୁମକୁ ଅତି କମ୍‌ରେ ତାହାର ଦୁଇଗୁଣ ବେଗରେ ଧାଇଁବାକୁ ପଡ଼ିବ’’। ୧୮୭୧ ଡିସେମ୍ବରରେ ଅର୍ଥାତ୍‌ ଠିକ୍‌ ଦେଢ଼ଶହ ବର୍ଷ ତଳେ ସେ କାହାଣୀ ପ୍ରଥମେ ପ୍ରକାଶ ଲାଭ କଲା ପରେ ବିଭିନ୍ନ ପ୍ରସଙ୍ଗରେ ‘ଲାଲ୍‌ ରାଣୀ’ଙ୍କର ଏହି ଉକ୍ତି ଏପରି ନିୟମିତ ପ୍ରୟୋଗ ହୋଇ ଆସିଛି ଯେ ତାହା ‘ଲାଲ୍‌ ରାଣୀ ତତ୍ତ୍ବ’ ରୂପେ ପ୍ରସିଦ୍ଧି ଲାଭ କରିଛି।

ମନେ ହେଉଛି ବର୍ତ୍ତମାନ ସମୟରେ ଏହି ତତ୍ତ୍ବକୁ ଯିଏ ଅକ୍ଷରେ ଅକ୍ଷରେ ପାଳନ କରିବା ଆରମ୍ଭ କରିଛି, ସେ ହେଉଛି ବିଗତ ପ୍ରାୟ ଏକବର୍ଷ ଧରି ମାନବ ସମାଜର ଅନ୍ତରଙ୍ଗ ସହଚର ପାଲଟି ଥିବା ଚୀନା କରୋନା ଭାଇରସ୍‌। ‘ଲାଲ୍‌ ରାଣୀ’ଙ୍କ ଉପଦେଶ ମାନିବା ଭଳି ପୃଥିବୀରେ ଆସ୍ଥାନ ଜମାଇବା ପାଇଁ ଦ୍ରୁତ ଗତିରେ ଧାଇଁ ଏହି ଚୀନା ଭାଇରସ୍‌ ପୃଥିବୀରେ ପ୍ରାୟ ସାଢ଼େ ଆଠ କୋଟି ଲୋକଙ୍କୁ ସ˚କ୍ରମିତ କରିସାରିବା ପରେ ଏବେ ଆହୁରି ଶୀଘ୍ର ଆହୁରି ଅଧିକ ଲୋକଙ୍କୁ ସ˚କ୍ରମିତ କରିବା ଉଦ୍ଦେଶ୍ୟରେ ନିଜର ପ୍ରସାର ବେଗକୁ ଦ୍ବିଗୁଣିତ କରିବା ପାଇଁ ଏକ ନୂତନ କୌଶଳ ଅବଲମ୍ବନ କରିବା ଦେଖାଯାଇଛି। ଏହା ପୁଣି ସେତିକି ବେଳେ ଦେଖିବାକୁ ମିଳିଛି, ଯେତିକିବେଳେ ଭାରତ ସମେତ ପୃଥିବୀର ବିଭିନ୍ନ ଦେଶ ସେମାନଙ୍କର ଦେଶବାସୀମାନଙ୍କୁ ପର୍ଯ୍ୟାୟ କ୍ରମେ ଟିକାଦାନ କରି ସେମାନଙ୍କ ଠାରେ ଏହି ଚୀନା ଭୂତାଣୁ ବିରୋଧରେ ପ୍ରତିରୋଧିନୀ ଶକ୍ତି ସୃଷ୍ଟି କରିବାକୁ ଉଦ୍ୟମ ଆରମ୍ଭ କରି ଦେଇଛନ୍ତି।

ଚୀନା ଭୂତାଣୁଟି ନିଜର ପ୍ରସାର ବେଗବୃଦ୍ଧି କରିବା ପାଇଁ ଅବଲମ୍ବନ କରିଥିବା କୌଶଳ ହେଲା- ନିଜର ରୂପ ପରିବର୍ତ୍ତନ। ଭାରତରେ ରବିବାର ସୁଦ୍ଧା ଏହି ରୂପାନ୍ତରିତ ଭୂତାଣୁ ଦ୍ବାରା ୨୯ଟି ସ˚କ୍ରମଣ ଘଟଣା ଠାବ ହୋଇ ଏକ ମୃଦୁ ଆଶଙ୍କା ସୃଷ୍ଟି କରିଥିବା ବେଳେ ବ୍ରିଟେନ୍‌ରୁ ଆରମ୍ଭ କରି ଅନ୍ୟାନ୍ୟ ଇଉରୋପୀୟ ଦେଶ ଓ ଦକ୍ଷିଣ ଆଫ୍ରିକା ପର୍ଯ୍ୟନ୍ତରେ ଏହା ଏକ ନୂତନ ବିଧିବଦ୍ଧ ଆତଙ୍କରାଜ ସୃଷ୍ଟି କରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଡାର‌୍‌ଵିନ୍‌ଙ୍କ ବିବର୍ତ୍ତନ ତତ୍ତ୍ବ ଅନୁସାରେ ଯେ କୌଣସି ଜୀବନ୍ତ ବସ୍ତୁ ନିଜର ପାରିପାର୍ଶ୍ବିକ ଅବସ୍ଥା ସହିତ ଖାପ୍‌ ଖାଇ ତିଷ୍ଠି ରହି ବ˚ଶବୃଦ୍ଧି କରିବା ପାଇଁ ‘ପ୍ରାକୃତିକ ଚୟନ’ ପ୍ରକ୍ରିୟା ମାଧୢମରେ ନିଜର ଜେନେଟିକ୍‌ ଚରିତ୍ରରେ ପରିବର୍ତ୍ତନ ଘଟାଇ ଚାଲିଥାଏ। ଏହି ‘ପ୍ରାକୃତିକ ଚୟନ’ ହିଁ ବାଦୁଡ଼ିଠାରେ ଥିବା କରୋନା ଭାଇରସ୍‌କୁ ଆଣି ସେଥିରେ ଏଭଳି ଜେନେଟିକ୍‌ ପରିବର୍ତ୍ତନ ଘଟାଇଲା, ଯେପରି ତାହା ମନୁଷ୍ୟ ଶରୀରରେ ମଧୢ ତିଷ୍ଠି ରହିପାରିବ ଓ ନିଜର ଆହୁରି ବ୍ୟାପକ ବ˚ଶବିସ୍ତାର କରିପାରିବ।

ପୃଥିବୀର ପ୍ରାୟ ଆଠଶହ କୋଟି ଜନସ˚ଖ୍ୟାର ପ୍ରାୟ ଆଠକୋଟି ଅର୍ଥାତ୍‌ ପ୍ରାୟ ଏକଶତା˚ଶ ଲୋକଙ୍କ ଶରୀରରେ ଏହି ଉପାୟରେ ଚୀନା କରୋନା ଭୂତାଣୁ ବାଦୁଡ଼ିରୁ ଆସି ପ୍ରବେଶ କରିସାରିବା ପରେ ‘ପ୍ରାକୃତିକ ଚୟନ’ ବୋଧହୁଏ ବିଚାର କଲା ଯେ ଏହି ମାନବ ସ˚କ୍ରମଣ ସ˚ଖ୍ୟା ଯଥେଷ୍ଟ ନୁହେଁ। ତେଣୁ ବହୁ ଅଧିକ ସ˚ଖ୍ୟକ ଶରୀରରେ ପହଞ୍ଚିବାକୁ ହେଲେ ତାକୁ ‘ଲାଲ୍‌ ରାଣୀ ତତ୍ତ୍ବ’ ଅନୁସରଣ କରି ସ˚କ୍ରମଣ ବେଗକୁ ଦ୍ବିଗୁଣିତ କରିବାକୁ ପଡ଼ିବ। ଏହା ଜଣାଶୁଣା ଯେ କେବଳ ଜୀବନ୍ତ ଜୀବକୋଷରେ ଭୂତାଣୁ ଆଶ୍ରୟ ନେଇ ବ˚ଶ ବିସ୍ତାର କରିପାରେ; ମୃତ ଶରୀରରେ ତାହା ଘଟେ ନାହିଁ। ତେଣୁ ଭାଇରସ୍‌ଠାରେ ଯଦି ଏପରି ପରିବର୍ତ୍ତନ ଘଟେ ଯାହାଦ୍ବାରା ସ˚କ୍ରମଣର ବେଗବୃଦ୍ଧି ଘଟିବ କିନ୍ତୁ ତାହା ପୂର୍ବଭଳି ମାରାତ୍ମକ ହେବନାହିଁ ଅର୍ଥାତ୍‌ ସ˚କ୍ରମିତଙ୍କ ମଧୢରେ ମୃତ୍ୟୁହାର ନୀଚା ହେବ, ତା’ହେଲେ ଅପେକ୍ଷାକୃତ ସ୍ବଳ୍ପ ସମୟ ମଧୢରେ ଅପେକ୍ଷାକୃତ ଅଧିକ ସ˚ଖ୍ୟକ ଲୋକଙ୍କ ଶରୀରରେ କରୋନା ଭୂତାଣୁ ପ୍ରବେଶ କରି ତା’ର ବିବର୍ତ୍ତନ ପ୍ରେରିତ ବ˚ଶବିସ୍ତାର ଲକ୍ଷ୍ୟ ହାସଲ ଶୀଘ୍ର କରିପାରିବ।

ଡିସେମ୍ବର ମଧୢ ଭାଗରେ ଏହିଭଳି ଦୁଇ କିସମର ରୂପାନ୍ତରିତ କରୋନା ଭାଇରସ୍‌ର ଆବିର୍ଭାବ ଯେଉଁ ଦୁଇଟି ଦେଶରେ ଚିହ୍ନଟ ହୋଇଛି, ସେମାନେ ହେଲେ ବ୍ରିଟେନ୍‌ ଓ ଦକ୍ଷିଣ ଆଫ୍ରିକା। ବ୍ରିଟେନ୍‌ରେ ଗବେଷକମାନେ ଏହି ରୂପାନ୍ତରିତ କରୋନା ଭାଇରସ୍‌ ଠାରେ ଯେଉଁ ୧୭ଟି ପରିବର୍ତ୍ତନ ଚିହ୍ନଟ କରିଛନ୍ତି ସେଗୁଡ଼ିକ ମଧୢରୁ ଅଧିକା˚ଶ ସେମାନଙ୍କ ଠାରେ ଥିବା ଆଙ୍କୁଶରେ ଦେଖିବାକୁ ମିଳିଛି ଯାହାଦ୍ବାରା ସେମାନେ ସେମାନଙ୍କ ଶିକାର ଜୀବକୋଷରେ ଲାଖି ହୋଇଯାଆନ୍ତି। ଏହି ରୂପାନ୍ତରିତ ଅଧିକ ମଜଭୁତ ଆଙ୍କୁଶ ଭାଇରସ୍‌ର ପ୍ରସାରକୁ ତେଣୁ ଦ୍ରୁତତର କରିଥାଏ। ଏହାକୁ ଚିହ୍ନଟ କରିଥିବା ଗବେଷକ ଗୋଷ୍ଠୀମାନେ ବ୍ରିଟିସ୍‌ ସରକାରଙ୍କୁ ଦେଇଥିବା ସୂଚନା ଅନୁସାରେ ଏହି ରୂପାନ୍ତରିତ ଭାଇରସ୍‌ର ପ୍ରସାର ବେଗ ମୂଳ ଭାଇରସ୍‌ ଅପେକ୍ଷା ପ୍ରାୟ ୭୫ ଶତା˚ଶ ପର୍ଯ୍ୟନ୍ତ ଅଧିକ ହେଉଛି- ଦୁଇଗୁଣ ପାଖାପାଖି। ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ଯେଉଁ ନମୁନା ପରୀକ୍ଷା କରି ବିଶେଷଜ୍ଞମାନେ ଏହା ଆବିଷ୍କାର କରିଛନ୍ତି, ସେ ନମୁନା ପ୍ରଥମେ ସ˚ଗୃହୀତ ହୋଇଥିଲା ଲଣ୍ତନରେ ସେପ୍‌ଟେମ୍ବର ୨୦ରେ। ନଭେମ୍ବର ଆରମ୍ଭ ବେଳକୁ ଲଣ୍ତନରେ ଘଟିଥିବା ମୋଟ ସ˚କ୍ରମଣର ୨୮ ଶତା˚ଶ ଏହି ରୂପାନ୍ତରିତ ଭୂତାଣୁ ଦ୍ବାରା ଘଟିଥିବା ଏବ˚ ବର୍ତ୍ତମାନ ମୋଟ ସ˚କ୍ରମଣର ୯୦ ଶତା˚ଶ ଏହି ରୂପାନ୍ତରିତ ଭୂତାଣୁର କାର୍ଯ୍ୟ ବୋଲି ଜଣାପଡ଼ିଛି। ଏହାର ଅର୍ଥ ବର୍ତ୍ତମାନ ପୃଥିବୀରେ ଯେଉଁ ଭୂତାଣୁ ଦ୍ବାରା କୋଭିଡ୍‌ ସ˚କ୍ରମଣ ଘଟିବ ତାହା ଆଉ ମୂଳ ଭୂତାଣୁ ଦ୍ବାରା ନ ହୋଇ ଏହି ରୂପାନ୍ତରିତ ଭୂତାଣୁ ଦ୍ବାରା ଘଟିବ- ଏହାହିଁ ହେବ କରୋନା ଭୂତାଣୁର ନୂତନ ପରିଚୟ।

ଅକ୍‌ଟୋବର ମଧୢ ଭାଗରେ ଦକ୍ଷିଣ ଆଫ୍ରିକାର ପୂର୍ବ-କେପ୍‌ ଅଞ୍ଚଳରୁ ସ˚ଗୃହୀତ ପ୍ରଥମ ନମୁନା ପରୀକ୍ଷା ପରେ ଅନ୍ୟ ଯେଉଁ ଏକ ରୂପାନ୍ତରିତ ଭୂତାଣୁ ଚିହ୍ନଟ ହୋଇଛି ତାହା ଲଣ୍ତନ୍‌ରେ ଆବିଷ୍କୃତ ଏହି ନୂତନ ଭୂତାଣୁଠାରୁ ସାମାନ୍ୟ ଅଲଗା ହୋଇଥିଲେ ହେଁ ସେମାନଙ୍କ ପ୍ରସାର ବେଗ ଅନୁରୂପ ଭାବରେ ଦ୍ରୁତ ହୋଇଛି। ଏହି ଦକ୍ଷିଣ ଆଫ୍ରିକୀୟ ରୂପାନ୍ତରିତ ଭାଇରସ୍‌ ମଧୢ ଅଷ୍ଟ୍ରେଲିଆ, ବ୍ରିଟେନ୍‌, ଜାପାନ, ସ୍ବିଜରଲ୍ୟାଣ୍ତ ଭଳି ଦୂରଦୂରାନ୍ତରେ ବିଛାଡ଼ି ହୋଇ ରହିଥିବା ଦେଶମାନଙ୍କରେ ଦେଖା ଦେବାକୁ ଆରମ୍ଭ କଲାଣି। ବ୍ରିଟିସ୍‌ ରୂପାନ୍ତରିତ ଭୂତାଣୁ ମଧୢ ଭାରତ ସମେତ ୨୦ଟି ଅନ୍ୟ ଦେଶରେ ଦେଖାଦେଲାଣି। ପ୍ରତିକ୍ରିୟା ସ୍ବରୂପ ଡିସେମ୍ବର ୧୯ରୁ ବ୍ରିଟେନ୍‌ ଏବ˚ ଡିସେମ୍ବର ୨୮ରୁ ଦକ୍ଷିଣ ଆଫ୍ରିକା ଲକ୍‌ଡାଉନ୍‌, କ୍ବାରେଣ୍ଟାଇନ୍‌ ଆଦି ବିଭିନ୍ନ କଟକଣା କଡ଼ାକଡ଼ି କରିଛନ୍ତି ଏବ˚ ଅନେକ ଦେଶ ସେସବୁ ଦେଶକୁ ବିମାନ ଯୋଗାଯୋଗ ବନ୍ଦ କରି ଦେଇଛନ୍ତି; କିନ୍ତୁ ଏହା ହେଉଛି ଘୋଡ଼ା ଖସି ପଳାଇବା ପରେ ଘୋଡ଼ାଶାଳକୁ ବନ୍ଦ କରି ଦେବା ଭଳି।

ଏହି ରୂପାନ୍ତରିତ ଚୀନା କରୋନା ଭାଇରସ୍‌ର ଆବିର୍ଭାବ ଯେଉଁ କେତେକ ପ୍ରଶ୍ନ ସବୁ ଉଠାଇଛି, ସେଥିରୁ ଏକ ମୁଖ୍ୟ ପ୍ରଶ୍ନ ହେଉଛି- ବର୍ତ୍ତମାନ ବିଭିନ୍ନ ଦେଶରେ ଯେଉଁ ସବୁ ଟିକା ପ୍ରୟୋଗ କରି କରୋନା ଭାଇରସ୍‌ ସ˚କ୍ରମଣକୁ ପ୍ରତିହତ କରିବାକୁ ଉଦ୍ୟମ ଆରମ୍ଭ ହୋଇଯାଇଛି, ଏହି ରୂପାନ୍ତରିତ ଭାଇରସ୍‌ ପାଇଁ ସେ ଟିକା ସବୁ ପ୍ରତିବନ୍ଧ ରୂପେ କାର୍ଯ୍ୟ କରିବେ ତ? ଗବେଷକମାନେ କହୁଛନ୍ତି ଯେ ମୂଳ କରୋନା ଭାଇରସ୍‌କୁ ଚିହ୍ନି ତାକୁୁ ପ୍ରତିହତ କରିବା ପାଇଁ ଏକ ଟିକା ନେଇଥିବା ବ୍ୟକ୍ତିର ଶରୀରରେ ଯେଉଁ ପ୍ରତିରୋଧିନୀ ଶକ୍ତି ସୃଷ୍ଟି ହୋଇଥାଏ, ରୂପାନ୍ତରିତ କରୋନା ଭାଇରସ୍‌ ତାହାକୁ ଭେଦ କରିପାରିବାର ସମ୍ଭାବନା ଅତ୍ୟନ୍ତ କ୍ଷୀଣ। ଏହାର କାରଣ ହେଲା, ଆଦୌ ଟିକା ନେଇନଥିବା ରୋଗୀମାନଙ୍କ ଠାରେ ହିଁ ଭାଇରସ୍‌ର ଏହି ରୂପାନ୍ତର ଘଟିଛି, ତେଣୁ ଟିକାକୁ ପରାସ୍ତ କରିବାର କୌଶଳ ତାକୁ ଜଣାନାହିଁ। କିନ୍ତୁ ଟିକାକୁ ପରାସ୍ତ କରିବା ପାଇଁ କୌଣସି ରୂପାନ୍ତର ‘ଯଦି’ ପ୍ରକୃତିରେ ସମ୍ଭବ ହୋଇଥାଏ, ତେବେ ‘ପ୍ରାକୃତିକ ଚୟନ’ ଦିନେ ନା ଦିନେ ତାକୁ ଆବିଷ୍କାର କରିବା ପ୍ରାୟ ନିଶ୍ଚିତ।

କିନ୍ତୁ ଏହି ‘ଯଦି’ ହେଉଛି ଏକ ବିରାଟ ‘ଯଦି’। ଏ ‘ଯଦି’ର ଉତ୍ତର ଯେହେତୁ ଏବେ କାହାରିକୁ ଜଣାନାହିଁ, ଉପଲବ୍‌ଧ ଟିକା ବ୍ୟବହାର କରି ବ୍ୟାପକ ଟିକାକରଣ ଅଭିଯାନ ଆରମ୍ଭ କରି ଦେବା ସମସ୍ତଙ୍କ ପାଇଁ ବୁଦ୍ଧିମାନର କାର୍ଯ୍ୟ ହେବ। ଭାରତ ସରକାର ଅନୁମୋଦନ କରିଥିବା ‘କୋଭିସିଲ୍‌ଡ’ ଓ ‘କୋଭାକ୍‌ସିନ୍‌’ ଟିକାଦାନ ପାଇଁ ପ୍ରସ୍ତୁତ କରିଥିବା ଯୋଜନାକୁ ତେଣୁ କାଳବିଳମ୍ବ ନ କରି ତୁରନ୍ତ କାର୍ଯ୍ୟକାରୀ କରାଯିବା ଉଚିତ। ‘ଲାଲ୍‌ ରାଣୀ ତତ୍ତ୍ବ’ର ମୁକାବିଲାର ଏହାହିଁ ଏକ ମାତ୍ର ଉପଲବ୍‌ଧ କୌଶଳ।

ସମ୍ବନ୍ଧିତ ଖବର