ସ୍ବଚ୍ଛ-ଅସ୍ବଚ୍ଛ

ଭାରତ ତେଣୁ ଆଣବିକ ଶକ୍ତି ଭଳି ଏକ ଅର୍ଦ୍ଧ-ସ୍ବଚ୍ଛ ଶକ୍ତି ଉପରେ ନିର୍ଭର ନକରି ପ୍ରକୃତ ବିଶୁଦ୍ଧ ଅକ୍ଷୟ ଶକ୍ତି ଉତ୍ପାଦନରେ ବୃଦ୍ଧି ଘଟାଇ ନିଜର ଉପ‌େରାକ୍ତ ଲକ୍ଷ୍ୟ ପୂରଣ ପାଇଁ ଉଦ୍ୟମ କରିବା ଉଚିତ ହେବ।

ବିଂଶ ଶତାବ୍ଦୀର ମହାନ ଲୋକପ୍ରିୟ ପଦାର୍ଥ ବିଜ୍ଞାନୀ ରିଚାର୍ଡ ଫାଇନ୍‌ମ୍ୟାନ୍‌ଙ୍କର ଶକ୍ତି ବା ଏନର୍ଜି ସମ୍ବନ୍ଧରେ ଏକ ପ୍ରସିଦ୍ଧ ଉକ୍ତି ହେଉଛି ଏହିପରି: ‘‘ଏହା ହୃଦୟଙ୍ଗମ କରିବା ଗୁରୁତ୍ବପୂର୍ଣ୍ଣ ଯେ ଆଜି ପଦାର୍ଥ ବିଜ୍ଞାନରେ ଶକ୍ତି ହେଉଛି କ’ଣ ସେ ବିଷୟରେ ଆମର କୌଣସି ଜ୍ଞାନ ନାହିଁ…’’। ଶକ୍ତିର ମୌଳିକ ଚରିତ୍ର ସମ୍ବନ୍ଧରେ ଏକ ସ୍ପଷ୍ଟ ଧାରଣାର ଅଭାବକୁ ଲକ୍ଷ୍ୟ କରି ଫାଇନ୍‌ମ୍ୟାନ୍‌ ଏଭଳି ଆତ୍ମନିନ୍ଦାମୂଳକ ଅର୍ଦ୍ଧଗୁରୁ-ଅର୍ଦ୍ଧଲଘୁ ମନ୍ତବ୍ୟ ପ୍ରଦାନ କରିଥିଲେ। ଇତି ମଧ୍ୟରେ ଶକ୍ତି ସମ୍ବନ୍ଧରେ ଜ୍ଞାନର ସେଇ ଅଭାବ ଦୂରୀଭୂତ ହୋଇଥାଉ କି ନଥାଉ, ଶକ୍ତିର ଏକ ସ୍ଥୂଳ ପ୍ରକାରଭେଦ ସମ୍ବନ୍ଧରେ ସାରା ପୃଥିବୀ ସମ୍ପୂର୍ଣ୍ଣ ରୂପେ ସଚେତନ ହୋଇସାରିଛି: ସ୍ବଚ୍ଛ ଶକ୍ତି ଓ ମଇଳା ଶକ୍ତି।
ଯେଉଁ ବିଦ୍ୟୁତ୍‌ ଶକ୍ତି ଉତ୍ପାଦନ ପ୍ରକ୍ରିୟାରେ ପରିବେଶ ପ୍ରଦୂଷଣ ଘଟିଥାଏ, ତାହା ହେଉଛି ମଇଳା ଶକ୍ତି, ଓ ଯେଉଁ ବିଦ୍ୟୁତ୍‌ ଶକ୍ତି ଉତ୍ପାଦନ ପ୍ରଦୂ‌ଷଣହୀନ ହୋଇଥାଏ, ତାହା ହେଉଛି ସ୍ବଚ୍ଛ ଶକ୍ତି। ତାପଜ ବିଦ୍ୟୁତ୍‌ କେନ୍ଦ୍ରମାନଙ୍କରେ ବାଷ୍ପଚାଳିତ ଟର୍ବାଇନ୍‌ ଦ୍ବାରା ଶକ୍ତି ଉତ୍ପାଦନ କରାଯାଇଥାଏ। ଯଦି ଜୀବାଶ୍ମ ଇନ୍ଧନ ବ୍ୟବହାର ଦ୍ବାରା ପାଣିକୁ ଉତ୍ତପ୍ତ କରି ଏହି ବାଷ୍ପ ଉତ୍ପନ୍ନ ହେଉଥାଏ, ତା’ହେଲେ ସେଇ ଇନ୍ଧନର ଦହନରୁ ନିର୍ଗତ ହେଉଥିବା ଅଙ୍ଗାରକାମ୍ଳ ବାଷ୍ପ ଜଳବାୟୁ ପରିବର୍ତ୍ତନ ଓ ବିଶ୍ବ ଉତ୍ତପ୍ତୀକରଣର ଅନ୍ୟତମ ମୁଖ୍ୟ ଉପାଦାନ ରୂପେ କାର୍ଯ୍ୟ କରିଥାଏ। ତେଣୁ ଏହା ହେଉଛି ମଇଳା ଶକ୍ତି। ଜାତିସଂଘ ଆନୁକୂଲ୍ୟରେ ଆୟୋଜିତ ଜଳବାୟୁ ସମ୍ମିଳନୀମାନଙ୍କରେ ତେଣୁ ‌ପୃଥିବୀର ବିଭିନ୍ନ ଦେଶମାନଙ୍କରେ ଘଟୁଥିବା ଅଙ୍ଗାର ନିର୍ଗମନକୁ ହ୍ରାସ କରି କ୍ରମେ ଶୂନ୍ୟ ସ୍ତରକୁ ଆଣିବା ପାଇଁ ଆହ୍ବାନ ଦିଅ‌ାଯିବାରେ ଲାଗିଛି।
ଏହି ଉଦ୍ୟମର ଅଂଶ ସ୍ବରୂପ ଭାରତ ୨୦୭୦ ସୁଦ୍ଧା ଅଙ୍ଗାର-ନିରପେକ୍ଷତା ହାସଲ କରିବାକୁ ଲକ୍ଷ୍ୟ ରଖିଛି। ଏହି ଲକ୍ଷ୍ୟ ହାସଲ କରିବାକୁ ହେଲେ ଭାରତକୁ ଦେଶରେ ସ୍ବଚ୍ଛ ଶକ୍ତି ଅର୍ଥାତ୍‌ ଅଣ-ଜୀବାଶ୍ମ ବ୍ୟବହାରକାରୀ ଶକ୍ତି ଉତ୍ପାଦନରେ ତୀକ୍ଷ୍‌ଣ ବୃଦ୍ଧି ଘଟାଇବାକୁ ପଡ଼ିବ। ଏକ ଆକଳନ ଅନୁସାରେ ଏଥିପାଇଁ ଆମକୁ ୨୦୩୦ ସୁଦ୍ଧା ଅନ୍ୟୂନ ୫୦୦ ଗିଗାୱାଟ୍‌ ଏଇଭଳି ସ୍ବଚ୍ଛ ଶକ୍ତି ଉତ୍ପାଦନ କରିବାକୁ ହେବ। ଏହି ପୃଷ୍ଠଭୂମିରେ ଗତ ସପ୍ତାହରେ ‘ଜି-୨୦’ ଶିଖର ସମ୍ମିଳନୀରେ ଏକ ପାର୍ଶ୍ବ ଦୃଶ୍ୟ ଭାବରେ ପ୍ରକାଶ ପାଇଥିବା ଏକ ଭାରତ-ଫ୍ରାନ୍‌ସ ଯୁଗ୍ମ ଘୋଷଣାନାମା ବିଶେଷ ତାତ୍ପର୍ଯ୍ୟ ବହନ କରିଥାଏ।
ଏହି ଘୋଷଣାନାମାରେ ଉଭୟ ଦେଶ ମଧ୍ୟରେ ସହଯୋଗ ମାଧ୍ୟମରେ ଆଣବିକ ଶକ୍ତି ଉତ୍ପାଦନକୁ ତ୍ବରାନ୍ବିତ କରିବା ପାଇଁ ‘ମଡ୍ୟୁଲାର୍‌ ନିଉକ୍ଲିଆର୍‌ ରିଆକ୍ଟର୍‌’ମାନ ନିର୍ମାଣ କରା ହେବାକୁ ଯାଉଛି ବୋଲି କୁହ‌ାଯାଇଛି। ‘ମଡ୍ୟୁଲାର୍‌ ରିଆକ୍ଟର୍‌’ର ଅଂଶ ଗୁଡ଼ିକ ଏପରି ନିର୍ମିତ ହୋଇଥାଏ ଯେ ସେଗୁଡ଼ିକୁ ବିଭିନ୍ନ ରିଆକ୍ଟର୍‌ରେ ଖଞ୍ଜି ଦିଆଯାଇପାରିବ, ଯାହା ରିଆକ୍ଟର୍‌ ନିର୍ମାଣକୁ ତ୍ବରାନ୍ବିତ କରିଥାଏ। ସାଧାରଣତଃ ସ୍ବଚ୍ଛ ଶକ୍ତିର ଉଦାହରଣମାନ ହେଉଛନ୍ତି ସୌର ଶକ୍ତି, ବାୟୁ ଶକ୍ତି, ଜଳ ବିଦ୍ୟୁତ୍‌ ଆଦି ଯାହାର ଉତ୍ପାଦନ ପାଇଁ କୌଣସି ଇନ୍ଧନର ଦହନ ଆବଶ୍ୟକ ହୋଇନଥାଏ। ଏହି ସୂତ୍ରମାନଙ୍କରୁ ଉତ୍ପନ୍ନ ବିଦ୍ୟୁତ୍‌ ଶକ୍ତି ଭାରତ ନିଜ ସମ୍ମୁଖରେ ସ୍ଥାପନ କରିଥିବା ଉପରୋକ୍ତ ଲକ୍ଷ୍ୟ ପୂରଣ କରିବା ପାଇଁ ଯଥେଷ୍ଟ ହେବ ନାହିଁ ବୋଲି ଆଶଙ୍କା କରାଯାଉଥିବାରୁ ଆଣବିକ ଶକ୍ତି ଉତ୍ପାଦନରେ ବୃଦ୍ଧି ସେଇ ଅଭାବ ପୂରଣ କରିପାରିବ ବୋଲି ବିଶ୍ବାସ କରାଯାଉଛି। ଭାରତରେ ବର୍ତ୍ତମାନ ମୋଟ ଆଣବିକ ବିଦ୍ୟୁତ୍‌ ଶକ୍ତି ଉତ୍ପାଦନ କ୍ଷମତା ହେଉଛି ଦେଶରେ ଉପଲବ୍‌ଧ ମୋଟ ବିଦ୍ୟୁତ୍‌ ଶକ୍ତି ଉତ୍ପାଦନ କ୍ଷମତାର ମାତ୍ର ୧.୬ ଶତାଂଶ। ଫ୍ରାନ୍‌ସର ସହଯୋଗରେ ଯଦି ଶୀଘ୍ର ନୂତନ ରିଆକ୍ଟର ମାନ ପ୍ରତିଷ୍ଠିତ ହୋଇ ଏହି ଅନୁପାତରେ ବୃଦ୍ଧି ଘଟେ, ତାହା ଆମର ସ୍ବଚ୍ଛ ଶକ୍ତି ଉତ୍ପାଦନ ଲକ୍ଷ୍ୟ ପୂରଣରେ ବିଶେଷ ସହାୟକ ହେବ ବୋଲି ବିଶ୍ବାସ କରାଯାଉଛି।
କିନ୍ତୁ ଆଣବିକ ଶକ୍ତିକୁ ଏଭଳି ଗୁରୁତ୍ବ ପ୍ରଦାନ କରାଯିବା ସମସ୍ୟାମୁକ୍ତ ନୁହେଁ। ପ୍ରଥମ କଥା ହେଲା, ଆଣବିକ ଶକ୍ତି ଏକ ବିଶୁଦ୍ଧ ସ୍ବଚ୍ଛ ଶକ୍ତି କି ନୁହେଁ, ତାହା ହେଉଛି ବିବଦମାନ। ଆଣବିକ ଶକ୍ତି କେନ୍ଦ୍ରରେ ମଧ୍ୟ ପାଣିକୁ ଉତ୍ତପ୍ତ କରି ସୃଷ୍ଟି କରାଯାଉଥିବା ବାଷ୍ପ ସାହାଯ୍ୟରେ ଟର୍ବାଇନ୍‌ ଚଳାଇ ଶକ୍ତି ଉତ୍ପାଦନ କରାଯାଇଥାଏ। ଏହି ପ୍ରକ୍ରିୟାରେ ଜୀବାଶ୍ମ ଇନ୍ଧନ ବ୍ୟବହୃତ ହୋଇ ନ ଥାଏ ଓ ତେଣୁ ଆଦୌ ଅଙ୍ଗାର ନିର୍ଗମନ ଘଟିନଥାଏ। ନିର୍ଗମନ ଦୃଷ୍ଟିକୋଣରୁ ତେଣୁ ଆଣବିକ ଶକ୍ତିକୁ ସ୍ବଚ୍ଛ ଶକ୍ତି ରୂପେ ବିବେଚନା କରାଯିବ।
କିନ୍ତୁ ଏହା ଏତେ ସରଳ ନୁହେଁ। ଏଥି ସହିତ ଦୁଇଟି ସମସ୍ୟା ଘନିଷ୍ଠ ‌ଭାବରେ ଜଡ଼ିତ ଅଛି। ଗୋଟିଏ ହେଲା- ଆଣବିକ ଶକ୍ତି କେନ୍ଦ୍ରରେ ସମ୍ଭାବ୍ୟ କୌଣସି ଦୁର୍ଘଟଣା, ଯେମିତି ଚେର୍ନୋବିଲ୍‌ରେ ଘଟିଥିଲା। ସେପରି ଘଟିଲେ ଯେଉଁ ତେଜସ୍କ୍ରିୟ ବିକିରଣ ସୃଷ୍ଟି ହେବ ତାହା ସ୍ବାସ୍ଥ୍ୟ ଓ ପରିବେଶ ପ୍ରତି ଯେଉଁଭଳି ବିପଦ ସୃଷ୍ଟି କରିବ ଅନ୍ୟ କୌଣସି ପ୍ରଦୂଷଣ ସେଥି ସହିତ ଆଦୌ ତୁଳନୀୟ ନୁହେଁ। ଦ୍ବିତୀୟଟି ହେଲା ରିଆକ୍ଟର୍‌ରେ ବ୍ୟବହୃତ ଆଣବିକ ଇନ୍ଧନ ପରିତ୍ୟକ୍ତ ହେବା ପରେ ତାହାର ନିରାପଦ ପରିଚାଳନା। ୨୦୧୧ରେ ଜାପାନ୍‌ର ଫୁକୁସିମାଠାରେ ଘଟିଥିବା ଦୁର୍ଘଟଣାର ପ୍ରତିଧ୍ବନି ଏବେ ମଧ୍ୟ ଶୁଣିବାକୁ ମିଳୁଛି ଯେତେବେଳେ ଜାପାନ୍‌ ସମୁଦ୍ରରେ ଆଣବିକ ଅଳିଆଯୁକ୍ତ ଜଳ ଛାଡ଼ିବାକୁ ଚୀନ୍‌ ତୀବ୍ର ବିରୋଧ କରୁଛି। ଶେଷରେ ତେଜସ୍କ୍ରିୟ ବିକିରଣକୁ ସମ୍ପୂର୍ଣ୍ଣ ରୂପେ ପ୍ରତିହତ କରିବା ପାଇଁ ଆଣବିକ ଅଳିଆସବୁକୁ ନିବୁଜ କଙ୍କ୍ରିଟ୍‌ ବାକ୍ସରେ ବନ୍ଦ କରି ଭୂଗର୍ଭର ବହୁ ଗଭୀର ଅଞ୍ଚଳରେ କିମ୍ବା ସମୁଦ୍ର ତଳେ ବହୁ ଗଭୀର ଗର୍ତ୍ତରେ ସବୁଦିନ ପାଇଁ ପୋତି ଦେବାକୁ ପଡ଼ିବ, ଯାହା ଏକ ସହଜସାଧ୍ୟ ଉପାୟ ନୁହେଁ ଏବଂ ଅତ୍ୟନ୍ତ ବ୍ୟୟବହୁଳ ମଧ୍ୟ। ବର୍ତ୍ତମାନ କାମ ଚଳାଇବା ପାଇଁ ଏବେ ଯେଉଁ ସ୍ବଳ୍ପ ପରିମାଣର ପରିତ୍ୟକ୍ତ ଇନ୍ଧନ ସୃଷ୍ଟି ହେଉଛି ତାହାକୁ ସାମୟିକ ଭାବରେ ଶୀତଳ ପୋଖରୀ ବା ‘କୁଲିଙ୍ଗ୍‌ ପଣ୍ଡ’ରେ ଜମା କରାଯାଉଛି; କିନ୍ତୁ ଏହି ଶୀତଳୀକରଣ ଜଳ ମଧ୍ୟ ହେଉଛି ଏକ ଆଣବିକ ଅଳିଆ ଭଳି ଯାହାର ପରିଚାଳନା ସମସ୍ୟାମୁକ୍ତ ନୁହେଁ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୦୫ରେ ଭାରତ ଆମେରିକା ସହିତ ଏକ ବହୁ ପ୍ରଚାରିତ ଆଣବିକ ଚୁକ୍ତି ସ୍ବାକ୍ଷର କଲା ପରେ ଆଶା କରାଯାଉଥିବା ଭଳି ଭାରତରେ ଆଣବିକ ଶକ୍ତି ଉତ୍ପାଦନରେ କୌଣସି ଉଲ୍ଲେଖଯୋଗ୍ୟ ଅଗ୍ରଗତି ନ ଘଟିବାର କାରଣ ହେଉଛି ଏହି ସମସ୍ତ ଉପର ଲିଖିତ ପ୍ରତିବନ୍ଧକମାନ। ଉପରୋକ୍ତ କାରଣମାନଙ୍କ ଯୋଗୁଁ ଯଦି କେବେ ଜନଜୀବନ ଓ ପରିବେଶର କ୍ଷତି ଘଟେ ତେବେ ଶକ୍ତି କେନ୍ଦ୍ରର ପରିଚାଳକ ମାନଙ୍କ ଠାରୁ ଆରମ୍ଭ କରି ଉପକରଣ ଉତ୍ପାଦନକାରୀମାନଙ୍କ ପର୍ଯ୍ୟନ୍ତ ସମଗ୍ର ଯୋଗାଣ ଶୃଙ୍ଖଳ ସହିତ ସମ୍ପୃକ୍ତ ସମସ୍ତେ ସେଥିପାଇଁ ଦାୟୀ ହେବାର ସମ୍ଭାବନା ଥିବାରୁ ଏ କ୍ଷେତ୍ରରେ ଅଂଶ ଗ୍ରହଣ କରିବା ପାଇଁ ନିବେଶକମାନଙ୍କ ମଧ୍ୟରେ ଆଗ୍ରହ ପରିଲକ୍ଷିତ ହେଉ ନାହିଁ। ୨୦୧୦ରେ ଭାରତରେ ପ୍ରଣୀତ ‘ସିଭିଲ ଲାଏବିଲିଟି ଫର୍‌ ନିଉକ୍ଲିଆର୍‌ ଡାମେଜ୍ ଆକ୍ଟ’ ସେମାନଙ୍କୁ କୌଣସି ସୁରକ୍ଷା ପ୍ରଦାନ ନ କରିବା ଦ୍ବାରା ସେମାନଙ୍କର ଆଶଙ୍କାରେ ଆହୁରି ବୃଦ୍ଧି ଘଟିଛି। ଏଣୁ ଫ୍ରାନ୍‌ସ ସହିତ ବର୍ତ୍ତମାନ ଘଟିବାକୁ ଯାଉଥିବା ନୂତନ ଆଣବିକ ସହଯୋଗ ଯେ ପ୍ରାୟ ଦୁଇ ଦଶନ୍ଧି ତଳର ଭାରତ-ଆମେରିକା ଆଣବିକ ଚୁକ୍ତି ଅପେକ୍ଷା ଅଧିକ କିଛି ଚମକପ୍ରଦ ଫଳ ପ୍ରସବ କରିବ, ତାହାର ସମ୍ଭାବନା କ୍ଷୀଣ।
ଭାରତ ତେଣୁ ଆଣବିକ ଶକ୍ତି ଭଳି ଏକ ଅର୍ଦ୍ଧ-ସ୍ବଚ୍ଛ ଶକ୍ତି ଉପରେ ନିର୍ଭର ନକରି ପ୍ରକୃତ ବିଶୁଦ୍ଧ ଅକ୍ଷୟ ଶକ୍ତି ଉତ୍ପାଦନରେ ବୃଦ୍ଧି ଘଟାଇ ନିଜର ଉପ‌େରାକ୍ତ ଲକ୍ଷ୍ୟ ପୂରଣ ପାଇଁ ଉଦ୍ୟମ କରିବା ଉଚିତ ହେବ।

ସମ୍ବନ୍ଧିତ ଖବର