କିଛି ନୂଆ କରି ଦେଖାଇଲା ଭାରତ

ମହାମେଘବାହନ ଐର ଖାରବେଳ ସ୍ୱାଇଁ

କୌଣସି ଦେଶ ବିଶ୍ୱ ଶକ୍ତିରେ ପରିଣତ ହେବାକୁ ଚାହୁଁଥିଲେ ତାହାକୁ ଏପରି କିଛି କରିବାକୁ ପଡ଼ିବ, ଯାହା ଅନ୍ୟ ଦେଶମାନେ କରିପାରନ୍ତି ନାହିଁ। ଗତ ସପ୍ତାହରେ ନୂଆଦିଲ୍ଲୀଠାରେ ଭାରତ ଅଧ୍ୟକ୍ଷତାରେ ଯେଉଁ ଜି-୨୦ ସମ୍ମେଳନ ଅନୁଷ୍ଠିତ ହୋଇଗଲା ସେଥିରୁ ଭାରତ ଯେ ଅନ୍ୟ ଦେଶମାନଙ୍କ ଠାରୁ ସ୍ୱତନ୍ତ୍ର; ତା’ର ସଂକେତ ମିଳିଛି। ପୂର୍ବରୁ ଜି-୨୦ ସମ୍ମେଳନମାନଙ୍କ ଅପେକ୍ଷା ଏହାର ରୂପରେଖ ସଂପୂର୍ଣ୍ଣ ଅଲଗା ଥିଲା। ପ୍ରତି ବର୍ଷ ରୁଟିନ୍ ଅନୁସାରେ ଏହି ସମ୍ମେଳନରେ ଅଧ୍ୟକ୍ଷତା ଗୋଟିଏ ଦେଶ ନିକଟକୁ ଯାଇଥାଏ। ଗତ ବର୍ଷ ଏହି ଦାୟିତ୍ବ ଇଣ୍ଡୋନେସିଆ ହାତରେ ଥିଲା। ଆଗରୁ ଏକ ଧାରଣା ଥିଲା ଯେ ବିଶ୍ୱର ବଡ଼ ବଡ଼ ନେତାମାନେ ଗପସପ କରିବା ପାଇଁ ଏଥିରେ ଯୋଗ ଦେଉଥିଲେ। ପୂର୍ବରୁ ଭାରତ ପରି ଦେଶ ଦୁର୍ବଳ ଥିଲେ ଏବଂ ବଡ଼ ବଡ଼ ଦେଶମାନଙ୍କ ପାଖରେ ବସିବା ପାଇଁ ମଧ୍ୟ ବିକଳ ହେଉଥିଲା। ଏବେ ସମାପ୍ତ ହୋଇଥିବା ଜି-୨୦ର ଦିଲ୍ଲୀ ସମ୍ମେଳନ ବେଳକୁ କିନ୍ତୁ ଅବସ୍ଥା ବଦଳି ଯାଇଛି। ଏବେ ଭାରତ ଏହି ବଡ଼ବଡ଼ ଦେଶର ନେତାମାନଙ୍କ ସହିତ ସ୍ବଚ୍ଛନ୍ଦରେ ବସୁଛି ଆଲୋଚନା ଏବଂ ତର୍କବିତର୍କ ବି କରୁଛି।

ଆହୁରି ଅଧିକ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଜି-୨୦ର ଏହି ସମ୍ମେଳନକୁ ଭାରତ ଏକ ନୂଆ ରୂପ ଦେଇଛି। ଭାରତ ତା’ର ଗୋଟିଏ ବର୍ଷର ସଭାପତିତ୍ୱ ବେଳେ ଜି-୨୦ ପାଇଁ ନୂଆ କାର୍ଯ୍ୟସୂଚି ପ୍ରସ୍ତୁତ କରିଛି। ଗତ ବର୍ଷେ ହେଲା ଭାରତରେ ଏହି ସମ୍ମେଳନ ପାଇଁ ବିଭିନ୍ନ କାର୍ଯ୍ୟକ୍ରମମାନ ଚାଲି ଆସିଥିଲା; ଯେଉଁ କ୍ରମରେ ୬୦ରୁ ଅଧିକ ସ୍ଥାନରେ ପ୍ରାୟ ୨୦୦ ସରିକି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଠାରେ ସବୁଠୁ ଅଧିକ ଗୁରୁତ୍ବପୂର୍ଣ୍ଣ କଥା ହେଲା ଜି-୨୦ ସମ୍ମେଳନରୁ ଭାରତ ଯେମିତି ମର୍ଯ୍ୟାଦା ଓ ସ୍ୱୀକୃତି ପାଇଛି, ତାହା ବିରଳ ସ୍ତରୀୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏହି ସମ୍ମେଳନ ଦ୍ୱାରା ଭାରତ ଦୁଇଟି ଦିଗରେ ଆଗେଇ ପାରିଛି। ଗୋଟିଏ ହେଲା ଭାରତର ଜନସାଧାରଣ ଏହି ଜି-୨୦ ସମ୍ମେଳନ ଦ୍ୱାରା କଳା, ସଂସ୍କୃତି, ଶିଳ୍ପ, ପ୍ରଯୁକ୍ତି ଆଦି ବିଭିନ୍ନ କ୍ଷେତ୍ରରେ ସମ୍ପୃକ୍ତ ହୋଇ ପାରିଛନ୍ତି। ଅତୀତର ବିଶ୍ୱର କେତେକ ବଡ଼ ବଡ଼ ନେତା ଏହି ସମ୍ମେଳନରେ କେବଳ ନିଜ ନିଜ ମଧ୍ୟରେ ଆଳାପ ଆଲୋଚନା କରୁଥିଲେ। ସେମାନଙ୍କ ଦେଶର କୂଟନୀତିଜ୍ଞ, ଅର୍ଥନୀତି ବିଶେଷଜ୍ଞ, ଟେକେନୋକ୍ରାଟମାନେ ସେମାନଙ୍କ କ୍ଷେତ୍ର ବିଷୟରେ ଆଲୋଚନା କରୁଥିଲେ। ଏହା ବାହାରେ ଯେଉଁ ପୃଥିବୀ ଅଛି, ସେମାନେ ସେ ନେଇ ଆଦୌ ମୁଣ୍ଡ ଖେଳାଉ ନ ଥିଲେ। ମୋଦୀ ଏହି କଥାକୁ ସମ୍ପୂର୍ଣ୍ଣ ଭାବରେ ବଦଳାଇ ଦେଇଛନ୍ତି।

ଆମେରିକା ପରେ ଚୀନ ଏବେ ପୃଥିବୀର ଦୁଇ ନମ୍ବର ରାଷ୍ଟ୍ରରେ ପରିଣତ ହେବାର ମୁଖ୍ୟ କାରଣ ହେଲା ଏହାର ଆର୍ଥିକ ବିକାଶ। ଭାରତକୁ ଏକ ବିଶ୍ୱଶକ୍ତିରେ ପରିଣତ ହେବାକୁ ହେଲେ ଆର୍ଥିକ ବିକାଶ ଆହୁରି ଅଧିକ ହେବା ଜରୁରୀ। ଏ ସମ୍ପର୍କରେ ବିଶ୍ୱ ବ୍ୟାଙ୍କର ଭାରତୀୟ ବଂଶୋଦ୍ଭବ ଅଧ୍ୟକ୍ଷ ଅଜୟ ବଙ୍ଗାଙ୍କ ମତ ପ୍ରଥମେ ନିଆଯାଉ। ଆଗାମୀ ୪-୫ ବର୍ଷ ମଧ୍ୟରେ ଭାରତ ବିଶ୍ୱ ଯୋଗାଣ ମାଳାର ଏକ ସୁଦୃଢ଼ କଡ଼ି ହେବ ବୋଲି ସେ କହିଛନ୍ତି।

ଏହି ସମ୍ମେଳନରେ ‘ଡିଜିଟାଲ ସର୍ବସାଧାରଣ ଭିତ୍ତିଭୂମି’ (ଜିପିଆଇ) ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନାର ବିଷୟ ହୋଇଥିଲା। କେମିତି ଡିଜିଟାଲ ପଦ୍ଧତି ମାଧ୍ୟମରେ ସାଧାରଣ ଲୋକେ ଉପକୃତ ହେବେ ବା ତା’ର ସଦ୍‌ବିନିଯୋଗ କରିପାରିବେ, ସେ ସଂପର୍କରେ ଆଲୋଚନା ହୋଇଥିଲା। ସାରା ବିଶ୍ୱର ପ୍ରତିନିଧିମାନେ ଅନୁଭବ କରିଛନ୍ତି ଏପରି ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା ସେମାନେ ନିଜ ଦେଶରେ ମଧ୍ୟ ପ୍ରଚଳନ କରି ପାରିବେ। ଏହି ଡିପିଆଇ ବ୍ୟବସ୍ଥାକୁ ‘ୟୁଏନ୍‌ଡିପି’ (ଜାତିସଂଘର ବିକାଶ କାର୍ଯ୍ୟକ୍ରମ) ଓ ବିଶ୍ୱ ବ୍ୟାଙ୍କ ପରି ସଂସ୍ଥାମାନେ ମଧ୍ୟ ପସନ୍ଦ କରିଥିଲେ। ବିକାଶ ପାଇଁ ଏ ଧରଣର ପଦକ୍ଷେପ ଅତ୍ୟନ୍ତ ଆବଶ୍ୟକ ବୋଲି ସମସ୍ତେ ସ୍ୱୀକାର କରିଛନ୍ତି। ଏକ ବଡ଼ କଥା ହେଲା, ବହୁପକ୍ଷୀୟ ବିକାଶ ବ୍ୟାଙ୍କ (ଏମ୍‌ଡିବି)ମାନଙ୍କରେ ସଂସ୍କାର ଆଣିବା ପାଇଁ ପୂର୍ବତନ ଅର୍ଥ ସଚିବ ଓ ବିଶେଷ କରି ଏନ୍‌.କେ. ସିଂହଙ୍କ ଅଧ୍ୟକ୍ଷତାରେ ଗୋଟିଏ କମିଟି ଗଢ଼ାଗଲା, ଯାହା ବିଶ୍ୱ ବ୍ୟାଙ୍କ ଓ ‘ଆଇ.ଏମ୍‌.ଏଫ୍.’ ପରି ବିଶ୍ୱ ଆର୍ଥିକ ସଂସ୍ଥମାନଙ୍କରେ କେମିତି ସଂସ୍କାର ଅଣାଯିବ, ସେ ସମ୍ପର୍କରେ ଆଲୋଚନା କରି ସୁପାରିସ କରିଥିଲା। ଗରିବ ଦେଶମାନଙ୍କୁ ଏ ଧରଣର ସଂସ୍ଥାମାନେ କେଉଁ ନୀତି ଅନୁସାରେ ଋଣ ଦେବେ ସେ ସମ୍ପର୍କରେ ସୁପାରିସ ମଧ୍ୟ କରାଯାଇଥିଲା। ବିଶେଷ କରି ଯେତେବେଳେ ବିଶ୍ୱରେ ଋଣ ଓ ତା’ର ପରିଶୋଧ ଏକ ବଡ଼ ସଂକଟ ହୋଇ ଠିଆ ହୋଇଛି, ସେତିକି ବେଳେ ଏ ଧରଣର ସୁପାରିସ କରାଯିବା ଏକ ବଡ଼ କଥା। ଏହା ଦ୍ୱାରା ବିଶ୍ୱର ଅନେକ ଗରିବ ଦେଶମାନଙ୍କର ଭାଗ୍ୟରେ ପରିବର୍ତ୍ତନ ଆସିବ।

ଦ୍ୱିତୀୟ କଥା ହେଲା, ଭାରତ ଏହି କାର୍ଯ୍ୟ ଅନ୍ୟ କାହାରି ମାଧ୍ୟମରେ କରୁନାହିଁ। ଭାରତ, ଆଫ୍ରିକୀୟ ୟୁନିଅନକୁ ନିମନ୍ତ୍ରଣ କରିଛି, ଯାହା ଫଳରେ ଜି-୨୦ ବାସ୍ତବରେ ଜି-୨୦+୧ରେ ପରିଣତ ହୋଇଛି। ଆଫ୍ରିକୀୟ ୟୁନିଅନ ହେଉଛି ୫୪ଟି ରାଷ୍ଟ୍ର ଗୋଷ୍ଠୀର ସଂଗଠନ। ଏହା ମଧ୍ୟ ଭାରତର ଏକ ସଫଳତା।
ଜି-୨୦ ସମ୍ମେଳନ ସମାପ୍ତ ହେବା ପରେ ବିଶ୍ୱ ବ୍ୟାଙ୍କ ଓ ଆନ୍ତର୍ଜାତିକ ମୁଦ୍ରା କୋଷ (ଆଇ.ଏମ୍‌.ଏଫ୍‌.) ପରି ବିଶ୍ୱ ଆର୍ଥିକ ସଂଗଠକମାନେ ଭାରତକୁ ଯେଉଁ ଦୃଷ୍ଟିରେ ଦେଖୁଛନ୍ତି ତାହା ମଧ୍ୟ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। କାରଣ ବର୍ତ୍ତମାନ ବିଶ୍ୱରେ ଆର୍ଥିକ ଉନ୍ନତି ହେଉଛି ସବୁଠାରୁ ବଡ଼ କଥା। ଆମେରିକା ପରେ ଚୀନ ଏବେ ପୃଥିବୀର ଦୁଇ ନମ୍ବର ରାଷ୍ଟ୍ରରେ ପରିଣତ ହେବାର ମୁଖ୍ୟ କାରଣ ହେଲା ଏହାର ଆର୍ଥିକ ବିକାଶ। ଭାରତକୁ ଏକ ବିଶ୍ୱଶକ୍ତିରେ ପରିଣତ ହେବାକୁ ହେଲେ ଆର୍ଥିକ ବିକାଶ ଆହୁରି ଅଧିକ ହେବା ଜରୁରୀ। ଏ ସମ୍ପର୍କରେ ବିଶ୍ୱ ବ୍ୟାଙ୍କର ଭାରତୀୟ ବଂଶୋଦ୍ଭବ ଅଧ୍ୟକ୍ଷ ଅଜୟ ବଙ୍ଗାଙ୍କ ମତ ପ୍ରଥମେ ନିଆଯାଉ। ଆଗାମୀ ୪-୫ ବର୍ଷ ମଧ୍ୟରେ ଭାରତ ବିଶ୍ୱ ଯୋଗାଣ ମାଳାର ଏକ ସୁଦୃଢ଼ କଡ଼ି ହେବ ବୋଲି ସେ କହିଛନ୍ତି। ଏବେ ବିଶ୍ୱରେ ବିଭିନ୍ନ ଯନ୍ତ୍ରାଂଶ ଇତ୍ୟାଦିର ମୁଖ୍ୟ ଯୋଗାଣକାରୀ ହେଉଛି ଚୀନ। ଚୀନରୁ ଯନ୍ତ୍ରାଂଶ ଆସିଲେ ଯାଇ ବିଭିନ୍ନ ଦେଶମାନେ ନାନା ଦ୍ରବ୍ୟ ତିଆରି କରି ପାରୁଛନ୍ତି। କିନ୍ତୁ କୋଭିଡ୍‌ ମହାମାରୀ ସଂପ୍ରସାରଣ ପରେ ଚୀନର ଆର୍ଥିକ ଅଭିବୃଦ୍ଧି ଅନେକ ପରିମାଣରେ କମିଯାଇଛି। ଚୀନ ଉପରେ ବିଭିନ୍ନ ଯନ୍ତ୍ରାଂଶ ଓ ଆନୁସଙ୍ଗିକ ଦ୍ରବ୍ୟ ପାଇଁ ନିର୍ଭର କରୁଥିବା ଦେଶମାନେ ଏବେ ବଡ଼ ଅଡୁଆରେ ପଡ଼ିଛନ୍ତି ଓ ସେମାନେ ଚୀନର ବିକଳ୍ପ ଖୋଜୁଛନ୍ତି। ଭାରତ ସେହି ବିକଳ୍ପ ହୋଇପାରିବ ବୋଲି ଅନେକ ଆଶା କରନ୍ତି ଯେଉଁମାନଙ୍କ ମଧ୍ୟରେ ଅଛି ବିଶ୍ୱ ବ୍ୟାଙ୍କ।

ଦ୍ୱିତୀୟ ବିଶ୍ୱ ଯୁଦ୍ଧର ୭୮ ବର୍ଷ ପରେ ପୃଥିବୀରେ ବ୍ୟାପକ ପରିବର୍ତ୍ତନ ହୋଇଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପରାସ୍ତ ହୋଇଥିବା ଜର୍ମାନୀ, ଜାପାନ ଆଦି ଦେଶମାନେ ଆର୍ଥିକ ଦୃଷ୍ଟିରୁ ଅନେକ ଶକ୍ତିଶାଳୀ ହୋଇ ଯାଇଛନ୍ତି। ଏହାଛଡ଼ା ଏହି ୭୮ ବର୍ଷ ମଧ୍ୟରେ ଚୀନ, ଭାରତ, ଜାପାନ, ଅଷ୍ଟ୍ରେଲିଆ, ଦକ୍ଷିଣ କୋରିଆ ଆଦି ଅନ୍ୟ କେତେକ ରାଷ୍ଟ୍ର ଆର୍ଥିକ ଦୃଷ୍ଟିରୁ ବେଶ୍‌ ଶକ୍ତିଶାଳୀ ହୋଇଗଲେଣି। ଅଥଚ ଆଇଏମ୍‌ଏଫ୍ ମଧ୍ୟରେ ନିଷ୍ପତ୍ତି ନିଆଯିବା କ୍ଷେତ୍ରରେ ଏମାନଙ୍କର ଭୂମିକା ଅନେକ କମ୍ ଅଟେ। ଏଣୁ ‘ଆଇ.ଏମ୍‌.ଏଫ୍‌.’ରେ ଭୋଟ ଦେବାର ଅଧିକାର ସମ୍ବନ୍ଧୀୟ ନିୟମରେ ପରିବର୍ତ୍ତନ କରାଯାଉ ବୋଲି ଜି-୨୦ ଗୋଷ୍ଠୀରେ ଏବେ ଦାବି ହେଉଛି। ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଜି-୨୦ ରାଷ୍ଟ୍ରଗୋଷ୍ଠୀର ନୂଆଦିଲ୍ଲୀ ସମ୍ମେଳନରେ ଆଫ୍ରିକୀୟ ୟୁନିଅନର ପ୍ରବେଶ ଏକ ବଡ଼ ସଫଳତା, ଯେଉଁଥିପାଇଁ ଭାରତର ଏକ ବଡ଼ ଭୂମିକା ରହିଛି। ଆଫ୍ରିକୀୟ ୟୁନିଅନ ହେଉଛି ୫୪ଟି ରାଷ୍ଟ୍ରମାନଙ୍କ ଏକ ଗୋଷ୍ଠୀ। ବିଶ୍ୱର ସବୁଠାରୁ ଦରିଦ୍ରତମ ମହାଦେଶ ହେଉଛି ଆଫ୍ରିକା। ଏତେ ବଡ଼ ଦରିଦ୍ର ରାଷ୍ଟ୍ରଗୋଷ୍ଠୀକୁ ଜି-୨୦ ପରି ଗୁରୁତ୍ୱପୂର୍ଣ୍ଣ ରାଷ୍ଟ୍ର ଗୋଷ୍ଠୀରେ ସଦସ୍ୟ କରା ନ ଯିବା ଠିକ୍ କଥା ନୁହେଁ ବୋଲି ‘ଆଇ.ଏମ୍‌.ଏଫ୍.’ର ପରିଚାଳନା ନିର୍ଦ୍ଦେଶିକା କ୍ରିଷ୍ଟାଲିନା ଜର୍ଜଏଭା କହିଛନ୍ତି। ଏହାଛଡ଼ା ନୂଆଦିଲ୍ଲୀର ସମ୍ମେଳନରେ ଆର୍ଥିକ ବିକାଶ ଓ ଜଳବାୟୁ ପରିବର୍ତ୍ତନ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରାଯିବା ମଧ୍ୟ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ଅଳ୍ପ କିଛି ଦିନ ତଳେ ଥଣ୍ଡା ଅଞ୍ଚଳ ବୋଲି ପରିଚିତ ୟୁରୋପ ଓ ପ୍ରଶାନ୍ତ ମହାସାଗର ମଧ୍ୟରେ ଥିବା ଦ୍ୱୀପପୁଞ୍ଜ ହାଇଟିରେ ଯେମିତି ବନାଗ୍ନି ଅତି ବ୍ୟାପକ ଭାବରେ ମାଡ଼ିଗଲା ତାହା ବିଶ୍ୱ ଜଳବାୟୁରେ ବ୍ୟାପକ ପରିବର୍ତ୍ତନର ସଂକେତ ଦେଇଛି। ଯଦି ଜଳବାୟୁ ପରିବର୍ତ୍ତନର ଧାରାକୁ ରୋକା ନ ଯାଏ, ତେବେ ବିଶ୍ୱ ଅଳ୍ପ କେଇ ଦଶନ୍ଧି ମଧ୍ୟରେ ଧ୍ୱଂସ ପାଇଯିବ।

ଏତଦ୍‌ବ୍ୟତୀତ ପୃଥିବୀର ବିଭିନ୍ନ ଦରିଦ୍ର ଓ ଋଣୀ ଦେଶମାନେ କେମିତି ଏହି ସଂକଟରୁ ମୁକ୍ତି ପାଇବେ, ତାହା ଉପରେ ଜି-୨୦ ସମ୍ମେଳନରେ ଧ୍ୟାନ ଦିଆଯାଇଛି, ଯାହା ଏକ ଗୁରୁତ୍ୱପୂର୍ଣ୍ଣ କଥା। ସାରା ବିଶ୍ୱକୁ ଧ୍ୟାନରେ ରଖିଥିବା ବିଶ୍ୱ ବ୍ୟାଙ୍କ ଓ ‘ଆଇ.ଏମ୍‌.ଏଫ୍‌.’ର ମୁଖ୍ୟମାନେ ଏପରି ମନ୍ତବ୍ୟମାନ ଦେବା ନିଶ୍ଚିତ ଭାବେ ଜି-୨୦ର ଗୁରୁତ୍ୱକୁ ପ୍ରତିପାଦନ କରୁଛି। ଏହି ସମ୍ମେଳନ ଦ୍ୱାରା ଭାରତ ବିଶ୍ୱ ଆଗରେ ପ୍ରମାଣ କରିପାରିଛି ଯେ ଭାରତ ଭିନ୍ନ ଭାବେ ଚିନ୍ତା କରିପାରେ। ଏହି ପ୍ରତ୍ୟୟଟି ଅନ୍ୟ ଦେଶମାନଙ୍କ ମଧ୍ୟରେ ସୃଷ୍ଟି କରି ପାରିଥିବାରୁ ଭାରତ ଏକ ବିଶ୍ୱଶକ୍ତି ହେବା ଦିଗରେ ଅଗ୍ରଗତି କରିଛି ବୋଲି ବୁଝିବାକୁ ହେବ।
ମୋ: ୯୪୩୭୦୨୦୨୯୦

ସମ୍ବନ୍ଧିତ ଖବର