ବହୁବଚନ, ନାମ ନୈବେଦ୍ୟ

ବିଜୟ ନାୟକ

ନଦୀ ହେଉ କି ନକ୍ଷତ୍ର, ଭୂମି ହେଉ କି ଭୂଧର- ଏସବୁର ସ୍ଥୂଳ ସ୍ଥିତି ଅପେକ୍ଷା ସୂକ୍ଷ୍ମ ସୌନ୍ଦର୍ଯ୍ୟ ଅଧିକ ମହତ୍ତ୍ୱପୂର୍ଣ୍ଣ। ଗୋଟିଏ ଭୂଖଣ୍ଡର ତୃଣତରୁ, ନଦନଦୀ, ଗିରିଗୁହା, ମେଘମଲ୍ଲାର ଓ ମାଟିଗନ୍ଧ ସୁନ୍ଦରତାର ଉପାଦାନ ନିଶ୍ଚୟ। କିନ୍ତୁ ଭୂଭାଗଟିର ନାମ, ଧାମ, ମାହାତ୍ମ୍ୟ ଓ ମହନୀୟତା ଭିତରେ ଥାଏ ନୈସର୍ଗିକ ସୁଷମା। ଏମନ୍ତ ସୁଷମା ଶାଶ୍ୱତ। ଏହି ଯେମିତି ଓଡ଼ିଶା ପ୍ରାକୃତିକ ଚାରୁ ଚିତ୍ରପଟ୍ଟର ଚାରୁ ଗନ୍ତାଘର। କିନ୍ତୁ ଚାରୁ ଚିତ୍ରପଟ୍ଟ ଉହାଡ଼ରେ ଥିବା ସୌନ୍ଦର୍ଯ୍ୟବୋଧ ଓଡ଼ିଆ ଜାତିର ନାନ୍ଦନିକ ଦିଶା ଓ ଦର୍ଶନର ଦର୍ପଣ।

ଓଡ଼ିଆ ଜାତି ନଦୀକୁ ନଦୀ କହିଲା ନାହିଁ, କହିଲା ମହାନଦୀ। ସମୁଦ୍ରକୁ ସମୁଦ୍ର କହିଲା ନାହିଁ, କହିଲା ମହୋଦଧି। ପ୍ରସାଦକୁ ପ୍ରସାଦ କହିଲା ନାହିଁ, କହିଲା ମହାପ୍ରସାଦ। କିଏ, କିଏ ଏମିତି ସବୁ ନାମ ଦେଲେ- କୈବଲ୍ୟ କଣିକା, ଶରଧା ବାଲି, କଳ୍ପବଟ ଓ ନୀଳକନ୍ଦର? କି ରୋମାଣ୍ଟିକ ଏଠି ନଦୀଗୁଡ଼ିକର ନାମ- ସୁବର୍ଣ୍ଣରେଖା, ସାଳନ୍ଦୀ, ତମସା, ଚିତ୍ରୋତ୍ପଳା, ଭାର୍ଗବୀ, ଋଷିକୂଲ୍ୟା, ବଂଶଧାରା, ଇନ୍ଦ୍ରାବତୀ, ଝଞ୍ଜାବତୀ ପୁଣି ମହେନ୍ଦ୍ର-ତନୟା! ଏଠି କ୍ଷେତ୍ରର ନାମ ଶ୍ରୀକ୍ଷେତ୍ର, ତୀର୍ଥର ନାମ ଏକାମ୍ର, ଗଡ଼ର ନାମ ସୁନ୍ଦରଗଡ଼, ଲାବଣ୍ୟଗଡ଼ ତ ଜନପଦର ନାମ ବୌଦ୍ଧ, ମୟୂରଭଞ୍ଜ, ମାଲକାନଗିରି, ସୁବର୍ଣ୍ଣପୁର ଓ କେନ୍ଦୁଝର। ନଗ୍ରର ନାମ ପୁଣି କଟକ, କୋଶମ୍ବ। ଆଉ ଗ୍ରାମର ନାମ? ଅସ୍ତରଙ୍ଗ, ନିଶ୍ଚିନ୍ତକୋଇଲି, ସିନ୍ଦୂରଗୌରୀ, ଚନ୍ଦ୍ରାବାଲି, ଭଦ୍ରାପଲ୍ଲୀ ଓ ଚାନ୍ଦବାଲି। ଏପରି ନାମ ସବୁ କିଏ ଦେଇପାରେ? ଗୋଟିଏ ଜାତିର ଲଲାଟରେ ସର୍ଜନଶୀଳତାର ସ୍ପର୍ଶ ନଥିଲେ ଏପରି ନାମକରଣ କି ସମ୍ଭବ?

କେଉଁ ଚାଷୀଭାଇଟିଏ ଦେଖିଲା ଯେ ଥରେ ଅଧେ ନୁହେଁ, ବାରମ୍ବାର ପାହାଡ଼ ମଥାନରେ ମେଘର ଆସ୍ଥାନ। ପାହାଡ଼କୁ ନିଜ ଆସନ କରିଛି କି ମେଘ? ହଁ ତ। ତେଣୁ ସେ ପାହାଡ଼ର ନାମ ଦେଲା ମେଘାସନ। କେଉଁ ଗ୍ରାମ୍ୟ କବି ଉଷା ଗୋଧୂଳିରେ ନିରୀକ୍ଷଣ କଲା ପାହାଡ଼ ଚୂଡ଼ାରେ ସୁବର୍ଣ୍ଣ ଆଭା। ତେଣୁ ସେ ଖୁସିରେ ନାଚି ଉଠି ‘ସ୍ୱର୍ଣ୍ଣଚୂଡ଼’ ‘ସ୍ୱର୍ଣ୍ଣଚୂଡ଼’ ବୋଲି ଚିତ୍କାର କଲା। ପାହାଡ଼ ହୋଇଗଲା ସ୍ୱର୍ଣ୍ଣଚୂଡ଼ ଭାବରେ ବିଖ୍ୟାତ। ଏଠି ପାହାଡ଼ର ନାମ କେବଳ ମେଘାସନ ବା ସ୍ୱର୍ଣ୍ଣଚୂଡ଼ ନୁହେଁ, ମହେନ୍ଦ୍ର, ମଳୟ, ମଣିକର୍ଣ୍ଣିକା, ଗୋକର୍ଣ୍ଣିକା, ଗୋନାସିକା ପୁଣି ଉଦୟଗିରି। ଓଡ଼ିଆ କାବ୍ୟ ଓ କାବ୍ୟନାୟିକାମାନଙ୍କ ନାମର ମଧ୍ୟ ପଟାନ୍ତର ନାହିଁ। କାବ୍ୟର ନାମ ଲାବଣ୍ୟବତୀ, କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ, ରହସ୍ୟ ମଞ୍ଜରୀ, ଚନ୍ଦ୍ରଭାଗା, ତପସ୍ୱିନୀ ପୁଣି ହେମଶସ୍ୟ। ନାୟକର ନାମ ଚନ୍ଦ୍ରଭାନୁ ତ ନାୟିକାର ନାମ ନନ୍ଦିକା। କେବଳ ଲାବଣ୍ୟବତୀରୁ ନୁହେଁ, ଅନେକ ଓଡ଼ିଆ କାବ୍ୟରୁ ଯେମିତି ଓହ୍ଲାଇ ଆସେ ଲାବଣ୍ୟ-ନିର୍ଝର। ଆଜିକାଲି ତ ପ୍ରଦେଶ, ଦେଶ ଓ ବିଶ୍ୱସୁନ୍ଦରୀ ଠାରୁ ବ୍ରହ୍ମାଣ୍ଡସୁନ୍ଦରୀ ପର୍ଯ୍ୟନ୍ତ ସୁନ୍ଦରୀ ପ୍ରତିଯୋଗିତାର ପ୍ରବାହ ପ୍ରଖର। କିନ୍ତୁ ଭଞ୍ଜଙ୍କ ବ୍ୟତୀତ କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ ପରିକଳ୍ପନା ଆଉ କେହି କରିପାରିଲେଣି କି? ଭଞ୍ଜ କେବଳ କବି ସମ୍ରାଟ ବା ସଙ୍ଗୀତ ସମ୍ରାଟ ନୁହନ୍ତି, ଓଡ଼ିଆ ସୌନ୍ଦର୍ଯ୍ୟବୋଧର ସମ୍ରାଟ ମଧ୍ୟ।

ଓଡ଼ିଶା, ପ୍ରଦେଶ ଭାବରେ ନୂତନ କିନ୍ତୁ ଏକ ପ୍ରାଚୀନ ସାମ୍ରାଜ୍ୟ ଭାବରେ ବିଶ୍ୱ-ବିଖ୍ୟାତ। କେତେବେଳେ ଏହା କଳିଙ୍ଗ, କଙ୍ଗୋଦ ତ କେତେବେଳେ ଏହା କୋଶଳ, ତୋଷଳ ପୁଣି ଆଉ କେତେବେଳେ ଓଡ୍ର, ଉତ୍କଳ ଓ ମହାକାନ୍ତାର ଭାବରେ ଖ୍ୟାତ। ଯାହାର ଅଙ୍ଗେ ଅଙ୍ଗେ କଳା, ସେହି ଭୂଖଣ୍ଡର ନାମ କଳିଙ୍ଗ ତ ଉତ୍କୃଷ୍ଟ କଳାର ଦେଶ ଉତ୍କଳ। ଆମ ରାଜ୍ୟ କାଳେକାଳେ କଳାକାରିଗରି, ଅଦମ୍ୟ ବୀରତ୍ୱ ଓ ଦିଗ୍‌ବିଜୟ ସହିତ ଜଡ଼ିତ। ଓଡ଼ିଆମାନଙ୍କ ଶିରାପ୍ରଶିରାରେ କଳା, ଜିନ୍‌ରେ କବିତା! ଚନ୍ଦନେଶ୍ୱରରୁ ଚନ୍ଦାହାଣ୍ଡି, ଟାଙ୍ଗିରୁ ପଟାଙ୍ଗି ପୁଣି କନିକାରୁ ବିନିକା ପର୍ଯ୍ୟନ୍ତ ବ୍ୟାପ୍ତ ଓଡ଼ିଶା ଏକ ଲାବଣ୍ୟ ପସରା। ଏଠି କିଆ, କେତକୀ ଓ କୋରେଇ ଫୁଲର ବାସ୍ନା, ମଲ୍ଲୀମାଳତୀର ମହମହ ମହକ, ଜହ୍ନିଫୁଲ ଓ ଜହ୍ନରାତିର ମାଧୁର୍ଯ୍ୟ ଶାଶ୍ୱତ ସୁଷମାର ପ୍ରମୂର୍ତ୍ତ ପ୍ରତୀକ। ଏମନ୍ତ ପ୍ରାକୃତିକ ସୌନ୍ଦର୍ଯ୍ୟ ଏ ଜାତିର ସୌନ୍ଦର୍ଯ୍ୟବୋଧକୁ ପୁଷ୍କଳ କରିଛି।

ଧରା, ଧାରା, ବନ, କାନନ, ଅଦ୍ରି, ଅରଣ୍ୟ, ଅଟବୀ, ଅମ୍ବୁଧି, ତଡ଼ାଗ, ତଟିନୀ ଆଦିର ନାମ କ’ଣ ଗୁଣବାଚକ? ‘ପ୍ରପର ନେମ୍‌ସ ଆର୍ ନନ୍-କନୋଟେଟିଭ୍’, ତର୍କଶାସ୍ତ୍ରର ଏହି ଆପ୍ତବାକ୍ୟ କାହାକୁ ବା ଅଜଣା? ଦିବ୍ୟଲୋଚନ ଦୃଷ୍ଟି ବାଧିତ ବ୍ୟକ୍ତି ହୋଇପାରନ୍ତି ତ ଧନେଶ୍ୱର ହୋଇପାରନ୍ତି ବାସହୀନ ଶ୍ରମଜୀବୀ। ଫକୀର ହୋଇପାରନ୍ତି ରାଜେନ୍ଦ୍ରାସନର ଅଧିକାରୀ। କିନ୍ତୁ ଏସବୁ ସତ୍ତ୍ୱେ ନାମରେ ଯେ ସଂଭ୍ରାନ୍ତିର ପ୍ରଗାଢ଼ ପ୍ରଲେପ ଥାଏ, ଏହାକୁ କ’ଣ ଅସ୍ୱୀକାର କରିହେବ? ରାଜାମାନଙ୍କର ନାମ କାହିଁକି ବରେନ୍ଦ୍ର, ବୀରେନ୍ଦ୍ର, କପିଳେନ୍ଦ୍ର? ସନ୍ଥମାନଙ୍କର ନାମ କାହିଁକି ବିବେକାନନ୍ଦ, ଚିଦାନନ୍ଦ, ଚିନ୍ମୟାନନ୍ଦ? ସ୍ୱର୍ଗର ଅପ୍‌ସରାମାନଙ୍କ ନାମ କାହିଁକି ରମ୍ଭା, ମେନକା ଓ ଉର୍ବଶୀ? କାରଣ ରାଜତ୍ୱ ସହିତ ବୀରତ୍ୱ, ସନ୍ନ୍ୟାସ ସହିତ ଦେବତ୍ୱ ଏବଂ ସୌନ୍ଦର୍ଯ୍ୟ ସହିତ ଲାଳିତ୍ୟ ସଦା ସଂଯୁକ୍ତ। ପଦ ପ୍ରତିକୂଳ ନାମ ପଦମର୍ଯ୍ୟାଦାର ପରିପନ୍ଥୀ ହୋଇପାରେ। ବରଂ ଏକ କଳାତ୍ମକ ନାମ ଆସ୍ଥା ଓ ଉଲ୍ଲାସର କାରଣ ହୁଏ। ସୁତରାଂ ନାମଗୁଡ଼ିକ ଗୁଣର ପ୍ରତିଫଳନ ନହେଲେ ମଧ୍ୟ ଗୁଣଗ୍ରାହୀ ହୋଇପାରିବେ ତ! କୁବେର ନାମଧାରୀ ରଙ୍କଟିକୁ ଧନବାନ ହେବା ପାଇଁ ଆଶାପୋଷଣ କରିବା ମନା ନା ରିକ୍ସା ଚାଳକ ବାଦଶା ମିଆଁକୁ ମନା ବାଦଶା ପୋଷାକରେ ନିଜକୁ ସ୍ୱପ୍ନରେ ଦେଖିବା ପାଇଁ? ଦସ୍ୟୁ ରତ୍ନାକର ଯଦି ବାଲ୍ମିକୀ ହେବାର ସମ୍ଭାବନାର ଅଧିକାରୀ, ତା’ହେଲେ ମୂର୍ଖ ବିଦ୍ୟାଧର ପଣ୍ଡିତ ହେବାରେ ବାଧା କେଉଁଠି ରହିଛି?

ତେବେ ନାମଗୁଡ଼ିକ ଗୁଣବାହକ ହୁଅନ୍ତୁ ବା ନ ହୁଅନ୍ତୁ, ତାହା ବଡ଼ କଥା ନୁହେଁ। ବଡ଼ କଥା ହେଉଛି ଜଣେ ବ୍ୟକ୍ତି ବା ଗୋଟିଏ ଜାତି ସର୍ଜନଶୀଳତାର ତୁଙ୍ଗିମା ସ୍ପର୍ଶ କରି ନଥିଲେ, କଳାତ୍ମକ ଓ ରୁଚିପୂର୍ଣ୍ଣ ନାମଟିଏ ଚୟନ କରିବା ତା’ ପକ୍ଷେ ଅସମ୍ଭବ। ଓଡ଼ିଆ ଜାତି କଳା-ନୈପୁଣ୍ୟର କିରୀଟ। ତେଣୁ ସିନା ଏ ଜାତିର ଗଛମାଛ, ନାଳନର୍ଦ୍ଦମା ଓ ଶ୍ୱାନଶୂକରଙ୍କ ନାମ ମଧ୍ୟ କଳା-ବିଭୂଷିତ। ତର୍କଶାସ୍ତ୍ରରେ ଯାହା ପରିହାର୍ଯ୍ୟ, ନନ୍ଦନତତ୍ତ୍ୱରେ ତାହା ଅପରିହାର୍ଯ୍ୟ। ଗୁଣାତ୍ମକ ଓ କଳାତ୍ମକ ନାମ ଚୟନରେ ଓଡ଼ିଆ ଜାତିକୁ ସରି କିଏ?
ମୋ: ୯୪୩୭୧୪୩୮୯୬

ସମ୍ବନ୍ଧିତ ଖବର