ଜେନ୍ ଦର୍ଶନର ଏକ ବଡ଼ ବିଭାବ ହେଉଛି ‘ସାଧାରଣତା’। ଅତି ବିଶିଷ୍ଟ ଜେନ୍ ଗୁରୁମାନେ ସେମାନଙ୍କ ବୈଶିଷ୍ଟ୍ୟ ଜାହିର କରନ୍ତି ନାହିଁ। ସେମାନେ ବିଶିଷ୍ଟ ବୋଲି ଦାବି କରନ୍ତି ନାହିଁ। ସେମାନଙ୍କର ଅତି ‘ସାଧାରଣତା’ ଭିତରେ ହିଁ ଲୁଚି ରହିଥାଏ ଅପରିମେୟ ପ୍ରଜ୍ଞା। ସେଇଭଳି ଜଣେ ପ୍ରସିଦ୍ଧ ଜେନ୍ ଗୁରୁ ଗୋକୁଜୁଙ୍କୁ ନେଇ ଏହି କଥାଟିଏ।
ଥରେ ଗୋକୁଜୁ ଆଶ୍ରମରୁ ବାହାରିଲା ବେଳେ ଦେଖିଲେ ଯେ ତାଙ୍କ ଶିଷ୍ୟମାନଙ୍କ ଭିତରେ ତର୍କ ଚାଲିଛି। କେଉଁ ବିଷୟରେ ତର୍କ ଚାଲିଛି ବୋଲି ଗୋକୁଜୁ ଜାଣିବାକୁ ଚାହିଁଲେ।
ତର୍କ କରୁଥିବା ଶିଷ୍ୟମାନଙ୍କ ଭିତରୁ ଜଣେ ମନ୍ଦିର ଉପରେ ଉଡୁଥିବା ପତାକା ଆଡ଼କୁ ଆଙ୍ଗୁଳି ନିର୍ଦ୍ଦେଶ କରି କହିଲା- ମୁଁ ପ୍ରଶ୍ନଟିଏ ପଚାରିଲି ଯେ କୁହ କ’ଣ ହଲୁଛି। ପତାକା ହଲୁଛି ନା ପବନ ହଲୁଛି? ସେଇଠୁ ଯୁକ୍ତିର ଆରମ୍ଭ ହେଲା।
ଏହା ଶୁଣି ଜଣେ କହିଲା- ମୋ ମତରେ ପବନ ହଲୁଛି। ପବନ ନ ହଲିଲେ ପତାକା ହଲିବ କେମିତି?
ଏହା ଶୁଣି ଆଉ ଜଣେ କହିଲା- ନା ନା ପତାକା ହଲୁଛି। ପବନ ହଲିଲେ କ’ଣ ପୃଥିବୀର ସବୁ ଜିନିଷ ହଲି ଯାଉଛି! କିନ୍ତୁ ଦେଖ ପତାକା ହଲୁଛି।
ଏବେ ଗୋକୁଜୁ ପହଞ୍ଚି ଯାଇଥିବାରୁ କିଛି ଶିଷ୍ୟ ତାଙ୍କ ମୁହଁକୁ ଚାହିଁଲେ। ଗୋକୁଜୁ କହିଲେ- ନିର୍ବୋଧ ଗଣ ଧ୍ୟାନରେ ବସ। କାରଣ ନା ପତାକା ହଲୁଛି ନା ପବନ ହଲୁଛି। ତୁମମାନଙ୍କର ମନ ହଲୁଛି।
କ’ଣ ହଲୁଛି?
କଥାଟିଏ-ଯାଯାବର