ଘୋଡ଼ା ଦୌଡ଼ର କଥା

କଥାଟିଏ-ଯାଯାବର

ଗୋଟିଏ ରାଜ୍ୟରେ ଥିଲେ ଜଣେ ବିଚକ୍ଷଣ ଘୋଡ଼ା ଦୌଡ଼ାଳି। ତାଙ୍କର ଥିଲା ତୁଷାର ଶୁଭ୍ର ରଙ୍ଗର ଗୋଟିଏ ଅଶ୍ବ। ତାହା ଥିଲା ରାଜ୍ୟର ସବୁଠାରୁ ଭଲ ଘୋଡ଼ା। ଘୋଡ଼ାଟି ପବନ ବେଗରେ ଦୌଡୁଥିଲା; ଲାଗୁଥିଲା, ସତେ ଯେମିତି ତାହା ଏକ ପକ୍ଷୀରାଜ ଘୋଡ଼ା। ଅନ୍ୟ ରାଜ୍ୟରୁ ଅନେକ ଉଚ୍ଚାକୋଟୀର ଘୋଡ଼ା ଦୌଡ଼ାଳି ଆସୁଥିଲେ ତାଙ୍କ ସହିତ ପ୍ରତିଦ୍ବନ୍ଦ୍ବିତା କରିବା ଲାଗି, କିନ୍ତୁ ସମସ୍ତେ ହାରୁଥିଲେ। ରାଜ୍ୟର ରାଜା ଘୋଷଣା କରିଥିଲେ ଯେ ଯିଏ ତାଙ୍କୁ ହରାଇ ଦେବ ତାକୁ ରାଜ୍ୟର ଏକ ଅଞ୍ଚଳ ପୁରସ୍କାର ସ୍ବରୂପ ଅର୍ପଣ କରିବେ।

ଥରେ ରାଜ୍ୟକୁ ଆସିଲା ପାହାଡ଼ ଉପରୁ ଜଣେ ଭୀଲ ଯୁବକ। ସେ ଗୋଟିଏ ତଟୁ ଘୋଡ଼ା ଉପରେ ବସି ଆସିଥିଲା। ପ୍ରତିଯୋଗିତା ଲାଗି ଆଗ୍ରହୀ ବୋଲି ସେ ଜଣାଇଲା। ତାକୁ ଦେଖି ଘୋଡ଼ା ଦୌଡ଼ାଳି ହସିଲେ। କାରଣ ଉଚ୍ଚତା ଓ ଶରୀର ଆକୃତିରେ ତଟୁ ଘୋଡ଼ାଟି ଥିଲା ତାଙ୍କ ଘୋଡ଼ାର ଅଧାରୁ ବି କମ୍‌। କିନ୍ତୁ ଯେତେବେଳେ ସେମାନେ ପ୍ରତିଯୋଗିତା ଲାଗି ଆସିଲେ ହଠାତ୍‌ ଭୀଲ ଯୁବକ ସେଥିରେ ଭାଗ ନେବାକୁ ମନା କଲା। ସେ କହିଲା- ଘୋଡ଼ା ଦୌଡ଼ାଳଙ୍କ ଘୋଡ଼ାର ଗୋଡ଼ ଠିକ୍‌ ନାହିଁ। ତା’ର ପାଦ ପକାଇବାର ଠାଣିରୁ ସେ ତାହା ଠଉରାଇ ପାରିଛି। କିନ୍ତୁ ଘୋଡ଼ା ଦୌଡ଼ାଳି ମନା କଲେ ଓ କହିଲେ- ତୁମ ବାହାନା ଚଳିବ ନାହିଁ। ଯଦି ମୋ ଘୋଡ଼ାର ଗୋଡ଼ ଠିକ୍‌ ନାହିଁ, ତାହା ତ ତୁମ ଲାଗି ଗୋଟିଏ ସୁଯୋଗ! ଏହାର ସଦ୍‌ ବ୍ୟବହାର କର। ଭୀଲ ଯୁବକ କହିଲା- ଏମିତି ସୁଯୋଗର ସଦ୍‌ବ୍ୟବହାର କରିବାକୁ ମୁଁ ଚାହେଁନା। ମୁଁ ପାହାଡ଼ ଉପରେ ମୋ ଘୋଡ଼ାକୁ ଦୌଡ଼ାଇ ଦୌଡ଼ାଇ ତିଆରି କରିଛି। ମୁଁ ଭାବେ ପରିଶ୍ରମ କରି ମୁଁ ମୋ ଲାଗି ସୁଯୋଗ ତିଆରି କରିବି। ମିଳୁଥିବା ସୁଯୋଗର ସଦ୍‌ବ୍ୟବହାର କରିବି ନାହିଁ। ତେଣୁ ଆପଣଙ୍କ ଘୋଡ଼ାର ଗୋଡ଼ ଭଲ ହେଲା ପରେ ପ୍ରତିଦ୍ବନ୍ଦ୍ବିତା କରିବା। କିଛି ଦିନ ପରେ ଅବଶ୍ୟ ପ୍ରତିଦ୍ବନ୍ଦ୍ବିତା ହେଲା। ସମସ୍ତଙ୍କୁ ଚମକାଇ ଭୀଲ ଯୁବକର ଘୋଡ଼ା ବିଜୟୀ ହେଲା।

ସମ୍ବନ୍ଧିତ ଖବର