ଦର୍ପଣ: ଗୋତି ଶ୍ରମିକଙ୍କ ମୁକ୍ତି

୨୦୧୬ ଜୁଲାଇରେ କେନ୍ଦ୍ର ସରକାର ସଂସଦରେ କହିଥିଲେ ଯେ ୧୫ ବର୍ଷ ମଧ୍ୟରେ ଗୋତି ଶ୍ରମିକ ପ୍ରଥାର ସଂପୂର୍ଣ୍ଣ ବିଲୋପନ ସକାଶେ ୨୦୩୦ ସୁଦ୍ଧା ୧ କୋଟି ୮୪ ଲକ୍ଷ ଗୋତି ଶ୍ରମିକଙ୍କୁ ଚିହ୍ନଟ କରି ସେମାନଙ୍କୁ ମୁକ୍ତ କରିବା ପରେ ସେମାନଙ୍କ ପୁନଃ ଥଇଥାନ କରାଯିବ। କେନ୍ଦ୍ର ସରକାରଙ୍କ ତଥ୍ୟରୁ ଜଣାପଡ଼ିଥାଏ ଯେ ୧୯୭୮ରୁ ୨୦୨୩ ମଧ୍ୟରେ ସମୁଦାୟ ୩୧୫,୩୦୨ ଜଣଙ୍କୁ ଗୋତି ଖଟିବାର ଅମାନବୀୟ ବାଧ୍ୟବାଧକତାରୁ ମୁକ୍ତ କରାଯାଇ ସେମାନଙ୍କ ମଧ୍ୟରୁ ୯୪%ଙ୍କୁ ସଫଳ ଭାବେ ପୁନଃ ଥଇଥାନ କରାଯାଇ ପାରିଛି। ସରକାରଙ୍କ ଉପରୋକ୍ତ ଘୋଷଣା ଦିନରୁ ହିସାବ କଲେ ଉଦ୍ଧାର ପାଇଥିବା ଲୋକଙ୍କ ସଂଖ୍ୟା ୩୨,୮୭୩ ବୋଲି ଜଣାପଡ଼ିଥାଏ। ଅର୍ଥାତ୍ ପ୍ରତି ବର୍ଷ ହାରାହାରି ୪,୬୯୬ ଜଣ ଗୋତି ଶ୍ରମିକଙ୍କୁ ମୁକ୍ତ କରାଯାଉଛି। ଯଦି ଏହି ପ୍ରକ୍ରିୟା ଏହି ହାରରେ ଚାଲେ ତେବେ ୨୦୩୦ ସୁଦ୍ଧା ୧.୮୪ କୋଟି ଗୋତି ଶ୍ରମିକଙ୍କୁ ମୁକ୍ତ କରିବାର ଲକ୍ଷ୍ୟର ମାତ୍ର ୨% ପୂରଣ ହୋଇପାରିବ ଏବଂ ୧.୮ କୋଟି ଗୋତି ଶ୍ରମକ ଅମାନବିକ ପରିସ୍ଥିତିରେ କାମ କରିବା ଜାରି ରଖିବାକୁ ବାଧ୍ୟ ହେବେ। ଉଲ୍ଲେଖଯୋଗ୍ୟ ଯେ ୧୯୭୬ ମସିହାରୁ ଭାରତରେ ଗୋତି ଶ୍ରମ ପ୍ରଥା ବେଆଇନ ଘୋଷିତ ହୋଇସାରିଛି। ତଥାପି ଏ ପର୍ଯ୍ୟନ୍ତ ପ୍ରତି ବର୍ଷ ଶହ ଶହ ନୂଆ ଲୋକଙ୍କୁ ଗୋତି ଶ୍ରମିକ ଭାବେ ବଳପୂର୍ବକ ଖଟାଯାଉଛି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋର ତଥ୍ୟ ଅନୁଯାୟୀ ଗୋତି ଶ୍ରମ ପ୍ରଥା ବିଲୋପନ ଆଇନ ଅନୁସାରେ ୨୦୧୯ରେ ୧,୧୫୫ଟି, ୨୦୨୦ରେ ୧,୨୩୧ଟି, ୨୦୨୧ରେ ୫୯୨ଟି ମାମଲା ରୁଜୁ ହୋଇଥିଲା। ଗତ ଫେବ୍ରୁଆରି ମାସରେ ସରକାର ସଂସଦରେ କହିଥିଲେ ଯେ ଯେ ୨୦୧୯ରୁ ୨୦୨୩ ମଧ୍ୟରେ ୨,୬୫୦ ଜଣ ଗୋତି ଶ୍ରମିକଙ୍କୁ ଉଦ୍ଧାର ବା ପୁନଃ ଥଇଥାନ କରାଯାଇଥିଲା। କିନ୍ତୁ ୨୦୨୯-୨୦ରେ ଜଣେ ହେଲେ ଗୋତି ଶ୍ରମିକଙ୍କୁ ଉଦ୍ଧାର ବା ପୁନଃ ଥଇଥାନ କରାଯାଇନାହିଁ। ଶ୍ରମିକ ଅଧିକାର କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମୀମାନେ ଏ ଦିଗରେ ମନ୍ଥର ଅଗ୍ରଗତି ସକାଶେ ସରକାରୀ ଆଗ୍ରହର ଅଭାବ ଆଡ଼କୁ ଇଙ୍ଗିତ କରନ୍ତି। ଏହା ଏକ ଅତ୍ୟନ୍ତ ଅମାନବୀୟ ପ୍ରଥା ହୋଇଥିବାରୁ ଏହାର ତୁରନ୍ତ ଓ ସମୂଳ ବିଲୋପନ ସକାଶେ ସେମାନେ ଦାବି କରନ୍ତି।

ସମ୍ବନ୍ଧିତ ଖବର