ଭାଇ-ଭାଇ

କଥାଟିଏ-ଯାଯାବର

ଗୋଟିଏ ସହରରେ ଦୁଇ ଭାଇ ରହୁଥିଲେ। ସେମାନଙ୍କ ସ˚ପର୍କ ଥିଲା ଅତ୍ୟନ୍ତ ମଧୁର ଓ ନିବିଡ଼। କିନ୍ତୁ ସେଇ ସହରର ଘରେ ଘରେ ଅଶାନ୍ତି ଲାଗି ରହିଥିଲା। ଭାଇମାନଙ୍କ ଭିତରେ ପଟୁ ନ ଥିଲା। ଘର ଓ ଜମି ବାଡ଼ି ଭାଗ ଭାଗ ହେଉଥିଲା। ସେତିକି ବେଳେ ସହରର ଲୋକେ ଏଇ ଦୁଇ ଭାଇଙ୍କ ଉଦାହରଣ ଦେଇ କହୁଥିଲେ- ଏମିତି ଭ୍ରାତୃତ୍ବ ପ୍ରୀତି ସତରେ ବିରଳ। ଭଗବାନଙ୍କ ଆଶୀର୍ବାଦରୁ ଏ ଦୁଇ ଭାଇଙ୍କ ମନ ମିଳିଛି।
ଦିନେ ସେମାନଙ୍କ ଜଣେ ପ‌େଡ଼ାଶୀ ବଡ଼ ଭାଇଙ୍କୁ ପଚାରିଲେ- ଆପଣ ଦୁଇ ଭାଇଙ୍କ ସ˚ପର୍କ ଏତେ ଭଲ କେମିତି?
ବଡ଼ ଭାଇ କହିଲେ- ଆମର ମନ ମିଳେ।
ପ‌େଡ଼ାଶୀ ପଚାରିଲେ- ଏମିତି କେମିତି ସମ୍ଭବ? ଆପଣ ଦୁଇ ଜଣ ଦୁଇ ଅଲଗା ଅଲଗା ମଣିଷ। ଏମିତି କ’ଣ କେବେ ବି ଆପଣଙ୍କ ମନ ଭିତରେ ବା ମତ ଭିତରେ ଅମେଳ ହୋଇନାହିଁ?
ବଡ଼ ଭାଇ କହିଲେ- ମନର ଅମେଳ ତ ପ୍ରଚୁର।
ପ‌େଡ଼ାଶୀ ବିସ୍ମିତ ହୋଇ କହିଲେ- ଆଜ୍ଞା, ବୁଝିପାରୁନାହିଁ। ଆପଣ ଥରେ କହିଲେ ମନ ମିଳିଯାଏ। ପୁଣି ଆଉ ଥରେ କହୁଛନ୍ତି ମନର ଅମେଳ ଅନେକ। ଟିକିଏ ବୁଝାଇ ଦେବେ କି?
ବଡ଼ ଭାଇ ହସି କହିଲେ- କଥାଟା ଏମିତି। ଯେଉ ସବୁ କଥାରେ ଆମ ଦୁଇ ଭାଇଙ୍କ ମନ ମିଳେ ସେ ସବୁ କଥାରେ ଆମେ ପରସ୍ପରକୁ ଧନ୍ୟବାଦ ଜଣାଉ। କାରଣ ସେଥିରେ ଚିନ୍ତା କରିବାର କିଛି ନାହିଁ। କିନ୍ତୁ ଯେଉଁଥିରେ ମନ ମିଳେନାହିଁ, ସେଭଳି କଥାରେ ଆମେ ଉଭୟ ପରସ୍ପରର ମତକୁ ସମ୍ମାନ ଜଣାଉ। ଆଲୋଚନା କରି ବାଟ ବାହାର କରୁ। ଆମେ ପରସ୍ପରର ମତକୁ ବିରୋଧ କରିପାରୁ, କିନ୍ତୁ ପରସ୍ପରକୁ ବିରୋଧ କରୁନା, ସର୍ବଦା ଭଲ ପାଉ।

ସମ୍ବନ୍ଧିତ ଖବର