ଅବ୍ୟବସ୍ଥାରୁ ଏନ୍‌ଆଇଟିରେ ବଢ଼ୁଛି ଛାତ୍ର ଅଶାନ୍ତି

ମିଳୁନି ଉପଯୁକ୍ତ ଖାଦ୍ୟ,ଶୋଇବାକୁ ନାହିଁ ବେଡ୍‌

ରାଉରକେଲା: କରୋନା କଟକଣା ହଟିବା ପରେ ସ୍ବାଭାବିକ ହୋଇଛି ରାଉରକେଲାସ୍ଥ ଜାତୀୟ ବୈଷୟିକ ଶିକ୍ଷା ପ୍ରତିଷ୍ଠାନ (ଏନ୍ଆଇଟି)। ଜାତୀୟସ୍ତରର ଏହି ଶିକ୍ଷା ପ୍ରତିଷ୍ଠାନ କେବଳ ରାଉରକେଲା ପାଇଁ ନୁହେଁ ଓଡ଼ିଶା ପାଇଁ ଗର୍ବ ଓ ଗୌରବ। କର୍ତ୍ତୃପକ୍ଷ  ଅବା କିଛି ବିଭାଗୀୟ ଅଧିକାରୀଙ୍କ ଅବହେଳାରୁ ଅନେକ ସମୟରେ ଏନ୍ଆଇଟି ବିବାଦ ସୃଷ୍ଟି ହେଉଛି। ସଂସ୍ଥାକୁ ବଦ୍‌ନାମ ହେବାକୁ ପଡୁଛି। ଅନେକ ସମୟରେ ନାନା ଅବ୍ୟବସ୍ଥାକୁ ନେଇ ଛାତ୍ର ଅଶାନ୍ତି ବୃଦ୍ଧି ପାଉଛି। ନିକଟରେ ‘ଏନ୍ଆଇଟି ଛାତ୍ରଛାତ୍ରୀଙ୍କୁ ଖାଦ୍ୟ ଚିନ୍ତା’ ସମ୍ପର୍କିତ ଖବର ପ୍ରକାଶ ପାଇବା ପରେ ବିଭାଗୀୟ ଅଧିକାରୀ ବେଶ୍‌ ତତ୍ପର ହୋଇଥିଲେ। ମେସ୍ ପରିଚାଳନା କର୍ତ୍ତୃପକ୍ଷଙ୍କୁ ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ଦାଗିଦ୍‌ କରିଥିଲେ। ବିଡମ୍ବନା, ମାସକ ପରେ ସମସ୍ୟା ଯେମିତିକୁ ସେମିତି। କେବଳ ଖାଦ୍ୟ ନୁହେଁ ଅନେକ ସମସ୍ୟାରେ  ଛାତ୍ରଛାତ୍ରୀମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ ଥରେ ଦୁଇ ଥର ନୁହେଁ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ହେଲେ କାର୍ଯ୍ୟାନୁଷ୍ଠା ଶୂନ୍‌।

ଛାତ୍ରଛାତ୍ରୀମାନେ ତାଙ୍କ ଲିଖିତ ଅଭିଯୋଗରେ ଦର୍ଶାଇଛନ୍ତି, ଏନ୍ଆଇଟିଆରେ  ଏସ୍‌ଡି, ଭିଏସ୍‌, ଏମ୍‌ଏସ୍‌ଏସ୍‌, ଜିଡିଭି, ଏମ୍‌ଭି, ଡିବିଏ ଆଦି ଛାତ୍ରାବାସ ରହିଛି। ପାଖାପାଖି ୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ରହୁଛନ୍ତି। ପ୍ରତ୍ୟେକ ହଷ୍ଟେଲ ସହ ମେସ୍‌କୁ ଯୋଡାଯାଇଛି। କିନ୍ତୁ ଠିକ୍‌ ସମୟରେ ଖାଇବାକୁ ମିଳୁନି। ଅଧିକାଂଶ ହଷ୍ଟେଲରେ ଠିକ୍‌ ସମୟରେ ଖାଦ୍ୟ ପରସା ଯାଉନଥିବାରୁ ଛାତ୍ରଛାତ୍ରୀମାନେ କ୍ଲାସ୍‌ ମିସ୍‌ କରୁଛନ୍ତି। ହଷ୍ଟେଲରେ ଛାତ୍ରଛାତ୍ରୀଙ୍କୁ ଯେଉଁ ଖାଦ୍ୟ ପରସା  ଯାଉଛି, ତା’ ନିମ୍ନମାନର। ବାରମ୍ବାର ଏ ସଂକ୍ରାନ୍ତରେ ଛାତ୍ରଛାତ୍ରୀମାନେ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ଅବଗତ କରାଉଛନ୍ତି। ହଷ୍ଟେଲ କର୍ତ୍ତୃପକ୍ଷକଙ୍କ ପକ୍ଷରୁ କିନ୍ତୁ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଉ ନାହିଁ। ସେମିତି ହଷ୍ଟେଲରେ ସେମ୍‌ କମିଟି କାର୍ଯ୍ୟକାରୀ ହେଉନି। ୱାର୍ଡନ୍‌ଙ୍କ ଇଙ୍ଗିତରେ ମେସ୍‌ଗୁଡ଼ିକ ପରିଚାଳିତ ହେଉଛି। ଅଧିକାଂଶ ହଷ୍ଟେଲରେ ଛାତ୍ରମାନଙ୍କ  ଶୋଇବା ପାଇଁ ବେଡ୍‌ର ବ୍ୟବସ୍ଥା ନାହିଁ।

ବାଧ୍ୟ ହୋଇ କିଛି ଛାତ୍ର ଚଟଣାରେ ଶୋଉଛନ୍ତି। ହଷ୍ଟେଲଗୁଡ଼ିକରେ କିଛି ଏସ୍‌ସି ଓ ଫ୍ୟାନ୍‌ ଖରାପ ଥିବାରୁ ଛାତ୍ରମାନେ ଗରମରେ ସିଝୁଛନ୍ତି। ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରମାନେ ଅସୁବିଧା ଭୋଗ କରୁଥିବାରୁ ସ୍ଥାୟୀ ସମାଧାନ ପାଇଁ ଅନୁରୋଧ କରିଛନ୍ତି। କରୋନାରେ ପାଠପଢ଼ା ଠିକ୍‌ ହୋଇ ନଥିବାରୁ ଶେଷ ସେମିଷ୍ଟାର ପରୀକ୍ଷା କାଣ୍ଟଛାଣ୍ଟ କରିବାର ଆବଶ୍ୟକତା ରହିଛି। ମାତ୍ର କିଛି ଫ୍ୟାକ୍‌ଲଟି ମେମ୍ବର ଏ ସମ୍ପର୍କରେ କୌଣସି ସଠିକ୍‌ ସୂଚନା ଦେଉନାହାନ୍ତି। ଅପରପକ୍ଷେ ସମସ୍ତ ସିଲାବସ୍‌ ପାଇଁ ପ୍ରସ୍ତୁତି ହେବାକୁ ଛାତ୍ରଛାତ୍ରୀଙ୍କୁ ବାଧ୍ୟ କରୁଛନ୍ତି। ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦ୍ବନ୍ଦ ଉପୁଜିଛି। ଏନ୍ଆଇଟି ଭଳି ଜାତୀୟସ୍ତରର ସଂସ୍ଥାରେ ଏଭଳି ସମସ୍ୟାକୁ  ପ୍ରାଥମିକତା ଭିତ୍ତିରେ ସମାଧାନ କରିବାକୁ ଛାତ୍ରଛାତ୍ରୀମାନେ ଅନୁରୋଧ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଅନେକ ବ୍ୟକ୍ତିବିଶେଷ ପ୍ରାୟ ୫ ବର୍ଷରୁ ଅଧିକ ସମୟ ଧରି ମେସ୍‌ ଚଳାଉଥିଲେ ହେଁ, ଟେଣ୍ଡର ନକରି ସେମାନଙ୍କୁ ବାରମ୍ବାର ସୁଯୋଗ ଦିଆଯାଉଛି। ଫଳରେ ସେମାନେ ମନଇଚ୍ଛା ମେସ୍‌ ଚଳାଇ ନିଜ ପକେଟ ଗରମ କରୁଥିବାବେଳେ ଛାତ୍ର ଛାତ୍ରୀ ଭୀଷଣ ହଇରାଣ ହେଉଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ୨୦୦୯ ରୁ ୨୦୧୪ ପର୍ଯ୍ୟନ୍ତ ତତ୍କାଳୀନ ବିନା ଟେଣ୍ଡରରେ ଏନ୍‌ଆଇଟିର ଏହି ମେସ୍‌ଗୁଡ଼ିକ ଚାଲିଥିଲା। କ୍ୟାଟରିଂ ସଂସ୍ଥାର ମାଲିକମାନେ ବିଭାଗୀୟ ଅଧିକାରୀଙ୍କୁ ମୋଟା ଅଙ୍କର ହାତ ଗୁଞ୍ଜା ଦେଇ ମନଇଚ୍ଛା ବର୍ଷ ବର୍ଷ ଧରି କାମ ଚଳାଉଥିଲେ। ଏସବୁ  କାର୍ଯ୍ୟରେ ସ୍ବଚ୍ଛତା ଆଣିବାକୁ  ୨୦୧୫ ପରେ ଆରାମ୍ଭ ହେଲେ ଟେଣ୍ଡର ପ୍ରକ୍ରିୟା। କିନ୍ତୁ ମେସ୍‌ ପରିଚାଳନା ଦାୟିତ୍ବରେ ଥିବା ଏନ୍‌ଆଇଟିର କିଛି କରିତ୍‌କର୍ମା ଲାଭଖୋର୍‌ ଅଧିକାରୀ ନାନା ଚାଲାକି କରି ସ୍ଥିତିକୁ ବଦଳିବାର ସୁଯୋଗ ଦେଉ ନାହାନ୍ତି। ଲୋକ ଦେଖାଣିଆ ଭାବେ ନାଁକୁ ମାତ୍ର ଟେଣ୍ଡର ହେଉଛି, କିନ୍ତୁ ଅଧିକାରୀମାନେ ରାତାରାତି ମନଇଚ୍ଛା ନିଷ୍ପତ୍ତି ନେଉଛନ୍ତି। ବିଭିନ୍ନ ନିୟମର ଆଳରେ ନୂଆ ଆବେଦନକାରୀଙ୍କୁ ଦୂରେଇ ରଖୁଛନ୍ତି। କିନ୍ତୁ ସ୍ଥିତିରେ କିଛି ପରିବର୍ତ୍ତନ ଘଟୁନାହିଁ। ପଢ଼ିବାକୁ ଓ ଉଚ୍ଚତର ଗବେଷଣା କରିବାଲାଗି ଏଠାକୁ ଆସୁଥିବା ଦେଶ ବିଦେଶର ହଜାର ହଜାର ମେଧାବୀ ଛାତ୍ର ଛାତ୍ରୀ ଖାଦ୍ୟ ଭଳି ଏକ ସାଧାରଣ ଓ ମୌଳିକ ଆବଶ୍ୟକତାକୁ ନେଇ ବର୍ଷ ବର୍ଷ ଧରି ଘାଣ୍ଟି ହେଉଛନ୍ତି।

ସମ୍ବନ୍ଧିତ ଖବର