ଆସନ୍ତା ୨୯ ତାରିଖରେ ଦାଦା ସାହେବ ଫାଲ୍‌କେ ପୁରସ୍କାରରେ ସମ୍ମାନିତ ହେବେ ମେଗାଷ୍ଟାର୍‌ ଅମିତାଭ ବଚ୍ଚନ

ମୁମ୍ବାଇ: ନିଜର ଅସୁସ୍ଥତା ହେତୁ ସୋମବାର ୬୬ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବରେ ଅନୁପସ୍ଥିତ ରହିଥିବା ମେଗାଷ୍ଟାର୍‌ ଅମିତାଭ ବଚ୍ଚନଙ୍କୁ ଡିସେମ୍ବର ୨୯ ତାରିଖରେ ଦାଦା ସାହେବ ଫାଲ୍‌କେ ପୁରସ୍କାର ପ୍ରଦାନ କରାଯିବ। ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି,  ‘୨୯ ତାରିଖରେ ସିନେମା ଜଗତର ଏହି ବଡ଼ ସମ୍ମାନରେ ବିଗ୍‌ ବି ସମ୍ମାନିତ କରାଯିବ। ରାଷ୍ଟ୍ରପତି ଭବନରେ ଆୟାଜିତ ଏକ ସ୍ବତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଏହା ପ୍ରଦାନ କରିବେ।  ଏହି ଉତ୍ସବରେ ସମସ୍ତ ପୁରସ୍କାର ବିଜେତାଙ୍କୁ ରାଷ୍ଟ୍ରପତି ନୈଶଭୋଜିରେ ଆପ୍ୟାୟିତ କରିବେ।’

LatestLY

ଉଲ୍ଲେଖଯୋଗ୍ୟ, ୭୭ ବର୍ଷୀୟ ବଚ୍ଚନ ସାହେବ ରବିବାର ଟ୍ବିଟ୍‌ କରିଥିଲେ ଯେ ତାଙ୍କୁ ଜ୍ବର ହୋଇଛି ଓ ଡାକ୍ତର ତାଙ୍କୁ କେଉଁଆଡ଼େ ଯିବା ପାଇଁ ମନା କରିଛନ୍ତି। ସେ ତାଙ୍କ ଟ୍ବିଟ୍‌ର ଆକାଉଣ୍ଟ୍‌ରେ ଲେଖିଥିଲେ, ‘ଜ୍ବରରେ ପଡ଼ିଛି। ଯାତ୍ରା କରିବାକୁ ଅନୁମତି ନାହିଁ। ଦିଲ୍ଳୀରେ ହେଉଥିବା ନେସ୍‌ନାଲ୍‌ ଫିଲ୍ମ ଆୱାର୍ଡ ଉତ୍ସବରେ ଯୋଗ ଦେବାକୁ ଅକ୍ଷମ। ମୋର ଦୁର୍ଭାଗ୍ୟ।’

ସୋମବାର ହୋଇଥିବା ୬୬ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବରେ  ଉପରା‌ଷ୍ଟ୍ରପତି ଭେଙ୍କାୟା ନାଇଡୁ ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି। ପାରମ୍ପରିକ ଭାବେ ଏହି ପୁରସ୍କାର ରା‌ଷ୍ଟ୍ରପତି ପ୍ରଦାନ କରିଥାଆନ୍ତି।

ଦାଦା ସାହେବ ଫାଲ୍‌କେ ପୁରସ୍କାର ହେଉଛି ଭାରତୀୟ ସିନେମା ଜଗତର ସବୁଠାରୁ ବଡ଼ ସମ୍ମାନ। ସମ୍ମାନ ଭାବେ ଏକ ସ୍ବର୍ଣ୍ଣ କମଳ, ଏକ ସାଲ୍‌ ଓ ୧୦ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଏ। ୨୦୧୭ ମସିହାରେ ଏହି ସମ୍ମାନ ବିନୋଦ ଖାନ୍ନାଙ୍କୁ ଦିଆଯାଇଥିଲା।

ସମ୍ବନ୍ଧିତ ଖବର