ଏପ୍ରିଲ ୧୪ରେ ରିଲିଜ୍ ହେବ ହରିହର ମହାପାତ୍ରଙ୍କ ଅଭିନୀତ ଧୋ’ରେ ବାବୁ ଧୋ’

ଭୁବନେଶ୍ବର:  ଆସନ୍ତା ଶୁକ୍ରବାର ରିଲିଜ୍ ହେବ ଲୋକପ୍ରିୟ ଅଭିନେତା ହରିହର ମହାପାତ୍ରଙ୍କ ଫିଲ୍ମ ଧୋ’ରେ ବାବୁ ଧୋ’। ଏହି ଫିଲ୍ମର ଟ୍ରେଲର ସିଦ୍ଧାର୍ଥ ମ୍ୟୁଜିକର ୟୁଟ୍ୟୁବ ଚ୍ୟାନେଲରେ ରିଲିଜ୍ ହୋଇସାରିଥିବା ବେଳେ ଏହାକୁ ଦର୍ଶକଙ୍କ ଭଲପାଇବା ମିଳିଛି। ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିବା ସହ କାହାଣୀ, ଚିତ୍ରନାଟ୍ୟ ଏବଂ ସଂଳାପ ଲେଖିଛନ୍ତି ହରିହର। ତାଙ୍କ ସହ ଅନ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଛନ୍ତି ଅଭିନେତ୍ରୀ ଦିବ୍ୟାଦୀଶା ମହାନ୍ତି, ପିଙ୍କି ପ୍ରଧାନ, ସତ୍ୟକୀ ମିଶ୍ର, ବବି ମିଶ୍ର ଓ ବ୍ରଜ ସିଂହ। ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ହିମାଂଶୁ ପରିଜା ତୁଲାଇଥିବା ବେଳେ ସିଦ୍ଧାର୍ଥ ଟିଭି ଏହାର ପ୍ରଯୋଜନା କରିଛନ୍ତି ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର।

ଫିଲ୍ମର କାହାଣୀକୁ ନେଇ ହରିହରଙ୍କୁ ପ୍ରଶ୍ନ କରାଯାଇଥିବା ବେଳେ ସେ କହିଛନ୍ତି ଯେ, ଫିଲ୍ମଟି ‘ସରୋଗେସି’କୁ ନେଇ ନିର୍ମାଣ କରାଯାଇଛି। କେଉଁ ପରିସ୍ଥିତିରେ ପଡ଼ି ଜଣେ ନାରୀ ନିଜ ଗର୍ଭକୁ ଭଡ଼ାରେ ଦେବାକୁ ବାଧ୍ୟ ହୁଏ, ତାହା ଦର୍ଶକ ଦେଖିବାକୁ ପାଇବେ। ସବୁଠୁ ବଡ଼ କଥା ହେଲା ଏହା କୌଣସି କପି ସିନେମା ନୁହେଁ। ଫିଲ୍ମର କାହାଣୀ ଦର୍ଶକଙ୍କୁ ନୂଆ ଲାଗିବ ନିଶ୍ଚୟ। ସମସ୍ତ ପରିବାର ସଦସ୍ୟଙ୍କ ସହ ବସି ଦେଖିପାରିବା ଭଳି ଫିଲ୍ମ ଆମେ ନିର୍ମାଣ କରିଛୁ। ଆମର ଏହି ଫିଲ୍ମ ସବୁ ବର୍ଗର ଲୋକଙ୍କୁ ପସନ୍ଦ ଆସିବ ବୋଲି ଆଶା। ଯୁବ ବର୍ଗଙ୍କୁ ଆକର୍ଷିତ କରିବାକୁ ଆମେ ‘ସରୋଗେସି’ ଭଳି ବିଷୟବସ୍ତୁ ନେଇଛୁ ଏବଂ ଫିଲ୍ମ ମାଧ୍ୟମରେ ଲୋକେ ‘ସରୋଗେସି’ ବିଷୟରେ ଭଲ ଭାବରେ ଜାଣି ପାରିବେ।

ସମ୍ବନ୍ଧିତ ଖବର