ନିର୍ବାଚନୀ ରାଜନୀତି ଛାଡ଼ିଲେ ବିଜେପିର ବରିଷ୍ଠ ନେତା କେ.ଏସ୍‌. ଈଶ୍ୱରପ୍ପା

ନୂଆଦିଲ୍ଲୀ: ନିର୍ବାଚନୀ ରାଜନୀତି ଛାଡ଼ିଲେ ବିଜେପିର ବରିଷ୍ଠ ନେତା କେ.ଏସ୍‌. ଈଶ୍ୱରପ୍ପା। କର୍ଣ୍ଣାଟକ ବିଧାନସଭା ନିର୍ବାଚନର ସପ୍ତାହେ ପୂର୍ବରୁ ନିର୍ବାଚନୀ ରାଜନୀତି ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି ବରିଷ୍ଠ ବିଜେପି ନେତା ଈଶ୍ୱରପ୍ପା। ଦଳର ସଭାପତି ଜେପି ନଡ୍ଡାଙ୍କୁ ଦେଇଥିବା ସଂକ୍ଷିପ୍ତ ଚିଠିରେ ଈଶ୍ୱରପ୍ପା କହିଛନ୍ତି ଯେ ସେ ଆସନ୍ତା ୧୦ରେ ହେବାକୁ ଥିବା ମତଦାନରେ ଭାଗ ନନେବା ସହ ନିର୍ବାଚନୀ ରାଜନୀତିରୁ ଅବସର ନେଉଛନ୍ତି।

ତାଙ୍କ ବିରୋଧରେ ଆସିଥିବା ବିବୃତି ତଥା ଅଭିଯୋଗ ହେତୁ ଅନେକ ସମୟରେ ବିବାଦର କେନ୍ଦ୍ରରେ ରହିଆସିଥିବା ବରିଷ୍ଠ ବିଜେପି ନେତା କହିଛନ୍ତି ଯେ ସେ ନିଜ ଇଚ୍ଛାରେ ଏହି ନିଷ୍ପତ୍ତି ନେଇଛନ୍ତି ଏବଂ ଏଥିପାଇଁ ତାଙ୍କୁ କେହି ବାଧ୍ୟ କରିନାହାନ୍ତି। ଗତ ବର୍ଷ ବେଲଗବିସ୍ଥିତ ଠିକାଦାର ସନ୍ତୋଷ ପାଟିଲ ଉଦୁପି ହୋଟେଲରେ ଆତ୍ମହତ୍ୟା କରିବା ପରେ ଶିବମୋଗା ବିଧାୟକ ଗ୍ରାମୀଣ ବିକାଶ ଓ ପଞ୍ଚାୟତରାଜ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଈଶ୍ୱରପ୍ପା ୪୦ପ୍ରତିଶତ କମିଶନ ଦେବାକୁ କହୁଥିବାରୁ କଣ୍ଟ୍ରାକ୍ଟର ସନ୍ତୋଷ ପାଟିଲ ଜୀବନ ହାରିଥିବା ତାଙ୍କ ଭାଇ ଅଭିଯୋଗ କରିଥିଲେ। ହେଲେ ପରେ ପୁଲିସ ପକ୍ଷରୁ ଈଶ୍ୱରପ୍ପାଙ୍କୁ କ୍ଲିନଚିଟ ମିଳିଥିଲା।

ଉଲ୍ଲେଖଯୋଗ୍ୟ, କର୍ଣ୍ଣାଟକ ମନ୍ତ୍ରୀ କେ.ଏସ୍‌. ଈଶ୍ବରପ୍ପା ଦୁର୍ନୀତିଗ୍ରସ୍ତ ବୋଲି ଅଭିଯୋଗ କରିଥିଲେ ଠିକାଦାର ସନ୍ତୋଷ ପାଟିଲ୍‌। ଏହା ପରେ ଉଦୁପିର ଗୋଟାଏ ଲଜ୍‌ରୁ ତାଙ୍କର ମୃତଦେହ ମିଳିଥିଲା। ସନ୍ତୋଷଙ୍କ ମୃତ୍ୟୁ ପାଇଁ ଈଶ୍ବରପ୍ପା ଦାୟୀ ବୋଲି ଭାଇ ପ୍ରଶାନ୍ତ ପାଟିଲ କହିଥିଲେ।

ସେ କହିଥିଲେ, ମୋ ଭାଇର ମୃତ୍ୟୁ ପାଇଁ ଈଶ୍ବରପ୍ପା ଦାୟୀ। ସେ ମୋ ଭାଇଙ୍କୁ ଲାଞ୍ଚ ଅର୍ଥାତ୍‌ କମିସନ୍‌ ମାଗୁଥିଲେ। ଏଥିଯୋଗୁଁ ସେ ମାନହାନୀ ମାମଲା ବି ଦାଏର କରିଥିଲେ। କୁହାଯାଇଥିଲା ‌ଯେ, ମୃତ୍ୟୁ ପୂର୍ବରୁ ସନ୍ତୋଷ ପାଟିଲ୍‌ ତାଙ୍କ ବନ୍ଧୁମାନଙ୍କ ନିକଟକୁ ‘ହ୍ବାଟସ୍‌ଆପ୍‌’ ବାର୍ତ୍ତା ପଠାଇଥିଲେ। ସେଥିରେ ସେ ଆତ୍ମହତ୍ୟା କରିବେ ଏବଂ ଏଭଳି ଚରମ ନିଷ୍ପତ୍ତି ନିମନ୍ତେ ଈଶ୍ବରପ୍ପାଙ୍କୁ ଦାୟୀ କରିଥିଲେ।

ସମ୍ବନ୍ଧିତ ଖବର