ଜମିଜମା ବିବାଦରୁ ଗୁଳିକାଣ୍ଡ: ଜମି ଦଲାଲ ସହ ୩ ଅଭିଯୁକ୍ତ ଗିରଫ, ଜଣେ ଫେରାର

ଭଣଜାକୁ ଜୀବନରେ ମାରିଦେବାକୁ ସୁପାରୀ ଦେଇ ନିଜେ ଗୁଳି ଖାଇ ମରିଲେ ମାମୁଁ

ବଡ଼ବିଲ: କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ଦାମୁହଟିଂ ନିକଟ ଗ୍ରୀଡ଼ କାର୍ଯ୍ୟାଳୟ ନିକଟରେ ଗତ ୭ ତାରିଖ ବିଳମ୍ବିତ ରାତିରେ ଜଣେ ଓଏମଡିସି କର୍ମଚାରୀଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ। ଜମି ଦଲାଲ ସହ ୩ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନ‌େ ହେଲେ ସହଦାତ ଖାନ(୨୬), ଏମଡି.ରାଜା ଓରଫ ନିହାଲ ଖାନ(୨୯) ଓ ଶାହରୁଖ ଖାନ(୨୬)। ଅନ୍ୟ ଜଣେ ହତ୍ୟାକାରୀ ଫେରାର ଥିବା ଜଣାଯାଇଛି।

ସୂଚନା ଅନୁସାରେ ଜମିବାଡ଼ି ବିବାଦରୁ ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାଯାଇଛି। ଆଶ୍ଚର୍ଯ୍ୟର କଥାକି, ଭଣଜାକୁ ଜୀବନରେ ମାରିଦେବାକୁ ସୁପାରୀ ଦେଇଥିବା ମାମୁଁ ଦୁଃଶାସନ ବାରିକ ଭଡାଟିଆ ହତ୍ୟାକାରୀଙ୍କ ଗୁଳିମାଡ଼ରେ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଦୁଃଶାସନ ଓ ତାଙ୍କ ଭଉଣୀ(ବିଲେଇପଦା ଅଂଚଳର)ଙ୍କ ମଧ୍ୟରେ ସୁସମ୍ପର୍କ ନଥିବାରୁ ଦୁଃଶାସନ ବାରିକ ଜମି ବିକ୍ରି କରିପାରୁନଥିଲେ। ଦୁଃଶାସନଙ୍କ ସହ ବଡ଼ବିଲ, ବର୍କତନଗର ଅଂଚଳର ଜମିଦଲାଲ ସହଦାତ ଖାନଙ୍କ ନିବିଡ଼ ସମ୍ପର୍କ ଥିଲା ଓ ପୂର୍ବରୁ ଉଭୟ ଅନେକ ଜମି ଦଲାଲିରେ ସଂପୃକ୍ତ ଥିବାର ପ୍ରମାଣ ରହିଛି। ହେଲେ ଦୁଃଶାସନଙ୍କ ଏକ ଜମିକୁ ବିକ୍ରି କରିଦେବି କହି, ସହଦାତ ଖାନ ତାଙ୍କ ସହ ମିଳାମିଶା କରୁଥିଲା। ଦୁଃଶାସନଙ୍କ ଭଉଣୀ ଓ ଭଣଜା କିନ୍ତୁ ଜମି ବିକ୍ରିକୁ ବାରଣ କରୁଥିବାରୁ ଜମି ରେଜେଷ୍ଟ୍ରିରେ ହେଇପାରୁନଥିଲା। ଏଣୁ ଉଭୟ ସହଦାତ ଓ ଦୁଃଶାସନ ଏକ ପ୍ଲାନ କରି ଭଡାଟିଆ ହତ୍ୟାକାରୀଙ୍କ ସହ ଯୋଗାଯୋଗ କରିଥିଲେ, ଦୁଃଶାସନଙ୍କ ଭଣଜାକୁ ଜୀବନରେ ମାରିଦେବାକୁ ଓ ଏଥିପାଇଁ ଦୁଃଶାସନ ୫ ଲକ୍ଷ ଟଙ୍କା ସୁପାରୀ ଦେବାକୁ ରାଜି ହୋଇଥିଲେ ଓ ହତ୍ୟା କରିବାର ତାରିଖ ମଧ୍ୟ ଧାର୍ଯ୍ୟ ହୋଇଥିଲା ଓ ଅଗ୍ରୀମ ୨ ଲକ୍ଷ ଟଙ୍କା ପ୍ରଥମେ ସୁପାରୀ ଦେବାନେଇ କଥା ଫାଇନାଲ ହୋଇଥିଲା।

ଧାର୍ଯ୍ୟ ୭ ତାରିଖ ବିଳମ୍ବିତ ରାତିରେ ଜମି ଦଲାଲ ସହଦାତ ଦୁଃଶାସଙ୍କୁ ଠାକୁରାଣୀ ଅଞ୍ଚଳରୁ ଡାକି ଆଣିଥିଲା। ଦୁଃଶାସନ ଅଗ୍ରୀମ ୪୦ ହଜାର ଟଙ୍କା ଦେଇସାରିଥିବାବେଳେ, ଉକ୍ତ ୭ ତାରିଖ ବଳକା ୧ ଲକ୍ଷ ୬୦ ହଜାର ଟଙ୍କା ଦେବାକୁ ଥିବାବେଳେ, ଦୁଃଶାସନ ଟଙ୍କା ଆଣିନଥିବାରୁ ଉତ୍ୟକ୍ତ ତଥା ନିସାଶକ୍ତ ଭଡାଟିଆ ହତ୍ୟାକାରୀମାନେ ଦୁଃଶାସନଙ୍କ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇ ହତ୍ୟାକାରିଥିଲେ।

ଏହି ଘଟଣାରେ ଆଜି ପୁଲିସ ଜମି ଦଲାଲ ସହ ୩ ଜଣଙ୍କୁ ଗିରଫ କରିଥିବା ଜଣାଯାଇଛି। ଗିରଫ ୩ ଜଣ ହେଲେ ଜମି ଦଲାଲ ସହଦାତ ଖାନ, ବନ୍ଧୁକ ଯୋଗାଉଥିବା ଭଡାଟିଆ ହତ୍ୟାକାରୀ ଏମଡି.ରାଜା ଓରଫ ନିହାଲ ଖାନ ଓ ହତ୍ୟାକାରୀ ସାହାରୁକ ଖାନ। ଶାହରୁଖ ଖାନ ଓ ଏମଡି.ରାଜା ବିହାର ରାଜ୍ୟ, କୋଠି ଥାନା ଅଂଚଳର ହୋଇଥିବାବେଳେ ସମସ୍ତ ଅଭିଯୁକ୍ତ ବର୍ତ୍ତମାନ ବଡ଼ବିଲ ଥାନା ବର୍କତ ନଗର ଅଂଚଳରେ ରାହୁଥିବାବେଳେ ଅନ୍ୟ ଜଣେ ହତ୍ୟାକାରୀ ୱାରିସ୍‌ ଖାନ୍‌ ଫେରାର ଥିବା ଜଣାଯାଇଛି। ଗିରଫ ୩ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ପ୍ରମୋଦିନୀ ସାହୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେବା ସହ ଫେରାର ଅଭିଯୁକ୍ତକୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି କହିଥିଲେ

ସମ୍ବନ୍ଧିତ ଖବର