ଫିଲ୍ମ ‘ନବମାସ’ର ଶୁଭ ମହୁରତ

ଭୁବନେଶ୍ୱର: ପ୍ରଯୋଜନା କ୍ଷେତ୍ରରେ ପ୍ରଥମ କରି ପାଦ ରଖିଥିବା ଯଶସ୍ବୀ ଫିଲ୍ମସ ଏହାର ପ୍ରଥମ ଅବଦାନ ଭାବେ ଫିଲ୍ମ ‘ନବ ମାସ’ର ଟାଇଟଲ ଘୋଷଣା ସହିତ ମହୁରତ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି | ମୌଳିକ କାହାଣୀକୁ ନେଇ ନିର୍ମିତ ଏହି ଦ୍ୱିଭାଷୀ ଚଳଚ୍ଚିତ୍ରର ନାୟକ ଭୂମିକାରେ ଉଦୟନ ଅପରାଜିତ ଅଭିନୟ କରୁଛନ୍ତି | ଉଭୟ ଓଡ଼ିଆ ଏବଂ କନ୍ନଡ଼ ଚଳଚ୍ଚିତ୍ରରେ ଅଭିନୟ କରି ସଫଳତା ହାସଲ କରିବା ସହ ସେ ନିଜକୁ ଜଣେ ଆଗଧାଡିର ଅଭିନେତା ଭାବେ ପ୍ରତିଷ୍ଠିତ କରାଇପାରିଛନ୍ତି | ତାଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି ଜଣାଶୁଣା ଅଭିନେତ୍ରୀ ପ୍ରିୟଙ୍କା ପାଣିଗ୍ରାହୀ |

ଟେଲିଭିଜନ ଦୁନିଆରେ ପରିଚିତ ପ୍ରିୟଙ୍କା ପ୍ରଥମ ଥର ପାଇଁ ବଡ ପରଦାରେ ଏଣ୍ଟ୍ରି ନବାକୁ ଯାଉଛନ୍ତି | ଅନ୍ୟାନ୍ୟ ଚରିତ୍ରରେ ଓଡ଼ିଆ ଓ କନ୍ନଡ଼ ଚଳଚ୍ଚିତ୍ର ଶିଳ୍ପର ଅନେକ ନୂଆ ପୁରୁଣା କଳାକାରଙ୍କୁ ଦେଖିବାକୁ ମିଳିବ | ପୁରୁଖା ଅଭିନେତ୍ରୀ କୁନି ମିଶ୍ର ଏକ ବିଶେଷ ଭୂମିକାରେ ନଜର ଆସିବେ | କନ୍ନଡ଼ ଏବଂ ଓଡ଼ିଆ ଭାଷାରେ ନିର୍ମିତ ହେବାକୁ ଥିବା ଏହି ଦ୍ୱିଭାଷୀ ଚିତ୍ରର ନିର୍ଦ୍ଦେଶନା ଦେଉଛନ୍ତି ଏନଡି. ଉଦୟ | ସଂଳାପ ରଚନା କରିଛନ୍ତି ଏନଡି. ଉଦୟ ଓ ସାଇ କେ. ରାମୁ | ସିନେମାଟୋଗ୍ରାଫିରେ ଶୁଭ ସଂକେତ ମହାପାତ୍ର ଥିବା ବେଳେ ସଙ୍ଗୀତ ଦେଇଛନ୍ତି ଜି. ଜି ହଷ୍ଟିଙ୍ଗସ |

ଉଭୟ ରାଜ୍ୟର ଭାଷା, ସାହିତ୍ୟ ଓ ସଂସ୍କୃତିକୁ ଗୁରୁତ୍ୱ ଦେବା ସହ ଏକ ସମୟୋପଯୋଗୀ ତଥା ମୂଲ୍ୟବୋଧ ଭିତ୍ତିକ ଚଳଚ୍ଚିତ୍ର ଭେଟିଦେବା ଯଶସ୍ବୀ ଫିଲ୍ମସର ଆଭିମୁଖ୍ୟ ରହିଛି | ଅଭିନଵ କାହାଣୀ ସାଙ୍ଗକୁ ନୂତନ ବୈଷୟିକ ଜ୍ଞାନକୌଶଳର ଉପଯୋଗ ବଳରେ ଏହି ଚଳଚ୍ଚିତ୍ର ଟି ଚିରାଚରିତ ଧାରାର ଯେକୌଣସି ଚଳଚ୍ଚିତ୍ରଠୁ ସହଜରେ ବାରି ହୋଇ ପଡିବ | ଓଡ଼ିଶାର ଅନେକ ଅନାଲୋଚିତ ସ୍ଥାନକୁ ଲୋକଲୋଚନକୁ ଆଣିବାରେ ଏହି ଚଳଚ୍ଚିତ୍ରଟି ବିଶେଷ ସହାୟକ ହେବ | ଜାନୁଆରୀ ପହିଲାରୁ ଏହି ଚଳଚ୍ଚିତ୍ରର ସୁଟିଂ ଆରମ୍ଭ ହେବ |

ସମ୍ବନ୍ଧିତ ଖବର