ପ୍ରଥମ ଟେଲିଫିଲ୍ମ ‘ଉଷା’ର ସ୍କ୍ରିନିଂ

୧୯୮୭ରେ ଦୂରଦର୍ଶନରେ ପ୍ରସାରିତ ହୋଇଥିଲା

ଭୁବନେଶ୍ବର: ‘ଫିଲ୍ମ ଜର୍ଣ୍ଣାଲିଷ୍ଟ ଫୋରମ୍‌’ ପକ୍ଷରୁ ଊନବିଂଶ ‘ସ୍ମୃତିଛାୟା’ କ୍ରମରେ ପ୍ରଥମ ଓଡ଼ିଆ ଟେଲିଫିଲ୍ମ ‘ଉଷା’ର ସ୍କ୍ରିନିଂ ଆଜି ଜୟଦେବ ଭବନ ପ୍ରେକ୍ଷାଳୟରେ ହୋଇଯାଇଛି। ୧୯୮୭ ମସିହାରେ ଦୂରଦର୍ଶନରେ ପ୍ରସାରିତ ପ୍ରଥମ ଓଡ଼ିଆ ଟେଲିଫିଲ୍ମ ‘ଉଷା’ ଆଜି ମଧ୍ୟ ଅନେକ ଦର୍ଶକଙ୍କ ସ୍ମୃତିରେ ରହିଛି। ପ୍ରଖ୍ୟାତ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ନିତାଇ ପାଲିତଙ୍କ କାହାଣୀ, ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନାରେ ନିର୍ମିତ ୯୦ ମିନିଟ ଅବଧିର ‘ଉଷା’ ଯୌତୁକ ନିର୍ଯାତନା ଓ ସମାଜ ସଚେତନତାର ବାର୍ତା ବହନ କରେ।

କିଂବଦନ୍ତି ପୁରୁଷ ଅକ୍ଷୟ ମହାନ୍ତି ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେବା ସହ ଅଭିନୟ ମଧ୍ୟ କରିଥିଲେ। ‘ଉଷା’ ପୂର୍ବରୁ କଟକ ଦୂରଦର୍ଶନ ଦ୍ୱାରା ୧୯୮୧ ମସିହାରେ ବ୍ୟାସକବି ଫକୀରମୋହନ ସେନାପତିଙ୍କ ଉପନ୍ୟାସ ‘ମାମୁ’କୁ ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ଦ୍ଦେଶକ ଅନନ୍ତ ମହାପାତ୍ରଙ୍କ ଦ୍ୱାରା ଚିତ୍ରାୟିତ କରାଯାଇଥିଲେ ମଧ୍ୟ ଅବଧି ୧ଘଣ୍ଟା ୪୦ମିନିଟ ଥିବାରୁ ‘ମାମୁ’କୁ ପ୍ରଥମ ଫିଚରେଟ୍ ମାନ୍ୟତା ଦିଆଯାଇଥିଲା। ‘ମାମୁ’ର ସଙ୍ଗୀତ ନିର୍ଦ୍ଦେଶକ ଥିଲେ ବାଳକୃଷ୍ଣ ଦାଶ। ବିଶ୍ୱ ଚଳଚ୍ଚିତ୍ର ବ୍ୟାକରଣରେ ‘ଫିଚରେଟ୍’ ସଂଜ୍ଞା ହେଉଛି ‘ପୂର୍ଣ୍ଣାଙ୍ଗ ଚଳଚ୍ଚିତ୍ରର ଅବଧିରୁ କମ୍ କିନ୍ତୁ କ୍ଷୁଦ୍ର ଚଳଚ୍ଚିତ୍ର ଅବଧିରୁ ଅଧକ’। ଅତଏବ ଏହି ମର୍ମରେ ‘ମାମୁ’କୁ ପ୍ରଥମ ଭାରତୀୟ ଟେଲିଫିଲ୍ମର ମାନ୍ୟତା ଦିଆଯାଇ ନଥିଲା। ସେହି ବର୍ଷ ଶେଷ ଭାଗରେ ଦୂରଦର୍ଶନ ପକ୍ଷରୁ ପ୍ରଖ୍ୟାତ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ସତ୍ୟଜିତ ରାୟଙ୍କ ନିର୍ଦ୍ଦେଶନାରେ ପ୍ରଥମ ଭାରତୀୟ ଟେଲିଫିଲ୍ମ ‘ସଦ୍‌ଗତି’ ନିର୍ମାଣ କରାଯାଇଥିଲା। ‘ସଦ୍‌ଗତି’ ପ୍ରସାରଣର ୫ ବର୍ଷ ପରେ କଟକ ଦୂରଦର୍ଶନ ପକ୍ଷରୁ ନିର୍ମିତ ହୋଇଥିଲା ପ୍ରଥମ ଓଡ଼ିଆ ଟେଲିଫିଲ୍ମ ‘ଉଷା’। ଆଜି ଏହି ଚଳଚ୍ଚିତ୍ର ଓଡ଼ିଆ ସିାନେ ଜଗତର ସ୍ବର୍ଣ୍ଣିମ ଇତିହାସର ଫର୍ଦ୍ଦ ଲେଉଟେଇବା ସହ ଦର୍ଶକଙ୍କ ସ୍ମୃତିକୁ ଉଜ୍ଜୀବିତ କରିଥିଲା।

ଉତ୍ସବ ଆରମ୍ଭରେ ଫୋରମ୍‌ର ଅନୁଷ୍ଠାନ ସଙ୍ଗୀତ ଭାବେ ପରିବେଷିତ ହୋଇଥିଲା ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ‘ସୀତା ବିବାହ’ର ସଙ୍ଗୀତ। ଏହାପରେ ସାହିତ୍ୟ ଓ ଚଳଚ୍ଚିତ୍ରର ସଂଯୋଗ କ୍ରମେ ‘ଉଷା’ ଚଳଚ୍ଚିତ୍ର ବିବରଣୀ ପୁସ୍ତିକା ଉନ୍ମୋଚିତ ହୋଇଥିଲା। ଏଥିସହ ଟେଲିଫିଲ୍ମର ପୁନରୁଦ୍ଧାର ସହ ସଂଯୁକ୍ତ ବ୍ୟକ୍ତିବିଶେଷଙ୍କୁ ସ୍ବତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। ‘ଉଷା’ ଚଳଚ୍ଚିତ୍ରର ନାୟକ ଅମରେଶ, ନାୟିକା ବୀଣା, ଅଭିନେତା ଅମରଜ୍ୟୋତି, ଅନନ୍ତ ଭାରତୀ, ସହକାରୀ ନିର୍ଦ୍ଦେଶକ ଦିଲ୍ଲୀପ ମହାନ୍ତି, ପ୍ରଚ୍ଛଦ ସ୍ବର ଦେଇଥିବା କଳାକାର ମନୋଜ ପଟ୍ଟନାୟକ ଓ ବିନ‌ାୟକ ମିଶ୍ର, କ୍ୟାମେରାମ୍ୟାନ୍‌ ଯୁଗଳ ଦେବତା ଓ ଅଭିନେତା ମହେନ୍ଦ୍ର ମିଶ୍ରଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ଅବସରରେ ଭାଷାବିତ୍‌ ଦେବୀପ୍ରସନ୍ନ ପଟ୍ଟନାୟକ, ଚଳଚ୍ଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର, ନାଟ୍ୟ ନିର୍ଦ୍ଦେଶକ ଅନନ୍ତ ମହାପାତ୍ର ଓ ଅଭିନେତା କୁନା ତ୍ରିପାଠୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଫୋରମ୍‌ର ସଭାପତି ସତ୍ୟ ପାଣିଗ୍ରାହୀ ଓ ସମ୍ପାଦକ ସୂର୍ଯ୍ୟ ଦେଓ ଅନୁଷ୍ଠାନର ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ। ଅକ୍ଷୟ ମହାନ୍ତି ଟ୍ରଷ୍ଟ ପକ୍ଷରୁ ମିତ୍ରଭାନୁ ମହାନ୍ତି ଏଥିରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର