ସମାନ ନାଗରିକ ସଂହିତା ପ୍ରସଙ୍ଗରେ ବିଜେଡି ଏବେସୁଦ୍ଧା ନିରବ

ଦଳ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇନାହିଁ: ପିନାକୀ, ପୂର୍ବରୁ ଲୋକସଭାରେ ଭର୍ତ୍ତୃହରି ପ୍ରସ୍ତାବ ଦେଇଥିଲେ

ନୂଆଦିଲ୍ଲୀ : ଦେଶରେ ଏକକ ନାଗରିକ ସଂହିତା (ୟୁସିସି) କାର୍ଯ୍ୟକାରୀ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିବା ପରେ ଏହା ସପକ୍ଷରେ ବା ବିପକ୍ଷରେ ବିଭିନ୍ନ ରାଜନୈତିକ ଦଳ ମତ ପ୍ରକାଶ କରୁଛନ୍ତି। ତେବେ ଏହି ପ୍ରସଙ୍ଗ‌ରେ ବିଜେଡି ବର୍ତ୍ତମାନ ସୁଦ୍ଧା କୌଣସି ମତାମତ ରଖିନାହିଁ। ଏହା ଉପରେ ବିଜେଡିର ଆଭିମୁଖ୍ୟ କ’ଣ ରହିବ ତାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍‌ଧରିଛି।

୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଏନ୍‌ଡିଏ ସରକାର ଦେଶରେ ୟୁସିସି କାର୍ଯ୍ୟକାରୀ କରିବେ ବୋଲି ଚର୍ଚ୍ଚା ହେଉଛି। କଂଗ୍ରେସ ଓ ଡିଏମ୍‌କେ ୟୁସିସିକୁ ବିରୋଧ କରିଥିବାବେଳେ ଆମ ଆଦମୀ ପାର୍ଟି ଏହାକୁ ସମର୍ଥନ କରିଛି। ‘ସମ୍ବାଦ’ ସହିତ ଆଲୋଚନାବେଳେ ବିଜେଡି ଲୋକସଭା ନେତା ପିନାକୀ ମିଶ୍ର କହିଛନ୍ତି, ଏହି ପ୍ରସଙ୍ଗରେ ବର୍ତ୍ତମାନ ସୁଦ୍ଧା ଦଳ କୌଣସି ନିଷ୍ପତ୍ତି ନେଇନାହିଁ। କେନ୍ଦ୍ର ସରକାରଙ୍କୁ ଆମର ସମର୍ଥନ ସବୁବେଳେ ପ୍ରସଙ୍ଗ ଭିତ୍ତିକ ରହିଆସିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରସଙ୍ଗଗୁଡିକର ‘କେସ୍ ଟୁ କେସ୍’ ତର୍ଜମା କରିବା ପରେ ନିଷ୍ପତ୍ତି ନେଇଥାନ୍ତି। ଏଥିରେ ମଧ୍ୟ ‌‌ଏହି ନୀତି ଆପଣାଇବେ। ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର ବିଜେଡି ସହିତ ଯୋଗାଯୋଗ କରିନାହାନ୍ତି ବୋଲି ସେ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି। ତେବେ ବିଜେଡି ଖୁବ୍‌ ଶୀଘ୍ର ଏହି ପ୍ରସଙ୍ଗରେ ଆଭିମୁଖ୍ୟ ସ୍ପଷ୍ଟ କରିବ ବୋଲି ଶ୍ରୀ ମିଶ୍ର କହିଛନ୍ତି।

ଯଦିଚ ବି‌ଜେଡି ୟୁସିସି ପ୍ରସଙ୍ଗ‌ରେ ଏପର୍ଯ୍ୟନ୍ତ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିନି, ତେବେ ପୂର୍ବରୁ ଦଳର ବରିଷ୍ଠ ସାଂସଦ ଭର୍ତ୍ତୃହରି ମହତାବ ୟୁସିସି ଆଣିବା ପାଇଁ ‌କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଥିଲେ। ଡି‌ସେମ୍ବର ୭, ୨୦୨୧‌ରେ ‌ଲୋକସଭା‌ର ଶୂନ୍ୟକାଳରେ ‌ସେ ଏହି ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷ‌ଣ କରିଥିଲେ। ଶ୍ରୀ ମହତାବ କହିଥିଲେ, ଏହି ପ୍ରସଙ୍ଗରେ କୌଣସି ଧର୍ମୀୟ ସଂହିତା ଲଦିଦେବା ଭଳି ନୁହେଁ, ବରଂ ସମାଜକୁ ଗୋଟିଏ ସୂତ୍ରରେ ବାନ୍ଧିବା ଉଦ୍ଦିଷ୍ଟ ବୋଲି ସେ କହିଥି‌ଲେ। ସେତେବେଳେ ଶ୍ରୀ ମହତାବଙ୍କ ଏହି ଦାବି ଉପ‌ରେ ବିଭିନ୍ନ ମହଲରେ ଚର୍ଚ୍ଚା ହୋଇଥିଲା। ଜାତୀୟ ଓ ରାଜ୍ୟର ସ୍ବାର୍ଥ ଦୃଷ୍ଟି‌ରେ ପୂର୍ବରୁ ବିଜେଡି କେନ୍ଦ୍ର ସରକାରଙ୍କୁ ଅନେକ ଗୁରୁତ୍ବପୂର୍ଣ୍ଣ ବିଲ୍‌ରେ ସମର୍ଥନ କରି ସଙ୍କଟ ମୋଚକ ଭୂମିକା ନିର୍ବାହ କରିଆସିଛି। ଏହା ଉପରେ ଦଳର ଆଭିମୁଖ୍ୟକୁ ଅପେକ୍ଷା କରାଯାଇଛି।

ସମ୍ବନ୍ଧିତ ଖବର