‘ଦ କପିଲ ଶର୍ମା ସୋ’କୁ ଫିଲ୍ମର ପ୍ରଚାର କରିବାକୁ ଯିବେ ନାହିଁ କିଙ୍ଗ ଖାନ୍

ମୁମ୍ବାଇ: ଜାନୁଆରି ୨୫ରେ ବଲିଉଡ ଅଭିନେତା ଶାହରୁଖ ଖାନ, ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ଅଭିନେତା ଜନ୍ ଆବ୍ରହମଙ୍କ ଫିଲ୍ମ ‘ପଠାନ’ ମୁକ୍ତିଲାଭ କରିବାକୁ ଯାଉଛି। ଫିଲ୍ମର ଗୀତ ଏବଂ ଟ୍ରେଲର ରିଲିଜ୍ ହୋଇସାରିଛି। ଉଭୟ ଗୀତ ଓ ଟ୍ରେଲରକୁ ଦର୍ଶକଙ୍କ ଭଲପାଇବା ମିଳିଥିବା ବେଳେ ଏବେ ଏହାର ରିିଲିଜକୁ ଅପେକ୍ଷା କରିଛନ୍ତି ଦର୍ଶକ। ଲୋକପ୍ରିୟତାକୁ ଦେଖି ଏହି ଫିଲ୍ମଟି ବଲିଉଡର ଭାଗ୍ୟ ବଦଳାଇବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି।

ତେବେ ଏମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଅନେକ କଳାକାର ନିଜ ଫିଲ୍ମ ରିଲିଜ୍ ହେବା ପୂର୍ବରୁ ବିଭିନ୍ନ ରିୟାଲିଟି ସୋ’କୁ ଯାଇ ଏହାର ପ୍ରମୋସନ କରନ୍ତି। ଭାରତର ବଡ଼ କମେଡି ସୋ’ ‘ଦ କପିଲ ଶର୍ମା ସୋ’କୁ ଫିଲ୍ମର ପ୍ରଚାର କରିବାକୁ ଯିବା ପାଇଁ ସମସ୍ତେ ତାରିଖ ଖୋଜନ୍ତି। ହେଲେ ଏକ୍ଷେତ୍ରରେ ଶାହରୁଖ ଅଲଗା ବାଟ ବାଛିଥିବା ଜଣାପଡ଼ିଛି। ଶାହରୁଖ ଫିଲ୍ମ ‘ପଠାନ’ର ପ୍ରଚାର କରିବାକୁ ‘ଦ କପିଲ ଶର୍ମା ସୋ’କୁ ଯିବେ ନାହିଁ ବୋଲି ଜଣାପଡ଼ିଛି। ଏନେଇ ସେ ଟ୍ବିଟ କରି ସ୍ପଷ୍ଟ କରିଛନ୍ତି।

ଟ୍ବିଟରରେ #ଆସ୍କଏସଆରକେ ସମୟରେ ଜଣେ ବ୍ୟବହାରକାରୀ ପ୍ରଶ୍ନ କରିଥିଲେ, ଭାଇ ଫିଲ୍ମ ‘ପଠାନ’ର ପ୍ରଚାର କରିବାକୁ ‘ଦ କପିଲ ଶର୍ମା ସୋ’କୁ ଏଥର ଆସିବେ ନାହିଁ କି? ଏହାର ଉତ୍ତରରେ ଶାହରୁଖ କହିଥିଲେ, ଭାଇ ସିଧା ପ୍ରେକ୍ଷାଳୟକୁ ଯିବି। ସେଇଠି ଦେଖା ହେବା।

ଅନ୍ୟପକ୍ଷରେ ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ କହିଛନ୍ତି ଯେ, ଫିଲ୍ମର ପ୍ରଚାର ଆମେ ରିଲିଜ୍ ପରେ କରିବାକୁ ନିଷ୍ପତ୍ତି ନେଇଛୁ। ପୂର୍ବରୁ ଆମେ ପ୍ରଚାର କରିବୁ ନାହିଁ।

ସମ୍ବନ୍ଧିତ ଖବର