ଶାହରୁଖ ଖାଁ କିଏ ? ‘ପଠାନ୍’ ଚଳଚ୍ଚିତ୍ର ସଂପର୍କରେ ପଚରାଯିବାରୁ କହିଲେ ହିମନ୍ତ ବିଶ୍ବଶର୍ମା

ଗୁଆହାଟୀ : ଶାହରୁଖ ଖାନ କିଏ ? ମୁଁ ତାଙ୍କ ବିଷୟରେ କିମ୍ବା ‘ପଠାନ’ ଚଳଚ୍ଚିତ୍ର ବିଷୟରେ କିଛି ଜାଣେ ନାହିଁ । ଶନିବାର ଦିନ ଗୌହାଟୀରେ ସାମ୍ବାଦିକମାନଙ୍କ ଏକ ପ୍ରଶ୍ନର ଏପରି ସଂକ୍ଷିପ୍ତ ଉତ୍ତର ଦେଇଥିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ।

ପଠାନ ଚଳଚ୍ଚିତ୍ରକୁ ନେଇ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତାଙ୍କ ହିଂସାତ୍ମକ ବିରୋଧ ଉପରେ ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କୁ ପ୍ରଶ୍ନ କରିଥିଲେ ।

ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତାମାନେ ଶୁକ୍ରବାର ଦିନ ଗୁଆହାଟୀ ସହରର ଏକ ଥିଏଟରରେ ପଶି “ପଠାନ” ଚଳଚ୍ଚିତ୍ରର ପୋଷ୍ଟର ଚିରି ଦେଇଥିଲେ ଏବଂ ତାହାକୁ ଜାଳି ଦେଇଥିଲେ । ଏହି ଥିଏଟରରେ ‘ପଠାନ’ ପ୍ରଦର୍ଶିତ ହେବ ।

“ଖାନ ମୋତେ କଲ କରିନାହାଁନ୍ତି । କିନ୍ତୁ ଯଦି ଆଇନ ଶୃଙ୍ଖଳା ଉଲ୍ଲଂଘନ ହୋଇଛି ଏବଂ ଏକ ମାମଲା ରୁଜୁ ହୋଇଛି, ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ” ସେ କହିଛନ୍ତି ।

ବଲିଉଡ ମେଗାଷ୍ଟାର ଶାହରୁଖ ଖାନଙ୍କ ଚଳଚ୍ଚିତ୍ର ‘ପଠାନ’ର ‘ବେସରମ ରଙ୍ଗ’ ଗୀତରେ ଦୀପିକା ପାଦୁକୋନଙ୍କୁ ଗେରୁଆ ବିକିନିରେ ଅଭିନୟ କରାଯାଇଛି । ଏଥିପାଇଁ ଶାହରୁଖ ଏବଂ ତାଙ୍କ ଚଳଚ୍ଚିତ୍ର ତୀବ୍ର ସମାଲୋଚନାର ସମ୍ମୁଖୀନ ହେଉଛନ୍ତି । ବିଶ୍ୱ ହିନ୍ଦୁ ପରିଷଦ ସମେତ ଅନ୍ୟ ସଂଗଠନର ଅନେକ ନେତା ଏହି ଚଳଚ୍ଚିତ୍ର ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି । ଶାହରୁଖ ଅଭିନୀତ ଏହି ଚଳଚ୍ଚିତ୍ର ଆସନ୍ତା  ୨୫ ତାରିଖରେ ରିଲିଜ ହେବ ।

ସମ୍ବନ୍ଧିତ ଖବର