ସାଇବର୍ ଲୁଟେରାଙ୍କ ଶିକାର ହେଲେ ବ୍ୟବସାୟୀ: ୬୬ ହଜାର ହରାଇଲେ

ରାୟଗଡ଼ା: ସାଇବର ଲୁଟେରାଙ୍କ ଶିକାର ହୋଇଛନ୍ତି ରାୟଗଡ଼ାର ବ୍ୟବସାୟୀ ମାନସ ରଞ୍ଜନ ନାୟକ। ଆର୍ମି ଅଫିସର ପରିଚୟ ଦେଇ ଲୁଟେରା ମାନସଙ୍କ ଆକାଉଣ୍ଟରୁ ୬୬ ହଜାର ୫୮୩ ଟଙ୍କା ଗାଏବ କରି ନେଇଛନ୍ତି। ମାନସ ଅପରାହଣରେ ରାୟଗଡ଼ା ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ସାଇବର୍ ଲୁଟେରାଙ୍କ ଆକାଉଣ୍ଟକୁ ଅଚଳ କରିବା ପାଇଁ ପ୍ରୟାସ ଆରମ୍ଭ କରିଛି।

ପୂର୍ବାହଣରେ ମାନସଙ୍କୁ ଆର୍ମି ଅଫିସର ପରିଚୟ ଦେଇ ଫୋନ୍ କରିଥିଲେ ସାଇବର ଲୁଟେରା। ରାମକୃଷ୍ଣ ନଗରରେ ଥିବା ଏନସିସି ଅଫିସକୁ ୩ଟି ରସ ଡେକଚି, ୬ଟି ଡ୍ରମ୍ ପଠାଇବାକୁ କହିଥିଲେ। ସାମଗ୍ରୀ ଅଫିସରେ ପହଞ୍ଚିବା ପରେ ଅନଲାଇନରେ ପେମେଣ୍ଟ୍ କରିବାକୁ ଲୁଟେରା କହିଥିଲେ। ଫୋନ୍ କଲ୍ ପରେ ସମସ୍ତ ସାମଗ୍ରୀ ଏକ ଅଟୋରେ ଲୋଡ୍ କରି ମାନସଙ୍କ ଦୋକାନ ପିଲା ଏନସିସି ଅଫିସ୍ ପାଖକୁ ଯାଇଥିଲେ। ମାନସ ଫୋନ୍ କଲ୍ ଆସିଥିବା ନଂରେ ଯୋଗାଯୋଗ କରିବା ପରେ ସାମଗ୍ରୀ ଓହ୍ଲାଇବା ପୂର୍ବରୁ ୧ ଟଙ୍କା ଫୋନ୍ ପେ ନଂରେ ପଠାଇବାକୁ କହିଥିଲେ ଲୁଟେରା। ଲୁଟେରାଙ୍କ ଫୋନ୍ ପେ’ ରେ ମାନସ ୧ ଟଙ୍କା ପଠାଇବା ପରେ ଲୁଟେରା ୨ ଟଙ୍କା ମାନସଙ୍କ ନିକଟକୁ ପଠାଇଥିଲେ।

ଏହା ପରେ ୧୧୦୨୮ ଟଙ୍କା ପଠାଇବାକୁ କହିଥିଲେ ଲୁଟେରା। ସାମଗ୍ରୀ ଟଙ୍କା ସହ ଏହି ଟଙ୍କା ଅନଲାଇନ୍ ମାଧ୍ୟମରେ ଖୁବ୍ ଶୀଘ୍ର ଏନସିସି ହେଡ୍ ଅଫିସରୁ ଆକାଉଣ୍ଟକୁ ଆସିଯିବ ବୋଲି କହିଥିଲେ। ଲୁଟେରାଙ୍କ କଥାରେ ବଶୀଭୂତ ହୋଇ ମାନସ ୧୧୦୨୮ ଟଙ୍କା ପଠାଇବା ପରେ ପୁଣି ୧୧,୧୧୧ ଟଙ୍କା ପଠାଇବାକୁ କହିଥିଲେ। ମାନସ ପୁଣି ଟଙ୍କା ପଠାଇବା ସହ ଅନଲାଇନରେ କୌଣସି ଟଙ୍କା ତାଙ୍କ ଆକାଉଣ୍ଟକୁ ଆସିଥିବା ସଂପୃକ୍ତ ଲୁଟେରାଙ୍କୁ କହିଥିଲେ। କିନ୍ତୁ ଲୁଟେରା ଚତୁରତାର ସହ କୋଡ୍ ୱାର୍ଡ ହିସାବରେ ପୁଣି ଫୋନ୍ ପେ’ରେ ୨୨,୨୨୨ ଟଙ୍କା ପଠାଇବାକୁ କହିଥିଲେ। ମାନସ ଟଙ୍କା ପଠାଇବାକୁ ମନା କରିବା ପରେ ସାଇବର ଲୁଟେରା ଏହି ଟଙ୍କା ଆକାଉଣ୍ଟରୁ କଟିବ ନାହିଁ ବୋଲି ମାନସଙ୍କୁ ବୁଝାଇଥିଲେ। ମାନସ ଲୁଟେରାଙ୍କ ଚତୁରତାକୁ ବୁଝି ନ ପାରି ପୁଣି ୨୨ ହଜାର ୨୨୨ ଲେଖାଁଏ ଦୁଇ ଥର ଟଙ୍କା ପଠାଇଥିଲେ। ଏହା ପରେ ଅନଲାଇନ୍ ମାଧ୍ୟମରେ ମାନସ ଟଙ୍କା ମାଗିବା ପରେ ଲୁଟେରାମାନେ ମାନସଙ୍କୁ ବ୍ଲାକ୍ ମେଲିଂ କରିବା ଆରମ୍ଭ କରିଥିଲେ।

ସାଇବର ଲୁଟେରାଙ୍କ ଶିକାର ହୋଇଥିବା ଜାଣିବା ପରେ ସଙ୍ଗେ ସଙ୍ଗେ ଏ ସଂପର୍କରେ ରାୟଗଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଥାନା ଅଧିକାରୀ ରଶ୍ମି ରଞ୍ଜନ ପ୍ରଧାନ ଅଭିଯୋଗକୁ ଗ୍ରହଣ କରି ତଦନ୍ତ ଆରମ୍ଭ କରିଛନ୍ତି। ମାନସଙ୍କ ଆକାଉଣ୍ଟରୁ ଗାଏବ ହୋଇଥିବା ଟଙ୍କା ଲୁଟେରାଙ୍କ ଆକାଉଣ୍ଟ‌ରେ ଥିଲେ ଉକ୍ତ ଆକାଉଣ୍ଟକୁ ଅଚଳ କରି ଟଙ୍କା ଫେରାଇ ଆଣିବାକୁ ପ୍ରଚେଷ୍ଟା କରିବେ ବୋଲି କହିଛନ୍ତି ଥାନା ଅଧିକାରୀ ରଶ୍ମି ରଞ୍ଜନ ପ୍ରଧାନ।

ସମ୍ବନ୍ଧିତ ଖବର