ତାମିଲନାଡୁରେ ପ୍ରଦର୍ଶିତ ହେବ ନାହିଁ ‘ଦି କେରଳ ଷ୍ଟୋରୀ’, ବିବାଦ ବଢ଼ିବାରୁ ନିଆଗଲା ନିଷ୍ପତ୍ତି

ଚେନ୍ନାଇ: ଗତ ଶୁକ୍ରବାର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ବଲିଉଡ ଫିଲ୍ମ ‘ଦି କେରଳ ଷ୍ଟୋରୀ’କୁ ନେଇ ଅନେକ ସ୍ଥାନରେ ବିବାଦ ଦେଖା ଦେଇଛି। ସୁପ୍ରିମକୋର୍ଟଙ୍କ ପରେ ଗୁରୁବାର ଏହି ଫିଲ୍ମର ରିଲିଜ ଉପରେ ରୋକ୍‌ ଲଗାଇବାକୁ ମନା କରିଥିଲେ ମାଡ୍ରାସ ହାଇକୋର୍ଟ। ଏହା ପରେ ଫିଲ୍ମଟି ଶୁକ୍ରବାର ରିଲିଜ୍ ହୋଇଥିଲା। ରିଲିଜ୍ ପ‌ରେ ଫିଲ୍ମଟି ଭଲ ବ୍ୟବସାୟ କରିଥିଲେ ବି ତାମିଲନାଡୁରେ ଏହାର ପ୍ରଦର୍ଶନ ଉପରେ ରୋକ୍ ଲଗାଯାଇଛି।

ଫିଲ୍ମଟି ପ୍ରାୟ ୨୦କୋଟି ଆୟ କରିସାରିଥିବା ବେଳେ ତାମିଲନାଡୁର ମଲ୍ଟିପ୍ଲେକ୍ସ ଆସୋସିଏସନ୍ ପ୍ରେକ୍ଷାଳୟରେ ଫିଲ୍ମ ଦେଖାଇବାକୁ ମନା କରିଦେଇଛନ୍ତି। ସୂଚନା ଅନୁଯାୟୀ, ତାମିଲନାଡୁ ମଲ୍ଟିପ୍ଲେକ୍ସ ଆସୋସିଏସନ ରବିବାରଠାରୁ ସାରା ରାଜ୍ୟରେ ‘ଦି କେରଳ ଷ୍ଟୋରୀ’ର ସ୍କ୍ରିନିଂ ବନ୍ଦ କରାଯିବ ବୋଲି ଘୋଷଣା କରିଛି। ଏହାର ନିଷ୍ପତ୍ତି ପଛର କାରଣ ଦର୍ଶାଇ କରି ଆସୋସିଏସନ କହିଛି ଯେ ଏହି ଚଳଚ୍ଚିତ୍ର ‘ଆଇନ ଶୃଙ୍ଖଳା ପ୍ରତି ବିପଦ’ ଆଣିପାରେ। ଏହା ସହିତ ସାଧାରଣ ଜନତାଙ୍କ ଦ୍ୱାରା ଚଳଚ୍ଚିତ୍ରକୁ ଭଲ ପ୍ରତିକ୍ରିୟା ମିଳିନଥିବାରୁ ଏହି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି।

ତାମିଲନାଡୁର ଅନେକ ରାଜନୈତିକ ସଂଗଠନ ମଧ୍ୟ ଧମକ ଦେଇଛନ୍ତି ଯେ ଯଦି ଫିଲ୍ମଟି କୌଣସି ସିନେମା ହଲରେ ପ୍ରଦର୍ଶିତ ହୁଏ ତେବେ ଏହାକୁ ବନ୍ଦ ହୋଇଯିବ। ଶନିବାର ଦିନ ଚେନ୍ନାଇରେ ‘ଦି କେରଳ ଷ୍ଟୋରୀ’ର ମୁକ୍ତିଲାଭକୁ ତାମିଲନାଡୁର ନାମ ତାମିଲାର କାଚି (ଏନଟିକେ) ପାର୍ଟି ମଧ୍ୟ ବିରୋଧ କରିଥିଲା। ବାରମ୍ବାର ଏଭଳି ବିରୋଧ ପ୍ରଦର୍ଶନ ହେଉଥିବା ଦେଖି ତାମିଲନାଡୁର ମଲ୍ଟିପ୍ଲେକ୍ସ ଆସୋସିଏସନ୍ ଫିଲ୍ମର ପ୍ରଦର୍ଶନକୁ ରୋକିଥିବା କହିଛି।

ସମ୍ବନ୍ଧିତ ଖବର