ହରିୟାଣାରେ ମାଗଣାରେ ‘ଦ କଶ୍ମୀର ଫାଇଲ୍ସ’ ଦେଖାଉଛନ୍ତି ବିଜେପି ନେତା, ଏଭଳି ପ୍ରତିକ୍ରିୟା ରଖିଲେ ବିବେକ ଅଗ୍ନିହୋତ୍ରୀ

ମୁମ୍ବାଇ: ‘ଦ କଶ୍ମୀର ଫାଇଲ୍ସ’ ବକ୍ସ ଅଫିସରେ କ୍ରମାଗତ ଭାବେ ଅଭୂତପୂର୍ବ ବ୍ୟବସାୟ କରି ଚାଲିଛି। ପ୍ରତ୍ୟେକ ଦିନ ଏହି ଚଳଚ୍ଚିତ୍ର ପୁରୁଣା ରେକର୍ଡକୁ ଭାଙ୍ଗି ନୂଆ ରେକର୍ଡ ସୃଷ୍ଟି କରୁଛି। କଶ୍ମୀର ପଣ୍ଡିତଙ୍କ ଦୁଃଖ ଉପରେ ଆଧାରିତ ଏହି ସିନେମାକୁ ଦେଖି ଦର୍ଶକ ଭାବ ବିହ୍ବଳ ହୋଇପଡ଼ୁଛନ୍ତି। ରିଲିଜର ୯ମ ଦିନରେ ପହଞ୍ଚିଥିବା ଏହି ସିନେମା ବକ୍ସ ଅଫିସରେ ୨୪.୮୦କୋଟି ଟଙ୍କାର ଆୟ କରିଥିବା ଜଣାପଡ଼ିଛି। ତେବେ କିଛି ସ୍ଥାନରେ ବିଜେପିର ସ୍ଥାନୀୟ ନେତା ଲୋକଙ୍କୁ ମାଗଣାରେ ଫିଲ୍ମ ଦେଖାଉଥିବା ନେଇ ଆପତ୍ତି ଉଠାଇଛନ୍ତି ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ।

ହରିୟାଣାର ରେଓ୍ବାରୀରେ ବିଜେପି ନେତା ପଡ଼ିଆରେ ଏଲଇଡି ସ୍କ୍ରିନ ଲଗାଇ ମାଗଣାରେ ଲୋକଙ୍କୁ ‘ଦ କଶ୍ମୀର ଫାଇଲ୍ସ ଦେଖାଉଥିବା ଜାଣି ଦୁଃଖୀ ହେବା ସହ ଏଭଳି ନ କରିବାକୁ କହିଛନ୍ତି ବିବେକ। ଟ୍ବିଟ କରି ସେ କହିଛନ୍ତି ଯେ, ଏଭଳି ମାଗଣାରେ ‘ଦ କଶ୍ମୀର ଫାଇଲ୍ସ’ ଦେଖାଇବା ଏକ ଅପରାଧ ଅଟେ। ପ୍ରିୟ ମନୋହର ଲାଲ୍ ଖଟ୍ଟରଜୀ, ମୁଁ ଏହାକୁ ବନ୍ଦ କରିବାକୁ ଆପଣଙ୍କୁ ଅନୁରୋଧ କରୁଛି। ରାଜନୈତିକ ନେତାମାନେ ସୃଜନଶୀଳ ବ୍ୟବସାୟକୁ ସମ୍ମାନ ଦେବା ଆବଶ୍ୟକ। ଶାନ୍ତିପୂର୍ଣ୍ଣ ଭାବରେ ଟିକେଟ୍ କିଣି ଫିଲ୍ମ ଦେଖିବା ହେଉଛି ପ୍ରକୃତ ଜାତୀୟତା ଏବଂ ସାମାଜିକ ସେବା।

ତେବେ ଗତ ଶନିବାର ବି‌ବେକ ଅଗ୍ନିହୋତ୍ରୀଙ୍କ ସିନେମା ୨୪.୫୦କୋଟିର ଆୟ କରିଥିବା ବେଳେ ହୋଲିରେ ଏହା ୧୯.୧୫କୋଟି ଟଙ୍କାରେ ପହଞ୍ଚିଯାଇଥିଲା। ଏଯାବତ ଏହି ସିନେମା ୧୪୦.୯୫କୋଟିର ଆୟ କରିଛି। ସିନେମା ପ୍ରତି ଥିବା ଲୋକଙ୍କ କ୍ରେଜକୁ ଦେଖି ଏହା ଆଗାମୀ ଛୁଟିଦିନରେ ଆହୁରି ଅଧିକ ଆୟ କରିବ ବୋଲି କୁହାଯାଉଛି।

ଅନ୍ୟପକ୍ଷରେ ବି‌ବେକ ଅଗ୍ନିହୋତ୍ରୀଙ୍କ ଓଟିଟିରେ ‘ଦ କଶ୍ମୀର ଫାଇଲ୍ସ’ ଉପରେ ସିରିଜ ତିଆରି କରିବାକୁ ଯୋଜନା କରୁଛନ୍ତି। ଏମିତି ହେଲେ ‘ଦ କଶ୍ମୀର ଫାଇଲ୍ସ’ ଓଟିଟିରେ ଏକ ନୂଆ ଇତିହାସ ରଚିବ ବୋଲି ଆଶା ରଖାଯାଇଛି।

ସମ୍ବନ୍ଧିତ ଖବର