ଅଗଷ୍ଟ ୧୦ ପୂର୍ବରୁ ରୁଷିଆ ଛାଡ଼ିବ ବିଶ୍ବର ପ୍ରଥମ କୋଭିଡ୍‌ ଟିକା

Russia will release the world's first vaccine before August 10

ମସ୍କୋ: ବିଶ୍ବରେ ଅଦ୍ୟାବଧି କୋଟିଏ ୭୦ ଲକ୍ଷ ଲୋକଙ୍କୁ ଆକ୍ରାନ୍ତ କରିବା ସହ ୬ ଲକ୍ଷ ୬୫ ହଜାରରୁ ଅଧିକ ମୃତ୍ୟୁର କାରଣ ସାଜିଥିବା ମହାମାରୀ କୋଭିଡ୍‌-୧୯ର ମୁକାବିଲା ପାଇଁ ରୁଷିଆ ଆଗାମୀ ଦୁଇ ସପ୍ତାହ ଭିତରେ ବିଶ୍ବର ପ୍ରଥମ ରାଷ୍ଟ୍ର ଭାବେ ଏକ ଟିକାର ସାର୍ବଜନୀନ ବ୍ୟବହାର କରାଇବ ବୋଲି ଜଣାଯାଇଛି। ଦେଶର ସରକାରୀ ପ୍ରତିଷ୍ଠାନ ଗମାଲେଇ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଏପିଡର୍ମିଓଲୋଜି ଆଣ୍ଡ୍‌ ମାଇକ୍ରୋବାୟୋଲୋଜି ଦ୍ବାରା ପ୍ରସ୍ତୁତ ଉକ୍ତ ଟିକାର ଲୋକାର୍ପଣ ଆସନ୍ତା ଅଗଷ୍ଟ ୧୦ କିମ୍ବା ତାହା ପୂର୍ବରୁ କରାଯିବ ବୋଲି ସୂଚନା ମିଳିଛି। ତେବେ ପ୍ରଥମେ ଏହାକୁ ସମ୍ମୁଖଭାଗ ସ୍ବାସ୍ଥ୍ୟକର୍ମୀମାନେ ବ୍ୟବହାର କରିବା ଲାଗି ଯୋଜନା ହୋଇଥିବା ଜଣେ ଅଧିକାରୀ କହିଛନ୍ତି।

ଅପରପକ୍ଷେ, କୌଣସି ଟିକାର ସାର୍ବଜନୀନ ବ୍ୟବହାର ପୂର୍ବରୁ ତାହାର ନିରାପତ୍ତା ଓ ଫଳପ୍ରଦତା ସ୍ପଷ୍ଟ କରିବା ଲାଗି ତିନି ପର୍ଯ୍ୟାୟ ମାନବୀୟ ନୈଦାନିକ ପରୀକ୍ଷଣ ନିହାତି ଜରୁରୀ ହୋଇଥିବା ବେଳେ ଗମାଲେଇ ପ୍ରତିଷ୍ଠାନ ତାହା କରିନଥିବା ଅଭିଯୋଗ ଉଠିଛି। ଫଳରେ ଟିକାର ସମ୍ଭାବ୍ୟ ସଫଳତାରେ ପ୍ରଶ୍ନବାଚୀ ଲାଗିଛି। ଅପରପକ୍ଷେ, କୋଭିଡ୍‌ ଟିକା ବିକାଶରେ ବିଶ୍ବରେ ଅଗ୍ରଣୀ ଥିବା ଆମେରିକାର ମଡର୍ଣ୍ଣା ଓ ଫାଇଜର କମ୍ପାନି ସେମାନଙ୍କ ଦ୍ବାରା ପୃଥକ୍ ଭାବେ ପ୍ରସ୍ତୁତ ଟିକାର ଦ୍ବିତୀୟ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ସାରି ତୃତୀୟ ପର୍ଯ୍ୟାୟ ଜାରି ରଖିଥିବା ବେଳେ ଗମାଲେଇ ପ୍ରତିଷ୍ଠାନ ଏହାର ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷଣ ସାରିନଥିବା ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର