ୱାସିଂଟନ୍: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜର୍ଜ ଏଚ୍ଡବ୍ଲ୍ୟୁ ବୁଶ୍ ଉପସାଗରୀୟ (ଗଲ୍ଫ) ଯୁଦ୍ଧ ପାଇଁ ବେଶ୍ ସୁନାମ ଅର୍ଜନ କରିଛନ୍ତି। ଉପସାଗରୀୟ କ୍ଷେତ୍ରରେ ତେଲକୁ ନେଇ ଇରାକ୍ ଓ କୁଏତ୍ ମଧ୍ୟରେ ବିବାଦ ଉପୁଜିଥିଲା। ଏହା କ୍ରମେ ଉଗ୍ର ରୂପ ନେଇଥିଲା। ବିବାଦୀୟ କ୍ଷେତ୍ରରୁ କୁଏତ୍ ୨୪୦ କୋଟି ଡଲାର ମୂଲ୍ୟର ଅଶୋଧିତ ତେଲ ଚୋରାଇ ନେଇଥିବା ସଦ୍ଦାମ୍ ହୁସେନ୍ ଅଭିଯୋଗ କରିବା ସହିତ ୧୫୦୦ କୋଟି ଡଲାରର ଋଣ ପରିଶୋଧ ଲାଗି ଚାପ ପ୍ରୟୋଗ କରିଥିଲେ। ଏହାକୁ ନେଇ ଦୁଇଦେଶ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ଖରାପ ହୋଇପଡ଼ିଥିଲା। ଶେଷରେ ୧୯୯୦ ଅଗଷ୍ଟ ୨ ତାରିଖରେ ଇରାକ୍ ହଠାତ୍ କୁଏତ୍ ଉପରେ ଆକ୍ରମଣ କରିଥିଲା। କିନ୍ତୁ ଦୁଇଦେଶ ମଧ୍ୟରେ ଦେଖାଦେଇଥିବା ହିଂସା ଓ ଯୁଦ୍ଧ ଯୋଗୁ ବିଶ୍ବର ଅନ୍ୟ ରାଷ୍ଟ୍ର ପ୍ରଭାବିତ ହେବେ ଏବଂ ଏହା ଅଚଳାବସ୍ଥା ସୃଷ୍ଟି କରିବ ବୋଲି ଭାବି ସିନିୟର୍ ବୁଶ୍ ଆମେରିକୀୟ ସେନା ପଠାଇଥିଲେ। ଏମିତି କି ସଦ୍ଦାମ୍ ହୁସେନ୍ଙ୍କୁ ସେ ହିଟ୍ଲର୍ ବୋଲି କହିଥିଲେ। ଆମେରିକା ଅନେକ ଥର ତାଗିଦ୍ କରିବା ପରେ ସଦ୍ଦାମ୍ ହୁସେନ୍ କିଛି ଶୁଣିନଥିଲେ। ବାଧ୍ୟ ହୋଇ ୧୯୯୧ ଫେବ୍ରୁଆରି ୨୪ରେ ଇରାକ୍ ବିରୋଧରେ ଆମେରିକା ଯୁଦ୍ଧ ଘୋଷଣା କରିଥିଲା। କିନ୍ତୁ ଏହି ଯୁଦ୍ଧ ଜିତିବା ପାଇଁ ଆମେରିକାକୁ ବେଶି ସମୟ ଲାଗିନଥିଲା। ମାତ୍ର ୧୦୦ ଘଣ୍ଟା ମଧ୍ୟରେ ଇରାକ୍ ବିରୋଧରେ ଆମେରିକା ଯୁଦ୍ଧ ଜିତିନେଇଥିଲା। ଏହି ଯୁଦ୍ଧରେ ଆମେରିକାର ୧୪୮ ଏବଂ ଇରାକ୍ର ୨୦,୦୦୦ରୁ ଅଧିକ ସୈନିକ ପ୍ରାଣ ହରାଇଥିଲେ। ଯୁଦ୍ଧ ପରେ ଇରାକ୍ ଶାନ୍ତ ପଡ଼ିଥିଲା ଏବଂ ଉକ୍ତ ବିବାଦୀୟ ତୈଳ କ୍ଷେତ୍ରରେ ଦେଖାଦେଇଥିବା ଅନ୍ତର୍ଜାତୀୟ ବିବାଦର ପରିସମାପ୍ତି ଘଟିଥିଲା। ୧୦୦ ଘଣ୍ଟାର ଏହି ଯୁଦ୍ଧ ପରେ ଅନେକ ରାଷ୍ଟ୍ର ଆକଳନ କରିଥିଲେ ଯେ ଇରାକ୍ ଉପରେ ଆମେରିକା ପ୍ରଭୁତ୍ବ ଜାହିର କରିବ ଏବଂ ସଦ୍ଦାମ୍ଙ୍କୁ ବନ୍ଦୀ ବନାଇବ। କିନ୍ତୁ ସିନିୟର୍ ବୁଶ୍ ଏଭଳି ଆକଳନକୁ ଭୁଲ ପ୍ରମାଣିତ କରିଥିଲେ। ତୈଳ କ୍ଷେତ୍ରରେ ଲାଗିରହିଥିବା ବିବାଦର ଅନ୍ତ ଘଟାଇବା ପାଇଁ ସେ ଏଭଳି ପଦକ୍ଷେପ ନେଇଥିଲେ। କିନ୍ତୁ ଇରାକ୍ ଉପରେ ପ୍ରାଧାନ୍ୟ ବିସ୍ତାର ତାଙ୍କର ଉଦ୍ଦେଶ୍ୟ ନଥିଲା ବୋଲି ବୁଶ୍ ସ୍ପଷ୍ଟ କରିଥିଲେ। ଏମିତି କି ଏକଚ୍ଛତ୍ରବାଦୀ ଶାସକଙ୍କ ବିରୋଧରେ ସ୍ବର ଉଠାଇବା ପାଇଁ ସେ ଇରାକ୍ର ନାଗରିକମାନଙ୍କୁ ଆହ୍ବାନ ଦେଇଥିଲେ। ଏହାର ସୁଯୋଗ ନେଇ ସଦ୍ଦାମ୍ ପୁଣି ନିଜ ଏକଚ୍ଛତ୍ରବାଦ ନୀତି ଚଳାଇଥିଲେ। ଏହାପରେ ଇରାନ୍ ସହିତ ଇରାକ୍ର ବିବାଦ ଉପୁଜିଥିଲା। ଅନ୍ୟପକ୍ଷରେ ୧୯୯୧ ଉପସାଗରୀୟ ଯୁଦ୍ଧ ପାଇଁ କୁଏତ୍ ପକ୍ଷରୁ ବୁଶ୍ଙ୍କୁ ଅନେକ ପ୍ରଶଂସା କରାଯାଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ନୌସେନା ପାଇଲଟ୍ ଥିଲେ ବୁଶ୍
ୱାସିଂଟନ୍: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜର୍ଜ ଡବ୍ଲ୍ୟୁଏଚ୍ ବୁଶ୍ ୧୯୨୪ ଜୁନ୍ ୧୨ ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ଧନୀକ ପରିବାରରେ ଜନ୍ମ ଗ୍ରହଣ କରିବା ସତ୍ତ୍ବେ ସେ ଅନେକ ଆହ୍ବାନମୂଳକ କାର୍ଯ୍ୟ ପାଇଁ ମନ ବଳାଇଥିଲେ। ମାତ୍ର ୧୮ ବର୍ଷ ବୟସରେ ନୌସେନା ପାଇଲଟ୍ ହୋଇପାରିଥିଲେ। ଆମେରିକାର ସବୁଠୁ କମ୍ ବୟସରେ ନୌସେନା ପାଇଲଟ୍ ହୋଇ ସେ ବିରଳ କୀର୍ତ୍ତିମାନ ସ୍ଥାପନ କରିଥିଲେ। ସବୁଠୁ ମୁଖ୍ୟ ବିଷୟ ହେଉଛି ଦ୍ବିତୀୟ ବିଶ୍ବଯୁଦ୍ଧ ବେଳେ ଜାପାନ ବିରୋଧରେ ଆମେରିକା କରିଥିବା ଯୁଦ୍ଧରେ ସେ ସାମିଲ ହୋଇଥିଲେ। ପର୍ଲ ହାର୍ବର ଯୁଦ୍ଧରେ ସେ ସାମିଲ ଥିଲେ। ୧୯୪୪ରେ ଏକ ମିଶନ୍ ଅବସରରେ ତାଙ୍କୁ ପ୍ରଶାନ୍ତ ମହାସାଗରରେ ଗୁଳି ଲାଗିଥିଲା। ୧୮୩୬ ପରେ ଦେଶର ପ୍ରଥମ ଉପରାଷ୍ଟ୍ରପତି ଭାବେ ଆମେରିକା ରାଷ୍ଟ୍ରପତି ଭାବେ ସେ ନିର୍ବାଚିତ ହୋଇଥିଲେ।