ପାକିସ୍ତାନ ସଂସଦରେ ଆଗତ ହୋଇପାରିଲାନି ଅନାସ୍ଥା ପ୍ରସ୍ତାବ, ଗୃହ ସୋମବାର ପର୍ଯ୍ୟନ୍ତ ମୁଲତବୀ

ଇସଲାମାବାଦ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ପାଇଁ ଆୟୋଜିତ ପାକିସ୍ତାନ ନ୍ୟାସନାଲ ଆସେମ୍ବଲିର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହୋଇଛି । କିନ୍ତୁ ଆଜି ଏହି ଅଧିବେଶନ ଆରମ୍ଭ ହୋଇଥିଲେ ବି ଅନାସ୍ଥା ପ୍ରସ୍ତାବ ଆଗତ ହୋଇପାରିନାହିଁ । ବାଚସ୍ପତି ଅଧିବେଶନକୁ ଆସନ୍ତା ସୋମବାର ଅର୍ଥାତ ୨୮ ତାରିଖ ପର୍ଯ୍ୟନ୍ତ ମୁଲତବି କରିଦେଇଛନ୍ତି । ସୋମବାର ହିଁ ଏହି ପ୍ରସ୍ତାବ ଆଗତ ହେବ ।

ଆଜିର ଅଧିବେଶନରେ ଶାସକ ଦଳ ପକ୍ଷରୁ ଶାହ ମହମ୍ମଦ କୁରେସୀ, ସାରିନ ମଜାରି,ଅସଦ ଉମର ପ୍ରଭୃତି ଯୋଗ ଦେଇଥିବାବେଳେ ବିରୋଧୀ ଦଳ ପକ୍ଷରୁ ଶାହବାଜ ସରିଫ (ପିଏମଏଲ-ଏନ), ବିଲାଓ୍ବାଲ ଭୁଟୋ (ପିପିପି) ଓ ତାଙ୍କ ପିତା ଆସିଫ ଅଲି ଜର୍ଦାରୀ ଉପସ୍ଥିତ ଥିଲେ । ବିରୋଧୀ ଶିବିରର ମୋଟ ୧୫୦ ସାଂସଦ ଯୋଗଦେଇଥିଲେ ।

ସୂଚନାଯୋଗ୍ୟ ଯେ, ପାକିସ୍ତାନର ପ୍ରମୁଖ ଦୁଇ ବିରୋଧୀ ଦଳ ପାକିସ୍ତାନ ମୁସଲିମ ଲିଗ-ନଓ୍ବାଜ୍ (ପିଏମଏଲ-ଏନ)ଓ ପାକିସ୍ତାନ ପିପୁଲ୍ସ ପାର୍ଟି ପକ୍ଷରୁ ଏହି ଅନସ୍ଥା ପ୍ରସ୍ତାବ ଆଗତ କରାଯାଇଛି । ପାକିସ୍ତାନ ଜାତୀୟ ଆସେମ୍ବଲିକୁ ଦିଆଯାଇଥିବା ଏହି ଅନାସ୍ଥା ପ୍ରସ୍ତାବରେ ୧୦୦ ଜଣ ସାଂସଦ ସ୍ବାକ୍ଷର କରିଛନ୍ତି । ଅନାସ୍ଥା ପ୍ରସ୍ତାବ ଗୃହୀତ ହେବା ପାଇଁ ୩୪୨ ସଦସ୍ୟ ବିଶିଷ୍ଟ ପାକିସ୍ତାନ ଜାତୀୟ ଆସେମ୍ବଲିରେ ଅତିକମରେ ୧୭୨ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ । ଅର୍ଥାତ ବିରୋଧୀ ଦଳମାନେ ଅତିକମରେ ୧୭୨ ସଦସ୍ୟଙ୍କ ସମର୍ଥନ ଯୋଗାଡ଼ କରିପାରିଲେ ଇମ୍ରାନ ଖାଁ ଗାଦିଚ୍ୟୁତ ହେବା ନିଶ୍ଚିତ ।

ସମ୍ବନ୍ଧିତ ଖବର