ମଝି ବାଟରେ ଅଚଳ ହୋଇଗଲା ହସ୍ପିଟାଲ ଲିଫ୍ଟ; ୨ ଘଣ୍ଟା କାଳ ଭିତରେ ବନ୍ଦୀ ହୋଇ ରହିଗଲେ ୧୩ ଜଣ

ପୁଣେ: ପୁଣେର ଏକ ଡାକ୍ତରଖାନାର ଲିଫ୍ଟ ମଧ୍ୟରେ ୧୩ ଜଣ ବ୍ୟକ୍ତି ଦୀର୍ଘ ୨ ଘଣ୍ଟା କାଳ ବନ୍ଦୀ ହୋଇ ରହିଯିବା ଓ ପରେ ଅଗ୍ନିଶମ ସେବା ବିଭାଗର କର୍ମଚାରୀମାନେ ସେମାନଙ୍କୁ ଅଚଳ ଲିଫ୍ଟ ମଧ୍ୟରୁ ଉଦ୍ଧାର କରିବା ଘଟଣା ଆଜି ସମଗ୍ର ପୁଣେରେ ଆଲୋଚନାର ବିଷୟ ପାଲଟିଛି।

ହସ୍ତଗତ ହୋଇଥିବା ରିପୋର୍ଟରୁ ଜାଣିବାକୁ ମିଳିଛି ପୁଣେର ମଗରପଟଟ୍ଟା ଅଞ୍ଚଳରେ ଥିବା ନୋବେଲ ହସ୍ପିଟାଲର ଏକ ଲିଫ୍ଟରେ ୧୩ ଜଣ ବ୍ୟକ୍ତି ସବାର ହୋଇ ଉପର ମହଲାକୁ ଉଠୁଥିବା କାଳରେ ହଠାତ୍‌ ମଝିବାଟରେ ଲିଫ୍ଟଟି ଅଚଳ ହୋଇ ଅଟକି ଯାଇଥିଲା। ଏହି ଘଟଣାରେ ସେଥିରେ ଥିବା ୧୩ ଜଣ ବ୍ୟକ୍ତି ତା’ ମଧ୍ୟରେ ବନ୍ଦୀ ହୋଇ ରହି ଯାଇଥିଲେ। ଲିଫ୍ଟ ଚାଳକମାନେ ଯେତେ ଚେଷ୍ଟା କରିଥିଲେ ମଧ୍ୟ ଲିଫ୍ଟଟିକୁ ସଚଳ କରିବାରେ ସକ୍ଷମ କରିପାରି ନଥିଲେ। ଏଣେ ଲିଫ୍ଟ ମଧ୍ୟରେ ବନ୍ଦୀ ହୋଇ ଯାଇଥିବା ବ୍ୟକ୍ତିମାନେ ଅଣନିଶ୍ୱାସୀ ହୋଇ ପଡ଼ି ପାଟିତୁଣ୍ଡ କରିବା କରି ଦେଇଥିଲେ।

Pune Times

ପରେ ଘଟଣା ସଂପର୍କରେ ନିକଟସ୍ଥ କୋଣ୍ଡଓ୍ଵାହା ଅଗ୍ନିଶମ କେନ୍ଦ୍ରକୁ ଖବର ଦିଆ ଯାଇଥିଲା। ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଆସି ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଅଗ୍ନିଶମ ବିଭାଗର ୧୦ ଜଣ କର୍ମଚାରୀ ଦୀର୍ଘ ୩ ଘଣ୍ଟାକାଳ ଗଳଦ୍‌ଘର୍ମ ହୋଇ ଉଦ୍ଧାର କାର୍ଯ୍ୟ ଚଳାଇବା ପରେ ଶେଷରେ ଲିଫ୍ଟ ମଧ୍ୟରେ ବନ୍ଦୀଥିବା ସମସ୍ତ ୧୩ ଜଣଙ୍କୁ ଉଦ୍ଧାର କରିବାରେ ସମର୍ଥ ହୋଇଥିଲେ। ଲିଫ୍ଟରେ ୭ ଜଣ ସବାର ହେବା ପାଇଁ ବ୍ୟବସ୍ଥା ରହିଥିବା ବେଳେ ଏଥିରେ କ୍ଷମତା ଠାରୁ ଅଧିକା ଅର୍ଥାତ୍‌ ୧୩ ଜଣ ସବାର ହୋଇ ଉପରକୁ ଉଠୁଥିବା କାରଣରୁ ମଝିବାଟରେ ଏପରି ଦୁର୍ଘଟଣା ଘଟିଲା ବୋଲି କହିଛନ୍ତି ଉଦ୍ଧାର କାର୍ଯ୍ୟରେ ମୁତୟନ ଥିବା ଅଗ୍ନିଶମ ଅଧିକାରୀ।

ସମ୍ବନ୍ଧିତ ଖବର