ସର୍ବାଧିକ ବିଳମ୍ବ ୨୦ ରେଳ ପ୍ରକଳ୍ପରେ ଓଡ଼ିଶାରୁ ୨

ଖୋର୍ଦ୍ଧା ରୋଡ-ବଲାଙ୍ଗୀର(ନୂଆଲାଇନ), ଖୋର୍ଦ୍ଧା ରୋଡ-ବାରଙ୍ଗ ତୃତୀୟ ଲାଇନ

ନୂଆଦିଲ୍ଲୀ : ୨୦୨୨ ଜୁନ୍‌ ପହିଲା ସୁଦ୍ଧା କେନ୍ଦ୍ର ସରକାରଙ୍କ ଦ୍ବାରା କାର୍ଯ୍ୟକାରୀ ୧୫୬୮ଟି ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ସମୀକ୍ଷାରୁ ଜଣାପଡ଼ିଛି, ୭୨୧ଟି ପ୍ରକଳ୍ପର କାର୍ଯ୍ୟରେ ବିଳମ୍ବ ହୋଇଛି। ଏହି ବିଳମ୍ବର ମୁଖ୍ୟ କାରଣ ମଧ୍ୟରେ ରହିଛି, ଆଇନଶୃଙ୍ଖଳା, ଜମି ଅଧିଗ୍ରହଣରେ ବିଳମ୍ବ, ଜଙ୍ଗଲ ଓ ପରିବେଶ ମଞ୍ଜୁରି ହାସଲରେ ବିଳମ୍ବ, ପାଣ୍ଠି ପ୍ରଦାନରେ ବିଳମ୍ବ, ପୁନର୍ବାସ ଓ ଥଇଥାନ ସମସ୍ୟା ଓ ସ୍ଥାନୀୟ ନଗର ନିଗମଗୁଡ଼ିକର ଅନୁମତି ହାସଲରେ ବିଳମ୍ବ। ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ପରିସଂଖ୍ୟାନ ଓ ଯୋଜନା କ୍ରିୟାନ୍ବୟନ ରାଷ୍ଟ୍ରମନ୍ତ୍ରୀ ରାଓ ଇନ୍ଦ୍ରଜିତ ସିଂହ।

Kerala Kaumudi

ମନ୍ତ୍ରୀଙ୍କ ସୂଚନା ହେଲା, ପେଟ୍ରୋଲିୟମ, ରେଲୱେ, ସଡ଼କ ପରିବହନ ଓ ଜାତୀୟ ରାଜପଥ ପ୍ରକଳ୍ପ କାର୍ଯ୍ୟରେ ଅଧିକ ବିଳମ୍ବ ହୋଇଛି। ପେଟ୍ରୋଲିୟମରେ ୬୫ ପ୍ରତିଶତ, ରେଲୱେରେ ୬୦ ପ୍ରତିଶତ, ସଡ଼କ ପରିବହନ ଓ ଜାତୀୟ ରାଜପଥରେ ୩୬ ପ୍ରତିଶତ ପ୍ରକଳ୍ପ କାର୍ଯ୍ୟ ବିଳମ୍ବ ହୋଇଛି। କେନ୍ଦ୍ର ପରିସଂଖ୍ୟାନ ଓ ଯୋଜନା କ୍ରିୟାନ୍ବୟନ ମନ୍ତ୍ରାଳୟ ଭିତ୍ତିଭୂମି ଏବଂ ପ୍ରକଳ୍ପ ତଦାରଖ ଶାଖା ୧୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର କେନ୍ଦ୍ରୀୟ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ତଦାରଖ କରିଥାଏ। ସବୁଠାରୁ ଅଧିକ ବିଳମ୍ବ ହୋଇଥିବା ୨୦ଟି ଭିତ୍ତିଭୂମି ପ୍ରକଳ୍ପ ସଂପର୍କରେ ମନ୍ତ୍ରୀ ଯେଉଁ ତଥ୍ୟ ପ୍ରଦାନ କରିଛନ୍ତି, ସେଥିରେ ଓଡ଼ିଶାର ଦୁଇଟି ରେଳ ପ୍ରକଳ୍ପ ରହିଛି। ଏହି ଦୁଇ ରେଳ ପ୍ରକଳ୍ପ ହେଲା, ଖୋର୍ଦ୍ଧା ରୋଡ – ବଲାଙ୍ଗୀର(ନୂଆଲାଇନ) ଓ ଖୋର୍ଦ୍ଧା ରୋଡ – ବାରଙ୍ଗ ତୃତୀୟ ଲାଇନ। ଖୋର୍ଦ୍ଧାରୋଡ – ବଲାଙ୍ଗୀର (ନୂଆଲାଇନ) ପ୍ରକଳ୍ପର କାର୍ଯ୍ୟ ଡିସେମ୍ବର ୨୦୨୫ ସୁଦ୍ଧା ସରିବ ବୋଲି ଆକଳନ କରାଯାଇଛି। ଏହି ପ୍ରକଳ୍ପର କାର୍ଯ୍ୟ ୨୦୦୯ ମାର୍ଚରେ ଶେଷ କରାଯିବାକୁ ପ୍ରଥମେ ଲକ୍ଷ୍ୟ ରଖାଯାଇଥିଲା। ପ୍ରକଳ୍ପ ପାଇଁ ମୂଳ ବ୍ୟୟ ୨୯୨୩ କୋଟି ଟଙ୍କା ନିର୍ଦ୍ଧାରିତ ହୋଇଥିଲା। ବିଳମ୍ବ ଯୋଗୁ ଏହାର ଅଟକଳ ୩୭୯୨ କୋଟି ଟଙ୍କାରେ ପହଞ୍ଚିଛି। ସେହି ଭଳି ଖୋର୍ଦ୍ଧା ରୋଡ – ବାରଙ୍ଗ ତୃତୀୟ ଲାଇନ ରେଳ ପ୍ରକଳ୍ପ ଚଳିତ ବର୍ଷ ଡିସେମ୍ବରରେ ଶେଷ ହେବ ବୋଲି ଆଶା ରହିଛି। ଏହି ପ୍ରକଳ୍ପ କାର୍ଯ୍ୟ ପ୍ରଥମେ ମାର୍ଚ ୨୦୦୯ରେ ଶେଷ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ପ୍ରକଳ୍ପର ମୂଳ ବ୍ୟୟ ୧୩୩ କୋଟି ଟଙ୍କା ନିର୍ଦ୍ଧାରଣ କରାଯାଇଥିବା ବେଳେ ଏହି ଖର୍ଚ୍ଚ ୪୩୩ କୋଟି ଟଙ୍କାରେ ପହଞ୍ଚିଛି ବୋଲି ମନ୍ତ୍ରୀ ଉତ୍ତରରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର