ଦିଲ୍ଲୀରେ ବଢ଼ିଚାଲିଛି ଏହି ରୋଗ, ଏ ବର୍ଷ ୯୦ ହଜାର ରୋଗୀ ଚିହ୍ନଟ

ନୂଆଦିଲ୍ଲୀ: ଗତ କିଛି ବର୍ଷ ଭିତରେ ଯକ୍ଷ୍ମା(ଟିବି) ରୋଗୀଙ୍କ ସଂଧ୍ୟା ଜାତୀୟ ରାଜଧାନୀ ଦିଲ୍ଲୀରେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। ମାତ୍ର ଏକ ବର୍ଷ ମଧ୍ୟରେ ଦିଲ୍ଳୀରେ ୮୯ ହଜାର ଯକ୍ଷ୍ମା ରୋଗୀ ଚିହ୍ନଟ ହୋଇଥିବା ସୂଚନା ରହିଛି। ମାତ୍ର ଦିଲ୍ଲୀରେ ଟିବି ସଂକ୍ରମଣ ବଢ଼ିଛି ବୋଲି ହୋଇଥିବା ଅଭିଯୋଗକୁ ଖଣ୍ଡନ କରିଛି ଦିଲ୍ଲୀ ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶାଳୟ।

ମହାନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି କି ‘ଟିବି ନୋଟିଫିକେସନ ପ୍ରକ୍ରିୟାରେ ପରିବର୍ତ୍ତନ ଅଣାଯାଇଥିବା ହେତୁ ୨୦୧୮ ମସିହାରେ ଅଧିକ ଟିବିି ରୋଗୀଙ୍କ ତଥ୍ୟ ରିପୋର୍ଟ ଲେଖାଯାଇଛି। ମାତ୍ର ଏକଥା ସହ ଦ୍ୱିମତ ହୋଇଛନ୍ତି ଦିଲ୍ଲୀ ସରକାରଙ୍କର ଏକ ବଡ଼ ଟିବି ସେଣ୍ଟରର ଡାକ୍ତର। ଟିବି ନୋଟିଫିକେସନ ପ୍ରକ୍ରିୟାରେ କୌଣସି ପରିବର୍ତ୍ତନ ଆସି ନାହିଁ ବୋଲି ସେ ସୂଚନା ଦେଇଛନ୍ତି। ଦିଲ୍ଲୀରେ ବଢୁଥିବା ବାୟୁ ପ୍ରଦୂଷଣ ଏହି ରୋଗର କାରଣ ବୋଲି ଡାକ୍ତର ମତ ରଖିଛନ୍ତି। ସେ ଆହୁରି ବି କହିଛନ୍ତି କି ଏବେ ବି ସବୁ ଟିବି ରୋଗୀଙ୍କ ସୂଚନା ସରକାରଙ୍କ ନିକଟରେ ପହଞ୍ଚି ପାରୁନାହିଁ।

୨୦୧୬ ମସିହାରେ ଦିଲ୍ଲୀରେ ୬୨,୭୦୬ ଟିଭି ରୋଗୀ ରହିଥିବା ସୂଚନା ହସ୍ତଗତ ହୋଇଥିବା ବେଳେ ୨୦୧୭ ମସିହାରେ ୬୭, ୮୭୬ ରୋଗୀ ରହିଥିବା ସୂଚନା ରହିଥିଲା। ଏମାନଙ୍କ ମଧ୍ୟରୁ ୬୧,୦୮୯ ରିପୋର୍ଟ ସରକାରୀ ହସ୍ପିଟାଲ୍‌ରେ ହୋଇଥିବା ବେଳେ ବେସରକାରୀ ହସ୍ପିଟାଲରେ ୬,୭୮୬ ରିପୋର୍ଟ ହୋଇଥିଲା। ସେହିପରି ୨୦୧୮ ମସିହାରେ ଟିବି ରୋଗୀଙ୍କ ସଂଖ୍ୟା ୨୧,୩୬୧ ବୃଦ୍ଧି ପାଇ ୮୯,୨୩୭ରେ ପହଞ୍ଚିଛି।

ସମ୍ବନ୍ଧିତ ଖବର