ଅନ୍ତର୍ଜାତୀୟ ମହିଳା ଦିବସ: ୨୩ ବର୍ଷ ପରେ ଯୁଦ୍ଧପୋତରେ ମହିଳା ଅଧିକାରୀଙ୍କୁ ନିୟୋଜିତ କଲା ଭାରତୀୟ ନୌସେନା 

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଦେଶବାସୀଙ୍କ ପାଇଁ ଏକ ଖୁସି ଖବର ରହିଛି। ଭାରତୀୟ ନୌସେନା ୨୩ ବର୍ଷ ପରେ ଯୁଦ୍ଧପୋତରେ ୪ଜଣ ମହିଳା ଅଧିକାରୀଙ୍କୁ ନିୟୋଜିତ କରିଛି।

ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଭାରତୀୟ ନୌସେନାର ମୁଖପାତ୍ର କହିଛନ୍ତି ଯେ, ନିକଟରେ ନୌସେନା ଚାରିଜଣ ମହିଳା ଅଧିକାରୀଙ୍କୁ ଯୁଦ୍ଧପୋତରେ ନିୟୋଜିତ କରିଛି। ଏଥିମଧ୍ୟରୁ ଦୁଇଜଣ ଅଧିକାରୀ ଆଇଏନଏସ୍ ବିକ୍ରମାଦିତ୍ୟରେ ଏବଂ ଅବଶିଷ୍ଟ ଦୁଇଜଣଙ୍କୁ ଆଇଏନଏସ୍ ଶକ୍ତିରେ ନିଯୁକ୍ତ କରାଯାଇଛି।

ସର୍ବ ପ୍ରଥମେ ୧୯୯୮ରେ ଯୁଦ୍ଧପୋତରେ ନୌସେନା ମହିଳାମାନଙ୍କୁ ନେବା ଆରମ୍ଭ କରିଥିଲା, କିନ୍ତୁ ପରେ ଲଜିଷ୍ଟିକାଲ ଏବଂ ଅନ୍ୟାନ୍ୟ ସମସ୍ୟା ହେତୁ ଏହାକୁ ବନ୍ଦ କରି ଦିଆଯାଇଥିଲା। ନିକଟରେ ଦୁଇଟି ପୃଥକ ଯୁଦ୍ଧପୋତରେ ମହିଳା ଅଧିକାରୀ ନିୟୋଜିତ ହୋଇଛନ୍ତି।

ଟ୍ୟାଙ୍କର୍ ଜାହାଜ ଆଇଏନଏସ ଶକ୍ତିରେ ନିୟୋଜିତ ମହିଳା ଅଧିକାରୀଙ୍କ ମଧ୍ୟରୁ ଜଣେ ଡାକ୍ତର ଅଛନ୍ତି। ଉକ୍ତ ମହିଳା ଅଧକାରୀଙ୍କ କହିବାନୁସାରେ, ଭାରତୀୟ ନୌସେନାରେ ତାଙ୍କୁ ଉଭୟ ଡାକ୍ତର ଓ ଜଣେ ମହିଳା ଅଧିକାରୀ ଭାବେ ଯୁଦ୍ଧପୋତରେ ସେବା କରିବାର ସୁଯୋଗ ଦିଆଯାଇଛି।

ଆମେ ଆମର ପୁରୁଷ ସହକର୍ମୀଙ୍କ ସହ କାନ୍ଧରେ କାନ୍ଧ ମିଶାଇ କାମ କରିବୁ ବୋଲି ଉକ୍ତ ମହିଳା ଅଧିକାରୀ ଜଣକ କହିଛନ୍ତି।

ଭାରତୀୟ ନୌସେନା ମହିଳା ଅଧିକାରୀଙ୍କ ପାଇଁ ଜାହାଜ ପ୍ରସ୍ତୁତ କରିବା ପାଇଁ ଯୁଦ୍ଧପୋତରେ କିଛି ବର୍ଷ ପୂର୍ବେ ଅଲଗା କ୍ୟାବିନ ଏବଂ ଶୌଚାଳୟ ନିର୍ମାଣ ଆରମ୍ଭ କରିଥିଲା।

ସମ୍ବନ୍ଧିତ ଖବର