ଭାରତ ଖୋଜୁଥିବା ଖଲିସ୍ତାନୀ ଆତଙ୍କବାଦୀଙ୍କ ସହଯୋଗୀ କାନାଡାରେ ନିହତ

ନୂଆଦିଲ୍ଲୀ: ଭାରତ ଖୋଜୁଥିବା ଖଲିସ୍ତାନୀ ଆତଙ୍କବାଦୀ ଅର୍ଶଦୀପ ସିଂହ ଓରଫ ଅର୍ଶ ଦାଲାଙ୍କ ସହଯୋଗୀ ସୁଖ୍‌ଦୂଲ୍‌ ସିଂହଙ୍କୁ ବୁଧବାର ରାତିରେ କାନାଡାର ୱିନ୍ନିପେଗ୍‌ ସହରରେ ହତ୍ୟା କରାଯାଇଥିବା କଥା ବିଭିନ୍ନ ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।

‘ଏ’ ବର୍ଗର ଗ୍ୟାଙ୍ଗ୍‌ଷ୍ଟର୍‌ ସୁଖ୍‌ଦୂଲ୍‌ ସିଂହ ପୂର୍ବରୁ ଭାରତର ପଞ୍ଜାବ ରାଜ୍ୟରୁ ଖସି କାନାଡାକୁ ଚାଲିଯାଇଥିଲେ। ପ୍ରାପ୍ତ ସୂଚନା ଅନୁସାରେ, ୨୦୧୭ରେ ଜାଲ୍‌ କାଗଜପତ୍ର ବଳରେ ସେ ଭାରତରୁ କାନାଡା ପଳାୟନ କରିଥିଲେ। ତାଙ୍କ ନାମରେ ୭ଟି ଅପରାଧିକ ମାମଲା ରହିଛି।

‘ଇଣ୍ଡିଆ ଟୁଡେ’ ରିପୋର୍ଟ ଅନୁସାରେ, ୨ଜଣ ପୁଲିସ କର୍ମଚାରୀଙ୍କ ସହାୟତାରେ ସେ ପଞ୍ଜାବରୁ ଖସି ପଳାଇଥିଲେ। ପରେ ସେ ୨ ପୁଲିସ କର୍ମଚାରୀଙ୍କୁ ମୋଗା ପୁଲିସ ଗିରଫ କରିଥିଲା।

Image Courtesy of India TV

କାନାଡା ଗୁଇନ୍ଦାସୂତ୍ରରୁ ତଥ୍ୟ ସଂଗ୍ରହ କରି ଗଣମାଧ୍ୟମ ‘ମିଣ୍ଟ୍‌’ ରିପୋର୍ଟ କରିଛି ଯେ, ‘ଆନ୍ତଃ-ଗ୍ୟାଙ୍ଗ୍‌’ ବିବାଦଜନିତ କାରଣରୁ ବୁଧବାର ରାତିରେ ସୁଖ୍‌ଦୂଲ୍‌ ସିଂହ ଓରଫ ସୁଖା ଦୁନେକେ ନିହତ ହୋଇଛନ୍ତି। ମୋଗା ଜିଲ୍ଲା ନିବାସୀ ସୁଖା ଥିଲେ ‘ଦାବିନ୍ଦର୍‌ ବାମ୍ଭିହା’ ଗ୍ୟାଙ୍ଗ୍‌ର ସଦସ୍ୟ।

ଆଇନ ଏଡ଼ାଇବା ପାଇଁ ପଞ୍ଜାବ ଓ ଆଖପାଖ ଅଞ୍ଚଳରୁ ୨୯ରୁ ଅଧିକ ଗ୍ୟାଙ୍ଗ୍‌ଷ୍ଟର୍‌ ଭାରତ ବାହାରେ ଆଶ୍ରୟ ନେଇଛନ୍ତି। ଅତୀତରେ ସେମାନେ ଭ୍ରମଣ କାଗଜପତ୍ର ଜାଲିଆତି କରି ଭାରତୀୟ ପାସ୍‌ପୋର୍ଟ ବଳରେ କିଂବା ନେପାଳ ବାଟ ଦେଇ ଭାରତରୁ ପଳାୟନ କରିଛନ୍ତି।

ସୂଚନାଯୋଗ୍ୟ, ଜୁନ୍‌ ୧୯ ତାରିଖରେ ସୁରେଠାରେ ଆନ୍ତଃ-ଗ୍ୟାଙ୍ଗ୍‌ ବିବାଦରେ ନିହତ ହୋଇଥିବା ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜାର ନିହତ ହେବା ପରି ସୁଖ୍‌ଦୂଲ୍‌ ସିଂହ ନିହତ ହୋଇଛନ୍ତି। ନିଜାର୍‌ଙ୍କ ଉପରକୁ ପ୍ରତିପକ୍ଷ ଗ୍ୟାଙ୍ଗ୍‌ ୧୫ଟି ଗୁଳି ମାରିଥିଲେ।

ସମ୍ପ୍ରତି ନିଜାର୍‌ଙ୍କ ହତ୍ୟା ଘଟଣାକୁ କେନ୍ଦ୍ର କରି ଭାରତ ଓ କାନାଡା ମଧ୍ୟରେ କୂଟନୈତିକ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର