ସେପ୍ଟେମ୍ବର ୨୫ରୁ ଆନ୍ଦୋଳନକୁ ଓହ୍ଲାଇବେ ହଜାର ହଜାର ଶିକ୍ଷକ: ଓଷ୍ଟା

ଭୁବନେଶ୍ୱର: ବିଭିନ୍ନ ସମସ୍ୟା ନେଇ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା)ର ଡାକରାରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀମାନେ ଗତ ସେପ୍ଟେମ୍ବର ୫ ତାରିଖ ପବିତ୍ର ଗୁରୁଦିବସରେ ରାଲି ଓ କଳାବ୍ୟାଜ୍ ପରିଧାନ ପୂର୍ବକ ନୀରବ ପ୍ରତିବାଦ ଜଣାଇଥିଲେ । ସରକାର ଆନ୍ତଃମନ୍ତ୍ରୀସ୍ତରୀୟ ବୈଠକ ବସାଇ ସମସ୍ୟାର ତୁରନ୍ତ ସମାଧାନ କରିବାକୁ କହିଥିଲା ବେଳେ ବୈଠକ ପରେ ମଧ୍ୟ ଶିକ୍ଷକମାନଙ୍କର କୌଣସି ସମସ୍ୟାର ସମାଧାନ କରାଯାଇ ନାହିଁ କିମ୍ବା ଶିକ୍ଷକ ନେତୃତ୍ୱମାନଙ୍କ ସହିତ ସରକାର ଏଯାବତ୍ ଆଲୋଚନା କରିନାହାନ୍ତି । ଏଣୁ ଶିକ୍ଷକମାନଙ୍କର ବହୁବିଧ ସମସ୍ୟାର ସମାଧାନ ପାଇଁ ସରକାର ପ୍ରତିଶ୍ରୁତିଦେଇ ତାହା ପାଳନ ନକରିବା ପ୍ରତିବାଦରେ ଆଗାମୀ ୨୫ ତାରିଖ ବିଧାନସଭା ଅଧିବେଶନ ସମୟରେ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ଆନେ୍ଦାଳନକୁ ଓହ୍ଲାଇବ ବୋଲି ସଂଗଠନର ସାଧାରଣ ସଂପାଦକ  ରଞ୍ଜନ କୁମାର ଦାଶ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

ବିଭିନ୍ନ ଦୃଷ୍ଟିକୋଣ ତଥା ସରକାରୀ ଅବହେଳାଜନିତ କାରଣରୁ ନିଜର ଅଧିକାରରୁ ବଞ୍ଚିତ ହୋଇଥିବା ଏହି ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନେ ସମବେତ ହୋଇ ସେମାନଙ୍କର ନ୍ୟାର୍ଯ୍ୟ ଦାବି ପୂରଣ ପାଇଁ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଏହି ଆନେ୍ଦାଳନ ଅନିର୍ଦ୍ଦିଷ୍ଟ କାଳପାଇଁ ଚାଲିବ ବୋଲି ସଂଗଠନର ସାଧାରଣ ସଂପାଦକ ଶ୍ରୀ ଦାଶ

କହିଛନ୍ତି ।

ପ୍ରକାଶଥାଉକି, ଓଷ୍ଟାର ଆହ୍ୱାନରେ ମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକରେ କାର୍ଯ୍ୟରତ ଓ ଅବସର ପ୍ରାପ୍ତ ଶିକ୍ଷକ କର୍ମଚାରୀମାନଙ୍କର ସାମାଜିକ ସୁରକ୍ଷା ପାଇଁ ଅଗଷ୍ଟ ୯ କ୍ରାନ୍ତି ଦିବସରେ ଓଡ଼ିଶାର ୩୦ଟି ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇ ମୁଖ୍ୟମନ୍ତ୍ରୀ, ଅର୍ଥମନ୍ତ୍ରୀ, ଶିକ୍ଷାମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ପ୍ରମୁଖ ଅର୍ଥ ସଚିବ, ବିଦ୍ୟାଳୟ ଓ ଗଣଶିକ୍ଷା ସଚିବଙ୍କ ଉଦେ୍ଦଶ୍ୟରେ ଜିଲ୍ଲା ଶିକ୍ଷାଧିକାରୀଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଥିଲା। ଅଗଷ୍ଟ ୧୬, ୧୭ ଓ ୧୮ ତିନିଦିନ ଧରି ପ୍ରତିକୂଳ ପାଗରେ ମଧ୍ୟ ଭୁବନେଶ୍ୱର ଗାନ୍ଧିମାର୍ଗରେ ଶିକ୍ଷକ କର୍ମଚାରୀମାନେ ଧାରଣାରତ ଥିଲେ। ବିଦ୍ୟାଳୟମାନଙ୍କରେ ସମାନ ଯୋଗ୍ୟତା ଥାଇ ସମାନ କାର୍ଯ୍ୟ କରୁଥିବା ଶିକ୍ଷକମାନଙ୍କ ଭିତରେ ଦରମା, ଚାକିରୀ ସର୍ତ୍ତାବଳୀ ଆଦିରେ ତାରତମ୍ୟ ନରଖିବା ମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକରେ ଶୂନ୍ୟ ପଡ଼ିଥିବା ଶିକ୍ଷକ ଓ ପ୍ରଧାନଶିକ୍ଷକ ପଦବୀକୁ ତୁରନ୍ତ ପୂରଣ କରିବା ଓ ଶିକ୍ଷକମାନଙ୍କୁ ଅଣଶୈକ୍ଷିକ କାର୍ଯ୍ୟରେ ନିୟୋଜିତ ନକରି ସମ୍ପୂର୍ଣ୍ଣ ଶିକ୍ଷଣ କାର୍ଯ୍ୟରେ ନିୟୋଜିତ କରାଯିବା ସହିତ ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକମାନେ ଚାକିରୀରୁ ଅବସର ନେଲେ ଏବଂ ଅବସର ନେଇଯାଉଥିବା ଶିକ୍ଷକମାନଙ୍କର ପେନସନ୍ ପ୍ରଦାନ କରିବା ଦିଗରେ ସରକାରୀ ନିଦେ୍ର୍ଦଶନାମା “ସଂକଳ୍ପ’ କୁ ସଠିକ ଭାବରେ କାର୍ଯ୍ୟକାରୀ କରାଯାଉନାହିଁ ବୋଲି ଓଷ୍ଟା ପକ୍ଷରୁ କ୍ଷୋଭ ପ୍ରକାଶ କରାଯାଇଛି  ।

ଆଗାମୀ ସେପ୍ଟେମ୍ବର ୨୫ ତାରିଖ ଠାରୁ ହଜାର ହଜାର ସଂଖ୍ୟରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀଙ୍କ ସହିତ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ / ସଭ୍ୟା, ଅଭିଭାବକ ଓ ପୁରାତନ ଛାତ୍ରଙ୍କୁ ନେଇ ଏକ ମହାସମାବେଶ ଭୁବନେଶ୍ୱର ରାଜରାସ୍ତାରେ କରାଯାଇ ଶିକ୍ଷକମାନେ ଅହୋରାତ୍ର ଧାରଣାରେ ବସିରହିବେ ବୋଲି ଓଷ୍ଟା ପକ୍ଷରୁ କୁହାଯାଇଛି।

ପ୍ରକାଶଥାଉକି ଯୋଗ୍ୟ ବିବେଚିତ ସମସ୍ତ ବିଦ୍ୟାଳୟ ଗୁଡ଼ିକୁ ଅନୁଦାନ ପ୍ରଦାନ, ସପ୍ତମ ବେତନରୁ ବାଦ୍ ପଡ଼ିଥିବା ବିଦ୍ୟାଳୟ ଗୁଡ଼ିକୁ ସପ୍ତମ ବେତନ ପ୍ରଦାନ, ଅବସର ନେଉଥିବା ଶିକ୍ଷକ ଓ ଶିକ୍ଷାକର୍ମଚାରୀ ମାନଙ୍କୁ ପେନସନ୍ ଓ ଅବସରକାଳୀନ ସୁବିଧା ପ୍ରଦାନ, ବିଦ୍ୟାଳୟରେ ଖାଲି ପଡ଼ିଥିବା ପଦବୀରେ ଶିକ୍ଷକ ଓ ଶିକ୍ଷାକର୍ମଚାରୀଙ୍କ ନିଯୁକ୍ତି, ୬୪୮ ବିଦ୍ୟାଳୟକୁ ସରକାରୀକରଣ ଓ ଏଥିରେ କାର୍ଯ୍ୟରତ ୫୨ ଜଣ ସେକସନ୍ ଶିକ୍ଷକମାନଙ୍କୁ ଅନୁଦାନ ପ୍ରଦାନ, ୧୧୦ ବାଳିକା ବିଦ୍ୟାଳୟ ପ୍ରତି କରାଯାଇଥିବା ଅବିଚାରକୁ ଦୂର କରିବା, ୨୦୦୪ ରୁ ୨୦୧୩ ମସିହା ପର୍ଯ୍ୟନ୍ତ ନିଯୁକ୍ତି ପାଇଥିବା ଚୁକ୍ତି ଭିତ୍ତିକ ଶିକ୍ଷକମାନଙ୍କୁ ୬ଟି ନୋସନାଲ ଇନ୍କ୍ରିମେଣ୍ଟ ସହ ବରିଷ୍ଠତା ପ୍ରଦାନ, ୨୮୦୦, ୨୨୦୦ ଓ ୧୯୦୦ ଗ୍ରେଡ଼୍ ପେ’ରେ ଥିବା ଅସଙ୍ଗତି ଦୂରୀକରଣ, ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟର ଦ୍ୱିତୀୟ ଓ ତୃତୀୟ ପିଅନ ଏବଂ ୩୭, ୪୬, ୬୩ ବିଦ୍ୟାଳୟର ଆଣ୍ଟିଡେସନ୍, ୪୮ ବର୍ଷରେ ପଦାର୍ପଣ କରିଥିବା ହୀନ୍ଦୀ,ସଂସ୍କୃତ ଓ କ୍ରୀଡ଼ା ଶିକ୍ଷକମାନଙ୍କୁ ଟି.ଜି ସ୍କେଲର ମାନ୍ୟତା ପ୍ରଦାନ, ନୂତନ ପେନ୍ସନ୍ ପରିବର୍ତ୍ତେ ପୁରାତନ ପେନ୍ସନ୍ର ପୁନଃପ୍ରଚଳନ, ବିଦ୍ୟାଳୟରେ କାର୍ଯ୍ୟରତ କିରାଣୀମାନଙ୍କୁ ଯୋଗ୍ୟତା ଭିତ୍ତିକ ପଦୋନ୍ନତି ପ୍ରଦାନ ଓ ଅବସର ବୟସ ସୀମା ୬୦ ରୁ ୬୨ ବର୍ଷକୁ ବୃଦ୍ଧି କରିବା ନୂତନ ସରକାରୀ

ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ, ଶିକ୍ଷାକର୍ମଚାରୀମାନଙ୍କୁ ଜଇଉଚ ପ୍ରଦାନ କରିବା ଆଦି ଦାବୀରେ ଶିକ୍ଷକମାନେ ସମବେତ ହୋଇ ଦାବୀ ପୂରଣ ନହେବା ପର୍ଯ୍ୟନ୍ତ ଏହି ଆନେ୍ଦାଳନ ଚାଲୁରଖିବେ ବୋଲି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ପକ୍ଷରୁ ସଭାପତି ଅକ୍ଷୟ କୁମାର ମିଶ୍ର, କାର୍ଯ୍ୟକାରୀ ସଭାପତି ନୀଳମଣି ପୁରୋହିତ, ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ, ଯୁଗ୍ମ ସାଧାରଣ ସଂପାଦକ ବ୍ରଜକିଶୋର ବିଶ୍ୱାଳ, କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର ଓ ଶିକ୍ଷାପ୍ରଦୀପ ସଂପାଦକ ଶଙ୍କର କୁମାର ସୁବୁଦ୍ଧି ପ୍ରମୁଖ ସରକାରଙ୍କୁ ଦୃଢ଼ ଚେତାବନୀ ଦେଇଛନ୍ତି।

 

ସମ୍ବନ୍ଧିତ ଖବର