ସାଂସଦଙ୍କୁ ଭିଆଇପି ଚିକିତ୍ସାସେବା ଯୋଗାଇବନି ଏମ୍ସ

 

ନୁଆଦିଲ୍ଲୀ: ସାଂସଦମାନଙ୍କୁ ଏମ୍ସ ତରଫରୁ ଯେଉଁ ଭିଆଇପି ଚିକିତ୍ସା ସେବା ଯୋଗାଇ ଦିଆଯାଉଥିଲା ତାହା ଆଉ ଏବେ ମିଳିବନି। ଏହି ଆଦେଶକୁ ଦିଲ୍ଲୀ ଏମ୍ସ ତରଫରୁ ପ୍ରତ୍ୟାହାର କରି ନିଆଯାଇଛି। ଏହା ଏକ ପରମ୍ପରା ଭାବେ ରହି ଆସିଥିଲା। କିନ୍ତୁ ଡାକ୍ତରମାନଙ୍କ ବିରୋଧ ଯୋଗୁ ଏମ୍ସ ଏଭଳି ପଦକ୍ଷେପ ନେଇଛି। ଲୋକସଭା ସଚିବାଳୟକୁ ଏମ୍ସ ଦ୍ବାରା ପ୍ରେରିତ ଚିଠିରୁ ଏହି ସୂଚନା ମିଳିଛି।

ସୂଚନାଯୋଗ୍ୟ ଯେ, ସାଧାରଣତଃ ସାଂସଦମାନେ ଯାହାକିଛି ରୋଗ ହେଲେ ଦିଲ୍ଲୀ ଏମ୍ସ ଉପରେ ନିର୍ଭରଶୀଳ ହେଉଥିଲେ। ଓପିଡି ଓ ଜରୁରୀକାଳୀନ ପରିସ୍ଥିତିରେ ସେମାନେ ଯଦି ଏମ୍ସରେ ଚିକିତ୍ସିତ ହେବାକୁ ଚାହୁଁଛନ୍ତି ତେବେ ଏକ ସନ୍ଦର୍ଭ ଚିଠି ଆକାରରେ ଲେଖିବେ। ଏମ୍ସର ପ୍ରୋଟକଲ ଅନୁଯାୟୀ ସେମାନଙ୍କୁ ଚିକିତ୍ସା କରିବା ସହ ଯତ୍ନ ନେବାକୁ ଡାକ୍ତର ଯୋଗାଇବା ବ୍ୟବସ୍ଥା ଥିଲା। ଖାଲି ସେତିକି ନୁହେଁ ସାଂସଦମାନଙ୍କ ଚିକିତ୍ସା ସୁବିଧାକୁ ଶୃଙ୍ଖଳିତ କରିବା ପାଇଁ ଏମ୍ସ ପକ୍ଷରୁ ଏକ ମାନକ ଅପରେଟିଂ ପ୍ରଣାଳୀ (ଏସଓପି) ଜାରି କରାଯାଇଥିଲା ଯେଉଁଥିରେ ସେମାନଙ୍କ ଚିକିତ୍ସା ସେବା ପାଇଁ ଜଣେ ନୋଡାଲ ଅଧିକାରୀ ନିଯୁକ୍ତ କରିବା ବି ବ୍ୟବସ୍ଥା ଥିଲା। ଡାକ୍ତରମାନେ ଏହାକୁ ଏକ ଭିଆଇପି ପରମ୍ପରା ବୋଲି ସମାଲୋଚନା କରିଥିଲେ। ଫେଡେରେସନ୍ ଅଫ୍ ରେସିଡେଣ୍ଟ୍ ଡାକ୍ତର ଆସୋସିଏସନ୍ (ଫୋର୍ଡା) ମଧ୍ୟ ଦିଲ୍ଲୀ ଏମସରେ ଭିଆଇପି ପାରମ୍ପରିକ ଚିକିତ୍ସାକୁ ବିରୋଧ କରିଥିଲା ।

ଫୋର୍ଡା ପକ୍ଷରୁ କୁହାଯାଇଛି ଯେ, ସାଂସଦମାନଙ୍କ ପାଇଁ ଏଭଳି ସ୍ବତନ୍ତ୍ର ଚିକିତ୍ସା ସେବା ସାଧାରଣ ରୋଗୀଙ୍କ ଚିକିତ୍ସା ସେବାକୁ ପ୍ରଭାବିତ କରୁଛି। ଏଭଳି ପରମ୍ପରାକୁ ଆମେ ନିନ୍ଦା କରୁଛୁ। କାରଣ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ପଷ୍ଟ କରିଛନ୍ତି ଯେ, ଭାରତରେ ଭିଆଇପି ପରମ୍ପରା ନାହିଁ। କିନ୍ତୁ ଏମ୍ସ ନିର୍ଦ୍ଦେଶକ ଏହି ପରମ୍ପରାକୁ ବିକଶିତ କରିବାକୁ ଚାହୁଁଛନ୍ତି। ତାହା ନିଶ୍ଚିତ ଭାବେ ନିନ୍ଦନୀୟ। କୌଣସି ରୋଗୀ ଅନ୍ୟର ଅଧିକାର ଦ୍ବାରା କ୍ଷତିଗ୍ରସ୍ତ ହେବା ଉଚିତ ନୁହେଁ ବୋଲି ଫୋର୍ଡା ସ୍ପଷ୍ଟ କରିବା ପରେ ଏମ୍ସ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଛନ୍ତି। ତେବେ ଚିଠିରେ ଉଲ୍ଲେଖ କରାଯାଇଛି ଯେ, ରାଜ୍ୟସଭା, ଲୋକସଭା ସାଂସଦ କିମ୍ବା ରାଜ୍ୟ ସଚିବାଳୟର କର୍ମଚାରୀ ବା ସାଂସଦଙ୍କ ବ୍ୟକ୍ତିଗତ କର୍ମଚାରୀ ଯଦି ଓପିଡି ସେବା ବା ପରାମର୍ଶ ଆବଶ୍ୟକ କରନ୍ତି ତେବେ ଡ୍ୟୁଟି ଅଧିକାରୀଙ୍କ ସହ ଯୋଗାଯୋଗ କରିବେ। ତାଙ୍କ ଅସୁସ୍ଥତା ବିଷୟରେ ଜଣାଇବେ। ସେମାନେ କେଉଁ ବିଶେଷଜ୍ଞଙ୍କ ସହ ପରାମର୍ଶ କରିବାକୁ ଚାହୁଁଛନ୍ତି ତାହା ବି ସୂଚିତ କରିବେ। କାରଣ ୨୪ ଘଣ୍ଟା ଧରି ଡ୍ୟୁଟି ଅଧିକାରୀ ତଥା ନୋଡାଲ ଅଧିକାରୀମାନେ ସେବା ଯୋଗାଉଛନ୍ତି। ସେମାନଙ୍କ ଦ୍ବାରା ସେବା ଯୋଗାଣ ସମ୍ଭବ ଏଥିରେ ଦ୍ବିମତ ନାହିଁ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର