ପେହଲୁ ଖାନ୍‌ ଭିଡ଼ହିଂସା ମାମଲା : ସମସ୍ତ ୬ ଅଭିଯୁକ୍ତ ଦୋଷମୁକ୍ତ

ଜୟପୁର : ରାଜସ୍ଥାନର ଅଲୱରରେ ୨୦୧୭ ଏପ୍ରିଲ ୧ ତାରିଖରେ ହୋଇଥିବା ପେହଲୁ ଖାନ୍‌ ଭିଡ଼ହିଂସା ମାମଲାରେ ଆଜି ରାଜସ୍ଥାନ ଜିଲ୍ଲା କୋର୍ଟ ୬ ଜଣ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଛନ୍ତି। ଏହି ମାମଲାରେ ଗତ ୭ ତାରିଖରେ ଶୁଣାଣି ‌ଶେଷ ହୋଇଥିଲା ଏବଂ ଅତିରିକ୍ତ ଜିଲ୍ଲା ବିଚାରପତି ମାମଲାର ରାୟ ସଂରକ୍ଷିତ ରଖିଥିଲେ। ମାମଲାରେ ଅନ୍ୟ ୩ ଜଣ ଅଭିଯୁକ୍ତ ନାବାଳକ ଏବଂ ସେମାନଙ୍କ ବିରୋଧରେ ଜେଜେବି (ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡ)ରେ ମାମଲା ବିଚାରାଧୀନ ରହିଛି।

ଉଲ୍ଲେଖଯୋଗ୍ୟ ୫୫ ବର୍ଷୀୟ ପେହଲୁ ଖାନ୍‌ ଏବଂ ତାଙ୍କ ପୁଅମାନେ ୨୦୧୭ ଏପ୍ରିଲ ୧ ତାରିଖରେ ଜୟପୁରରେ ଗାଈ କିଣିବାପରେ ଗାଈମାନଙ୍କୁ ଜୟପୁରରୁ ହରିୟାଣା ଆଣୁଥିଲେ। ତେବେ ଅଲୱର ନିକଟରେ ସେମାନଙ୍କୁ କିଛି ଆତ୍ମଘୋଷିତ ଗୋ ରକ୍ଷାକାରୀ ଆକ୍ରମଣ କରିଥିଲେ। ପେହଲୁ ଖାନ୍‌ଙ୍କୁ ନିସ୍ତୁକ ମାଡ଼ ମରାଯାଇଥିଲା। ଏହାର ୨ ଦିନ ପରେ ସେ ଆଖି ବୁଜିଥିଲେ। ତେବେ ରାଜସ୍ଥାନ ପୁଲିସ ପେହଲୁ ଖାନ୍‌ଙ୍କ ମୃତ୍ୟୁ ପରେ ଏନେଇ ହତ୍ୟା ମାମଲା ରୁଜୁ କରିଥିଲା ଏବଂ ଗୋ ଚୋରାଚାଲାଣ ମାମଲାର ମଧ୍ୟ ତଦନ୍ତ କରିଥିଲା। ଖାନ୍‌ଙ୍କ ମୃତ୍ୟୁ ପୂର୍ବରୁ ତାଙ୍କ ବୟାନ ଆଧାରରେ ସନ୍ଦିଗ୍ଧ ସମ୍‌ ଯାଦବ, ହୁକୁମ ଚାନ୍ଦ ଯାଦବ, ସୁଧୀର ଯାଦବ, ଜଗମାଲ ଯାଦବ, ନବୀନ ଶର୍ମା ଏବଂ ରାହୁଲ ସାଇନି ଏବଂ ୨୦୦ରୁ ଅଧିକ ଲୋକଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ତେବେ କ୍ରାଇମ୍‌ ବ୍ରାଞ୍ଚ୍‌ ତଦନ୍ତ ପରେ ୬ ଜଣଙ୍କୁ କ୍ଲିନଚିଟ୍‌ ମିଳିଥିଲା ଏବଂ ଅନ୍ୟ ୬ ଜଣଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ ହୋଇଥିଲା। ରାଜସ୍ଥାନ ପୁଲିସ ମଧ୍ୟ ଖାନ୍‌ ଏବଂ ତାଙ୍କ ପୁଅମାନଙ୍କ ବିରୋଧରେ ଗୋ ଚୋରାଚାଲାଣ ନେଇ ମାମଲା ରୁଜୁ କରିଥିଲ। ପରେ ଏହି ମାମଲାରେ ଚଳିତବର୍ଷ ମେ’ ୨୯ ତାରିଖରେ ଚାର୍ଜସିଟ୍‌ ଦାଖଲ ହୋଇଥିଲା। ପେହଲୁ ଖାନ୍‌ଙ୍କ ପରିବାର ସଦସ୍ୟଙ୍କ ଦ୍ବାରା ଏହି ଚାର୍ଜସିଟ୍‌କୁ ବିରୋଧ କରାଯାଇଥିଲା।

ସମ୍ବନ୍ଧିତ ଖବର