ଦକ୍ଷିଣ ଆସାମରେ ଭୂସ୍ଖଳନ: ୨୦ ମୃତ, ଅନେକ ଆହତ

ଗୌହାଟି: ଦକ୍ଷିଣ ଆସାମରେ ଆଜି ଅଚାନକ ଭୂସ୍ଖଳନ ଘଟିବା ଫଳରେ ଅତି କମରେ ୨୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଏହି ଘଟଣାରେ ଆହତ ହୋଇଥିବା ଜାଣିବାକୁ ମିଳିଛି।
ସରକାରୀ ସୂତ୍ରରୁ ହସ୍ତଗତ ହୋଇଥିବା ଘଟଣାର ରିପୋର୍ଟରୁ ପ୍ରକାଶ, ମଙ୍ଗଳବାର ଦିନ ଦକ୍ଷିଣ ଆସାମରେ ତିନିଟି ପୃଥକ ପୃଥକ ଭୂସ୍ଖଳନ ଘଟିବା ଫଳରେ ତିନି ଶିଶୁଙ୍କ ସମେତ ଅତି କମରେ ୨୦ ଜଣଙ୍କର ମୃତ୍ୟୁ ଘଟିଛି। ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ କହିବାନୁସାରେ, ମୃତକଙ୍କ ମଧ୍ୟରୁ କାଚର ଏବଂ ହିଲାକାନ୍ଦିରେ ୭ ଜଣ ଲେଖାଁଏ ରହିଥିବା ବେଳେ କରିମଗଞ୍ଜରୁ ୬ ଜଣ ଏହି ଘଟଣାରେ ପ୍ରାଣ ହରାଇଛନ୍ତି।
ରିପୋର୍ଟ ଅନୁଯାୟୀ କାଚର ଜିଲ୍ଲାର ଜୟପୁରରେ ତାଜିମ ଉଦ୍ଦିନ ଲସ୍କର ଏବଂ ତାଙ୍କର ତିନି ଝିିଅ ଏବଂ ତିନି ପୁଅ ଏହି ଭୂସ୍ଖଳନ ଫଳରେ ଜୀବନ୍ତ ସମାଧି ନେଇଥିଲେ। ତେବେ, ପୁଲିସ ଲାସ୍କରଙ୍କ ପତ୍ନୀ ଏବଂ ଅନ୍ୟ ପୁଅକୁ ଗୁରୁତର ଅବସ୍ଥାରେ ଜୀବନ୍ତ ଉଦ୍ଧାର କରି ଚିକିତ୍ସା ପାଇଁ ସରକାରୀ ଡାକ୍ତରଖାନାକୁ ନେଇଥିଲେ।

Statesman

ସେହିପରି, ହାଇଲାକାଣ୍ଡି ଜିଲ୍ଲାର ଆଲଗାପୁରରେ ହୋଇଥିବା ଦ୍ୱିତୀୟ ଘଟଣାରେ ଦୁଇଟି ପରିବାରର ଚାରିଜଣ ମହିଳାଙ୍କ ସମେତ ଜଣେ ଶିଶୁର ମୃତ୍ୟୁ ଘଟିଛି। କରିମଗଞ୍ଜ ଜିଲ୍ଲାର କାଲିଗଞ୍ଜ ଅଞ୍ଚଳରେ ହୋଇଥିବା ତୃତୀୟ ଘଟଣାରେ ତିନିଜଣ ମହିଳା ଏବଂ ଦୁଇ ଶିଶୁଙ୍କ ସମେତ ଅନ୍ୟ ଜଣଙ୍କର ମୃତ୍ୟୁ ଘଟିଛି।
ଆସାମ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଫୋର୍ସର ଅନେକ ଟିମ୍‌, ସ୍ଥାନୀୟ ଲୋକଙ୍କ ସହାୟତାରେ ପୁଲିସ୍‌ ମୃତଦେହ ସବୁକୁ ଉଦ୍ଧାର କରିବା ସହ ଆହତ ଲୋକମାନଙ୍କୁ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇଥିଲା।
ମୁଖ୍ୟମନ୍ତ୍ରୀ ସରବାନନ୍ଦ ସୋନୋୱାଲ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତକମାନଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ଏବଂ ପ୍ରଭାବିତ ପରିବାରକୁ ସାହାଯ୍ୟ କରିବା ପାଇଁ ସମସ୍ତ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନକୁ କହିଛନ୍ତି। ଏଥିସହ ପୀଡିତଙ୍କ ପରିବାରକୁ ଆର୍ଥିକ ସହାୟତା ମଞ୍ଜୁର କରିବାକୁ ସେ ଜିଲ୍ଲା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର