କେନ୍ଦ୍ରରେ ବସିଥିବା ଲୋକଙ୍କ କଥାକୁ ମୁଁ ଗୁରୁତ୍ବ ଦିଏ ନାହିଁ; ଏଭଳି କହି ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କଲେ ନୀତୀଶ

ନୂଆଦିଲ୍ଲୀ: ଦୁର୍ନୀତିଗ୍ରସ୍ତଙ୍କୁ ବଞ୍ଚାଇବା ପାଇଁ ଜାତୀୟ ରାଜନୀତିରେ ନୂଆ ଧ୍ରୁବୀକରଣ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହି ବିବୃତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି  ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ନୀତୀଶ କୁମାର କହିଛନ୍ତି ଯେ କେନ୍ଦ୍ରରେ କେହି ଜଣେ ଅଛନ୍ତି, ସେ ଯାହା କହନ୍ତି, ମୁଁ ତାଙ୍କ କଥା ପ୍ରତି ଗୁରୁତ୍ବ ଦିଏନାହିଁ। କେବଳ ଏତିକି ନୁହେଁ, ନୀତୀଶ କୁମାର ଏହା ମଧ୍ୟ  କହିଛନ୍ତି ଯେ ସେ ଦୁର୍ନୀତିଗ୍ରସ୍ତଙ୍କୁ ସୁରକ୍ଷା ଦେଉନାହାନ୍ତି। ବରଂ ପ୍ରଧାନମନ୍ତ୍ରୀ ମୋଦୀ ଆମ ରାଜ୍ୟକୁ ଏବଂ ଅନ୍ୟ ରାଜ୍ୟକୁ ଦୁର୍ନୀତିଗ୍ରସ୍ତଙ୍କୁ ଆଣିବା ପାଇଁ କରୁଥିବା କାର୍ଯ୍ୟ ବିଷୟରେ ଚିନ୍ତା କରିବା ଉଚିତ୍।

ପ୍ରଧାନମନ୍ତ୍ରୀ ମୋଦୀ ଗୁରୁବାର କେରଳରେ ପହଞ୍ଚିଥିବା ବେଳେ ମତ ରଖିଥିଲେ ଯେ, ଦେଶରେ ଦୁର୍ନୀତିଗ୍ରସ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେତୁ ଜାତୀୟ ରାଜନୀତିରେ ଏକ ନୂତନ ଧ୍ରୁବୀକରଣ ହୋଇଛି। ଦୁର୍ନୀତି ଅଭିଯୋଗର ସମ୍ମୁଖୀନ ହେଉଥିବା ଲୋକଙ୍କୁ ସୁରକ୍ଷା ଦେବା ପାଇଁ କେତେକ ରାଜନୈତିକ ଦଳ ଖୋଲାଖୋଲି ଭାବେ ଗୋଟିଏ ଦଳରେ ସଂଗଠିତ ହେବାକୁ ଚେଷ୍ଟା କରୁଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ବିବୃତି ଏପରି ଏକ ସମୟରେ ଆସିଛି ଯେତେବେଳେ ବିରୋଧୀ ଦଳ ଦୁର୍ନୀତି ମାମଲାରେ ଅନୁସନ୍ଧାନକାରୀ ସଂସ୍ଥାଗୁଡ଼ିକର କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦୀ ନୀତୀଶ କୁମାରଙ୍କୁ କଥା କଥାରେ ଟାର୍ଗେଟ କରିଥିଲେ। ତେବେ ପ୍ରଧାନମନ୍ତ୍ରୀ ମୋଦୀ କାହାର ନାଁ ନ ନେଇ ନିଜର ମତ ରଖିଥିବା ଦେଖାଯାଇଥିଲା।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏଭଳି ବୟାନକୁ ନେଇ ସାମ୍ବାଦିକମାନେ ନୀତୀଶ କୁମାରଙ୍କୁ ପ୍ରତିକ୍ରିିୟା ମାଗିବା ପରେ ସେ କହିଥିଲେ ‌ଯେ, କେହି ଜଣେ କେନ୍ଦ୍ରରେ ଅଛନ୍ତି। ସବୁବେଳେ କିଛି ନା କିଛି କହୁଛନ୍ତି। ଆମେ ଏଥିପ୍ରତି ଧ୍ୟାନ ଦେଉନାହୁଁ। ସେ ଦୁର୍ନୀତିଗ୍ରସ୍ତଙ୍କୁ ସୁରକ୍ଷା ଦିଆଯାଉଥିବା କଥା କହୁଛନ୍ତି। କିଏ କାହିଁକି ଏଭଳି କରିବ? ସେ ନିଜ ନିଜ କାମ ଦେଖିବା ଉଚିତ୍। ଅନ୍ୟ ରାଜ୍ୟରେ ସେମାନେ କ’ଣ କରୁଛନ୍ତି, ତା’ ଉପରେ ଦୃଷ୍ଟି ଦେବା ଉଚିତ୍। ଆମେ ଆମ ରାଜ୍ୟରେ ଦୁର୍ନୀତିଗ୍ରସ୍ତଙ୍କୁ ସହ୍ୟ କରିବୁ ନାହୁଁ।

ସମ୍ବନ୍ଧିତ ଖବର