ସିବିଆଇକୁ ବିରୋଧ ବଢ଼ୁଛି, ଚାପରେ ବିହାର ସରକାର

ଅନୁମତି ପ୍ରତ୍ୟାହାର କରିପାରେ ବିହାର, ପୂର୍ବରୁ ୯ ରାଜ୍ୟ ଅନୁମତି କାଢ଼ି ନେଇଛନ୍ତି

ନୂଆଦିଲ୍ଲୀ : ବିହାରରେ ରାଜନୈତିକ ପଟ୍ଟ ପରିବର୍ତ୍ତନ ପରେ ସିବିଆଇ ହଠାତ୍ ସକ୍ରିୟ ହେବା ଘଟଣାକୁ ଅସନ୍ତୋଷ ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ସହଯେ‌ାଗୀ ଆରଜେଡିର ନେତାମାନଙ୍କୁ ଟାର୍ଗେଟ୍ କରାଯାଉଛି। ସିବିଆଇକୁ ଅଟକାଇବା ଲାଗି ରାଜ୍ୟ ସରକାର ଏହାର କ୍ଷମତା ପ୍ରୟୋଗ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀଙ୍କ ଉପରେ ଚାପ ପଡ଼ୁଛି। ସିବିଆଇକୁ ତଦନ୍ତ ପାଇଁ ପ୍ରଦାନ କରାଯାଇଥିବା ସାମଗ୍ରିକ ଅନୁମତିକୁ ରାଜ୍ୟ ପ୍ରତ୍ୟାହାର କରିନେବାର ସମ୍ଭାବନା ସୃଷ୍ଟି ହୋଇଛି। ନୀତୀଶ ସରକାର ଏହା କରିଲେ ଦେଶର ୧୦ମ ରାଜ୍ୟ ଭାବେ ବିହାର ଏହି ତାଲିକାରେ ଯୋଡ଼ିହେବ। ନିଜର ରାଜନୈତିକ ଫାଇଦା ପାଇଁ କେନ୍ଦ୍ର ସରକାର ସିବିଆଇର ଦୁୁରୁପଯୋଗ କରୁଛନ୍ତି ବୋଲି ବିହାରର ମହାମେଣ୍ଟ ସରକାର ଅଭିଯୋଗ କରିଛି।

ଆର୍‌ଜେଡିର ଜଣେ ବରିଷ୍ଠ ନେତା ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ନୀତୀଶ ସରକାର ସିବିଆଇକୁ ଦିଆଯାଇଥିବା ଅନୁମତି ପ୍ରତ୍ୟାହାର ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ନିକଟରେ ସିବିଆଇ ଆରଜେଡିର ଏକାଧିକ ନେତାଙ୍କ ଘରେ ଚଢ଼ଉ କରିଥିଲା। ଲାଲୁ ପ୍ରସାଦ ଯାଦବ ରେଳମନ୍ତ୍ରୀ ଥିବାବେଳେ ଏହି ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ବିଧାନସଭାରେ ନୀତୀଶ ଆସ୍ଥା ଭୋଟ ଲୋଡ଼ିବା ଦିନ ହିଁ ଏହି ଚଢ଼ଉ ହୋଇଥିଲା। ବିହାର ସରକାର ସେମାନଙ୍କ ସାମଗ୍ରିକ ଅନୁମତି ପ୍ରତ୍ୟାହାର କରିଲେ ଚାକିରି ପାଇଁ ଦୁର୍ନୀତି ମାମଲାରେ ସିବିଆଇ ତଦନ୍ତ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ। କାରଣ ଏହି ମାମଲା ଦିଲ୍ଲୀରେ ରୁଜୁ ହୋଇଛି।

YouTube

ସୂଚନାଯୋଗ୍ୟ ଯେ ଦେଶବ୍ୟାପୀ ଆତଙ୍କବାଦ ସଂପର୍କିତ ଯେକୌଣସି ମାମଲାର ତଦନ୍ତ ଯେଭଳି ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ) କରିପାରୁଛି ସିବିଆଇର ସେଭଳି ଅଧିକାର ନାହିଁ। ସିବିଆଇ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କ ଅନୁମତିର ଆବଶ୍ୟକତା ରହିଛି। ଦିଲ୍ଲୀ ସ୍ବତନ୍ତ୍ର ପୁଲିସ ପ୍ରତିଷ୍ଠାନ ଆଇନ ୧୯୪୬ର ଧାରା ୬ରେ ଏହି ବ୍ୟବସ୍ଥା ରହିଛି। ଉକ୍ତ ବ୍ୟବସ୍ଥା ଅନୁଯାୟୀ କେତୋଟି ରାଜ୍ୟ କେତୋଟି ନିର୍ଦ୍ଦିଷ୍ଟ ବର୍ଗର ଅପରାଧ ପାଇଁ ସିବିଆଇକୁ ସାମଗ୍ରିକ ଅନୁମତି ପ୍ରଦାନ କରିଛନ୍ତି। ତେବେ ରାଜ୍ୟ ସରକାର ଚାହିଲେ ଏହି ଅନୁମତି ପ୍ରତ୍ୟାହାର ମଧ୍ୟ କରିପାରିବେ। ୨୦୧୫ ମସିହାଠାରୁ ବର୍ତ୍ତମାନ ସୁଦ୍ଧା ୯ଟି ରାଜ୍ୟ ସିବିଆଇକୁ ସାମଗ୍ରିକ ଅନୁମତି ପ୍ରତ୍ୟାହାର କରିନେଇଛନ୍ତି। ‌ସେହି ରାଜ୍ୟଗୁଡ଼ିକ ହେଲେ ମିଜୋରାମ, ପଶ୍ଚିମବଙ୍ଗ, ଛତିଶଗଡ଼, ରାଜସ୍ଥାନ, ମହାରାଷ୍ଟ୍ର, କେରଳ, ଝାଡ଼ଖଣ୍ଡ, ପଞ୍ଜାବ ଏବଂ ମେଘାଳୟ।

ସମ୍ବନ୍ଧିତ ଖବର