ଭୁବନେଶ୍ବରରୁ ନିଖୋଜ ଯୁବକଙ୍କ ମୃତଦେହ ଅସ୍ତରଙ୍ଗରୁ ଉଦ୍ଧାର: ହତ୍ୟା ଅଭିଯୋଗ ଆଣିଲେ ବାପା

ଭୁବନେଶ୍ବର: କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଗଡ଼ବାନ୍ଧଗୋଡ଼ା ପଞ୍ଚାୟତ ବହୁଗଡ଼ିଆ ଗ୍ରାମର ଭାଗୀରଥି ପୃଷ୍ଟିଙ୍କ ପୁଅ ଶୁଭାଶିଷ (୩୨) ଗତ ୨୬ ତାରିଖରେ ଭୁବନେଶ୍ବରରୁ ନିଖୋଜ ହୋଇଯାଇଥିଲେ। ଆଜି ତାଙ୍କ ମୃତଦେହ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ୍‌ ଅସନଗାଁ ନିକଟ ଦେବୀନଦୀରୁ ଉଦ୍ଧାର ହୋଇଛି।

ପ୍ରାପ୍ତ ସୂଚନା ଅନୁସା‌ରେ, ଶୁଭାଶିଷ ଭୁବନେଶ୍ବରର ମଞ୍ଚେଶ୍ବରସ୍ଥିତ ଏଚ୍‌ଡିବି ବ୍ୟାଙ୍କ ଶାଖାରେ ସେଲ୍‌ସ ଅଫିସ ଭାବେ କାର୍ଯ୍ୟ କରୁଥିଲେ। ପଳାଶୁଣିଠାରେ ଦୁଇଜଣରେ ଦୁଇଜଣ ସାଙ୍ଗଙ୍କ ସହ ଘରଭଡ଼ା ନେଇ ରହୁଥିଲେ। ଗତ ୨୬ ତାରିଖରୁ ତାଙ୍କ ଫୋନ୍‌ ସୁଇଚ୍‌ ଅଫ୍‌ ହୋଇଯିବା ସହ ସେ ହଠାତ୍‌ ନିଖୋଜ ହୋଇଯାଇଥିଲେ। ପୁଅ ସହ ଯୋଗାଯୋଗ ନ ହୋଇପାରିବାରୁ ବାପା ଭାଗୀରଥି ଭୁବନେଶ୍ବର ଯାଇ ଖୋଜାଖୋଜି କରିଥିଲେ। ଶୁଭାଶିଷଙ୍କ କୌଣସି ସନ୍ଧାନ ନ ମିଳିବ‌ାରୁ ମ‌ଞ୍ଚେଶ୍ବର ଥାନାରେ ଅଭିଯୋଗ କରିଥିଲେ। ଆଜି ଅସ୍ତରଙ୍ଗ ବ୍ଲକ୍‌ ଅସନଗାଁ ନିକଟ ଦେବୀନଦୀରୁ ଜଣେ ଯୁବକ ଗଳିତ ମୃତଦେହ ଉଦ୍ଧାର କରାଯାଇଥିଲା। ମଞ୍ଚେଶ୍ବର ପୁଲିସ ଏନେଇ ଶୁଭାଶିଷଙ୍କ ବାପା ଭାଗୀରଥିଙ୍କୁ ସୂଚନା ଦେଇଥିଲେ। ଭାଗୀରଥି ସେଠାରେ ପହଞ୍ଚି ଶବ ଚିହ୍ନଟ କରିଛନ୍ତି।

ଭାଗୀରଥିଙ୍କ କହିବା ଅନୁସାରେ, ୪ ବର୍ଷ ତଳେ ମଙ୍ଗଳପୁର ଥାନା ପାରିପଦା ଗ୍ରାମର ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ବୋହୂ ଏଏନ୍‌ଏମ୍‌ ଭାବେ କଟକରେ କାର୍ଯ୍ୟ କରୁଛନ୍ତି। ଟଙ୍କାକୁ ନେଇ ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ ମନୋମାଳିନ୍ୟ ଥିଲା। ଏପରିକି ଶ୍ବଶୁରଘର ଲୋକେ ମଧ୍ୟ ଶୁଭାଶିଷଙ୍କୁ ନିର୍ଯାତନା ଦେଉଥିଲେ ବୋଲି ଭାଗୀରଥି ଅଭିଯୋଗ କରିଛନ୍ତି। ୨୬ ତାରିଖ ସାଢ଼େ ୧୧ଟା ପର୍ଯ୍ୟନ୍ତ ସେ ପୁଅ ସହ କଥା ହୋଇଥିଲେ। ଅପରାହ୍‌ଣ ସାଢ଼େ ୨ଟା ପରଠାରୁ ତାଙ୍କ ମୋବାଇଲ୍‌ ‌ସ୍ବିଚ୍‌ ଅଫ୍‌ ହୋଇଯିବା ସହ ଯୋଗଯୋଗ ହୋଇପାରି ନଥିଲା। ଶୁଭାଶିଷଙ୍କ ଶରୀ‌ରରେ ଏକାଧିକ କଟା ଚିହ୍ନ ରହିଛି। ଶ୍ବଶୁର ଘର ଲୋକେ ପୁଅକୁ ହତ୍ୟା କରି ଦେବୀନଦୀରେ ଫିଙ୍ଗି ଦେଇଥିବା ଭାଗୀରଥି ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର