ରାଣା ଦମ୍ପତିଙ୍କ ଘର ଉପରେ ଚାଲିବ କି ବୁଲଡୋଜର? ବେଆଇନ ନିର୍ମାଣ ନେଇ ମିଳିଲା ପ୍ରମାଣ

ମୁମ୍ବାଇ: ବିଏମସି ଆଜି ପୁଣିଥରେ ଅମରାବତୀର ସ୍ୱାଧୀନ ସାଂସଦ ନବନୀତ୍ ରାଣା ଏବଂ ତାଙ୍କ ସ୍ୱାମୀ ରବି ରାଣାଙ୍କୁ ନୋଟିସ ଜାରି କରିଛି। ବେଆଇନ ନିର୍ମାଣ ନେଇ ସୂଚନା ମିଳିବା ପରେ ବିଏମସି ରାଣା ଦମ୍ପତିଙ୍କ ଘରେ ପହଞ୍ଚିଥିଲା। ଯାଞ୍ଚ ପରେ ବିଏମସି ଟିମ ରାଣା ଦମ୍ପତିଙ୍କ ଘରେ ବେଆଇନ ନିର୍ମାଣ ହୋଇଥିବା ପ୍ରମାଣ ପାଇଛି। ପ୍ରମାଣ ମିଳିବା ପରେ ଏହାକୁ ନେଇ ବିଏମସି ଆଗାମୀ ପଦକ୍ଷେପ ପାଇଁ ନୋଟିସ ଜାରି କରିଥିବା ଜଣାପଡ଼ିଛି।

ବିଏମସି ଅନୁସନ୍ଧାନ କରିବା ପରେ ଜଣାପଡ଼ିଛି ଯେ, ଲିଫ୍ଟର ପାସକୁ ରାଣା ଦମ୍ପତି ଶୌଚାଳୟରେ ପରିଣତ କରିଥିବା ବେଳେ ପୂଜା ଘର ଏବଂ ରୋଷେଇ ଘରକୁ ମିଶାଇ ଲିଭିଙ୍ଗ ରୁମ୍ କରିଛନ୍ତି। ଲବିକୁ ଫ୍ଲାଟ ଭିତରେ ଯୋଡ଼ି ଦିଆଯାଇଥିବା ସହ ଛାତର ଏକ ଅଂଶ ଶୋଇବା ଘର ସହିତ ଯୋଡ଼ାଯାଇଛି। ଏଭଳି କରାଯାଇଥିବା ନେଇ ଯାଞ୍ଚରୁ ଜଣାପଡ଼ିବା ପରେ ବିଏମସି ଆଗକୁ କ’ଣ ପଦକ୍ଷେପ ନେବ, ଏ‌ବେ ତାହା ଉପରେ ସମସ୍ତଙ୍କ ନଜର।

ଉଲ୍ଲେଖଯୋଗ୍ୟ, ଅମରାବତୀର ସ୍ବାଧୀନ ସାଂସଦ ନବନୀତ ରାଣା ଓ ତାଙ୍କ ବିଧାୟକ ସ୍ବାମୀ ରବି ରାଣାଙ୍କୁ ଏପ୍ରିଲ୍‌ ୨୩ ତାରିଖ ଦିନ ଖାର୍‌ ଥାନା ପୁଲିସ ଗିରଫ କରିଥି‌ଲା। ସେମାନେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ବ୍ୟକ୍ତିଗତ ବାସଭବନ ସମ୍ମୁଖରେ ହନୁମାନ ଚାଳିଶା ପାଠ କରିବେ ବୋଲି ଘୋଷଣା କରିଥିଲେ। ଏଥିଯୋଗୁଁ ସଦ୍‌ଭାବନା ଉଲ୍ଲଂଘନ ହେବା ଓ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କା କରି ପୁଲିସ ଏଭଳି ପଦକ୍ଷେପ ଗ୍ରହଣ କରିଥିଲା। ଜାମିନ ପାଇଁ ଆଡ୍‌ଭୋକେଟ୍‌ ରିଜ୍‌ୱାନ୍‌ ମର୍ଚାଣ୍ଟ୍‌ଙ୍କ ଜରିଆରେ ଏପ୍ରିଲ୍‌ ୨୫ ତାରିଖରେ ସାଂସଦ-ବିଧାୟକ ଦମ୍ପତି ସେସନ୍‌ କୋର୍ଟରେ ଆବେଦନ କରିଥିଲେ। ମେ’ ୪ରେ ଦୁହିଁଙ୍କୁ ଜାମିନ ମିଳିବା ପରେ ୫ରେ ଦୁହେଁ ଜେଲରୁ ମୁକୁଳିଥିଲେ।

ସମ୍ବନ୍ଧିତ ଖବର