ନିଶା ସେବନ କରିଥିବାରୁ ୯ ପାଇଲଟ ଓ ୩୨ କ୍ରୁ ମେମ୍ବରଙ୍କୁ ସସ୍ପେଣ୍ଡ କଲା ଡ଼ିଜିସିଏ

ନୂଆଦିଲ୍ଲୀ: ଡ଼ିଜିସିଏ ବା ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ ୪୧ଜଣ ଏୟାରଲାଇନ୍ସ କ୍ରୁ ସଦସ୍ୟଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ୧ ଜାନୁୟାରୀ ୨୦୨୨ ରୁ ୩୦ ଏପ୍ରିଲ ମଧ୍ୟରେ, ୩୨ ଜଣ କ୍ୟାବିନ କ୍ରୁ ମେମ୍ବର ଏବଂ ୯ ଜଣ ପାଇଲଟଙ୍କର ପରୀକ୍ଷା(ବ୍ରିଦ ଅନଲାଇଜର ଟେଷ୍ଟ) କରାଯାଇଥିଲା | ଆଉ ଏମାନେ ନିଶାସକ୍ତ ଥିବା ଜଣାପଡିଥିଲା । ଏହି ଘଟଣା ପରେ ଡିଜିସିଏ ସମସ୍ତଙ୍କୁ ନିଲମ୍ବିତ କରିଛି | ଏହା ବ୍ୟତୀତ ଅନ୍ୟ ୭ ଜଣ କ୍ରୁ ସଦସ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସେମାନେ ପରୀକ୍ଷାରେ ହାଜର ହୋଇନଥିଲେ।

ଡିଜିସିଏ ଏକ ବିବୃତ୍ତି ଜାରି କରି କହିଛି ଯେ ଏଥିମଧ୍ୟରୁ ଦୁଇଜଣ ପାଇଲଟ୍ ଏବଂ ଦୁଇ ଜଣ କ୍ୟାବିନ କ୍ରୁ ଦ୍ୱିତୀୟ ଥର ପଜିଟିଭ୍ ଥିବାରୁ ତିନି ବର୍ଷ ପାଇଁ ନିଲମ୍ବିତ କରାଯାଇଛି। ଏହା ବ୍ୟତୀତ ଅନ୍ୟ ୩୭ ଜଣ କ୍ରୁ ସଦସ୍ୟଙ୍କୁ ତିନିମାସ ପାଇଁ ନିଲମ୍ବିତ କରାଯାଇଛି | ସୂଚନା ଥାଉ କି ଚାରିମାସ ମଧ୍ୟରେ, ଡ଼ିଜିସିଏ ୪୮ ଥର ଏପରି ପଦକ୍ଷେପ ନେଇଛି | କ୍ରୁ ସଦସ୍ୟମାନେ ଯେଭଳି ମଦ୍ୟପାନ କରିବେ ନାହିଁ ସେନେଇ ଡ଼ିଜିସିଏ କଡା ଧ୍ୟାନ ଦେଉଛି |

ଏହା ପୂର୍ବରୁ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ୯୦ ଜଣ ସ୍ପାଇସ୍‌ଜେଟ୍ ପାଇଲଟଙ୍କୁ ବୋଇଂ ୭୩୭ ମାକ୍ସ ଉଡ଼ାଣ ପାଇଁ ଅଯୋଗ୍ୟ ଘୋଷଣା କରିବା ସହ ସେମାନଙ୍କୁ ପୁନର୍ବାର ତାଲିମ ନେବାକୁ ପରାମର୍ଶ ଦେଇଥିଲା । ଡିଜିସିଏ ମୁଖ୍ୟ ଅରୁଣ କୁମାର କହିଥିଲେ ଯେ ଉକ୍ତ ପାଇଲଟ୍‌ମାନଙ୍କୁ ସମ୍ପୂର୍ଣ୍ଣ ଦକ୍ଷ ହେବା ପାଇଁ ଆହୁରି ତାଲିମ ନେବା ଆବଶ୍ୟକତା ରହିଛି। ତାଲିମ ପରେ ଉପଯୁକ୍ତ ବିବେଚିତ ହେଲେ ସେମାନଙ୍କୁ ପୁଣି ବୋଇଂ ୭୩୭ ମାକ୍ସ ଉଡ଼ାଇବା ପାଇଁ ଅନୁମତି ମିଳିବ।

ସମ୍ବନ୍ଧିତ ଖବର