ବିନା ଟେଣ୍ଡରରେ ‌ମୋର୍ବି ଝୁଲାପୋଲର ମରାମତି

କମ୍ପାନି କହିଥିଲା ପୋଲ ୧୦ ବର୍ଷ ଠିକ୍‌ଠାକ୍‌ ରହିବ

ଗାନ୍ଧୀନଗର : ମୋର୍ବି ଝୁଲାପୋଲର ମରାମତି କାର୍ଯ୍ୟ ବିନା ଟେଣ୍ଡରରେ ହୋଇଥିଲା। ‌ମ୍ୟୁନିସିପାଲିଟି ସହିତ କମ୍ପାନି ରାଜିନାମା କରି ଏହି କାର୍ଯ୍ୟ ହାତେଇଥିଲେ। ପୋଲର କେତେକ ପୁରୁଣା ତାର ନବୀକରଣ ପରେ ମଧ୍ୟ ବଦଳି ନଥିଲା। ପୋଲରେ ଅଧିକ ସଂଖ୍ୟକ ଲୋକ ଚଢ଼ିଯିବାରୁ ତାହା ଭୁଶୁଡ଼ି ପଡ଼ିଥିଲା। ଏହି ମାମଲାରେ ପୁଲିସ ଏଫଆଇଆର ରୁଜୁ କରିବା ପରେ ୯ ଜଣ ଗିରଫ ହୋଇଛନ୍ତି। ‌ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ଓରେଭା କମ୍ପାନିର ମ୍ୟାନେଜର, ଟିକେଟ କଲେକ୍ଟର, ପୋଲ ମରାମତି ଠିକାଦାର ଏବଂ ଭିଡ଼ ନିୟନ୍ତ୍ରଣ ଦାୟିତ୍ବ ସଂପାଦନ କରୁଥିବା ୩ ଜଣ ସୁରକ୍ଷାକର୍ମୀ ରହିଛନ୍ତି। ଝୁଲାପୋଲର ଦୁଇପଟେ ଥିବା ବ୍ୟକ୍ତିମାନେ ପୋଲ ଭାଙ୍ଗିଯିବା ପରେ କଠିନ ଚଟାଣରେ ଖସିପଡ଼ି ମୃତ୍ୟୁବରଣ କରିଥିଲେ। ଅନ୍ୟମାନେ ପାଣି ଭିତରକୁ ଖସିପଡ଼ି ବୁଡ଼ି ଯାଇଥିଲେ।

କମ୍ପାନି କହିଥିଲା ପୋଲ ୧୦ ବର୍ଷ ଠିକ୍‌ଠାକ୍‌ ରହିବ

ନୂଆଦିଲ୍ଲୀ : ଗୁଜରାଟର ମୋର୍ବିଠାରେ ଗତକାଲି ଯେଉଁ ୧୫୦ ବର୍ଷର ପୁରୁଣା ପୋଲ ଭୁଶୁଡ଼ି ପ୍ରାୟ ୧୫୦ ଲୋକଙ୍କର ଜୀବନ ଯାଇଛି, ଉକ୍ତ ପୋଲ ମରାମତି କରିଥିବା ଠିକାସଂସ୍ଥା କହିଥିଲା ଯେ ପୋଲର ଶତପ୍ରତିଶତ ନବୀକାରଣ କରାଯାଇଛି, ଏହା ୮-୧୦ ବର୍ଷ ଠିକ୍‌ ରହିବ ଏବଂ ଲୋକମାନେ ଆରାମରେ ‘କେୟାରଫ୍ରି ଆଡ୍‌ଭେଞ୍ଚର୍‌’ର ମଜା ନେଇପାରିବେ। ୭ ମାସ ଧରି ପୋଲର ନବୀକରଣ କାର୍ଯ୍ୟ କରିବା ପରେ ଏବଂ ପୋଲଟି ସର୍ବସାଧାରଣଙ୍କ ପାଇଁ ଆନୁଷ୍ଠାନିକ ଭାବେ ଖୋଲାଯିବା ପୂର୍ବରୁ ଅକ୍ଟୋବର ୨୪ରେ ଏକ ସାମ୍ବାଦିକ ସମ୍ମିଳନୀରେ ଓରେଭା ଗ୍ରୁପ୍‌ର ପରିଚାଳନା ନିର୍ଦ୍ଦେଶକ ଜୟସୁଖଭାଇ ପଟେଲ ଏହା କହିଥିଲେ। ସେ ପୁଣି କହିଥିଲେ, ଯଦି ଲୋକମାନେ ଯତ୍ନଶୀଳ ହେବେ, କ୍ଷତି ନ କରିବେ, ତେବେ ପୋଲଟି ୧୫ ବର୍ଷ ଯାଏ ଟେକିବ। ମାତ୍ର ୨ କୋଟି ଟଙ୍କାରେ ପୋଲର ୧୦୦ ପ୍ରତିଶତ ନବୀକରଣ କରାଯାଇଛି ବୋଲି ସେ କହିଥିଲେ। ପୋଲ ଉପରେ ଅଧିକ ଲୋକ ଚଢ଼ିବାକୁ ନିୟନ୍ତ୍ରିତ କରିବା ପାଇଁ ସେ ଟିକେଟ ବ୍ୟବସ୍ଥା କରିବାକୁ ମଧ୍ୟ ପରାମର୍ଶ ଦେଇଥିଲେ।

ସମ୍ବନ୍ଧିତ ଖବର