୨୩ ବର୍ଷରୁ କମ୍‌ ଜାତୀୟ ଦୌଡ଼କୁଦ, ଶେଷ ଦିନରେ ଓଡ଼ିଶାକୁ ୩ ପଦକ

କଟକ: ଛତିଶଗଡ଼ର ବିଳାସପୁରଠାରେ ଆୟୋଜିତ ୨୩ ବର୍ଷରୁ କମ୍‌ ଜାତୀୟ ଦୌଡ଼କୁଦ ପ୍ରତିଯୋଗିତାର ଶେଷ ଦିନରେ ଓଡ଼ିଶାକୁ ଗୋଟିଏ ଲେଖାଏଁ ସ୍ବର୍ଣ୍ଣ, ‌ରୌପ୍ୟ ଓ କାଂସ୍ୟ ସହ ମୋଟ ୩ଟି ପଦକ ମିଳିଛି। ମହିଳା ୪୦୦ ମିଟର ବାଧା ଦୌଡ଼ରେ ପ୍ରଜ୍ଞା ପ୍ରଶାନ୍ତି (୧:୦୦.୨୮) ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଏଥିରେ ତାମିଲନାଡୁର ଓଲିମ୍ବା ଷ୍ଟେଫି (୧:୧.୧୭) ରୌପ୍ୟ, କେରଳର ଡେଲିନା ଫିଲ୍‌ପ (୧:୧.୬୧) କାଂସ୍ୟ ପଦକ ହାସଲ କରିଥିଲେ। ପୁରୁଷ ଉଚ୍ଚ ଡିଆଁରେ ଓଡ଼ିଶାର ସ୍ବାଧୀନ କୁମାର ମାଝୀ (୨.୧୦ ମିଟର) ରୌପ୍ୟ ପଦକ ହାସଲ କରିଥିଲେ।

ଏଥିରେ ମଧ୍ୟପ୍ରଦେଶର କୌସ୍ତୁବ ଜୟସ୍ବାଲ (୨.୧୩ ମିଟର) ସ୍ବର୍ଣ୍ଣ ଏବଂ ପଶ୍ଚିମବଙ୍ଗର ଉଜ୍ଜଲ ରଏ (୨.୦୫ ମିଟର) କାଂସ୍ୟ ପଦକ ଜିତିଥିଲେ। ମହିଳା ଲମ୍ବ ଡିଆଁରେ ଓଡ଼ିଶାର ମନୀଷ ମେରଲ (୫.୯୪ ମିଟର) କାଂସ୍ୟ ପଦକ ପାଇଥିଲେ। ଏହି ଇଭେଣ୍ଟରେ କେରଳର ପ୍ରଭାବତୀ ପିଏସ୍‌ (୬.୦୩ ମିଟର) ସ୍ବର୍ଣ୍ଣ ଏବଂ ଆସାମର ଅମ୍ବିକା ନାଜାରି (୫.୯୪ ମିଟର) ରୌପ୍ୟ ପଦକ କରାୟତ୍ତ କରିଥିଲେ। ଏହି ପ୍ରତିଯୋଗିତାରେ ଓଡ଼ିଶାରୁ ୧୧ ଜଣ ଖେଳାଳି ଭାଗ ନେଇଥିଲେ। ସମସ୍ତ ପଦକଧାରୀଙ୍କୁ ଓଡ଼ିଶା ଦୌଡ଼କୁଦ ସଂଘର ସମ୍ପାଦକ ଆଶୀର୍ବାଦ ବେହେରା ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର