ନାରାୟଣଗଡ଼-ଭଦ୍ରକ ତୃତୀୟ ରେଳଲାଇନକୁ କ୍ୟାବିନେଟ ମଞ୍ଜୁରି : ଆନୁମାନିକ ବ୍ୟୟ ୧,୮୬୬.୩୧ କୋଟି, ୨୦୨୩-୨୪ ସୁଦ୍ଧା ସମ୍ପୂର୍ଣ୍ଣ ହେବ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିଇଏ) ବୈଠକରେ ପଶ୍ଚିମବଙ୍ଗର ନାରାୟଣଗଡ଼ ଏବଂ ଓଡ଼ିଶାର ଭଦ୍ରକ ମଧ୍ୟରେ ୧୫୫ କିମି ବିଶିଷ୍ଟ ତୃତୀୟ ରେଳଲାଇନ ନିର୍ମାଣକୁ ମଞ୍ଜୁରି ମିଳିଛି। ଏଥିପାଇଁ ମୋଟ ୧,୮୬୬. ୩୧ କୋଟି ଟଙ୍କା ବ୍ୟୟ କରାଯିବ ଏବଂ ୨୦୨୩-୨୪ ସୁଦ୍ଧା ଏହାର କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ଲାଗି ଲକ୍ଷ୍ୟ ରଖାଯାଇଛି। ଏହି ତୃତୀୟ ଲାଇନ ନିର୍ମାଣ ଦ୍ୱାରା ବର୍ତ୍ତମାନର ପରିବହନ କ୍ଷମତା ସହିତ ଅତିରିକ୍ତ ଯାତ୍ରୀ ତଥା ମାଲ ପରିବହନ କ୍ଷମତା ବୃଦ୍ଧି ପାଇବ।

ସୂଚନାଥାଉ କି, ଇସ୍ପାତ କାରଖାନାଗୁଡ଼ିକୁ ଜାଳେଣି କୋଇଲା ଏବଂ ଚକ୍ରଧରପୁର କ୍ଷେତ୍ରରୁ ବନ୍ଦରଗୁଡ଼ିକ ପର୍ଯ୍ୟନ୍ତ ରପ୍ତାନି ଲାଗି ଖଣିଜ ପଥର ପରିବହନ ନିମନ୍ତେ ବ୍ୟସ୍ତବହୁଳ ନାରାୟଣଗଡ଼ ଏବଂ ଭଦ୍ରକ ରେଳଲାଇନର ଉପଯୋଗ ହୋଇଥାଏ। ଏହି କାରଣରୁ ତୃତୀୟ ଲାଇନ କୋଇଲା ପରିବହନକୁ ସହଜ କରିବାରେ ସହାୟକ ହେବ। ଏହାଦ୍ୱାରା ଇସ୍ପାତ କାରଖାନା, ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ସହିତ ରପ୍ତାନି ଉଦ୍ୟୋଗଗୁଡ଼ିକୁ ସହାୟତା ମିଳିପାରିବ। ଓଡ଼ିଶା ଏବଂ ପଶ୍ଚିମବଙ୍ଗ ସମେତ ସମଗ୍ର ପୂର୍ବ ଭାରତର ଅର୍ଥବ୍ୟବସ୍ଥାର ଅଭିବୃଦ୍ଧିକୁ ପ୍ରୋତ୍ସାହନ ମଧ୍ୟ ମିଳିବ। ଏହି ପ୍ରକଳ୍ପ ନିର୍ମାଣ ସମୟରେ ପାଖାପାଖି ୩୭.୨ ଲକ୍ଷ ମାନବ ଦିବସ ସୃଷ୍ଟିରେ ସହାୟତା ମିଳିପାରିବ ଏବଂ ପରୋକ୍ଷ ଭାବେ ମଧ୍ୟ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ସମ୍ବନ୍ଧିତ ଖବର