ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାର ସମେତ ବହୁ ଆତଙ୍କବାଦୀଙ୍କ ଆଶ୍ରୟସ୍ଥଳୀ କାନାଡ଼ା

ଚଣ୍ଡୀଗଡ଼: କାନାଡା ମାଟିରୁ ସତିନ୍ଦରଜିତ୍ ସିଂହ ଓରଫ ଗୋଲ୍ଡି ବ୍ରାର, ଅର୍ଶଦୀପ ସିଂହ ଓରଫ ଅର୍ଶ ଡାଲା ଏବଂ ଲଖବୀର ସିଂହ ସାନ୍ଧୁ ଓରଫ ଲାଣ୍ଡା ସମେତ ଅନେକ ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ଓ ଆତଙ୍କବାଦୀ ଭାରତ ବିରୋଧରେ ସକ୍ରିୟ ଅଛନ୍ତି। ପଞ୍ଜାବ ପୁଲିସର ଅନୁରୋଧ କ୍ରମେ ଇଣ୍ଟରପୋଲ୍ ବ୍ରାର ଓ ଡାଲା ବିରୋଧରେ ରେଡ୍ କର୍ଣର ନୋଟିସ୍ (ଆରସିଏନ୍) ଜାରି କରିସାରିଛି ଏବଂ ଲାଣ୍ଡା ବିରୋଧରେ ଏହା ଜାରି କରିବା ପ୍ରକ୍ରିୟା ଚାଲିଛି। ମୁକ୍ତସର ସାହିବର ମୂଳ ବାସିନ୍ଦା ବ୍ରାର ୨୦୧୭ ମସିହାରେ ଛାତ୍ର ଭିସାରେ କାନାଡା ଆସିଥିଲା। ସେ ଦୁର୍ଦ୍ଦାନ୍ତ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟ ଥିଲା ଏବଂ ଅନେକ ଆତଙ୍କବାଦୀ କାର୍ଯ୍ୟକଳାପ ତଥା ଦାଦାବଟି ଆଦାୟରେ ସମ୍ପୃକ୍ତ ଥିଲା। ଗତବର୍ଷ ମେ ୨୯ ତାରିଖରେ ମନସା ଜିଲ୍ଲାର ଜବାହରକେ ଗ୍ରାମରେ ପଞ୍ଜାବୀ ଗାୟକରୁ ରାଜନେତା ପାଲଟିଥିବା ଶୁଭଦୀପ ସିଂହ ସିଦ୍ଧୁ ଓରଫ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପାଇଁ ବ୍ରାର ନିଜକୁ ଦାୟୀ କରିଥିଲା। ଗତବର୍ଷ ନଭେମ୍ବରରେ କୋଟକାପୁରାରେ ସିରସା ଡେରା ଅନୁଗାମୀ ତଥା ବରଗାରୀ ଈଶନିନ୍ଦା (ଶ୍ରୀଗୁରୁଗ୍ରନ୍ଥସାହିବଙ୍କୁ ନିନ୍ଦା) ମାମଲାର ଅଭିଯୁକ୍ତ ପ୍ରଦୀପ ଶର୍ମାଙ୍କ ହତ୍ୟାକାଣ୍ଡ ପାଇଁ ମଧ୍ୟ ବ୍ରାର ନିଜକୁ ଦାୟୀ କରିଥିଲା। ଇଣ୍ଟରପୋଲ ଗତବର୍ଷ ଜୁଲାଇ ୯ରେ ବ୍ରାର ବିରୋଧରେ ଆରସିଏନ୍ ଜାରି କରିଥିଲା।

କେଟିଏଫ୍ ମୁଖ୍ୟ ହରଦୀପ ସିଂହ ନିଜାରର ସହଯୋଗୀ ତଥା ଗ୍ୟାଙ୍ଗଷ୍ଟରରୁ ଆତଙ୍କବାଦୀ ପାଲଟିଥିବା ମୋଗା ବାସିନ୍ଦା ଡାଲା ପଞ୍ଜାବର ବିଭିନ୍ନ ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିଲା। ପଞ୍ଜାବ ପୁଲିସ ଡାଲାର ଅନେକ ଘନିଷ୍ଠ ସହଯୋଗୀଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ବିସ୍ଫୋରକ ସାମଗ୍ରୀ, ହ୍ୟାଣ୍ଡ ଗ୍ରେନେଡ୍ ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଜବତ କରିଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଚଳିତ ବର୍ଷ ଏନ୍‌ଆଇଏର ସୁପାରିସ କ୍ରମେ ଡାଲାକୁ ଆତଙ୍କବାଦୀ ଘୋଷଣା କରିଥିଲା ଏବଂ ଇଣ୍ଟରପୋଲ ଗତବର୍ଷ ଆର୍‌ସିଏନ ଜାରି କରିଥିଲା। ଚଳିତ ବର୍ଷ ଫେବ୍ରୁଆରିରେ ଏନ୍‌ଆଇଏ ଲାଣ୍ଡାକୁ ଧରାଇଦେବା ପାଇଁ ୧୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା। ତରଣତାରଣ ଜିଲ୍ଲାର ହରିକେର ମୂଳ ବାସିନ୍ଦା ଲାଣ୍ଡା ଏବେ କାନାଡାର ଆଲବର୍ଟାର ଏଡମଣ୍ଟନରେ ବସବାସ କରୁଛି। ଏନ୍‌ଆଇଏ ୨୦୨୨ରେ ଲାଣ୍ଡା ବିରୋଧରେ ଦିଲ୍ଲୀରେ ୟୁଏପିଏ ଅଧୀନରେ ଏକ ମାମଲା ରୁଜୁ କରିଥିଲା। ଗତବର୍ଷ ମେ ୯ ତାରିଖରେ ମୋହାଲିସ୍ଥିତ ପଞ୍ଜାବ ପୁଲିସ ଗୁଇନ୍ଦା ମୁଖ୍ୟାଳୟରେ ହୋଇଥିବା ଆର୍‌ପିଜି ଆକ୍ରମଣ ପାଇଁ ଏନ୍‌ଆଇଏ ତାକୁ ଖୋଜୁଛି। ପଞ୍ଜାବ ପୁଲିସର ଅନୁରୋଧ କ୍ରମେ ଇଣ୍ଟରପୋଲ୍ ସୁରେରେ ରହୁଥିବା ଭାରତବିରୋଧୀ ଆତଙ୍କବାଦୀ ମାଲକିତ ସିଂହ ଓରଫ ଫୌଜି, କାନାଡାର ହାମିଲଟନରେ ରହୁଥିବା ଗୁରଜିନ୍ଦର ସିଂହ ପନ୍ନୁ, ଅଣ୍ଟାରିଓ ପ୍ରଦେଶର ବ୍ରାମ୍ପଟନ୍ ସହରରେ ରହୁଥିବା ଗୁରପ୍ରୀତ ସିଂହ, ବ୍ରାମ୍ପଟନ୍ ଓ ଟରୋଣ୍ଟୋରେ ରହୁଥିବା ଗୁରଜିତ୍ ସିଂହ ଚିମା ଏବଂ ଟରଣ୍ଟୋରେ ରହୁଥିବା ତେହଲ ସିଂହ ବିରୋଧରେ ଆରସିଏନ୍ ଜାରି କରିସାରିଛି।

ନିଜାର ହତ୍ୟା ମାମଲାରେ କାନାଡ଼ାର ଅଭିଯୋଗକୁ ପାକିସ୍ତାନର ସମର୍ଥନ ଝାଡ଼ିଲା କୁଲଭୂଷଣ ଯାଦବ ବାଲା ରାଗ

ଇସଲାମାବାଦ: ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜାର ହତ୍ୟାକୁ ନେଇ ଭାରତ ଓ କାନାଡା ମଧ୍ୟରେ ଚାଲିଥିବା ବିବାଦରୁ ଫାଇଦା ନେବାକୁ ଚେଷ୍ଟା କରିଛି ପାକିସ୍ତାନ। ପାକିସ୍ତାନ ବୈଦେଶିକ ସଚିବ ସାଇରସ କାଜି କୁଳଭୂଷଣ ଯାଦବଙ୍କ ପ୍ରସଙ୍ଗକୁ ଦୋହରାଇ କହିଛନ୍ତି ଯେ, କାନାଡାର ଏହି ଖୁଲାସାରେ ସେ ଆଶ୍ଚର୍ଯ୍ୟ ହୋଇନାହାନ୍ତି। ଜାତିସଂଘ ସାଧାରଣ ପରିଷଦ ଅଧିବେଶନରେ ଯୋଗ ଦେବା ପାଇଁ ନ୍ୟୁୟର୍କରେ ପହଞ୍ଚିଥିବା କାଜି ଭାରତ ବିରୋଧରେ ଆତଙ୍କବାଦର ଭିତ୍ତିହୀନ ଅଭିଯୋଗ ଆଣିଛନ୍ତି। ସେ ଦାବି କରିଛନ୍ତି ଯେ, ପାକିସ୍ତାନ ଭାରତୀୟ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କୁ ବେଲୁଚିସ୍ତାନରୁ ଗିରଫ କରିଥିଲା।

କୁଳଭୂଷଣ ଯାଦବଙ୍କୁ ଗୁଇନ୍ଦାଗିରି ଅଭିଯୋଗରେ ପାକିସ୍ତାନର ଏକ ଅଦାଲତ ମୃତ୍ୟୁଦଣ୍ଡାଦେଶ ଶୁଣାଇଛନ୍ତି। ଖଲିସ୍ତାନୀଙ୍କ ସମର୍ଥକ କାନାଡା ପ୍ରଧାନମନ୍ତ୍ରୀ ତାଙ୍କ ଅଭିଯୋଗକୁ ସମର୍ଥନ କରିବା ପାଇଁ କୌଣସି ପ୍ରମାଣ ଦେଇ ନ ଥିଲେ ମଧ୍ୟ ଏଥିରେ କିଛି ସତ୍ୟତା ରହିଛି ବୋଲି ପାକିସ୍ତାନ ବୈଦେଶିକ ସଚିବ ଦାବି କରିଛନ୍ତି। କାଜି କହିଛନ୍ତି ଯେ, କୁଳଭୂଷଣ ଯାଦବ ପାକିସ୍ତାନକୁ ଅସ୍ଥିର କରିବାରେ ଲିପ୍ତ ଥିଲେ। ଲସ୍କରକୁ ପୋଷୁଥିବା ପାକିସ୍ତାନ କାଶ୍ମୀରକୁ ନେଇ ମଧ୍ୟ ବିଷ ଉଗାଳିବା ସହ ଭାରତ ଆତଙ୍କବାଦର ପ୍ରଚାର କରୁଛି ବୋଲି ଭିତ୍ତିହୀନ ଅଭିଯୋଗ କରିଛନ୍ତି।

ଏହାର ଦିନକ ପୂର୍ବରୁ ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଭାରତ ଉପରେ ବିଷାକ୍ତ ଆକ୍ରମଣ କରିଥିଲେ। ଭାରତକୁ ଏକ ହିନ୍ଦୁ ଓ ଆତଙ୍କବାଦୀ ରାଷ୍ଟ୍ର ଭାବେ ଗ୍ରହଣ କରିବାକୁ ସେ ଅନ୍ତର୍ଜାତୀୟ ସମୁଦାୟକୁ ଅନୁରୋଧ କରିଥିଲେ। ଟ୍ରୁଡୋଙ୍କ ବୟାନ ଏକ ବଡ଼ ଅଭିଯୋଗ। ଭାରତର ସ୍ବରୂପ ବିଶ୍ୱ ଆଗରେ ପ୍ରକାଶ ପାଇଛି। ପାଶ୍ଚାତ୍ୟ ଦେଶ ଏବଂ ଆମର ବନ୍ଧୁମାନେ କେତେ ଦିନ ଯାଏ ଭାରତର କାର୍ଯ୍ୟକୁ ଅଣଦେଖା କରିବେ? ପାକିସ୍ତାନ ବୈଦେଶିକ ସଚିବ କହିଛନ୍ତି ଯେ କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ଜାତିସଂଘରେ କାଶ୍ମୀର ପ୍ରସଙ୍ଗ ଉଠାଇବେ। ସୂଚନାଯୋଗ୍ୟ, କୁଳଭୂଷଣ ଯାଦବଙ୍କୁ ପାକିସ୍ତାନ ଇରାନ ସୀମାରୁ ଗିରଫ କରିଥିଲା। କୁଳଭୂଷଣ ଯାଦବଙ୍କୁ ନିର୍ଯାତନା ଦେବା ପରେ ପାକିସ୍ତାନ ତାଙ୍କଠାରୁ ଜୋରଜବରଦସ୍ତ ଏକ ଭିଡିଓ ଜାରି କରାଇଥିଲା। ପାକିସ୍ତାନ ଭାରତ ଉପରେ ଆତଙ୍କବାଦ ବିସ୍ତାର କରୁଥିବା ଅଭିଯୋଗ କରୁଛି କିନ୍ତୁ ନିଜେ କାଶ୍ମୀରକୁ ବ୍ୟାପକ ମାତ୍ରାରେ ଆତଙ୍କବାଦୀ ପଠାଉଛି। ଏହି ଆତଙ୍କବାଦୀମାନେ ପ୍ରତିଦିନ ଭାରତୀୟ ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରୁଛନ୍ତି। ଏଥିରେ ଅନେକ ଭାରତୀୟ ଯବାନ ମଧ୍ୟ ସହିଦ ହୋଇଛନ୍ତି। ଏହା ସତ୍ତ୍ବେ ପାକିସ୍ତାନ ଜାତିସଂଘରେ କାଶ୍ମୀର ପ୍ରସଙ୍ଗ ଉଠାଇ ଭାରତକୁ ଘେରିବାକୁ ଚେଷ୍ଟା କରୁଛି।

ସମ୍ବନ୍ଧିତ ଖବର