ସିବିଆଇ ବିବାଦ : ସୁପ୍ରିମକୋର୍ଟଙ୍କ ଅଙ୍କୁଶ

୨ ସପ୍ତାହ‌ରେ ତଦନ୍ତ ସାରିବାକୁ ନିର୍ଦ୍ଦେଶ, ୧୨ ନଭେମ୍ବରରେ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ : କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ଅନ୍ତରୀଣ ମୁଖ୍ୟ ନାଗେଶ୍ବର ରାଓଙ୍କ ସମ୍ଭାବ୍ୟ କାର୍ଯ୍ୟଧାରା ଉପରେ ସୁପ୍ରିମକୋର୍ଟ ଆଜି ଅଙ୍କୁଶ ଲଗାଇଛନ୍ତି। ଦାୟିତ୍ବରେ ଥିବା ସମୟରେ ଅନ୍ତରୀଣ ମୁଖ୍ୟ କୌଣସି ନୀତିଗତ ନିଷ୍ପତ୍ତି ଗ୍ରହଣ କରିପାରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଏଥିସହିତ, ୨ ସପ୍ତାହ ମଧ୍ୟରେ ତଦନ୍ତ ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ନଭେମ୍ବର୧୨ ତାରିଖ ଦିନ ଏହାର ପରବର୍ତ୍ତୀ ଶୁଣାଣି ପାଇଁ ସମୟ ଧାର୍ଯ୍ୟ କରିଛନ୍ତି।

କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ରେ ଉତ୍ପନ୍ନ ଜଟିଳ ସ୍ଥିତିର ସମାଧାନ ପାଇଁ ଆଜି ସୁପ୍ରିମକୋର୍ଟ ଗୁରୁତ୍ବପୂର୍ଣ୍ଣ ଶୁଣାଣି କରିଥିଲେ। ସିବିଆଇର ଦାୟିତ୍ବମୁକ୍ତ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ଆବେଦନ ଉପରେ ଶୁଣାଣି କରି କୋର୍ଟ ଦୁର୍ନୀତି ମାମଲାର ତଦନ୍ତ ୨ ସପ୍ତାହ ମଧ୍ୟରେ ସଂପୂର୍ଣ୍ଣ କରିବାକୁ କେନ୍ଦ୍ରୀୟ ଭିଜିଲାନ୍ସ କମିସନ (ସିଭିସି)ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ସରକାର, ସିବିଆଇ ଏବଂ ସିଭିସିଙ୍କୁ ଏ ବାବଦରେ ନୋଟିସ୍‌ ଜାରି କରିବା ସହ ସର୍ବୋଚ୍ଚ ଅଦାଲତ କହିଛନ୍ତି, ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ତ୍ବାବଧାନରେ ଏହି ମାମଲାର ତଦନ୍ତ ହେବ। ଅନ୍ୟପକ୍ଷରେ ଅନ୍ତରୀଣ ସିବିଆଇ ମୁଖ୍ୟ ଶ୍ରୀ ରାଓଙ୍କ ନିଯୁକ୍ତି ନେଇ ସୁପ୍ରିମ୍‌ କୋର୍ଟ ତାଙ୍କ ନିର୍ଦ୍ଦେଶରେ କହିଛନ୍ତି, ଅନ୍ତରୀଣ ମୁଖ୍ୟ ଭାବେ ସେ କୌଣସି ନୀତିଗତ ନିଷ୍ପତ୍ତି ନେଇପାରିବେ ନାହିଁ। କେବଳ ସିବିଆଇକୁ ଚଳାଇବା ପାଇଁ ସେ ଯଥାରୀତି କାର୍ଯ୍ୟ କରିବେ। ଅକ୍ଟୋବର ୨୩ ତାରିଖରୁ ଆଜି ପର୍ଯ୍ୟନ୍ତ ଅନ୍ତରୀଣ ମୁଖ୍ୟ ଯେଉଁସବୁ ନିଷ୍ପତ୍ତି ନେଇଛନ୍ତି ତାହାକୁ ବନ୍ଦ ଲଫାଫାରେ କୋର୍ଟରେ ଦାଖଲ କରିବାକୁ ପ୍ରଧାନ ବିଚାରପତି ରଂଜନ ଗୋଗଇ, ଜଷ୍ଟିସ୍‌ ଏସ୍‌ କେ କାଉଲ ଏବଂ କେ.ଏମ୍‌. ଯୋଶେଫ୍‌ଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ୧୨ ନଭେମ୍ବରରେ ହେବ।

ତଦନ୍ତ ପାଇଁ ଅଧିକ ସମୟ ଦେବାକୁ ମନା କରି ସୁପ୍ରିମ୍‌ କୋର୍ଟ କହିଛନ୍ତି, ଏହି ପ୍ରକ୍ରିୟା ୨ ସପ୍ତାହ ମଧ୍ୟରେ ହିଁ ଶେଷ କରିବାକୁ ପଡ଼ିବ। ପୂର୍ବତନ ବିଚାରପତି ଅନଙ୍ଗ କୁମାର ପଟ୍ଟନାୟକଙ୍କ ତତ୍ତ୍ବାବଧାନରେ ମାମଲାର ତଦନ୍ତ ଶେଷ ହେବା ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଖଣ୍ଡପୀଠ କହିଛନ୍ତି। ଜଷ୍ଟିସ ପଟ୍ଟନାୟକ ସିଭିସି ଦ୍ବାରା ଗଠିତ ତଦନ୍ତକାରୀ ଟିମ୍‌ର ଅଧ୍ୟକ୍ଷ ରହିବେ।

ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଫାଲି.ଏସ୍‌. ନରିମନ ପକ୍ଷ ରଖିଥିଲେ। ନରିମନ ଖଣ୍ଡପୀଠକୁ କହିଥିଲେ, ସିବିଆଇ ନିର୍ଦ୍ଦେଶକଙ୍କୁ ସିଭିସି ତାଙ୍କ ଅଧିକାରରୁ ବଞ୍ଚିତ କରିଛନ୍ତି ଏବଂ କେନ୍ଦ୍ର ସରକାର ନିର୍ଦ୍ଦେଶକଙ୍କୁ ତାଙ୍କ ଦାୟିତ୍ବରୁ ହଟାଇ ଅନ୍ୟ ଜଣଙ୍କୁ ଅନ୍ତରୀଣ ନିର୍ଦ୍ଦେଶକ ନିଯୁକ୍ତି ଦେଇଛନ୍ତି। ତାଙ୍କର କାର୍ଯ୍ୟକାଳ ୨ ବର୍ଷ ପାଇଁ ଧାର୍ଯ୍ୟ ହୋଇଥିଲେ ମଧ୍ୟ ସରକାର ତାଙ୍କୁ ଛୁଟିରେ ପଠାଇ ଦାୟିତ୍ବରୁ ହଟାଇବା ପ୍ରଚଳିତ ନିୟମର ଉଲ୍ଲଂଘନ ବୋଲି ନରିମନ କହିଥିଲେ। ନରିମନଙ୍କ ଯୁକ୍ତି ଶୁଣିବା ପରେ ସୁପ୍ରିମ କୋର୍ଟ କେନ୍ଦ୍ର ସରକାରଙ୍କୁ କହିଥିଲେ ଯେ ୧୦ ଦିନ ମଧ୍ୟରେ ତଦନ୍ତ ପ୍ରକ୍ରିୟା ଶେଷ କରିବା ଉଚିତ ହେବ ଏବଂ ବର୍ତ୍ତମାନର ଅନ୍ତରୀଣ ଅଧ୍ୟକ୍ଷ କୌଣସି ବଡ଼ ନିଷ୍ପତ୍ତି ନେବା ଗ୍ରହଣୀୟ ହେବନାହିଁ। ସିଭିସି ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟା ତଦନ୍ତ ପାଇଁ ୧୦ ଦିନ ସମୟ ଆଦୌ ପର୍ଯ୍ୟାପ୍ତ ହେବନାହିଁ ବୋଲି ଯୁକ୍ତି କରିଥିଲେ ଏବଂ ଏଥିପାଇଁ ୩ ସପ୍ତାହ ସମୟ ମାଗିଥିଲେ। ଏହାପରେ ଅଦାଲତ ତଦନ୍ତ ସମୟସୀମାକୁ ୨ ସପ୍ତାହକୁ ବଢ଼ାଇଥିଲେ ।

ସିବିଆଇର ସ୍ବତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କ ପକ୍ଷରୁ ପୂର୍ବ ଆଟର୍ଣ୍ଣି ଜେନେରାଲ ମୁକୁଲ ରୋହତଗି ତାଙ୍କ ଯୁକ୍ତି ରଖି କହିଥିଲେ ଯେ ଅସ୍ଥାନାଙ୍କୁ ସରକାର ବାଧ୍ୟତାମୂଳକ ଛୁଟିରେ ପଠାଇଥିବାରୁ ଏହି ମାମଲା ଉପରେ ମଧ୍ୟ ଶୁଣାଣି ହେବା ଆବଶ୍ୟକ। କିନ୍ତୁ ଏହି ମାମଲା ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇନଥିବାରୁ ଏ ବାବଦରେ ଅନ୍ୟ କୌଣସି ଦିନ ଶୁଣାଣି ହେବ ବୋଲି ପ୍ରଧାନ ବିଚାରପତି ଗୋଗଇ କହିଥିଲେ।

ସମ୍ବନ୍ଧିତ ଖବର