ସିଏଏକୁ ସୁପ୍ରିମ୍‌ କୋର୍ଟରେ ଚାଲେଞ୍ଜ: ଆଇୟୁଏମ୍‌ଏଲ୍‌, ଡିୱାଇଏଫ୍‌ଆଇର ଆବେଦନ

ଜରୁରୀ ଶୁଣାଣି ସହ ଆଇନକୁ ରୋକାଯାଉ

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରାଳୟ ନାଗରିକତା ସଂ‌ଶୋଧନ ଆଇନ(ସିଏଏ) ୨୦୧୯ର ବିଜ୍ଞପ୍ତି ସୋମବାର ପ୍ରକାଶ କରିବା ପରେ ମଙ୍ଗଳବାର ଏହାକୁ ସୁପ୍ରି‌ମ୍‌ କୋର୍ଟରେ ଚାଲେଞ୍ଜ କରାଯାଇଛି। କେରଳଭିତ୍ତିକ ଇଣ୍ଡିଆନ୍ ୟୁନିୟନ ମୁସଲିମ ଲିଗ୍ (ଆଇୟୁଏମ୍‌ଏଲ୍‌) ଏବଂ ଡେମୋକ୍ରାଟିକ୍‌ ୟୁ‌ଥ୍‌ ଫେଡେରେସନ୍ ଅଫ୍ ଇଣ୍ଡିଆ (ଡିୱାଇଏଫ୍‌ଆଇ) ଉକ୍ତ ଆଇନ ବିରୋଧରେ ଆବେଦନ କରିଛନ୍ତି। ଆଇୟୁଏମ୍‌ଏଲ୍‌ ଉକ୍ତ ଆଇନର କାର୍ଯ୍ୟକାରିତା ଉପରେ ରୋକ୍‌ ଲଗାଇବା ପାଇଁ ଆବେଦନ କରିଛି। ଉକ୍ତ ଆଇନ ଅସାମ୍ବିଧାନିକ ଏବଂ ମୁସଲିମ ସଂପ୍ରଦାୟ ବିରୋଧରେ ଭେଦଭାବପୂର୍ଣ୍ଣ ବୋଲି ଦର୍ଶାଇଛି। ସେହିଭଳି ସିପିଏମ୍‌ ସହ ଜଡ଼ିତ ଡିୱାଇଏଫ୍‌ଆଇ ଉକ୍ତ ଆଇନକୁ ପାତରଅନ୍ତରମୂଳକ, ଅଯୌକ୍ତିକ ଆଦି ଦର୍ଶାଇ ଏହାର ଜରୁରୀ ଶୁଣାଣି ପାଇଁ ଆବେଦନ କରିଛି।

ଉଲ୍ଲେଖଯୋଗ୍ୟ ସିଏଏ ଆଇନକୁ ଆଇୟୁଏମ୍‌ଏଲ୍‌ ପ୍ରଥମେ ୨୦୧୯ ମସିହାରେ ଚାଲେଞ୍ଜ କରିଥିଲା। ଏହି ସଂଗଠନର ଯୁକ୍ତି ହେଲା ଯୋଗ୍ୟ ମୁସଲମାନମାନଙ୍କୁ ଏହି ଆଇନରେ ସାମିଲ କରା ନଯିବା ଦ୍ବାରା ସମ୍ବିଧାନର ଧାରା ୧୪ ଅନୁସାରେ ସମାନତାର ଅଧିକାର ଉଲ୍ଲଂଘନ ହେଉଛି। ଆଇୟୁଏମ୍‌ଏଲ୍‌ ସେତେବେଳେ ଏହି ଆଇନକୁ କାର୍ଯ୍ୟକାରୀ ନକରିବାକୁ ଆବେଦନ କରିଥିଲା। ତେବେ କେନ୍ଦ୍ର ସରକାର ଅଦାଲତରେ କହିଥିଲେ ଉକ୍ତ ଆଇନର ନିୟମଗୁଡ଼ିକର ବିଜ୍ଞପ୍ତି ଜାରି ନହେବା ପର୍ଯ୍ୟନ୍ତ ଆଇନ କାର୍ଯ୍ୟକାରୀ ହେବନାହିଁ। ତେବେ କେନ୍ଦ୍ର ସରକାର ଗତକାଲି ଏହି ଆଇନର ବିଜ୍ଞପ୍ତି ଜାରି କରିବା ପରେ ଦେଶର କେତେକ ଭାଗରେ ଏହାକୁ ନେଇ ଉତ୍ସବ ପାଳନ କରାଯାଉଥିବାବେଳେ ଅନ୍ୟ କେତେକ ସ୍ଥାନରେ ଏହାକୁ ପ୍ରବଳ ବିରୋଧ କରାଯାଇଛି। ପଶ୍ଚମବଙ୍ଗ ଏବଂ ମଧ୍ୟପ୍ରଦେଶରେ ବସବାସ କରୁଥିବା ମତୁଆ ସଂପ୍ରଦାୟ (ବାଂଲାଦେଶରୁ ଆସିଥିବା ଶରଣାର୍ଥୀ)ମାନେ ଉତ୍ସବ ମନାଇଛନ୍ତି। ଅନ୍ୟପକ୍ଷରେ ଆସାମରେ ପ୍ରତିବାଦ ଆରମ୍ଭ ହୋଇଛି। ସୀମାନ୍ତରେ ଥିବା ଏହି ରାଜ୍ୟକୁ ବାହାର ଦେଶକୁ ଅନେକ ଲୋକ ଚାଲିଆସ‌ିବେ ବୋଲି ଏମାନେ ଯୁକ୍ତି ବାଢ଼ିଛନ୍ତି। ଏଥିସହିତ ଉକ୍ତ ଆଇନ ମୁସଲିମ ସଂପ୍ରଦାୟ ବିରୋଧୀ ବୋଲି ସେମାନେ କହିଛନ୍ତି।

ସେହିଭଳି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମେତ ବିରୋଧୀ କଂଗ୍ରେସ ଏହି ନୂଆ ଆଇନକୁ ତୀବ୍ର ବିରୋଧ କରିଛନ୍ତି। କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି, ୨୦୧୯ ଡିସେମ୍ବରେ ଉକ୍ତ ଆଇନ ପ୍ରଣୟନ ହୋଇଥିଲା। ୩ରୁ ୬ ମାସ ମଧ୍ୟରେ ଏହାକୁ କାର୍ଯ୍ୟକାରୀ କରାଯାଇ ପାରିଥାନ୍ତା। କିନ୍ତୁ ମୋଦୀ ସରକାର ସୁପ୍ରିମ୍‌ କୋର୍ଟକୁ ଉକ୍ତ ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ୯ ଥର ବର୍ଦ୍ଧିତ ସମୟ ମାଗିଛନ୍ତି ଏବଂ ବିଜ୍ଞପ୍ତି ଜାରି କରିବାକୁ ୪ ବର୍ଷ ୩ ମାସ ନେଇଛନ୍ତି। ଭୋଟରମାନଙ୍କୁ ଧ୍ରୁବୀକରଣ କରିବା ପାଇଁ ଏହା କରାଯାଇଛି। ଯଦି ସେମାନେ ସ୍ବଚ୍ଛ ମନରେ ଏହି ଆଇନ କାର୍ଯ୍ୟକାରୀ କରୁଛନ୍ତି ତା’ହେଲେ ୨୦୨୦ରେ କାହିଁକି ବିଜ୍ଞପ୍ତି ଜାରି କଲେନାହିଁ ବୋଲି ରମେଶ ପ୍ରଶ୍ନ କରିଛନ୍ତି।

ଖୋଲିଲା ସିଏଏ ପୋର୍ଟାଲ, ୬ ସଂପ୍ରଦାୟର ବ୍ୟକ୍ତି ପାଇବେ ସୁବିଧା

ନୂଆଦିଲ୍ଲୀ: ଦୀର୍ଘ ୪ ବର୍ଷରୁ ଅଧିକ ସମୟ ପରେ କେନ୍ଦ୍ର ସରକାର ନାଗରିକତା ସଂଶୋଧନ ଆଇନ (ସିଏଏ) ପାଇଁ ବିଜ୍ଞପ୍ତି ଜାରି କରିବା ପରେ ଏ କ୍ଷେତ୍ରରେ ଆଉ ଏକ ପଦକ୍ଷେପ ନେଇଛନ୍ତି। ଯୋଗ୍ୟ ବ୍ୟକ୍ତିମାନଙ୍କ ଆବେଦନ ପାଇଁ ଗୃହ ମନ୍ତ୍ରାଳୟ ପକ୍ଷରୁ ଏକ ୱେବ୍‌ ପୋର୍ଟାଲ ଖୋଲାଯାଇଛି। ଏହି ପୋର୍ଟାଲ ମାଧ୍ୟମରେ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରେ ଅତ୍ୟାଚାର ସହି ନପାରି ୨୦୧୪ ଡିସେମ୍ବର ୩୧ ସୁଦ୍ଧା ଭାରତ ପଳାଇ ଆସିଥିବା ସେଠାକାର ସଂଖ୍ୟାଲଘୁ ଧାର୍ମିକ ସଂପ୍ରଦାୟ ଯଥା ହିନ୍ଦୁ, ଶିଖ୍‌, ବୌଦ୍ଧ, ଜୈନ, ପାର୍ସି ଏବଂ ଖ୍ରୀଷ୍ଟିଆନ ବ୍ୟକ୍ତିମାନେ ଭାରତର ନାଗରିକତା ପାଇଁ ଆବେଦନ କରିପାରିବେ। ଏହି ପୋର୍ଟାଲଟି ହେଲା http:/indiacitizenshiplonline.nic.in। ଏସବୁ ଦେଶର ଉପରୋକ୍ତ ସଂପ୍ରଦାୟର ବ୍ୟକ୍ତି, ଯେଉଁମାନେ ଭାରତରେ ଶରଣ ନେଇଥିଲେ ସେମାନଙ୍କୁ ଏହା ଜରିଆରେ ନାଗରିକତା ପ୍ରଦାନ କରାଯିବ। ପୁରୁଣା ନାଗରିକତା ଆଇନରେ ଜ‌ଣଙ୍କୁ ନାଗରିକତା ପାଇବା ପାଇଁ ଭାରତରେ ୧୧ ବର୍ଷରୁ ଅଧିକ ସମୟ ବାସ କରିବାର ଆବଶ୍ୟକତା ରହିଥିଲା। କିନ୍ତୁ ନୂଆ ନାଗରିକତା ଆଇନରେ ଏହାକୁ ୫ ବର୍ଷକୁ କମାଇ ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ଗୃହ ମନ୍ତ୍ରାଳୟର ୨୦୨୧-୨୨ ବର୍ଷର ବାର୍ଷିକ ରିପୋର୍ଟ ଅନୁଯାୟୀ, ପୁରୁଣା ନାଗରିକତା ଆଇନ ୧୯୫୫ ଅନୁସାରେ ଉପରୋକ୍ତ ୩ଟି ଦେଶରୁ ଅତ୍ୟାଚାର ସହି ନପାରି ଭାରତକୁ ପଳାଇ ଆସିଥିବା ଅଣ ମୁସଲିମାନଙ୍କ ମଧ୍ୟରୁ ଅତିକମ୍‌ରେ ୧୪୧୪ ଜଣଙ୍କୁ ପଞ୍ଜୀକରଣ କିମ୍ବା ପ୍ରାକୃତିକ ଉପାୟରେ ଭାରତର ନାଗରିକତା ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର